Unknown

 

 

 

 

 

 

 

 

 

 

 

ନରମେଧ

ଲକ୍ଷ୍ମୀନାରାୟଣ ମହାନ୍ତି

 

 

 

 

 

 

 

 

 

 

 

 

ସରସ ଔପନ୍ୟାସିକ

ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକଙ୍କୁ

 

ସୂଚିପତ୍ର

 

ନରମେଧ

ହେନରିକ ସିନକିୟୁଇଜ

ନାରୀର କପାଳ

ଗୀଦ୍ୟ ମୋପାସଁ ।

ମରଣର ବିଜୟ

ଗାବ୍ରିୟେଲ ଦ୍ୟ ଅନୁନତ୍‍ସିଓ

★★★

 

ଏକାଦଶ କୋଠରୀ

 

ଅରୁଣୋଦୟ କାଳୀନ ନବଜାତ ପୁତ୍ରକୁ ଦେଖି ମାଆର ଅନ୍ତର ପୁଲକିତ ହେଲା । ତାହାର ନୟନର ତୃଷା ମେଣ୍ଟିଲା ନାହିଁ । ଶିଶୁଟି ଆଡ଼କୁ ନିର୍ନିମେଷ ଦୃଷ୍ଟିରେ ଚାହିଁରହି ମାଆର ହଠାତ୍‍ ମନେହେଲା–‘‘ପ୍ରଭାତ ସୂର୍ଯ୍ୟଙ୍କର ଅରୁଣ ଆଶୀର୍ବାଦ ଘେନି ଏହି ତନୟ ଧରଣୀରେ ଆବିର୍ଭୂତ ହୋଇଛି । ସୂର୍ଯ୍ୟଙ୍କ ପରି ଏହି ନବ ଜାତକ ମଧ୍ୟ ଦିନେ ନଭୋମଣ୍ତଳର ଜ୍ୟୋତିର୍ଲୋକରେ ଅବତରଣ କରିବ ଏବଂ ଏକ ବର୍ଣ୍ଣୋଜ୍ଜ୍ଵଳ ଭବିଷ୍ୟତ ଲାଭ କରିବ ।”

 

ସତକୁ ସତ ଜନନୀର ସେହି ମହତ ଆଶା ଦିନେ ସଫଳ ହେଲା । ଦିନେ ସେହି ନବ ଜାତକ ଫରାସୀ ସାହିତ୍ୟରେ ଉଜ୍ଜ୍ଵଳତମ ଜ୍ୟୋତିଷ୍କ ଏବଂ ବିଶ୍ଵରେ ଅପ୍ରତିଦ୍ଵନ୍ଦ୍ୱୀ କଥାକାର ରୂପେ ପ୍ରଖ୍ୟାତ ହେଲେ । ମାତ୍ର ସବୁରି ମୂଳରେ ଥିଲା ମୋପାସାଁଙ୍କ ମାତା ବିଦୁଷୀ ରମଣୀର ଅସୀମ ପ୍ରେରଣା । ପିତା ଧନୀ ବ୍ୟବସାୟୀ ଓ ସୌଖୀନ ଚିତ୍ରକର, ମାତା ଶିଳ୍ପ ଓ ସାହିତ୍ୟର ପରମ ଅନୁରାଗିଣୀ, ମାମୁଁ ଶିଳ୍ପ ଓ ଦର୍ଶନର ଛାତ୍ର, ଆଉ ‘ଶ୍ରୀମତୀ ବୋଭାରୀ’ର ସ୍ରଷ୍ଟା ଯଶସ୍ଵୀ ଔପନ୍ୟାସିକ ଗୁସ୍ତାଭ ଫ୍ଳବେୟାର ମାମୁଁର ଜଣେ ଘନିଷ୍ଠ ବନ୍ଧୁ । ଶିଳ୍ପ ଓ ସାହିତ୍ୟର ଅପୂର୍ବ ଐତିହ୍ୟ ମଧ୍ୟରେ ମୋପାସାଁ ବଢ଼ିବାକୁ ଲାଗିଲେ । ମାଆ ହେଲେ ତାଙ୍କର ଆଦର୍ଶ, ଏବଂ ଫ୍ଳବେୟାର ଶିକ୍ଷା ଓ ଦୀକ୍ଷା ଗୁରୁ । ସେ ପ୍ରଥମେ କବିତା, ଗପ ଓ ପ୍ରବନ୍ଧରେ ହାତ ଦେଲେ । ପ୍ରତି ରବିବାର ଦିନ ସେ ପାଣ୍ଡୁଲିପି ନେଇ ଫ୍ଳବେୟାରଙ୍କ ଘରକୁ ଯାଉଥିଲେ । ସେଠାରେ ଏକ ସାହିତ୍ୟ ଆସର ବସୁଥିଲା, ଏମିଲି ଜୋଲା, ତୁର୍ଗନିଭ ହେନରୀ ଜେମସ, ପ୍ରମୁଖ ବିଶିଷ୍ଟ ସାହିତ୍ୟିକମାନେ ସେଥିରେ ଯୋଗ ଦେଉଥିଲେ । ଫ୍ଳବେୟାର ତାଙ୍କର ପାଣ୍ଡୁଲିପି ପଢ଼ି ଆବଶ୍ୟକୀୟ ସ୍ଥଳରେ ସଂଶୋଧନ, ପରିମାର୍ଜନ, ପରିବର୍ତ୍ତନ ଓ ସଂଯୋଜନ କରୁଥିଲେ । ଏହିପରି ଭାବରେ ମୋପାସାଁଙ୍କର ସାହିତ୍ୟ ପରିକ୍ରମା ଚାଲିଥିଲା । ହଠାତ୍‍ ୧୯୭୦ ସାଲରେ ପ୍ରୁସିୟାନ ଆକ୍ରମଣକାରୀମାନେ ପ୍ୟାରୀସ ପର୍ଯ୍ୟନ୍ତ ମାଡ଼ି ଆସିଲେ । ତହୁଁ ଫରାସୀ ଜାତିର ମର୍ମବେଦନା ରିକ୍ତତା ମୋପାସାଁଙ୍କର ଅମର ଲେଖନୀରେ ରୂପାନ୍ତରିତ ହେଲା । ସେ ରମଣୀୟ ପଟିଏ “ବୁଲ ଦ୍ୟ ସୁଇଫ” (ଚର୍ବିର ଗୋଳା) ଲେଖିଲେ, ଦେଶ ସାରା ଚହଳ ପଡ଼ିଗଲା, ରାତାରାତି ତାଙ୍କର ନାମ ବିଖ୍ୟାତ ହେଲା, ଜାତି ତାଙ୍କର ପ୍ରତିଭାକୁ ସ୍ୱୀକାର କଲା, ଏବଂ ସେ ଜଣେ ପ୍ରଥମ ଶ୍ରେଣୀର ସାହିତ୍ୟିକ ରୂପେ ପରିଗଣିତ ହେଲେ-। କ୍ରମେ କ୍ରମେ ଫରାସୀ ସୀମାନ୍ତ ଅତିକ୍ରମ କରି ତାଙ୍କର ନାମ ଅନ୍ୟାନ୍ୟ ଦେଶକୁ ବ୍ୟାପିଗଲା-। ତାଙ୍କର ସାହିତ୍ୟ କୃତି ଇଂଲଣ୍ଡ, ରୁଷିଆ, ଆମେରିକା, ପ୍ରଭୃତି ଦେଶରେ ସମାଦର ଲାଭ କଲା-। ଗପ ଛଡ଼ା ସେ କବିତା ଓ ନାଟକ ରଚନା କଲେ, ତା’ପରେ ଉପନ୍ୟାସରେ ହାତ ଦେଲେ । ମାତ୍ର ସର୍ବୋପରି ସେ ନିଃସନ୍ଦେହରେ ଜଣେ ଯଶସ୍ଵୀ କଥାକାର । ତାଙ୍କର ଅନବଦ୍ୟ ଶୈଳୀରେ ଲିଖିତ ଗପଗୁଡ଼ିକରେ ମୁଖ୍ୟତଃ ସାମାଜିକ ଜୀବନର ବିଭିନ୍ନ ସ୍ତରର ପ୍ରକୃତ ପ୍ରତିଚ୍ଛବି, ମାନବିକ ପ୍ରବୃତ୍ତିର କରୁଣ ପ୍ରକାଶ, ପତିତା ନାରୀର ବେଦନାମୟ ଇଙ୍ଗିତ, ପିତୃସ୍ନେହର ପ୍ରକୃଷ୍ଟ ପରିଚୟ ତଥା ପ୍ରଗାଢ଼ ମାନସିକ ବିଶ୍ଳେଷଣ ପରିଲକ୍ଷିତ ହୁଏ । ତନ୍ମଧ୍ୟରୁ ‘ହୀରାହାର’, ‘ଶିଳ୍ପୀ’ ‘ବାରବୁଲା’, ‘ଯମଦୂତ’, ‘ନିଷିଦ୍ଧ ଫଳ’, ‘ମା ଓ ପୁଅ’, ‘ଅଭାଗିନୀ ଝିଅ’, ‘ଜ୍ୟୋତ୍ସ୍ନା’, ‘ବସନ୍ତରେ’, ‘ଘନଘଟା’, କୁତ୍ସିତ’, ‘ସଙ୍କେତ’, ‘କୁମାରୀ ହାରିୟେଟ’, ‘ମୃତ୍ୟୁ ପରେ’, ‘ଚପରାସୀ’, ‘ଦ୍ୱନ୍ଦ୍ୱଯୁଦ୍ଧ’, ପ୍ରଭୃତିର ନାମ ଏଠାରେ ଉଲ୍ଲେଖ କଲେ ଯଥେଷ୍ଟ ହେବ । ବଡ଼ ଆଶ୍ଚର୍ଯ୍ୟର କଥା ଯେ ମୋଟେ ଦଶ ବର୍ଷ ଭିତରେ କାହାଣୀ-ରଥର ସାରଥି ମୋପାସାଁ କିପରି ଏତେଗୁଡ଼ିଏ ସାର୍ଥକ ଗପ ସୃଷ୍ଟି କଲେ ।

 

ମୋପାସାଁଙ୍କର କୃତିଗୁଡ଼ିକରେ ତାହାଙ୍କ ଜୀବନର ପ୍ରତିଚ୍ଛବି ତଥା ବ୍ୟକ୍ତିତ୍ୱର ମାନସ ରୂପ ପ୍ରତିଫଳିତ ହୋଇଛି ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ । କି ଛୋଟ ଗପ, କି ଉପନ୍ୟାସ, ସବୁଥିରେ ନିହିତ ଅଛି ଗୋଟାଏ ଉଗ୍ର ବିରୂପତା ଓ ହୃଦୟହୀନ ତିକ୍ତତା । କେତେକ ସ୍ଥଳରେ ତାହାଙ୍କୁ ଜଣେ ମନୁଷ୍ୟ-ଦ୍ଵେଷୀ ବ୍ୟକ୍ତି ବୋଲି ମନେହେଲେ ସୁଦ୍ଧା, ବାସ୍ତବିକ ସେ ତିଳେହେଲେ ସେୟା ନୁହନ୍ତି । ଦେଶ ତଥା ଦେଶବାସୀଙ୍କ ପ୍ରତି ଅକପଟ ପ୍ରେମରେ ତାଙ୍କର ଅନ୍ତର ପରିପୂର୍ଣ୍ଣ ଥିଲା । ତାଙ୍କର ସାହିତ୍ୟହିଁ ତାହାର ପ୍ରକୃଷ୍ଟ ପ୍ରମାଣ । ସେ ଯେଉଁଠି ବିଜିତ ଜାତିର ଯାହା ତ୍ରୁଟି ଦେଖିଛନ୍ତି, ନିର୍ମମ ଭାବରେ ତାହାକୁ କଷାଘାତ କରିଛନ୍ତି । ହୁଏତ ଆତ୍ମୀୟର ସମ୍ବେଦନଶୀଳତା ତାହାଙ୍କ ଭିତରେ ନ ଥିଲା । ତାହାର କାରଣ ତାଙ୍କର ଜୀବନ ଭିତରେ ନିହିତ ଅଛି । ତାଙ୍କର ପିତା ଲମ୍ପଟ ଥିବାରୁ ମାତାଙ୍କ ପ୍ରତି ଅତ୍ୟନ୍ତ ଦୁର୍ବ୍ୟବହାର କରୁଥିଲେ । ସେଥିପାଇଁ ଶୈଶବରୁ ମୋପାସାଁଙ୍କ ମନରେ ନିଜର ବାପା ପ୍ରତି ଭୀଷଣ ଘୃଣା ଜାତ ହୋଇଥିଲା । ତାହାଛଡ଼ା ସେ ଉତ୍ତରାଧିକାର ସୂତ୍ରରେ ବାପାଠାରୁ ଅସ୍ଵାଭାବିକ ରିରଂସା ବୃତ୍ତି ପାଇଥିଲେ । ଫଳରେ, ଦୁରନ୍ତ ଯୌନ ବ୍ୟାଧି ଅକାଳରେ ତାଙ୍କର ଦେହ ଓ ମନକୁ ପଙ୍ଗୁକରି ଦେବାରୁ, ମଝିରେ ମଝିରେ ମସ୍ତିଷ୍କ ବିକୃତି ଦେଖା ଦେଲା । ମାମୁଁ ମାନସିକ ବ୍ୟାଧିରେ ମଲା, ଅର୍ଦ୍ଧ-ଉନ୍ମାଦିନୀ ହୋଇ ମାଆ ସାରା ଜୀବନ ବିତାଇଲା, ଏକମାତ୍ର ଭାଇଟି ପାଗଳାଖାନାରେ ପ୍ରାଣ ଛାଡ଼ିଲା । ୧୮୯୨ ସାଲ ଜାନୁଆରୀ ୧ ତାରିଖରେ ମୋପାସାଁ ନିଜ ବେକରେ ଖୁର ଲଗାଇ ଦେଲେ, ସର୍ବାଙ୍ଗରେ ରକ୍ତର ସୁଅ ଛୁଟିଲା, ଘରର ଲୋକେ ଧାଇଁ ଆସି ଦେଖିଲେ ଯେ ସର୍ବାଙ୍ଗରେ ରକ୍ତ ବୋଳି ମୋପାସାଁ ପଥର ପରି ଠିଆ ହୋଇଛନ୍ତି । ସେମାନଙ୍କୁ ଦେଖି ମେପାସାଁ କହିଲେ–‘‘ଦେଖୁଛ କଅଣ ? ବେକଟା କାଟି ଦେଇଛି । କୁହତ ଏଟା କଅଣ ପାଗଳାମୀ !” ଯାହାହେଉ, ମୋପାସାଁ ସେହି ଯାତ୍ରାରୁ କୌଣସିମତେ ରକ୍ଷା ପାଇଲେ । କିନ୍ତୁ ତାଙ୍କର ସ୍ଵାସ୍ଥ୍ୟ ଆଉ ଭଲ ହେଲା ନାହିଁ । ୧୮୯୩ ସାଲ ଜୁଲାଇ ୬ ତାରିଖରେ ମୋପାସାଁଙ୍କର ଜୀବନ ଦୀପ ନିର୍ବାପିତ ହେଲା ।

 

ମୋପାସାଁଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଉପଲକ୍ଷେ ଏକ ଭାଷଣ ପ୍ରସଙ୍ଗରେ ବିଖ୍ୟାତ ସାହିତ୍ୟିକ ଏମିଲି ଜୋଲା କହିଥିଲେ–‘‘ଆମ ଭିତରେ ଯେଉଁମାନେ ତରୁଣ ଶିଳ୍ପୀ, ସେମାନେ ମୋପାସାଁକୁ ଶିଳ୍ପ ଜୀବନର ଆରମ୍ଭରୁ ଉତ୍ସାହ ଓ ସହାନୁଭୂତି ସହକାରେ ଲକ୍ଷ୍ୟ କରିଛନ୍ତି ଏବଂ ମଣିଷର ମନକୁ କେତେ ଶୀଘ୍ର ସେ ଜୟ କରିଛି, ତାହା ଦେଖି ସେମାନେ ଅବଶ୍ୟ ଅତ୍ୟନ୍ତ ମୁଗ୍ଧ ହୋଇଛନ୍ତି । ସାହିତ୍ୟର ମଞ୍ଚରେ ଆବିର୍ଭୂତ ହୋଇ ସେ ସ୍ଵରଚିତ ଗପଗୁଡ଼ିକ ଶୁଣାଇଲା । ସଙ୍ଗେ ସଙ୍ଗେ ଦେଶବାସୀମାନେ ତାହାକୁ ବରଣ କଲେ । ରାତାରାତି ମୋପାସାଁ ଦିଗ୍‍ବିଜୟ କଲା । ଏପରି କଥା ଆଉ କାହାରି କପାଳରେ ଘଟିଥିବାର ମୁଁ ଶୁଣି ନାହିଁ ।”

 

ସେହି ଅପ୍ରତିଦ୍ଵନ୍ଦ୍ୱୀ କଥାକାରଙ୍କର ଜନପ୍ରିୟ ଉପନ୍ୟାସ “ନାରୀର କପାଳ” ପରେ ଇତାଲୀର ସ୍ୱନାମଧନ୍ୟ କବି, ନାଟ୍ୟକାର ଓ ଔପନ୍ୟାସିକ ଗାବ୍ରିୟେଲଙ୍କର ଅମର କୃତି “ମରଣର ବିଜୟ” ସ୍ଵକୀୟ ବୈଶିଷ୍ଟ୍ୟରେ ଜାଜ୍ଜଲ୍ୟମାନ । ନିତି ସକାଳେ ଗାବ୍ରିୟେଲ ବନ୍ଧୁକରୁ ଗୁଳି ଫୁଟାଇବା ଅଭ୍ୟାସ କରୁଥିଲେ । ସେ ନିଜେ କହୁଥିଲେ–

 

“କବିର ଲକ୍ଷ୍ୟ ବସ୍ତୁ କବି ନିଜେ ।

ବାର୍ଦ୍ଧକ୍ୟର ହାତରୁ ପରିତ୍ରାଣ ପାଇବାକୁ ହେଲେ

ନିଜକୁହିଁ ଖତମ କରିବାକୁ ପଡ଼ିବ ।”

 

କବିଙ୍କର ଅବସର ଜୀବନ ନିଃଶବ୍ଦରେ କଟୁଥିଲା । ଏଣେ ତାଙ୍କର ବୟସ ଦିନକୁ ଦିନ ଏକ ବେଦନାଦାୟକ ଭଙ୍ଗୀରେ ବଢ଼ୁ ଥିଲା । ଦଲାଣ ଘରେ ଗୋଟିଏ କାଚ ଶବାଧାର ଭିତରେ ଗାବ୍ରିୟେଲ ରାଶି ରାଶି ଲିଲି ଫୁଲରେ ଆବୃତ ହୋଇ ଶୋଇ ରହୁଥିଲେ ।

 

ପ୍ରଶସ୍ତ ଚନ୍ଦା ମୁଣ୍ଡ, ମୋଟା ଚେପ୍‍ଟା ନାକ, ବାଇଗଣି ଆଖି, ଅସମାନ ଦନ୍ତ ପନ୍ତି, ବିରାଡ଼ି ସଦୃଶ ଚରିତ୍ର । ଅଥଚ ଏହି କଦାକାର ଦୁର୍ଦ୍ଦମନୀୟ କବି ଯେ କେତେ ନାରୀଙ୍କର ଚିତ୍ତ ଜୟ କରିଥିଲେ, ତାହାର ହିସାବ ନାହିଁ । ପ୍ରତିଦିନ ସେ କୁଆଡ଼େ ଅଧ ବୋତଲେ ଅତର ବ୍ୟବହାର କରୁଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନର ଉଦ୍ଦାମତା ଅତ୍ୟନ୍ତ ଜଟିଳ ଓ ବିଚିତ୍ର । ସେ ଥିଲେ ମରଣ ଜୟୀ ଦୁଃସାହସର ଅଧିକାରୀ । ଏକ କୃଷକ ବଂଶରେ ଜନ୍ମିଲେ ସୁଦ୍ଧା ଉତ୍ତର ଜୀବନରେ ସେ ମଣ୍ଟିଭେନାସର ରାଜକୁମାର ରୂପେ ଅଭିଷିକ୍ତ ହୋଇଥିଲେ ।

 

ବାର ବର୍ଷ ବୟସରେ ଗାବ୍ରିୟେଲ ବହୁ ଅଶ୍ଳିଳ କାହାଣୀ ଓ ପ୍ରାଚୀନ ଗ୍ରନ୍ଥରୁ କେତେକ ଆଜି ରସାତ୍ମକ ଅଂଶକୁ ମୌଖିକ ଅନୁବାଦ କରି ସାଙ୍ଗମାନଙ୍କୁ ଶୁଣାଉଥିଲେ । ତାଙ୍କର ପ୍ରଥମ କାବ୍ୟ ଗ୍ରନ୍ଥ ଷୋଳ ବର୍ଷ ବେଳେ ପ୍ରକାଶିତ ହୁଅନ୍ତେ, ସେ ଅଜସ୍ର ପ୍ରଶଂସା ଲାଭ କଲେ । ପ୍ରତିକୂଳ ସମାଲୋଚନା ମଧ୍ୟ ହୋଇଥିଲା । ବନ୍ଧୁମାନଙ୍କର ପ୍ରତିକ୍ରିୟା ଜାଣିବା ଲାଗି ସେ ଥରେ ନିଜର ମୃତ୍ୟୁ ସମ୍ବାଦ ପ୍ରଚାର କରିଦେଇ ରୋମରେ ସାମ୍ବାଦିକ ବୃତ୍ତିଦ୍ଵାରା ଜୀବିକାର୍ଜନର ବ୍ୟବସ୍ଥା କରିଥିଲେ ଏବଂ ବିଭିନ୍ନ ଛଦ୍ମନାମରେ ଲେଖିଥିଲେ । ରୋମ, ଫ୍ଲୋରେନ୍ସ ଓ ପେସକାରାରେ ସେ ବହୁ କଦର୍ଯ୍ୟ ଘଟଣାରେ ଜଡ଼ିତ ହୋଇଥିଲେ । ତାହାଙ୍କ ମତରେ, ଲିଭିଲା ସିଗାରେଟରେ ନିଆଁ ଲଗାଇଲା ପରି ପୁରାତନ ପ୍ରେମକୁ ଝଳାଇ ନେବାକୁ ହୁଏ । ତାହାଙ୍କ ଜୀବନରେ ଏକ ଉଲ୍ଲେଖନୀୟ ଘଟଣା ଘଟିଲା କୋଡ଼ିଏ ବର୍ଷ ସମୟରେ, ଯେତେବେଳେ ସେ ମାରିୟା ଡାଚେସିନା ଗାଲିସେକୁ ନେଇ ଗାଏବ ହୋଇଗଲେ । ମାରିୟାର ପିତାମାତା ବହୁ ଚେଷ୍ଟା କରି ଖୋଜି ଖୋଜି ସେମାନଙ୍କୁ କେଉଁଠି ପାଇଲେ ନାହିଁ । ସେ କେତେକ ବର୍ଷ ମାରିୟା ସହିତ ବାସ କଲେ, ମାତ୍ର କେତୋଟି ସନ୍ତାନ ହେଲା ପରେ ସେ ଦିନେ ପୁଣି ଘରୁ ପଳାଇଲେ ।

 

ଗାବ୍ରିୟେଲ ଥରେ କହିଥିଲେ–ମୁଁ ପ୍ରାୟ ଦୁଇ ହଜାର ରମଣୀଙ୍କୁ ଭଲ ପାଇଛି । ସେଥି ଭିତରୁ ତିନି ଜଣଙ୍କ ସହିତ ତାଙ୍କର ଅଧିକ ସଂସ୍ରବ ଥିଲା । ସାନ୍ତା ମାରିୟାଙ୍କ ମନ୍ଦିରରେ ଦୀର୍ଘ ଦିନ ଅବସ୍ଥାନ କାଳରେ ସେ ବିଖ୍ୟାତ ପ୍ରେମ ଉପନ୍ୟାସ “ନିର୍ଦ୍ଦୋଷ” ଲେଖିଥିଲେ । ସେହି ସମୟରେ ଅସାମାନ୍ୟା ସୁନ୍ଦରୀ ସିସିଲିର ରାଜକୁମାରୀ ମାରିୟା ଗ୍ରାଭିନା ସହିତ ପ୍ରଥମ ଦର୍ଶନରେହିଁ ସେ ପ୍ରେମରେ ପଡ଼ିଲେ, ଦିନେ ସିଧା ତାହାର ବୈଠକଖାନାରେ ଯାଇ ହାଜର ହେଲେ ଏବଂ ଅତ୍ୟନ୍ତ ଶୀତଳ ଅଭ୍ୟର୍ଥନା ପରେ ଚତୁର୍ଦ୍ଦଶ ପଦୀ କବିତାର ପ୍ଳାବନରେ ତାହାର ସବୁ ଦୃଢ଼ତା କୁଆଡ଼େ ଚୁର୍‍ମାର୍‍ ହେଲା । ଦୁହେଁ ନେପଲସରେ ବାସ କରିବାକୁ ଚାଲିଗଲେ । ରାଜକୁମାର ଅଦାଲତରେ ବ୍ୟଭିଚାରର ମାମଲା ଦାଏର କଲା ଏବଂ ବିଚାରରେ ତାହାଙ୍କୁ ପାଞ୍ଚ ମାସ ସଶ୍ରମ କାରାଦଣ୍ଡର ଆଦେଶ ହେଲା । କିନ୍ତୁ ସାମ୍ରାଟଙ୍କ ନିକଟରୁ ତାର ଯୋଗେ ଦଣ୍ଡାଦେଶ ମାର୍ଜନାର ହୁକୁମ ଆସିଲା-। ସେ ଗ୍ରାଭିନା ସାହିତ ନଅ ବର୍ଷ କଟାଇଲେ ଏବଂ ଦୁଇଟି ସନ୍ତାନ ଜନ୍ମ ହେଲେ ।

 

ତା’ପରେ ତାଙ୍କର ଜୀବନରେ ଆସିଲା ପ୍ରସିଦ୍ଧା ଅଭିନେତ୍ରୀ ଏଲିଓନାରା ଦୁଜେ, ଯେ କବିଙ୍କୁ ରାଜକୁମାରୀର ହାତରୁ ନିଜର ଛଳା କଳା ବଳରେ ଛଡ଼ାଇ ନେଇଥିଲା । ମାତ୍ର ତାହାଙ୍କ ପ୍ରତି ଗାବ୍ରିୟେଲ ଅତି କଠୋର ବ୍ୟବହାର କରୁଥିଲେ । ତାଙ୍କର ବିଖ୍ୟାତ ଉପନ୍ୟାସ “ଅନଳ”ରେ ଦୁଜେର ପ୍ରେମ କାହାଣୀର ବିସ୍ତୃତ ବିବରଣୀ ପ୍ରଦତ୍ତ ହୋଇଛି । ଦୁଜେ ନିଜର ପ୍ରେମିକ ପଛରେ ସବୁ ଅର୍ଥ ବ୍ୟୟ କରିଥିଲା, ଏପରିକି ତାଙ୍କର କେତେଗୁଡ଼ିଏ ନାଟକ ମଞ୍ଚସ୍ଥ କରିବାର ସମୁଦାୟ ଖର୍ଚ୍ଚ ମଧ୍ୟ ଅକାତରେ ବହନ କରିଥିଲା । ତଥାପି ଗାବ୍ରିୟେଲ ଦିନେ ପ୍ରେୟସୀ ଦୁଜେକୁ ପୁରୁଣା ଜୋତା ପରି ଫିଙ୍ଗି ଦେଇ ଚାଲି ଗଲେ ।

 

ଦୁଜେକୁ ବିତାଡ଼ିତ କରି ଆସିଲା ମାରଚେସା ଆଲେଜାନ୍ଦ୍ରା କାରଲୋନା ରୁଡ଼ିନି, ଯେ ନିଜର ବିଶାଳ ଆକୃତି ଓ ଇଟା ପରି ଲାଲ ବର୍ଣ୍ଣର ହୋଇଥିବାରୁ କବିଙ୍କର ପ୍ରଣୟିନୀ ହେବାର ମୋଟେ ଉପଯୁକ୍ତ ନୁହେଁ । ଗୋଟିଏ ଭୋଜିର ଅନୁଷ୍ଠାନରେ ଗାବ୍ରିୟେଲ ସିଧା ମାରଚେସାର ଘରକୁ ପଶିଗଲେ । ଅଧ ରାତିରେ ତାହାର ଘରୁ ବାହାରି ଆସିଲା ବେଳେ ମାରଚେସା ହାତରେ ପିସ୍ତଲ ଧରି ବିଛଣାରେ ଉଠି ବସିଲା ଏବଂ ଅତି କର୍କଶ ସ୍ୱରରେ ଗାବ୍ରିୟେଲଙ୍କୁ କହିଲା–“ତୁମେ ମୋତେ କଅଣ ମନେକରି ପାରିଲ କି ? ଆମେ ଯେହେତୁ ଏକା ସାଙ୍ଗରେ ପାପର ପଙ୍କିଳ ସରୋବରରେ ବୁଡ଼ିଛନ୍ତି, ଆମ ଦୁହିଁଙ୍କୁ ଏକାଠି ମରିବାକୁ ହେବ ।”

 

ଗାବ୍ରିୟେଲ ସଙ୍ଗେ ସଙ୍ଗେ କହି ପକାଇଲେ–“ଏକା ସାଙ୍ଗରେ ମରିବାଠାରୁ ବରଂ ଚାଲ ଆମେ ଦୁହେଁ ଏକାଠି ସୁଖରେ ଜୀବନ ବିତାଇବା ।”

 

ସମସ୍ତେ ବିସ୍ମୟରେ ଲକ୍ଷ୍ୟ କଲେ, ଗାବ୍ରିୟେଲ ପ୍ରେମିକା ମାରଚେସା ପ୍ରତି ଖୁବ୍‍ ଶୋଭନୀୟ ବ୍ୟବହାର ଦେଖାଇଲେ, ଏପିରିକି ତାହାର ଅସୁସ୍ଥତା ସମୟରେ ଅସ୍ତ୍ରୋପଚାରର ଖରଚ ପାଇଁ କିଛି ଟଙ୍କା ମଧ୍ୟ ସଂଗ୍ରହ କଲେ । କେତେ ସପ୍ତାହ ଯାଏ ସେ ଜଣେ ଏକନିଷ୍ଠ ସଚୋଟ ପ୍ରେମିକ ପରି ତାହାର ରୋଗ ଶଯ୍ୟା ପାଖରେ ବସି ରହିଲେ । କିନ୍ତୁ ତା’ପରେ ମାରଚେସା ସନ୍ନ୍ୟାସ ଗ୍ରହଣ କରି ମଠକୁ ଚାଲିଗଲା ।

 

ଇତାଲୀୟ ଲୋକସଭାର ସଦସ୍ୟ ଥିଲାବେଳେ, ଦିନେ ଅଧିବେଶନ ସମୟରେ ଗାବ୍ରିୟେଲ ତାଙ୍କର ସହଯୋଗୀ ଡେପୁଟିର ସ୍ତ୍ରୀକୁ ପ୍ରେମ ନିବେଦନ କଲେ । ଠିକ୍‍ ସେତିକିବେଳେ ଡେପୁଟି ହଠାତ୍‍ ସେଠାରେ ଉପସ୍ଥିତ ହେଲା । ଡେପୁଟିର ସ୍ତ୍ରୀ ସୋଫାରେ ଗାବ୍ରିୟେଲ ପାଖରେ ବସିଥିଲା । ସ୍ୱାମୀକୁ ଦେଖିପାରି ସେ ହଡ଼ବଡ଼େଇ ଯାଇ ଗାବ୍ରିୟେଲଙ୍କୁ କୁଣ୍ଢାଇ ପକାଇଲା ।

 

ତହୁଁ ଗାବ୍ରିୟେଲ ଗମ୍ଭୀର କଣ୍ଠରେ ଡେପୁଟିକୁ କହିଲେ–“ବନ୍ଧୁ ! ତୁମ ସ୍ତ୍ରୀର ମଥା ବିଲକୁଲ ବିଗଡ଼ି ଯାଇଛି । ଏହା ପ୍ରେମ ଉନ୍ମାଦର ପରିଷ୍କାର ଲକ୍ଷଣ । ମୋ ପକେଟରୁ ତାହାର ଚିଠି ତାଡ଼ାଟା କାଢ଼ି ଦେଖ ତ, ତାହାର ଭାଷା କି ନିଦାରୁଣ ବାତୁଳତାରେ ପରିପୂର୍ଣ୍ଣ । ଏକ୍ଷଣି ବନ୍ଧୁ, ତୁମକୁ ମୁଁ ଅନୁରୋଧ କରୁଛି, ମୋତେ ତାହାର ଏହି ମରଣ ଆଲିଙ୍ଗନରୁ ମୁକ୍ତ କର ।”

 

ତାଙ୍କର ରାଜନୈତିକ ଜୀବନ ବଡ଼ ବିଚିତ୍ର ଓ ସଂକ୍ଷିପ୍ତ । ୧୮୯୪ ସାଲରେ ସେ ଆବରୁଜି ପ୍ରଦେଶରୁ ଡେପୁଟି ଭାବରେ ଲୋକସଭାକୁ ନିର୍ବାଚିତ ହେଲେ, ମାତ୍ର ୧୯୦୧ ସାଲରେ ଫ୍ଲୋରେନ୍‍ସରୁ ସୋସାଲିଷ୍ଟ ପ୍ରାର୍ଥୀ ଭାବରେ ନିର୍ବାଚନରେ ପରାସ୍ତ ହେଲେ । ଦିନେ ଗୋଟିଏ ଦୈନିକ ଖବରକାଗଜର ସମ୍ପାଦକ ସାଙ୍ଗରେ ଦ୍ୱନ୍ଦ୍ୱ ଯୁଦ୍ଧ ସମୟରେ ସେ ନିଜର ଗୋଟିଏ ଆଙ୍ଗୁଳି ହରାଇ ରାଜନୀତିରୁ ବିଦାୟ ନେଲେ ।

 

ଗାବ୍ରିୟେଲ ଉପନ୍ୟାସ, ନାଟକ, କବିତା ଓ ଛାୟାଚିତ୍ରର କାହାଣୀରୁ ପ୍ରଚୁର ଅର୍ଥ ଉପାର୍ଜନ କରିଥିଲେ । ଛାୟାଚିତ୍ରର ପ୍ରଥମ ଯୁଗରେ ତାଙ୍କର କାହାଣୀ “କାବିରିୟା” ବିଶେଷ ସାଫଲ୍ୟ ଲାଭ କରିଥିଲା । ଆୟ ତୁଳନାରେ ତାଙ୍କର ବ୍ୟୟ କରିବାର କ୍ଷମତା ମଧ୍ୟ ଅସୀମ ଥିଲା । ସେ କାନ୍ଥରେ ଗୋଟାଏ ବଡ଼ ପଟାରେ ଲେଖି ଟଙ୍ଗାଇ ଦେଇଥିଲେ–“ଜଳ କି ମନୋରମ ପାନୀୟ-।” ପ୍ରଶସ୍ତ କକ୍ଷ ବିଶିଷ୍ଟ ବିରାଟ ଅଟ୍ଟାଳିକାର ନିର୍ଜନତାରେ ସେ ଦିନ ଯାପିବାକୁ ଭଲ ପାଉଥିଲେ–ପାଖରେ ସଙ୍ଗିନୀ ରହୁଥିଲା, ଅଟ୍ଟାଳିକା ବହୁ ମୂଲ୍ୟ ଶିଳ୍ପ ଦ୍ରବ୍ୟରେ ସଜା ହେଉଥିଲା, ଆଉ ଘୋଡ଼ାଶାଳରେ ଉତ୍ତମ ଜାତିର ଘୋଡ଼ାସବୁ ମହଜୁଦ ରହୁଥିଲେ । ବାକି ଖଜଣା ପାଇଁ ବେଲିଫମାନେ କେତେଥର ତାଙ୍କର ଘରବାଡ଼ି ଘେରାଉ କରିଥିଲେ, ଏପରିକି ଥରେ ତାଙ୍କର ଘର କୋରକ ମଧ୍ୟ ହୋଇଥିଲା । ସରକାର ତାଙ୍କର ଦେଣା ସୁଝିବାର ଦାୟିତ୍ଵ ବହନ ନ କରିବାରୁ, ସେ ରାଗରେ ଇତାଲୀ ପରିତ୍ୟାଗ କରି ଫ୍ରାନ୍ସର ମଁଲେୟୁ ଅଞ୍ଚଳରେ ଯାଇ ବାସ କଲେ । ସେଠାରେ ସେ ଫରାସୀ ଭାଷାରେ ସେଣ୍ଟ ସେବାସ୍ତିୟାନ ସମ୍ବନ୍ଧରେ ବିଖ୍ୟାତ ନାଟକ ରଚନା କରିଥିଲେ-। ସେଥିରେ ଇଡ଼ା ରୁବେନଷ୍ଟିନ ନାୟିକାର ଭୂମିକାରେ ଅଭିନୟ କରୁଥିଲେ । ସେହି ପ୍ରସଙ୍ଗରେ ଗାବ୍ରିୟେଲ କହୁଥିଲେ–“ଇଡ଼ାର ପାଦ ଓ ମୋର ଉଜ୍ଜ୍ୱଳ ଚନ୍ଦା ମୁଣ୍ଡ ପୃଥିବୀରେ ଶ୍ରେଷ୍ଠ ସମ୍ପଦ ।” ତେଣେ ତାଙ୍କର ପରିଚାରକ ତାଙ୍କର ଶେଷ କେତେ ଗୁଚ୍ଛ କଳା ବାଳ ବିକି କିଛି ଅର୍ଥ ଉପାର୍ଜନ କରିଥିଲା ।

 

୧୯୧୪ ସାଲରେ ପ୍ରଥମ ମହାଯୁଦ୍ଧ ଲାଗିଲା । ସେତେବେଳେ ଗାବ୍ରିୟେଲଙ୍କର ବୟସ ଏକାବନ ବର୍ଷ । ସେ ବେଶ୍‍ ସୁସ୍ଥ ସବଳ ଥିଲେ । ୧୯୧୫ ସାଲରେ ଇତାଲୀକୁ ଫେରି ଆସି ସେ ଜନତା ସାମନାରେ ଜର୍ମାନ ଓ ଅଷ୍ଟ୍ରୀୟାନ ବିରୋଧୀ ଜ୍ୱାଳାମୟୀ ଓଜସ୍ୱିନୀ ବକ୍ତୃତା ଦେବାକୁ ଲାଗିଲେ । ମଇ ୨୪ ତାରିଖରେ ଇତାଲୀ ଅକ୍ଷ ଶକ୍ତି ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ସେହି ଦିନ ସେ ରୋମରେ ତେର ଘଣ୍ଟା କାଳ ବକ୍ତୃତା ଦେଇଥିଲେ । ଫଳରେ, ପର ଦିନ ସମ୍ରାଟ ତାହାଙ୍କୁ ଡାକି ପଠାଇଲେ ଏବଂ ତା’ପରେ ସେ ପଦାତିକ, ଅଶ୍ଵାରୋହୀ, ନୌ ଓ ବିମାନ ବାହିନୀରେ ନିଯୁକ୍ତ ହୋଇ ଯୁଦ୍ଧ କରିଥିଲେ । ଜୁଲାଇ ସତେଇଶ ତାରିଖରେ ସେ ଏକା ବିମାନରେ ଥାଇ ନିଜେ ତ୍ରିସ୍ତ ଉପରେ ବୋମା ପକାଇଥିଲେ । ତାହାଛଡ଼ା ସେ ନିଜର ବିମାନରେ ବସି ଡାଲମେଶିୟାନ ଉପକୂଳର କାଟାରୋ ଉପରେ ପ୍ରଚଣ୍ଡ ବୋମା ବର୍ଷଣ ପରିଚାଳନା କରିଥିଲେ । ଅଚାନକ ତାଙ୍କର ବାମ ଆଖିରେ ଭୀଷଣ ଆଘାତ ଲାଗିବାରୁ, ତାହାଙ୍କୁ ଛଅ ମାସ ଯାଏ ଅନ୍ଧାରରେ ରହିବାକୁ ପଡ଼ିଥିଲା । ଯନ୍ତ୍ରଣାରେ ଅସ୍ଥିର ହୋଇ ଦିନେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କର ସନ୍ନ୍ୟାସିନୀ କନ୍ୟା ରନାଟା ତାଙ୍କର ଯଥାଯଥ ପରିଚର୍ଯ୍ୟା କରିଥିଲେ ।

 

ଶାନ୍ତି ଘୋଷିତ ହେଲା ପରେ ଗାବ୍ରିୟେଲ ଏକ ବ୍ୟକ୍ତିଗତ ଯୁଦ୍ଧ ଘୋଷଣା କଲେ । ଶାନ୍ତି ସମ୍ମେଳନର ନୂତନ ରାଷ୍ଟ୍ର ଯୁଗୋଶ୍ଳୋଭିୟା ପ୍ରତି ପକ୍ଷପାତ ସିଦ୍ଧାନ୍ତର ପ୍ରତିବାଦ କରି ୧୯୧୯ ସାଲରେ ସେ ନାୟକ ଭାବରେ ଏକା ଯୁଦ୍ଧ ଚଳାଇଲେ । ସେତେବେଳେ ତାଙ୍କର ୧୦୪ ଡିଗ୍ରୀ ଜର, ସାଙ୍ଗରେ ମାତ୍ର ୧୦୪ ଜଣ ଅନୁଚର । ସେହି ଅବସ୍ଥାରେ ସେପ୍ଟେମ୍ବର ୧୫ ତାରିଖରେ ସେ ଏଡ୍ରିୟାଟିକ ସାଗରର ଉପକୂଳସ୍ଥ ଫିଉମ ସହର ଅଧିକାର କଲେ । ଶାରୀରିକ ଆସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ଆସନ୍ନ ବୋଲି ମନେ ହେଉଥିଲେ ସୁଦ୍ଧା, ସେ କହିଲେ–‘‘ମୋତେ ଗୁଳି କରି ମାରି ଦିଅନ୍ତୁ ପଛକେ, କିନ୍ତୁ ମୁଁ ଏକ ପାହୁଣ୍ଡ ଏଠାରୁ ହଟୁ ନାହିଁ ।” ସେତେବେଳେ ବେନିତୋ ମୁସୋଲିନୀ ଗୋଟିଏ ଦୈନିକ ପତ୍ରିକାର ସମ୍ପାଦକ ଥିଲେ ଏବଂ ଫାସିଷ୍ଟ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ତାଙ୍କର ଅଭୂତପୂର୍ବ ସାହସର କଥା ଶୁଣି ମୁସୋଲିନୀ ତାହାଙ୍କୁ ସମ୍ପାଦକୀୟରେ ତାରୁଣ୍ୟର ଅଭିନନ୍ଦନ ଜଣାଇଲେ । ଫିଉମର ଅଧିକାରରେ ସମଗ୍ର ଇଟାଲୀରେ ଆଲୋଡ଼ନ ଖେଳିଗଲା ଏବଂ ଜନତା ସଭା ଓ ପଟୁଆର ଜରିଆରେ ତାହାଙ୍କୁ ଅଶେଷ ଅଭିନନ୍ଦନ ଜଣାଇଲା । ନାରୀମାନେ ହର୍ଷୋତଫୁଲ୍ଲ କଣ୍ଠରେ ଚିତ୍କାର କଲେ–‘‘ହେ ନାଗରିକଗଣ, ଗାବ୍ରିୟେଲ ଏଠାକୁ ଆସିଛନ୍ତି । କିଛି କଥା କୁହ ନାହିଁ, ଖାଲି ଆନନ୍ଦର ଅଶ୍ରୁ ବର୍ଷଣ କର ।” ତେଣେ ଗାବ୍ରିୟେଲ ଗୋଟିଏ ଡେୟର ଜାହାଜରେ ଯାଇ ବାସ କରିବାକୁ ଲାଗିଲେ । ୧୯୨୦ ସାଲ ନଭେମ୍ବର ୨୦ ତାରିଖରେ ସନ୍ଧି ଚୁକ୍ତି ସ୍ଵାକ୍ଷରିତ ହେଲା । ତଦନୁଯାୟୀ ଫିଉମର ଅବସ୍ଥା ସ୍ୱୀକୃତ ହେଲା ଏବଂ ଯୁଗୋସ୍ଳୋଭିୟାର ସୀମାନ୍ତ ମଧ୍ୟ ନିର୍ଦ୍ଧାରିତ ହେଲା । ମାତ୍ର ଗାବ୍ରିୟେଲ ସେହି ଚୁକ୍ତି ନ ମାନି ଭୀଷଣ ଯୁଦ୍ଧ ଚଳାଇଲେ ଏବଂ ଦୁଇଟି ଦ୍ଵୀପ ଅଧିକାର କଲେ । ଖ୍ରୀଷ୍ଟ ମାସ ଦିନ ସରକାରୀ ପକ୍ଷ ସହିତ ସଂଘର୍ଷ ଉପୁଜିବାରୁ ଲଢ଼େଇ ଲାଗିଲା ଏବଂ ଡିସେମ୍ବର ୨୮ ତାରିଖରେ ସରିଲା । ତାଙ୍କର ରୋମ ପର୍ଯ୍ୟନ୍ତ ଆଗ୍ରସର ହେବାର କଥା ଥିଲା । ମାତ୍ର ସେହି ଭାର ସେ ମୁସୋଲିନୀଙ୍କୁ ଦେଲେ । ସେତେବେଳେ ତାଙ୍କର ବୟସ ଅଣଷଠି । ସେ ପ୍ରଥମେ ଗୋଟିଏ ମଠରେ ଏବଂ ପରେ ଗାରଡ଼ା ହ୍ରଦ କୂଳରେ ନିର୍ମିତ ଏକ ମନୋରାମ ଅଟ୍ଟାଳିକାରେ ଅବସର ଗ୍ରହଣ କଲେ । ପୁଗଳିୟା ଜାହାଜର ଭଗ୍ନାବଶେଷ ଉପରେ ପ୍ରତିଷ୍ଠିତ ଏହି ଅଟ୍ଟାଳିକା ଝାଉଁବଣ ମଝିରେ ଅତିଶୟ ରମଣୀୟ ଦିଶୁଥିଲା । କମାଣଗୁଡ଼ିକରେ ବାରୁଦ ପୂରା ହୋଇ ରହିଥିଲା ଏବଂ ମଝିରେ ମଝିରେ ସେସବୁ ଉଚ୍ଚ ପଦସ୍ଥ ବ୍ୟକ୍ତିମାନଙ୍କ ଆଗମନ ଉପଲକ୍ଷେ ସମ୍ମାନ ପ୍ରଦର୍ଶନ ନିମନ୍ତେ ବ୍ୟବହୃତ ହେଉଥିଲା ।

 

୧୯୨୨ ସାଲରେ ଗାବ୍ରିୟେଲ ପୁଣି ଅକସ୍ମାତ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ । ମାତ୍ର ଝରକା ବାଟେ ପାଣିକୁ ଡେଇଁଲାବେଳେ ଲକ୍ଷ୍ୟ ଭ୍ରଷ୍ଟ ହୋଇ ସେ ଫୁଲ ବଗିଚାର ନରମମାଟି ଉପରେ ପଡ଼ି ବଞ୍ଚିଗଲେ । ତହୁଁ ସେ ନୈରାଶ୍ୟରେ ବ୍ୟକ୍ତ କଲେ–“ମୁଁ ଆଜୀବନ ମୃତ୍ୟୁକୁ ଘୃଣା କରି ଆସିଛି । ବର୍ତ୍ତମାନ ମୃତ୍ୟୁ ମୋତେ ଘୃଣା କରୁଛି ।” ଅବଶେଷରେ ୧୯୩୮ ସାଲରେ ତାହାଙ୍କ ଜୀବନର ଶେଷ ଦୀପଶିଖା ନିର୍ବାପିତ ହେବାର ଅବ୍ୟବହିତ ପୂର୍ବରୁ ମୃତ୍ୟୁ ଶଯ୍ୟାରେ ସେ ଦମ୍ଭରେ ପ୍ରକାଶ କରିଥିଲେ–“ମୋ ଜୀବନରେ ଗୋଟାଏ ବଡ଼ ଅସୁବିଧା ଘଟିଲା । ସେଟା ହେଉଛି, ମୁଁ ମୋ ଯୁଗର ବହୁତ ଆଗରୁ ଜନ୍ମ ହେଲି । ତେଣୁ ମୋର ଅସାଧାରଣ ପ୍ରତିଭାର ମହତ୍ୱ ଏତେ ବିଶାଳ ଯେ କେହି ତାହାର ଯଥାର୍ଥ ମର୍ମ ଗ୍ରହଣ କରିପାରିଲେ ନାହିଁ ।” ଏହିପରି ଭାବରେ ଗୋଟିଏ ମରଣ ଜୟୀ ଦୁଃସାହସିକ ବିଦ୍ରୋହ ଜୀବନର ଅବସାନ ଘଟିଲା ।

 

ତା’ପରେ ଅଛି ନୋବେଲ ଲରିୟେଟ ହେନରିକ ସିନକୁଇଜଙ୍କର ଯାଦୁକରୀ ଲେଖନୀ ପ୍ରସୂତ, ରୋମ ସାମ୍ରାଜ୍ୟର ଇତିହାସର ଏକ କଳଙ୍କିତ ଅଧ୍ୟାୟ ଉପରେ ଆଧାରିତ କାଳଜୟୀ ଉପନ୍ୟାସ “ନରମେଧ”, ଯାହା ବହୁ ଭାଷାରେ ଅନୂଦିତ ଓ ଛାୟା ଚିତ୍ରରେ ରୂପାୟିତ ହୋଇଛି । ଜଣେ ଯଶସ୍ୱୀ କଥାକାର ତଥା ଔପନ୍ୟାସିକ ଭାବରେ ସେ ବିଶ୍ଵ ବିଦିତ । ତାଙ୍କର ଅତୁଳନୀୟ ସଫଳ କାହାଣୀ “ଆସପିନଓୟାଲ ବତିଘରର ଜଗୁଆଳି” ପରି ଉଜ୍ଜ୍ୱଳ ସ୍ୱଦେଶ ପ୍ରେମର ଗପ ବିଶ୍ଵସାହିତ୍ୟରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ମଣିଷ ଭିତରେ ଯେଉଁ ଅସଲ ମଣିଷଟା ରହିଛି, ତାହାର ବିଷଣ୍ଣ ମଧୁରତାର ଯେଉଁ ମର୍ମସ୍ପର୍ଶୀ କାହାଣୀ ଏହି ଗପଟିରେ ବର୍ଣ୍ଣିତ ହୋଇଛି, ତାହା ଯେ କୌଣସି ମଣିଷର ହୃଦୟକୁ ନିଶ୍ଚୟ ଗଭୀର ଭାବରେ ସ୍ପର୍ଶ କରିବ ।

 

ଆଜି ଏତିକି ଥାଉ, ଚାଲନ୍ତୁ ଆର କୋଠରୀର ଦୁଆର ଖୋଲିବା ।

 

ଧନୁ ସଂକ୍ରାନ୍ତି,

 

୨୪ ମାର୍ଗଶିର, ୧୩୮୦

ଲକ୍ଷ୍ମୀ ନାରାୟଣ ମହାନ୍ତି

(୧୫, ଡିସେମ୍ବର, ୧୯୭୨)

 

★★★

 

ହେନରିକ ସିନକିୟୁଇଜ

Unknown

ନରମେଧ

 

ଏକ ଦିଗରେ ଆଫ୍ରିକା, ଅନ୍ୟ ଦିଗରେ ଏସିଆ, ଆଉ ମଝିରେ ୟୁରୋପ । ଦିନେ ଏହି ତିନି ମହାଦେଶ ଉପରେ ରୋମର ବିଜୟ ନିଶାଣ ଉଡ଼ୁଥିଲା ।

 

ସମଗ୍ର ୟୁରୋପକୁ ପଦାନତ କରିବା ଉଦ୍ଦେଶ୍ୟରେ ରୋମର ଦୁର୍ଦ୍ଧର୍ଷ ଚତୁର୍ଦ୍ଦଶ ସୈନ୍ୟବାହିନୀ ଜୟଯାତ୍ରା ଆରମ୍ଭ କରିଥିଲା । ବ୍ରିଟେନ ପର୍ଯ୍ୟନ୍ତ ବିଜୟ ନିଶାଣ ଉଡ଼ାଇ, ପ୍ରତ୍ୟେକ ବିଜିତ ଦେଶରେ ରୋମ ସାମ୍ରାଜ୍ୟର ପ୍ରତିନିଧି ରୂପେ ଜଣେ ଲେଖାଏଁ ରୋମାନକୁ ଶାସକ ନିଯୁକ୍ତ କରି ବିରାଟ ରଣକ୍ଳାନ୍ତ ସୈନ୍ୟବାହିନୀ ଦୀର୍ଘ ତିନି ବର୍ଷ ପରେ ରୋମ ଅଭିମୁଖେ ଆନନ୍ଦ ମନରେ ପ୍ରତ୍ୟାବର୍ତ୍ତନ କରୁଥିଲା । ସେମାନଙ୍କର ଅଭ୍ୟର୍ଥନା ନିମନ୍ତେ ଇତାଲୀର ସୀମାନ୍ତଠାରୁ ରାଜଧାନୀ ରୋମ ପର୍ଯ୍ୟନ୍ତ ଆପିୟନ ରାଜପଥ ନିର୍ମିତ ହୋଇଥିଲା । ବିଜୟ ବାହିନୀ ଏହି ରାଜପଥରେ ପ୍ରବେଶ କଲାଠାରୁ ଜନତା ହର୍ଷୋତ୍‍ଫୁଲ୍ଲ ଚିତ୍ତରେ ଜୟ ଧ୍ୱନି କରି ଦୁଇ ପଟରୁ ସେମାନଙ୍କୁ ଅଭିବାଦନ ଜଣାଉଥିଲେ । ରାଜପଥ ସାରା ଅଭୂତପୂର୍ବ ସମ୍ଵର୍ଦ୍ଧନା ଲଭି ଲଭି ଅପରାଜେୟ ବାହିନୀ ରୋମର ସୀମାନ୍ତରେ ଆସି ପହଞ୍ଚିଲା ।

 

ସାମନାରେ ଗୋଟିଏ ପାହାଡ଼ ପରେ ରୋମ ନଗରୀ । ଆଗେ ଆଗେ ଚାଲିଥିଲା ଅଗଣିତ ଯୁଦ୍ଧ ରଥ, ତା’ପରେ ଅଶ୍ୱାରୋହୀ ସୈନ୍ୟ, ଦୁର୍ଜୟ ପଦାତିକ ସେନା, ଆଉ ଶେଷରେ ଯୁଦ୍ଧ-ବନ୍ଦୀ ଶୃଙ୍ଖଳିତ କ୍ରୀତଦାସ ବାହିନୀ । ବିଜୟ ବାହିନୀର ସେନାପତି ମାର୍କାସ ଭିନିସିୟାସ ରଥରେ ଆରୋହଣ କରି ଦିଗନ୍ତ ପର୍ଯ୍ୟନ୍ତ ଲମ୍ବିତ ସୈନ୍ୟ ଶ୍ରେଣୀକୁ ଗର୍ବିତ ଦୃଷ୍ଟିରେ ଲକ୍ଷ୍ୟ କରୁଥିଲା । ପଛେ ପଛେ ରଥରେ ଯାଉଥିଲା ତାହାର ସହକାରୀ ଟ୍ରିବିଉନ ଫେବିୟାସ ।

 

ସହସା ସେନାପତି ମାର୍କାସ ହସି ହସି କହିଲା–ଫେବିୟାସ, ସେହି ପାହାଡ଼ର ଚୂଡ଼ା ପର୍ଯ୍ୟନ୍ତ ରଥ ଦୌଡ଼ାଅ, କିଏ ଜିତୁଛି ଦେଖାଯାଉ ।

 

ଦୁଇଟି ରଥ ପାଖାପାଖି ଛୁଟିଲା । ପାହାଡ଼ର ଚୂଡ଼ାରେ ପହଞ୍ଚିଲା ବେଳକୁ କେହି କାହାକୁ ଅତିକ୍ରମ କରିପାରିନଥିଲେ । ଦୁହେଁ ଏକା ସଙ୍ଗରେ ରଥ ଅଟକାଇଲେ । କାରଣ ପାହାଡ଼ର ସେ ପଟରୁ ଦଳେ ଅଶ୍ୱାରୋହୀ ସୈନିକ ଧାଇଁ ଆସୁଥିଲେ । ସେମାନଙ୍କୁ ଦେଖି ପୁରୋଭାଗର ତରୁଣ ସୈନିକ ଅଭିବାଦନ ଜଣାଇଲା–ସେନାପତି ମାର୍କାସ ଭିନିସିୟାସ, ମହାମାନ୍ୟ ସମ୍ରାଟ ନୀରୋଙ୍କ ତରଫରୁ ମୁଁ ଆପଣଙ୍କୁ ସ୍ଵାଗତ ସମ୍ଭାଷଣ ଜ୍ଞାପନ କରୁଛି ।

 

ମାର୍କାସ ଉଲ୍ଲସିତ ଚିତ୍ତରେ କହିଲା–ଆପଣ ଆମ୍ଭମାନଙ୍କୁ ଶୀଘ୍ର ପଥ ଦେଖାଇ ନେଇ ଯାଆନ୍ତୁ । ସୈନିକମାନେ ଘରକୁ ଫେରିବା ପାଇଁ ଅତ୍ୟନ୍ତ ବ୍ୟାକୁଳ ହେଲେଣି ।

 

ସୈନିକ ବିନମ୍ର କଣ୍ଠରେ ଜବାବ ଦେଲା–ସମ୍ରାଟଙ୍କର ଆଦେଶନାମା ଆପଣଙ୍କ ପାଇଁ ଆଣିଛି । ସେ ଖଣ୍ଡିଏ ମୁଦା ଲଫାପା ମାର୍କାସର ହାତକୁ ବଢ଼ାଇ ଦେଲା ।

 

ମାର୍କାସ ସଙ୍ଗେ ସଙ୍ଗେ ଲଫାପା ଖୋଲିପକାଇ ସମ୍ରାଟଙ୍କର ଆଦେଶନାମା ଆମୂଳଚୂଳ ପଢ଼ି ସାରି, ପେବିୟାସର ହାତକୁ ସେଟା ବଢ଼ାଇ ଦେଇ, ତୀକ୍ଷ୍ଣ ସ୍ଵରରେ କହିଲା–ବାଃ, ଚମତ୍କାର ସ୍ଵାଗତ ସମ୍ଭାଷଣ ! ସମ୍ରାଟଙ୍କର ଅନ୍ୟ ଆଦେଶ ପର୍ଯ୍ୟନ୍ତ ଆମକୁ ଏହି ରାଜପଥ ଉପରେ ଅପେକ୍ଷା କରିବାକୁ ହେବ !

 

ପ୍ରଚଣ୍ଡ କ୍ରୋଧରେ ମାର୍କାସର ଆଖି ଦାଉଦାଉ ହୋଇ ଜଳିଲା–ବର୍ତ୍ତମାନ ମୁଁ ଜାଣିବାକୁ ଚାହେଁ, ଏପରି ଅଦ୍ଭୁତ ଆଦେଶର ଅର୍ଥ କଅଣ । ସେ ଲଗାମ ଟାଣି ଦେଲା କ୍ଷଣି ଘୋଡ଼ାଗୁଡ଼ିକ କୁଦି ପଡ଼ି ପୁଣି ଅଗ୍ରସର ହେଲେ ।

 

ଫେବିୟାସ ବଡ଼ ପାଟିରେ ପଚାରିଲେ–କୁଆଡ଼େ ଯାଉଛନ୍ତି, ସେନାପତି ?

 

ଛୁଟନ୍ତ ରଥ ଉପରୁ ଜବାବ ଆସିଲା–ସମ୍ରାଟଙ୍କର ରାଜପ୍ରାସାଦକୁ ।

 

ପ୍ରହରୀମାନେ ପଥ ଛାଡ଼ିଦେଇ ଦୁଇ ପାଖକୁ ଘୁଞ୍ଚିଗଲେ । ସେମାନଙ୍କ ମଝିରେ ମାର୍କାସର ରଥ ଝଡ଼ ବେଗରେ ପାହାଡ଼ରୁ ଗଡ଼ିବାକୁ ଲାଗିଲା । ସିଂହଦ୍ୱାର ଭିତର ଦେଇ ପଥର ବିଛା ସରୁ ପଥରେ ରଥ ଛୁଟିଲା । ମାର୍କାସର କାହା ପ୍ରତି ଭ୍ରୂକ୍ଷେପ ନ ଥିଲା । ତାହାର ଅନ୍ତର ରାଗରେ ଜଳୁଥିଲା, ଅବିଳମ୍ବେ ସମ୍ରାଟଙ୍କ ସହିତ ସାକ୍ଷାତ ଏକାନ୍ତ ପ୍ରୟୋଜନୀୟ । ପ୍ରସାଦର ଦ୍ଵାର ଦେଶରେ ଲଗାମଟା ଫିଙ୍ଗିଦେଇ ସେ ରଥ ଉପରୁ ତଳକୁ ଡେଇଁପଡ଼ିଲା ଏବଂ ତୋରଣରେ ପ୍ରବେଶ ନ କରି ଗୋଟିଏ ଗାଡ଼ି-ବାରନ୍ଦା ଆଡ଼କୁ ଆଗେଇ ଗଲା । ତାହାରି ତଳେ ଗୋଟିଏ ସଂକୀର୍ଣ୍ଣ ଦୁଆର ବାଟେ ସେ ଏକ ପ୍ରଶସ୍ତ ପ୍ରାଙ୍ଗଣରେ ପ୍ରବେଶ କଲା । ପ୍ରାଙ୍ଗଣର ଚଉଦିଗରେ ମର୍ମର ସ୍ତମ୍ଭଗୁଡ଼ିକର ମଝିରେ ମଝିରେ ଦେବତା ଓ ପ୍ରାଚୀନ ବୀରମାନଙ୍କର ବଡ଼ ବଡ଼ ମୂର୍ତ୍ତିସବୁ ଠିଆ ହୋଇଥିଲା । ପ୍ରାଙ୍ଗଣରେ ବିଚିତ୍ର ଧରଣର ଲୋକେ ଘୂରି ବୁଲୁଥିଲେ । କେଉଁଠି ମଲ୍ଲବୀରମାନେ କୁସ୍ତି କସରତ କରୁଥିଲେ, କେଉଁଠି ବାଜିକରମାନେ ଯାଦୁ ଖେଳ ଦେଖାଉଥିଲେ, କେଉଁଠି କବିମାନେ ସ୍ୱରଚିତ କବିତା ଆବୃତ୍ତି କରୁଥିଲେ, ଆଉ କେଉଁଠି ଦାର୍ଶନିକମାନେ ବକ୍ତୃତା ଦେଉଥିଲେ ।

 

ଏସବୁ ପ୍ରତି ଦୃଷ୍ଟି ନ ଦେଇ ମାର୍କାସ ମର୍ମର ସୋପାନ ଶ୍ରେଣୀରେ ଉଠି ପ୍ରକାଣ୍ଡ ଦଲାଣ ଘରେ ପ୍ରବେଶ କଲା । ସେଠାରେ ମଧ୍ୟ ସଂଭ୍ରାନ୍ତ ବ୍ୟକ୍ତିମାନେ ଭିଡ଼ ଜମାଇଥିଲେ । ଦଲାଣର ଶେଷ ମୁଣ୍ଡରେ ଦୁଇ ଜଣ ସାମରିକ ଅଫିସର ପହରା ଦେଉଥିଲେ । ମାର୍କାସ ସେମାନଙ୍କୁ ଜଣାଇଲା–ସେନାପତି ମାର୍କାସ ଭିନିସିୟାସ ସମ୍ରାଟଙ୍କର ଦର୍ଶନପ୍ରାର୍ଥୀ !

 

ଏକ୍ଷଣି ଖବର ଦେଉଛି–କହି ଜଣେ ଅଫିସର ରେଶମୀ ପରଦା ଟେକି କକ୍ଷ ଭିତରକୁ ପଶିଗଲା ।

 

ବିଶାଳ କକ୍ଷର ପ୍ରାଚୀରରେ, ଚଟାଣରେ ଓ ଛାତରେ ଗ୍ରୀକ୍‍ ଚିତ୍ରକଳାର ଅପରୂପ ନିଦର୍ଶନ । ଅଗଣିତ ପ୍ରଦୀପର ଆଲୋକରେ ଚଉଦିଗ ଉଦ୍‍ଭାସିତ ହେଉଥିଲା । ସମ୍ରାଟ ନୀରୋ ଏକ ଉଚ୍ଚ ସ୍ଵର୍ଣ୍ଣ ସିଂହାସନରେ ବସିଥିଲେ–ଉନ୍ନତ ଲଲାଟ, ନୟନରେ ଇଗଲର ତୀକ୍ଷ୍ଣ ଦୃଷ୍ଟି, ବଙ୍କିମ ନାସିକା, ସ୍ଫୀତ ଚିବୁକ, ମୋଟା ଅଧରରେ ଭୀଷଣ ନୃଶଂସତା । ଜଣେ ସୁନ୍ଦରୀ କ୍ରୀତଦାସୀ ପଛରେ ଠିଆହୋଇ ତାଙ୍କର ବାଳ କୁଣ୍ଡାଇ ଦେଉଥିଲା, ଆଉ ଜଣେ ସାମନାରେ ଆଣ୍ଠେଇପଡ଼ି ତାଙ୍କର ନଖ ପରିଷ୍କାର କରୁଥିଲା । ଦୁଇ ପାଖରେ ଦୁଇ ଜଣ ସୁନ୍ଦରୀ ସୁସ୍ୱାଦୁ ଫଳର ଥାଳି ଓ ପାନୀୟପୂର୍ଣ୍ଣ ସ୍ଵର୍ଣ୍ଣ ଭୃଙ୍ଗାର ଧରି ଠିଆ ହୋଇଥିଲେ । ତାର୍ପନସ ବାମ ପଟରେ ବସି ବୀଣା ବଜାଉଥିଲା, ସମ୍ରାଟ ତନ୍ମୟରେ ସିଂହାସନର ହାତରେ ଅବିରାମ ତାଳ ଦେଉଥିଲେ ।

 

ସମ୍ରାଟଙ୍କର ଠିକ୍ କାନପାଖରେ ଠିଆ ହୋଇଥିଲା ସୁପୁରୁଷ ଦୀର୍ଘ ଦେହ ଶିକ୍ଷିତ ବୁଦ୍ଧିମାନ କୌଶଳୀ ଚାଟୁକାର ପେତ୍ରୋନିୟାସ, ମାର୍କାସର ମାମୁଁ । ହଠାତ୍‍ ସମ୍ରାଟଙ୍କର ଦୃଷ୍ଟି ସାମରିକ ଅଫିସର ଉପରେ ପଡ଼ନ୍ତେ, ସେ ଭ୍ରୂକୁଞ୍ଚନ କଲେ ।

 

ସେନାପତି ମାର୍କାସ ଭିନିସିୟାସ ସମ୍ରାଟଙ୍କର ଦର୍ଶନପ୍ରାର୍ଥୀ–ଅଫିସର ଜଣାଇଲା ।

 

ସମ୍ରାଟ ପଚାରିଲେ–ସେ ଫେର୍‍ କିଏ ?

 

ସମ୍ରାଟଙ୍କର ଦେହ ରକ୍ଷୀ ପ୍ରିଟୋରିୟାନ ଗାର୍ଡ଼ର ଅଧ୍ୟକ୍ଷ ତାଇଜେଲିନାସ ଉତ୍ତର ଦେବାକୁ ଯାଉଥିଲା । କିନ୍ତୁ ପେତ୍ରୋନିୟାସ ନିଜର ଶତ୍ରୁକୁ ସେହି ସୁଯୋଗ ନଦେଇ ତୁରନ୍ତ କହିପକାଇଲା–ସମ୍ରାଟ, ମାର୍କାସ ମୋର ଭଣଜା । ସେ ଗଲ ଓ ବ୍ରିଟେନରେ ସମ୍ରାଟଙ୍କର ସେନାପତି ଥିଲା, ବିଜୟ ପରେ ସମ୍ରାଟଙ୍କର ଚରଣ ଦର୍ଶନ କରିବାକୁ ଆସିଛି ।

 

ତାଇଜେଲିନାସ ପ୍ରତିବାଦ କଲା–ମାର୍କାସ ସମ୍ରାଟଙ୍କର ଆଦେଶ ଅମାନ୍ୟ କରିଛନ୍ତି । ଅନ୍ୟ ଆଦେଶ ପର୍ଯ୍ୟନ୍ତ ରୋମରେ ପ୍ରବେଶ କରିବାକୁ ତାହାଙ୍କୁ ନିଷେଧ କରାହୋଇଥିଲା

 

ସମ୍ରାଟ କହିଲେ–ମୋର ତ ସେୟା ମନେପଡ଼ୁଛି । ପେତ୍ରୋନିୟାସ, କେତୁଟା ଯୁଦ୍ଧ ଜୟ କରିସାରି ତୁମ ଭଣଜା ଏପରି ଅନ୍ୟାୟ ଆଚରଣ ଦେଖାଇଲା କାହିଁକି ?

 

ଚତୁର ପେତ୍ରୋନିୟାସ ବିନୀତ କଣ୍ଠରେ ଜବାବ ଦେଲା–ତାହା କଦାପି ହୋଇ ନ ପାରେ । ସମ୍ରାଟଙ୍କୁ ଆନ୍ତରିକ ଭକ୍ତି ନିବେଦନ କରିବା ପାଇଁ ସେ ଏତେ ବ୍ୟାକୁଳ ଯେ ଦୂରରେ ସୈନ୍ୟମାନଙ୍କୁ ଛାଡ଼ିଦେଇ ସେ ଏକା ଏଠାକୁ ଧାଇଁ ଆସିଛି । ଦୀର୍ଘ ତିନି ବର୍ଷ କାଳ ସମ୍ରାଟଙ୍କଠାରୁ ଦୂରରେ ରହିବା ରାଜଭକ୍ତ ରୋମାନମାନଙ୍କ ପକ୍ଷରେ ଯେ କି ମର୍ମାନ୍ତିକ, ତାହା ନିଶ୍ଚୟ ଆପଣଙ୍କୁ ବିଦିତ ଅଛି !

 

ଏହା ଶୁଣି ସମ୍ରାଟ ପ୍ରସନ୍ନ ହୋଇ ଦର୍ଶନପ୍ରାର୍ଥୀକୁ ନେଇ ଆସିବା ପାଇଁ ସାମରିକ ଅଫିସରକୁ ଇଙ୍ଗିତ କଲେ ।

 

ମାର୍କାସ ବାହୁ ଟେକି ଅଭିବାଦନ ଜଣାଇଲା–ସମ୍ରାଟଙ୍କର ଜୟ ହେଉ ।

 

ସମ୍ରାଟ ଜଡ଼ିତ କଣ୍ଠରେ କହିଲେ–ତୁମର ମଙ୍ଗଳ ହେଉ, ସେନାପତି । ତୁମ ମାମୁଁ ମୋତେ କହୁଥିଲେ, ମୋତେ ଦେଖିବା ପାଇଁ ତୁମେ ପାଗଳ ପରି ଏଠାକୁ ଧାଇଁ ଆସିଛ । ସେନାପତିମାନଙ୍କର ମନରେ ଏପରି ରାଜଭକ୍ତି ସଞ୍ଚାର ହୋଇଥିବାରୁ, ମୋର ଆଜି ଆନନ୍ଦର ସୀମା ନାହିଁ ।

 

ପୁଣି ସମ୍ରାଟଙ୍କୁ ଅଭିବାଦନ ଜଣାଇ ମାର୍କାସ ନିବେଦନ କଲା–ମୋ ସୈନିକମାନେ ଦୀର୍ଘ ଦିନ ବାହାରେ ରହି ସମ୍ରାଟଙ୍କ ପାଇଁ ଯୁଦ୍ଧ କରିଛନ୍ତି ଏବଂ ଦେଶ ଦେଶାନ୍ତରରେ ବିଜୟ ନିଶାଣ ଉଡ଼ାଇ ସେମାନେ ଆଜି ଅତ୍ୟନ୍ତ ଆଗ୍ରହରେ କ୍ଳାନ୍ତ ପଦରେ ରୋମକୁ ଫେରି ଆସୁଛନ୍ତି । ଘରେ ପ୍ରିୟଜନଙ୍କର ମୁଖ ଦେଖିବା ପାଇଁ ସେମାନେ ଅତିଶୟ ଅଧୀର ହେଲେଣି । ଯଦି ସମ୍ରାଟ ସେମାନଙ୍କୁ ଏକ୍ଷଣି ସେହି ସୁଯୋଗରରୁ ବଞ୍ଚିତ କରନ୍ତି, ତାହାହେଲେ ସେମାନେ ଭାବିବେ ଯେ ସମ୍ରାଟ ସେମାନଙ୍କ ପ୍ରତି ନିର୍ଦ୍ଦୟ ହେଲେ ।

 

ସମ୍ରାଟ ବିରକ୍ତ ହୋଇ ତାଇଜେଲିନାସକୁ ପଚାରିଲେ–ତୁମେ ଆଦେଶନାମାରେ ସବୁ କଥା ଖୋଲିକରି ଲେଖି ନ ଥିଲ କି ?

 

ହୁଏତ ବନ୍ଧୁ ତାଇଜେଲିନାସ ଆଦେଶର କାରଣ ଉଲ୍ଲେଖ କରିବାକୁ ଭୁଲି ଯାଇଛନ୍ତି–ପେତ୍ରୋନିୟାସ ମୃଦୁ ହସି କହିଲା,

 

ପେତ୍ରୋନିୟାସ ଉପରେ ଅଗ୍ନି ଦୃଷ୍ଟି ନିକ୍ଷେପ କରି ତାଇଜେଲିନାସ ଜଣାଇଲା–ସମ୍ରାଟଙ୍କ ଆଦେଶନାମାରେ କାରଣ ଦର୍ଶାଇବାର ହେତୁ ରହି ନ ପାରେ ।

 

ସମ୍ରାଟ ନିଜେ ଏହାର ଜବାବ ଦେଲେ–ତାହା ହୁଏନା । ତିନି ବର୍ଷ ପରେ ଯୁଦ୍ଧ ଜୟ କରି ସୈନ୍ୟମାନେ ସମ୍ରାଟଙ୍କ ନିକଟକୁ ଫେରି ଆସୁଛନ୍ତି । ବିନା କାରଣରେ ସେମାନଙ୍କୁ ସିଂହଦ୍ୱାର ନିକଟରେ ଅଟକାଇ ରଖିବାରୁ, ସେମାନେ ନିଶ୍ଚିୟ ଆମକୁ ଅତ୍ୟନ୍ତ କୃତଘ୍ନ ବୋଲି ଭାବିବେ । ସେନାପତି, ତୁମେ ଆଉ ଗୋଟିଏ ମାତ୍ର ଦିନ ଅପେକ୍ଷା କର । ଅବିଳମ୍ବେ ଆଫ୍ରିକା ଓ ଏସିଆରୁ ଆଉ ଦୁଇଟି ବାହିନୀ ଫେରି ଆସୁଛନ୍ତି । ସମସ୍ତେ ଏକା ସାଙ୍ଗରେ ବିଜୟ ଉତ୍ସବର ଶୋଭାଯାତ୍ରା କରି ରାଜଧାନୀରେ ପ୍ରବେଶ କରିବ । ନାଗରିକମାନେ ଆନନ୍ଦରେ ତୁମ୍ଭମାନଙ୍କୁ ସମ୍ମାନ ଦେଖାଇବେ ।

 

ସମ୍ରାଟଙ୍କର ଅଭିପ୍ରାୟ ବୁଝିପାରି ମାର୍କାସ ପ୍ରସ୍ଥାନ କଲା । ସଙ୍ଗେ ସଙ୍ଗେ ପେତ୍ରୋନିୟାସ ତାହାର ପଛେ ପଛେ ବାହାରକୁ ଯାଇ କହିଲା–ମାର୍କାସ, ତୁମର ବାହିନୀ ଯେଉଁଠି ଅଛି ତାହା ନିକଟରେ ସେନାପତି ପ୍ଳତିୟାସର ଘର । ତୁମେ ଆଜି ରାତିଟା ଯେକୌଣସିମତେ ସେଠାରେ କଟାଇ ଦିଅ । ମୁଁ ଆଗରୁ ତାହାକୁ ଖବର ଦେଇଛି ।

 

 

ମାର୍କାସର ବାହିନୀ ଆପିୟାନ ରାଜପଥ ନିକଟରେ ଛାଉଣି ପକାଇ ରହିଲା । ସମ୍ରାଟ ଆଶ୍ୱାସନା ଦେଇଥିଲେ, ଦିନକ ପରେ ଏସିଆ ଓ ଆଫ୍ରିକାରୁ ସୈନ୍ୟମାନେ ଆସି ପହଞ୍ଚିବେ । କିନ୍ତୁ ସେଥିରେ ବିଳମ୍ବ ଘଟିବାରୁ ମାର୍କାସ ସେନାପତି ପ୍ଳତିୟାସର ଘରେ ଆତିଥ୍ୟ ଗ୍ରହଣ କରିବାକୁ ସ୍ଥିର କଲା । ତଦନୁଯାୟୀ ସେ ସାଙ୍ଗରେ ଟ୍ରିବିଉନ ଫେବିୟାସକୁ ନେଇ ପ୍ଳତିୟାସର ଭିଲାରେ ଯାଇ ଉପସ୍ଥିତ ହେଲା ।

 

ଭିଲାଟି ଅତି ଚମତ୍କାର, ସତେ ଯେମିତି ଏକ ସ୍ଵପ୍ନ ରାଜ୍ୟ । ମଝିରେ ଗୋଟିଏ ଛୋଟ ସରୋବର, ଚାରି ପଟେ ନାନା କିସମର ଫୁଲ ଗଛର ଅପୂର୍ବ ସମ୍ଭାର । ଫୁଲ ଗଛର ମଝିରେ ମଝିରେ ଛୋଟ ଛୋଟ ବ୍ରୋଞ୍ଜ ମୂର୍ତ୍ତିସବୁ ଉଙ୍କି ମାରୁଥିଲେ । ଗୋଟିଏ କୋଣରେ ସାକ୍ଷାତ ଜୀବନ୍ତ ହରିଣ ଛୁଆର ମୂର୍ତ୍ତିଟିଏ ଠିଆ ହୋଇଥିଲା । ଅଗଣାର ଚଟାଣ ମୋଜାଇକରେ ଶୋଭିତ । ଲାଲ ପଥରର କାନ୍ଥ ସବୁରେ ଚିତ୍ରିତ ହୋଇଥିଲେ ମାଛ, ପକ୍ଷୀ ଓ ନାନା ଅଚିହ୍ନା ଜୀବ ଜନ୍ତୁ । ଗଭୀର ଶାନ୍ତିରେ ଅଟ୍ଟାଳିକା ଆଚ୍ଛନ୍ନ, ଯେମିତି ଏକ ନିରୋଳା ତପୋବନ ।

 

ଅନ୍ଦର ମହଲରୁ ବାହାରି ଆସିଲା ରୋମ ସାମ୍ରାଜ୍ୟର ଅବସରପ୍ରାପ୍ତ ସେନାପତି ପ୍ଳତିୟାସ–ପରିଣତ ବୟସ, ସୌମ୍ୟ, ଶାନ୍ତ, ସମ୍ଭ୍ରାନ୍ତ । ସାଙ୍ଗରେ ରୂପସୀ ସ୍ତ୍ରୀ ପମ୍ପେନିୟା । ପ୍ଳତିୟାସ ସହାସ୍ୟ ବଦନରେ ମାର୍କାସକୁ ଆନ୍ତରିକ ସମ୍ବର୍ଦ୍ଧନା ଜଣାଇଲା । ମାର୍କାସ ଉତ୍ତର ଦେଲା–ମୁଁ ବି ଆପଣଙ୍କୁ ଅଭିବାଦନ ଜଣାଉଛି । ଏ ହେଉଛନ୍ତି ମୋର ବନ୍ଧୁ ଟ୍ରିବିଉନ ଫେବିୟାସ ।

 

ଫେବିୟାସ ପ୍ଳତିୟାସକୁ ନମସ୍କାର କଲା । ପମ୍ପେନିୟା ସହିତ ସେମାନଙ୍କୁ ପରିଚୟ କରିଦିଆଗଲାରୁ, ସେ ପ୍ରଥମେ ଅତିଥିମାନଙ୍କର ସ୍ନାନର ବ୍ୟବସ୍ଥା କରିବା ପାଇଁ ସ୍ୱାମୀକୁ କହିଲା । ତହୁଁ ପ୍ଳତିୟାସ ସେମାନଙ୍କୁ ସ୍ନାନାଗାରରେ ପହଞ୍ଚାଇ ଦେଇ ଚାଲି ଆସିଲା ।

 

ଜଣେ ଦୈତ୍ୟକାୟ ଲୋକ ଗୋଟିଏ ପ୍ରକାଣ୍ଡ ଟବରେ ଗରମ ପାଣି ଆଣି ଥୋଇଦେଲା-। ତାହାର ସରଳ ଦୃଷ୍ଟି, ବିଶାଳ ବକ୍ଷ ଓ ବାହୁର ସ୍ଫୀତ ପେଶୀ ଦେଖି ମାର୍କାସ ତାହାର ନାମ ପଚାରିଲା । ଆର୍ଶାସ–ଜବାବ ଦେଇ ଲୋକଟି ଚାଲିଗଲା ।

 

ଗାଧୋଇ ସାରି ମାର୍କାସ ବିରକ୍ତିରେ ବଗିଚା ଆଡ଼କୁ ଚାଲିଲା । କିନ୍ତୁ ବଗିଚା ଭିତରେ ଜଣେ ଅପରୂପ ସୁନ୍ଦରୀ କିଶୋରୀକୁ ଫୁଲ ତୋଳୁଥିବାର ଦେଖି ସେ ବିମୋହିତ ହେଲା । ଉଲ୍ଲସିତ କଣ୍ଠରେ ସେ ତାହାର ନାମ ପଚାରିଲା ।

 

ଲିଜିୟା–ଜବାବ ମିଳିଲା ।

 

ମାର୍କାସ କହିଲା–ମୁଁ ତୁମକୁ କିଣି ନେବି ।

 

ଲିଜିୟା ପ୍ରତିବାଦ କଲା–ମୁଁ ତ କ୍ରୀତଦାସୀ ନୁହେଁ, ସେନାପତି ପ୍ଳତିୟାସଙ୍କର କନ୍ୟା ।

 

ମାର୍କାସ ପାହୁଣ୍ଡେ ପଛକୁ ଘୁଞ୍ଚିଯାଇ ତଳକୁ ମଥା ନୁଆଁଇଲା–କ୍ଷମା କରିବେ, ତିନି ବର୍ଷ କାଳ ବଣ ଜଙ୍ଗଲରେ ବୁଲି ବୁଲି ମୋର ବୁଦ୍ଧି ସୁଦ୍ଧି ଲୋପ ପାଇଛି ।

 

ଝିଅଟି ଆଉ କିଛି ନ କହି ପୁଣି ଫୁଲ ତୋଳିବାରେ ଲାଗିଲା ।

 

ଭୋଜନ ସମୟରେ ଗଲ ଓ ବ୍ରିଟେନର ଯୁଦ୍ଧ କଥା ପଡ଼ିଲା । ଏକଦା ପ୍ଳତିୟାସ ସେହି ଅଞ୍ଚଳରେ ରୋମାନ ସୈନ୍ୟବାହିନୀର ଅଧିନାୟକ ଥିଲା । ମାର୍କାସ ନିଜର ବାହାଦୁରି ଦେଖାଇବାକୁ ଯାଇ ଗର୍ବରେ ପ୍ଳତିୟାସ ଆଗରେ କହିଲା–ଥରେ ଲଣ୍ଡନିୟାମରେ ଶତ୍ରୁର ସଂଖ୍ୟା ଆମର ତିନି ଗୁଣ ଥିଲା । ମୁଁ ବାଧ୍ୟ ହୋଇ ବର୍ଚ୍ଛାଧାରୀମାନଙ୍କୁ ନେଇ ସିକନ୍ଦର ସାହର ଧରଣରେ ବ୍ୟୁହ ରଚନା କଲି । ବ୍ରିଟେନମାନେ ଦଳ ଦଳ ହୋଇ ବର୍ଚ୍ଛାର ମୁହଁକୁ ଡେଇଁପଡ଼ିଲେ ଏବଂ କବାବର ମାଂସ ପରି ବର୍ଚ୍ଛାରେ ଗୁନ୍ଥା ହେବାକୁ ଲାଗିଲେ । ସେମାନଙ୍କ ରକ୍ତରେ ମୋର ଆଣ୍ଠୁ ପର୍ଯ୍ୟନ୍ତ ଡୁବିଗଲା । ଲିଜିୟା, ତୁମେ ଆମର ଯୁଦ୍ଧ କୌଶଳ ବୁଝିପାରିବ ?

 

ଲିଜିୟା ଜବାବ ଦେଲା–ମୁଁ ଖାଲି ବୁଝିଛି ଯେ ଆପଣା ମାତୃଭୂମିକୁ ରକ୍ଷା କରିବା ସକାଶେ ମଣିଷକୁ ବାଧ୍ୟ ହୋଇ ଆତ୍ମୋତ୍ସର୍ଗ କରିବାକୁ ପଡ଼େ ।

 

କିନ୍ତୁ ଲିଜିୟା, ରୋମାନର କନ୍ୟା ହୋଇ ତୁମେ ତ କାହିଁ ନିଜ ଦେଶର ସୈନିକମାନଙ୍କର ବୀରତ୍ଵରେ ଉତ୍ସାହ ଦେଖାଉନାହଁ ।

 

ମୁଁ ରୋମାନ ନୁହେଁ–ଲିଜିୟାର ତୁଣ୍ତରୁ ଧୀରେ ଧୀରେ କଥା ପଦକ ବାହାରିଲା ।

 

ମାର୍କାସ ବିସ୍ମୟରେ ଲିଜିୟା ଆଡ଼କୁ ଚାହିଁ ରହିଲା । ପ୍ଳତିୟାସ ତାହାର ସନ୍ଦେହ ଦୂର କଲା–ସତରେ ଲିଜିୟା ରୋମରେ ଜନ୍ମ ହୋଇ ନାହିଁ, ସେ ଲିଡ଼ିୟା ଦେଶର ରାଜାର ଝିଅ । ଲିଡ଼ିୟା ସହିତ ରୋମର ଯୁଦ୍ଧରେ ମୁଁ ସେନାପତି ଥିଲି । ଯୁଦ୍ଧରେ ରୋମର ଜୟ ହେଲା ଏବଂ ରାଜା ମୃତ୍ୟୁବରଣ କଲେ । ମନ୍ତ୍ରୀମାନେ ସନ୍ଧିର ସର୍ତ୍ତ ଠିକ୍‍ ଭାବରେ ପାଳନ କରିବା ଉଦ୍ଦେଶ୍ୟରେ ଲିଜିୟାକୁ ଜାମିନ ହିସାବରେ ରୋମର ହାତରେ ଅର୍ପଣ କଲେ । ମୁଁ ବିଶେଷ ଚେଷ୍ଟା କରି ସମ୍ରାଟଙ୍କଠାରୁ ଲିଜିୟାର ଲାଳନ ପାଳନର ଭାର ନେଲି । ସେହି ଦିନରୁ ସେ ହୋଇଛି ଆମର ଝିଅ-। ଶିକ୍ଷାଦୀକ୍ଷା ଦିଗରୁ ଲିଜିୟା ଯେମିତି ରୋମର ଅଭିଜାତ ଶିକ୍ଷିତା ମହିଳାମାନଙ୍କଠାରୁ କୌଣସି ଗୁଣରେ ଊଣା ନ ହୁଏ, ଆମେ ତାହାକୁ ସେହିପରି ଭାବରେ ଗଢ଼ି ଆଣିଛୁ ।

 

ଲିଜିୟା କରୁଣ କଣ୍ଠରେ ଜଣାଇଲା–ମୁଁ ଯେତେ ଶିକ୍ଷାଦୀକ୍ଷା ପାଇଲେ ସୁଦ୍ଧା, ରୋମ କଦାପି ମୋ ଦେଶ ହୋଇ ନ ପାରେ । ଲିଡ଼ିୟା ହେଉଛି ବାସ୍ତବିକ ମୋ ନିଜର ଦେଶ ।

 

ସେହି ଅର୍ଦ୍ଧ ସଭ୍ୟ ଦେଶ ଲିଡ଼ିୟା–ମାର୍କାସ କୌତୁକରେ କହିଲା ।

 

ଭୋଜନ ଅନ୍ତେ ମାର୍କାସ ଓ ଫେବିୟାସ ଛାଉଣିକୁ ଚାଲିଗଲେ । ମାର୍କାସର ମନ ଭିତରେ ସୁନ୍ଦରୀ ଲିଜିୟାର ଏକମାତ୍ର ଚିନ୍ତା ଖେଳୁଥିଲା । ଜହ୍ନରେ ବଗିଚାର ଶୋଭା ଦେଖିବା ପାଇଁ ସେ ଘରୁ ବାହାରି ଆସିଲା । ହଠାତ୍ ସେ ଦେଖିପାରିଲା, ଭିତର ଅଗଣାରେ ମର୍ମର ବେଦୀ ଉପରେ ବସି ଲିଜିୟା ଖଡ଼ିରେ ଚିତ୍ର ଆଙ୍କୁଛି । ସେ ମାର୍କାସକୁ ଦେଖିଲା ମାତ୍ରେ ଚିତ୍ରଟା ଲିଭାଇ ଦେଲା । ତଥାପି ଗୋଟିଏ ମାଛର ଛବି ମାର୍କାସର ନଜରରେ ପଡ଼ିଲା । ସେ ଲିଜିୟାର ପାଖକୁ ଯାଇ ପଚାରିଲା–କି, ବଡ଼ ମୁହଁରେ ପରା କହୁଥିଲ ଯେ ଏ ଘରେ କ୍ରୀତଦାସ ନାହାନ୍ତି, ଏବେ ଯୁଦ୍ଧ ବନ୍ଦୀ ଓ କ୍ରୀତଦାସ ଭିତରେ ତଫାତ୍‍ କଅଣ କହି ପାରିବ ?

 

ଏଥିରେ ମର୍ମାହତ ହୋଇ ଲିଜିୟା ନୀରବରେ ଉଠିପଡ଼ିଲା ଏବଂ ଦ୍ରୁତ ପଦକ୍ଷେପରେ ଘର ଭିତରକୁ ଚାଲିଗଲା । ମାର୍କାସ ମଧ୍ୟ ତାହାକୁ ଅନୁସରଣ କଲା । ସେ ଦୁଆରେ ପ୍ରବେଶ କରିବାକୁ ଯାଉଛି, ତେଣୁ ବିଶାଳକାୟ ଆର୍ଶାସ ଧାଇଁଆସି ତାହାକୁ ଅଟକାଇଲା । ମାର୍କାସ ଆଦେଶର ଭଙ୍ଗୀରେ କହିଲା–ବାଟ ଛାଡ଼ ।

 

ଆର୍ଶାସ ପ୍ରତିବାଦ କଲା–ନା, ଆପଣ ଲିଜିୟାର ପଛରେ ଯାଇ ପାରିବେ ନାହିଁ । ଦିନେ ମୁଁ ଲିଜିୟାର ବାବାଙ୍କର ଦେହ ରକ୍ଷୀ ଥିଲି, ବର୍ତ୍ତମାନ ତାହାର ଦେହ ରକ୍ଷୀ ।

 

ତୁମେ ଲିଜିୟାର ବାବାକୁ ଯେମିତି ରକ୍ଷା କରିପାରିଲ ନାହିଁ, ଲିଜିୟାକୁ ବି ସେମିତି ରକ୍ଷା କରିପାରିବ ନାହିଁ–କହି ମାର୍କାସ ବଗିଚାରେ ପ୍ରବେଶ କଲା ।

 

 

ପର ଦିନ ଏସିଆ ଓ ଆଫ୍ରିକାରୁ ଦୁଇଟି ରୋମାନ ସୈନ୍ୟବାହିନୀ ଆସି ରୋମର ଉପକଣ୍ଠରେ ପହଞ୍ଚିଲେ । ସଙ୍ଗେ ସଙ୍ଗେ ସମ୍ରାଟଙ୍କର ଆଦେଶନାମା ପ୍ରଚାରିତ ହେଲା ।

 

ରାଜଧାନୀ ଅପୂର୍ବ ଶ୍ରୀ ଧାରଣ କଲା । ବିଶ୍ୱବିଜୟୀ ରୋମାନ ବୀରମାନଙ୍କୁ ଅଭ୍ୟର୍ଥନା କରିବା ପାଇଁ ଅଗଣିତ ଆବାଳ ବୃଦ୍ଧ ବନିତା ଆନନ୍ଦରେ ଉଲ୍ଲସିତ ହେଲେ । ରାଜପଥ ଜନ ସମୁଦ୍ରରେ ପରିଣତ ହେଲା ।

 

ତିନୋଟି ସୈନ୍ୟବାହିନୀର ସମ୍ମିଳିତ ବିଜୟ ଶୋଭାଯାତ୍ରା ବାହାରିଲା । ଧାଡ଼ି ଧାଡ଼ି ବର୍ଚ୍ଛାଧାରୀ ସୈନିକ । ରଥ ପରେ ରଥ, ଉପରେ ଉଡ଼ୁଥିଲା ଇଗଲ ଲାଞ୍ଚିତ ରୋମର ବିଜୟ ପତାକା । ତୂରୀ ଭେରୀ ଢାକର ତୂର୍ଯ୍ୟ ଐକ୍ୟ ନିନାଦ । ନୃତ୍ୟ ଗୀତ ବାଦ୍ୟ ଓ ଖେଳ ଚାଲିଥିଲା । ରାସ୍ତାର ଦୁଇ ପାଖରେ ନର ନାରୀ ଓ ଶିଶୁମାନେ ସମବେତ ହୋଇଥିଲେ ।

 

ଶୋଭାଯାତ୍ରାର ପୁରୋଭାଗରେ ଥିଲା ସେନାପତି ମାର୍କାସ ଭିନିସିୟାସର ରଥ । ମାର୍କାସ ଦୃଢ଼ ହାତରେ ଘୋଡ଼ା ପକ୍ଷୀରାଜର ଲଗାମ ଧରିଥିଲା । ପ୍ରାସାଦ ଚତ୍ୱରରେ ଦେବ ଦେବୀଙ୍କର ଦଶୋଟି ବେଦୀ ନିର୍ମିତ ହୋଇଥିଲା । ସ୍ୱତନ୍ତ୍ର ଭାବରେ ପ୍ରତି ଦେବତାଙ୍କର ପୂଜା ଓ ବିଭିନ୍ନ ରକମର ବଳିଦାନ ଚାଲିଥିଲା । ରକ୍ତ ସୁଅର ମଝିରେ ଛିଡ଼ା ହୋଇ ଦେବଦାସୀମାନେ ହାତ ଯୋଡ଼ି ପ୍ରଣାମ କରୁଥିଲେ–ଜାଗ ଦେବତା ! ଜୟ ଚିର ବିଜୟୀ ରୋମ ! ସମବେତ ନାଗରିକରଣ ଲକ୍ଷ କଣ୍ଠରେ ସେହି ଧ୍ୱନି ଚିତ୍କାର କରୁଥିଲେ । ଦେବଦେବୀଙ୍କର ପୂଜାର୍ଚ୍ଚନା ଯଥା ରୀତ ଶେଷ ହେଲା । ତଥାପି ସମ୍ରାଟଙ୍କର ଦର୍ଶନ ମିଳିଲା ନାହିଁ ।

 

ସେତେବେଳେ ମଣିମୁକ୍ତା ଖଚିତ କକ୍ଷରେ ସିଂହାସନରେ ବସି ସମ୍ରାଟ ପାରିଷଦ ବର୍ଗ ଗହଣରେ କବିତା ଚର୍ଚ୍ଚା କରୁଥିଲେ । ସେ ତନ୍ମୟ ହୋଇ ସ୍ୱରଚିତ କବିତା ଆବୃତ୍ତି କଲେ–ବିଜୟୀ ଗ୍ରୀକ୍‍ମାନେ କିପରି ଟ୍ରୟ ସହରକୁ ନିଆଁରେ ପୋଡ଼ି ଧ୍ଵଂସ କରି ଦେଇଥିଲେ ସେଥିରେ ତାହା ବର୍ଣ୍ଣିତ ହୋଇଥିଲା । ପାରିଷଦମାନେ କବିତାଟି ଶୁଣି ଆନନ୍ଦରେ ଉଚ୍ଛ୍ଵସିତ ଓ ପ୍ରଶଂସାରେ ଶତ ମୁଖ ହେଲେ । କିନ୍ତୁ ପେତ୍ରୋନିୟାସ କହିଲା–ସତ କହିବାକୁ ଗଲେ, ଏ କବିତାଟି ଆପଣଙ୍କ ଲାଖି ହୋଇନାହିଁ ।

 

ସମ୍ରାଟଙ୍କ କବିତାର ବିରୂପ ସମାଲୋଚନା ଶୁଣି ସମସ୍ତେ ସ୍ତମ୍ଭିତ ହେଲେ । ମାତ୍ର ତାଇଜେଲିନାସ ଉତ୍‍ଫୁଲ୍ଲ ହେଲା । ଅଧର କୋଣରେ ଶୁଖିଲା ହସ ଖେଳାଇ ସମ୍ରାଟ ନୀରୋ ପଚାରିଲେ–କବିତାଟିର ଦୋଷ କଅଣ ଦେଖାଇ ଦିଅ ।

 

ପେତ୍ରୋନିୟାସ ଜଣାଇଲା–ମୁଁ ତ ଦୋଷ କଥା କିଛି କହି ନାହିଁ । କବିତାଟି ସମ୍ରାଟଙ୍କ ଲାଖି ହୋଇ ନାହିଁ । ଆପଣଙ୍କ ଲେଖନୀରୁ ଏହାଠାରୁ ଉଚ୍ଚ କୋଟିର କବିତା ଆଶା କରାଯାଏ । ଏଥିରେ ବାସ୍ତବିକ ଆପଣଙ୍କ ପ୍ରତିଭା ସମ୍ପୂର୍ଣ୍ଣ ବିକଶିତ ହୋଇ ନାହିଁ । କବି ହୋମାର ନିଜ ଆଖିରେ ଟ୍ରୟର ଅଗ୍ନିକାଣ୍ଡ ଦେଖି ଥିବାରୁ ତାଙ୍କର ବର୍ଣ୍ଣନା ଜୀବନ୍ତ ହୋଇଛି । ମାତ୍ର ଆପଣ କେବେହେଲେ ଏପରି ଦୃଶ୍ୟ ସ୍ୱଚକ୍ଷୁରେ ସନ୍ଦର୍ଶନ କରି ନାହାନ୍ତି ।

 

ନୀରୋଙ୍କର ମନରେ ଗୋଟାଏ ଖିଆଲ ପଶିଲା–ଯଦି କେବେ ରୋମରେ ନିଆଁ ଲାଗନ୍ତା !

 

ନିଆଁ ଲଗାଇ ଦେଲେ ହେଲା–ସଙ୍ଗେ ସଙ୍ଗେ ତାଇ ଜେଲିନାସ ପ୍ରସ୍ତାବ ବାଢ଼ିଲା ।

 

ସର୍ବନାଶର ଆଶଙ୍କା କରି ତତ୍‍କ୍ଷଣାତ୍‍ ପେତ୍ରୋନିୟାସ କହିପକାଇଲା–ସମ୍ରାଟ, ବାହାରେ ଅଗଣିତ ନାଗରିକ ଆପଣଙ୍କର ଦର୍ଶନ ପାଇଁ ଅଧୀର ହେଲେଣି ।

 

ସମ୍ରାଟ କହିଲେ–ତୁମକୁ ଅଶେଷ ଧନ୍ୟବାଦ, ପେତ୍ରୋନିୟାସ । ତୁମେ କେବଳ ସତରେ କବିତା ବୁଝ । ହଁ, ଲୋକମାନେ କାହିଁକି ମୋତେ ଦେଖିବାକୁ ଚାହାନ୍ତି ?

 

ପେତ୍ରୋନିୟାସ ଜବାବ ଦେଲା–ସମ୍ରାଟଙ୍କ ଦର୍ଶନ ନ ପାଇଲେ ସେମାନଙ୍କର ଜୀବନ ଯେ ଅନ୍ଧକାରମୟ ହୋଇଯିବ । ପୃଥିବୀରେ କୋଟି କୋଟି ଲୋକଙ୍କୁ ଆଲୋକ ଦେବା ନିମନ୍ତେ ଆପଣ ଏଠାରେ ଆବିର୍ଭୂତ ହୋଇଛନ୍ତି ।

 

ସମ୍ରାଟ ଉଠିପଡ଼ି କକ୍ଷର ଅପର ଦିଗକୁ ଦୃଷ୍ଟି ନିକ୍ଷେପ କଲେ । ସେଠାରେ ରାଣୀ ପମ୍ପିୟା ଦୁଇଟା ଚିତାବାଘକୁ ଧରି ଖେଳାଉଥିଲା । ସମ୍ରାଟ ନିଜର ମାଆ ଓ ସ୍ତ୍ରୀକୁ ହତ୍ୟା କରି ନର୍ତ୍ତକୀ ପମ୍ପିୟାକୁ ବିଭା ହୋଇଥିଲେ । ସମ୍ରାଟଙ୍କ ଇଙ୍ଗିତରେ ସୁନା ଶିକୁଳିରେ ବନ୍ଧା ବାଘ ଦୁଇଟାକୁ ସାଙ୍ଗରେ ନେଇ ସେ ଆସିଲା । ଜଣେ କାଫ୍ରୀ ଦାସ ଶିକୁଳିଟି ଧରିଥିଲା । ସମ୍ରାଟ ଅଳିନ୍ଦରେ ଦେଖା ଦେଲେ । ଜନତାର କଣ୍ଠରୁ ଅଜସ୍ର ଜୟଧ୍ୱନି ଶୁଭିଲା–ଦେବତା, ଆମେ ହୃଦୟ ମନ୍ଦିରରେ ନିତି ଆପଣଙ୍କୁ ପୂଜା କରୁଁ ।

 

ସମ୍ରାଟ ପଚାରିଲେ–ଦୂରରୁ କିଏ ମୋତେ ଅଭିବାଦନ କରିଛି ?

 

ପେତ୍ରୋନିୟାସ ଜବାବ ଦେଲା–ମୋ ଭଣଜା ସେନାପତି ମାର୍କାସ ଭିନିସିୟାସ ।

 

ତାହାକୁ ନେଇ ଆସ, ମୁଁ ପୁରସ୍କାର ଦେବି–ସମ୍ରାଟ ହୁକୁମ ଦେଲେ ।

 

ମାର୍କାସ ସମ୍ରାଟଙ୍କ ସମକ୍ଷରେ ନତ ମସ୍ତକରେ ନିଜର ପୁରସ୍କାର ପ୍ରାର୍ଥନା କଲା । ସମ୍ରାଟ ମଞ୍ଜୁର କଲେ–ଆଜି ସନ୍ଧ୍ୟାରେ ଭୋଜି ସଭାରେ !

 

ପ୍ଳତିୟାସର କୁଞ୍ଜବନରେ ମର୍ମର ବେଦୀରେ ବସି ପମ୍ପେନିୟା ସୂଚୀ କର୍ମ କରୁଥିଲା । ଲିଜିୟା ନିଜ ଜାଗାରେ ଛିଡ଼ା ହୋଇ ଦରଲିଭା ମାଛର ଛବି ଆଡ଼କୁ ଏକଦୃଷ୍ଟିରେ ଅନାଇ ରହି ସେ ଦିନର ସେହି ଲଜ୍ଜା-ଭୟ ମୁହୂର୍ତ୍ତର କଥା ଭାବୁଥିଲା । ବିଜୟ ଶୋଭାଯାତ୍ରାରେ ମାର୍କାସର ରୂପ ଦର୍ଶନ କରିବା ଉଦ୍ଦେଶ୍ୟରେ ଲିଜିୟା କାହାକୁ ନ କହି ଗୋଟାଏ ମୁଖା ପିନ୍ଧି ଗୋପନରେ ସେ ଦିନ ରୋମକୁ ଯାଇଥିଲା । ମାର୍କାସ ସହିତ ତାହାର ସାମନା ସାମନି ଭେଟ ହେଲା । କେହି ତାହାକୁ ଚିହ୍ନିପାରିଲେ ନାହିଁ । ମାର୍କାସକୁ ଦେଖିଲାଠୁଁ ସେ ଅନବରତ ତାହାରି କଥା ମନେମନେ ଗୁଣି ହେଉଥିଲା । ମାର୍କାସ ଲିଜିୟା ପରି ଖ୍ରୀଷ୍ଟାନ ହୋଇଥିଲେ ସେମାନଙ୍କର ମିଳନର ସୁଗମ ହୋଇଥାଆନ୍ତା । ସେତେବେଳେ ରୋମରେ ଯୀଶୁଙ୍କର ନାମ ଉଚ୍ଚାରଣ କରିବାର ଉପାୟ ନ ଥିଲା-। ରୋମାନମାନେ ଯୀଶୁଙ୍କୁ ସ୍ୱୀକାର କରୁଥିଲେ ଏବଂ ଖ୍ରୀଷ୍ଟାନମାନଙ୍କୁ ଇତର ମଣୁଥିଲେ ।

 

ସମ୍ରାଟଙ୍କର ହୁକୁମ, ଦୁଆର ଖୋଲ–ବାହାର ଦରଜାରେ ଘନ ଘନ କରାଘାତ ସହ ପୁରୁଷ କଣ୍ଠର ଚିତ୍କାରରେ ଲିଜିୟା ଓ ପମ୍ପେନିୟା ଭୟଭୀତ ହେଲେ ।

 

ପମ୍ପେନିୟାର ନିର୍ଦ୍ଦେଶରେ ଜଣେ ଦାସ କବାଟ ଖୋଲିଦେଲା । ଦଳେ ପ୍ରିଟୋରିୟାନ ରକ୍ଷୀ ମଧ୍ୟରୁ ଜଣେ ସୈନିକ ଆଗେଇ ଆସି ପମ୍ପେନିୟାକୁ ଅଭିବାଦନ ଜଣାଇ ଖଣ୍ଡିଏ ସରକାରୀ ଚିଠି ତାହାର ହାତକୁ ବଢ଼ାଇ ଦେଇ ଜଣାଇଲା–ସମ୍ରାଟଙ୍କର ହୁକୁମ, ଯୁଦ୍ଧ ବନ୍ଦିନୀ ଲିଡ଼ିୟାର ରାଜକୁମାରୀଙ୍କୁ ଏକ୍ଷଣି ଆମ ସହିତ ରାଜ ପ୍ରାସାଦକୁ ପଠାଇବାକୁ ହେବ ।

 

ପମ୍ପେନିୟା ଚମକି ପଡ଼ି କମ୍ପିତ କଣ୍ଠରେ କହିଲା–ଲିଜିୟା ଯୁଦ୍ଧ ବନ୍ଦିନୀ ଥିଲା ସତ । କିନ୍ତୁ ସମ୍ରାଟ ତାହାର ଲାଳନ ପାଳନର ଭାର ଆମକୁ ଦେଲେ । ସେହି ଦିନରୁ ଆମେ ତାହାକୁ ନିଜର ଝିଅ ପରି ବଢ଼ାଇ ଆଣିଲୁ । ମୋ ସ୍ଵାମୀ ଘରକୁ ଫେରିଲେ ସମ୍ରାଟଙ୍କ ନିକଟକୁ ଯାଇ ଆମର ପ୍ରାର୍ଥନା ପେଶ୍‍ କରିବେ ।

 

ହୁକୁମନାମା ଅନୁସାରେ ଆପଣ ଆଗେ ଲିଜିୟାକୁ ମୋ ସାଙ୍ଗରେ ପଠାଇ ଦିଅନ୍ତୁ, ତା’ପରେ ପ୍ରାର୍ଥନା କରିବେ–ସୈନିକ ପୁଣି କହିଲା ।

 

ସ୍ନେହମୟୀ ପମ୍ପେନିୟାର ଛାତିରେ ମୁହଁ ଗୁଞ୍ଜି ଲିଜିଆ କଇଁ କଇଁ କାନ୍ଦିଲା । ମମତାମୟୀ ପମ୍ପେନିୟା ମଧ୍ୟ ଦୁଃଖ ଓ ବେଦନାରେ ମୂର୍ଚ୍ଛାତୁର ହେଲା । ଅନନ୍ୟୋପାୟ ହୋଇ ସେ ଲିଜିୟାକୁ ଭିତରକୁ ନେଇ ଯାଇ ସାନ୍ତ୍ଵନା ଦେଲା । ଲିଜିୟା ପୋଷାକ ବଦଳାଇଲା । ରାଜ ଅନ୍ତଃପୁରରେ ପମ୍ପେନିୟାର ଆକ୍ତି ନାମରେ ଜଣେ ପରିଚିତ ମହିଳା ଥିଲା । ସେ ସମ୍ରାଟଙ୍କର ପ୍ରତିହାରୀ । ସେଠାରେ ଲିଜିଆ ଉପରେ ନଜର ରଖିବା ପାଇଁ ତାହାକୁ ବିଶେଷ ଅନୁରୋଧ କରି ଖଣ୍ଡିଏ ଚିଠି ଲେଖି ସେ ଲିଜିୟାର ହାତରେ ଦେଲା । ତା’ପରେ ସେ ସାଶ୍ରୁ ନୟନରେ ଲିଜିୟାକୁ ସୈନିକର ହାତରେ ଅର୍ପଣ କଲା । ଏତିକିବେଳେ ହଠାତ୍ ଆର୍ଶାସ ବାହାରି ଆସି ଜଣାଇଲା–ସନ୍ଧିର ସର୍ତ୍ତ ଅନୁସାରେ ରାଜକୁମାରୀ ଲିଜିୟାର ପରିଚର୍ଯ୍ୟା ଓ ରକ୍ଷଣାବେକ୍ଷଣ ନିମନ୍ତେ ମୋର ବରାବର ତାହା ସହିତ ରହିବାର କଥା । ତେଣୁ ବର୍ତ୍ତମାନ ଆପଣ ମୋତେ ତାହା ସାଙ୍ଗରେ ଯିବା ପାଇଁ କୌଣସି ଆପତ୍ତି ଉଠାଇବେ ନାହିଁ ।

 

ଆର୍ଶାସ ଲିଜିୟା ସାଙ୍ଗରେ ଗଲା । ଲିଜିୟାକୁ ଏକାବେଳେ ଅନ୍ତଃପୁରକୁ ନେଇଗଲେ, ଆଉ ଆର୍ଶାସ ରକ୍ଷୀ ମହଲରେ ରହିଲା । ଏକଦା ଅସାମାନ୍ୟା ସୁନ୍ଦରୀ ଆକ୍ତି ପମ୍ପେନିୟାର ଚିଠିଟି ପଢ଼ି ଥରେ ସରଳା କିଶୋରୀ ଲିଜିୟାକୁ ଭଲ କରି ଦେଖିଲା ଏବଂ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା । ଦାସୀମାନେ ଲିଜିୟାକୁ ସ୍ନାନ କରାଇ, ସୁନ୍ଦର ପୋଷାକ ଓ ଦାମିକା ଗହଣା ପିନ୍ଧାଇ, ମୁଣ୍ଡ କୁଣ୍ଡାଇ ଦେଇ ଏବଂ ଅତର ବୋଳି ସର୍ବାଙ୍ଗ ସୁନ୍ଦରୀ କଲେ । ଆକ୍ତି ଜଣାଇଲା–ସମ୍ରାଟଙ୍କର ହୁକୁମ, ଆଜି ସଞ୍ଜବେଳେ ତୁମକୁ ଭୋଜି ସଭାକୁ ଯିବାକୁ ହେବ ।

 

ଅଜଣା ଭୟରେ ଲିଜିୟାର ସର୍ବାଙ୍ଗ ଥରିଲା । ସମ୍ରାଟ ନୀରୋଙ୍କର ଭୋଜି ସଭା–ବିଭୀଷିକା, ପାପ, ଲୋଭ ଓ ଲାଳସାର ଲୀଳା କ୍ଷେତ୍ର । ସେଠାକୁ ଯିବାକୁ ହେବ ଶୁଣି ଲିଜିୟା ଭୟଭୀତ ହୋଇ ଆକ୍ତିକୁ କୁଣ୍ଢାଇ ପକାଇ କାନ୍ଦି କାନ୍ଦି କହିଲା–ମୁଁ ସେଠାକୁ କଦାପି ଯିବି ନାହିଁ ।

 

ଆକ୍ତି ତାହାକୁ ବୁଝାଇ ଦେଲା–ମୁଁ ଦେଖିବି, ଯେମିତି ତୋର କିଛି ବିପଦ ନ ଘଟେ । ତଥାପି ଲିଜିୟା ଆଶ୍ୱସ୍ତ ହେଲା ନାହିଁ ।

 

ଆକ୍ତି ପାଉଡରର ଡବାଟା ଟେବୁଲ ଉପରେ ଅଜାଡ଼ି ଦେଇ, ତାହା ଉପରେ ଆଙ୍ଗୁଳିରେ ଗୋଟିଏ ମାଛର ଛବି ଆଙ୍କିଲା । ଏହି ସଙ୍କେତରୁ ଆକ୍ତିକୁ ଖ୍ରୀଷ୍ଟାନ ବୋଲି ବୁଝିପାରି, ଲିଜିୟାର ମନରୁ ଦୁଶ୍ଚିନ୍ତା କିଞ୍ଚିତ ପରିମାଣରେ ଉଭେଇଗଲା ।

 

ଆକ୍ତି ଲିଜିୟାକୁ ନେଇ ଗୋଟିଏ ପ୍ରଶସ୍ତ ବାରନ୍ଦାରେ ଠିଆ ହେଲା । ସେଠାରେ ସଶସ୍ତ୍ର ପ୍ରହରୀ ମୁତୟନ ଥିଲା । ଦରଜାରେ ସୁନେଲି ପରଦା ଝୁଲୁଥିଲା । ଆକ୍ତି ଜଣେ ଚିହ୍ନା ସୈନିକକୁ ଡାକି କହିଲା–ଯୁଦ୍ଧ ବନ୍ଦିନୀ ଲିଜିୟା !

 

ତାହାକୁ ତ ଆଜି ଭୋଜି ସଭାରେ ହାଜର କରିବାର କଥା ଅଛି–କହି ସୈନିକ ଲିଜିୟାକୁ ହାତ ଠାରି ଦେଲା ତାହା ପଛେ ପଛେ ଯିବା ପାଇଁ ।

 

ବିଶାଳ କକ୍ଷ । କାନ୍ଥ ଓ ଚଟାଣ ବହୁ ବର୍ଣ୍ଣର ମର୍ମର ପଥରରେ ମଣ୍ଡିତ । ଆକାଶ ପରି ନୀଳ ଛାତରେ ଖଚିତ ଉଜ୍ଜ୍ୱଳ ନକ୍ଷତ୍ର ପରି ଦୀପାଧାରରୁ ଆଲୋକର ରେଖା ଫୁଟି ବାହାରୁଥିଲା । କକ୍ଷ ତଳେ ସୁଗନ୍ଧ ମଶାଲସବୁ ଧାଡ଼ି ଧାଡ଼ି ସଜା ହୋଇ ରହିଥିଲା । ମଝିରେ ଏକ ଜଳାଧାରରୁ ଇନ୍ଦ୍ରଧନୁ ରଙ୍ଗର ନିର୍ଝର ଉଠୁଥିଲା । ଚଉଦିଗରେ ମର୍ମର ମୂର୍ତ୍ତିଗୁଡ଼ିକର ଅନ୍ତରାଳରେ ସୁଶୋଭିତ ଫୁଲକୁଣ୍ଡସବୁ ସୁକୌଶଳରେ ରଖା ହୋଇଥିଲା । କାନ୍ଥ କଡ଼େ କଡ଼େ ସୁଖ ଆସନସବୁ ଧାଡ଼ି ଧାଡ଼ି ପଡ଼ିଥିଲା । ଆମନ୍ତ୍ରିତ ଅତିଥିମାନେ ଆରାମରେ ଅର୍ଦ୍ଧଶାୟିତ ଅବସ୍ଥାରେ ସୁରା ପାନ କରୁଥିଲେ ।

 

ସୈନିକମାନଙ୍କର ଜୟଧ୍ୱନି, ତାର୍ପନସର ବୀଣାର ଝଙ୍କାର ଓ ଅତିଥିମାନଙ୍କର ଆନନ୍ଦ ଗୁଞ୍ଜନ ଶୁଭିଲା । ସମ୍ରାଟ ନୀରୋ ପ୍ରବେଶ କଲେ, ତାହାଙ୍କ ପଛେ ପଛେ ଦୁଇଟି ଚିତାବାଘ ସହ ମହାରାଣୀ ପମ୍ପିୟା ଆସିଲା, ତା’ପରେ ପେତ୍ରୋନିୟାସ, ତାଇଜେଲିନାସ ଓ ଅନ୍ୟମାନେ । ଐକ୍ୟତାନ ବାଦ୍ୟ ସାଙ୍ଗରେ ଭୋଜି ଆରମ୍ଭ ହେଲା । ସୁନ୍ଦରୀ କ୍ରୀତଦାସୀ ତରୁଣୀମାନେ ନାନା ପ୍ରକାରର ସୁସ୍ୱାଦୁ ଭୋଜନ ସାମଗ୍ରୀ ଓ ପାନୀୟ ପରିବେଷଣ କରିବାକୁ ଲାଗିଲେ ।

 

ଲିଜିୟା ଗୋଟାଏ କୋଣରେ ଉଜ୍ଜ୍ୱଳ ଦୀପାଲୋକ ତଳେ ସୋଫାରେ ତଳକୁ ମୁହଁ ପୋତି ଏକା ବସି ଭୟରେ ଥରୁଥିଲା । ହଠାତ୍‍ ମୃଦୁ ହସର ଶବ୍ଦ ତାହାର କାନରେ ପଡ଼ିବାରୁ, ସେ ମୁହଁ ଟେକି ଦେଖିଲା ଯେ ମାର୍କାସକୁ ପେତ୍ରୋନିୟାସ କହିଲା–ତୁମ ପସନ୍ଦର ତାରିଫ ନକରି ମୁଁ ରହି ପାରୁ ନାହିଁ, କିନ୍ତୁ ଝିଅଟି ବିଲକୁଲ ଗାଉଁଲି । ପେତ୍ରୋନିୟାସ ଲିଜିୟାକୁ ଆଉ ଥରେ ଦେଖି ନେଇ ସମ୍ରାଟଙ୍କ ଆସନ ଆଡ଼କୁ ଚାଲିଗଲା । ମାର୍କାସ ଯାଇ ଲିଜିୟା ପାଖରେ ଆସନ ଗ୍ରହଣ କଲା । ସେଠାରେ ଆଉ କାହାରି ବସିବାର ଅନୁମତି ନ ଥିଲା ।

 

ମାର୍କାସ ଥଟାରେ କହିଲା–ଲିଜିୟା, ତୁମେ ଏଠାରେ ଏକା ବସିଛ ଯେ ! ତୁମର ଅନୁରକ୍ତ ରକ୍ଷକ ଆର୍ଶାସନର ସଙ୍ଗ ତ୍ୟାଗ କରିଛ କି ଆଜି ?

 

ଲିଜିୟା ଜବାବ ଦେଲା–ବେଳେବେଳେ ମଣିଷକୁ କେତେକ କଥା ବାଧ୍ୟ ହୋଇ କରିବାକୁ ପଡ଼େ ।

 

ସେ ଆଉ କିଛି କହିପାରିଲା ନାହିଁ । ସମବେତ ଅତିଥିମାନଙ୍କ ସହିତ ସୌଜନ୍ୟ ବିନିମୟ କରିବା ନିମନ୍ତେ ସମ୍ରାଟ ଉଚ୍ଚ ଆସନରୁ ଓହ୍ଲାଇ ଆସିଲେ । ପ୍ରଥମେ ସେ ଲିଜିୟା ଓ ମାର୍କାସଙ୍କ ସାମନାରେ ଠିଆହୋଇ ଥରେ ଲିଜିୟାକୁ ଭଲ କରି ଦେଖି କହିଲେ–ତୁମ ପସନ୍ଦର ତାରିଫ କରୁଛି, ମାର୍କାସ ।

 

ତା’ପରେ ସମ୍ରାଟ ଲିଜିୟାକୁ କହିଲେ–ସନ୍ଧିର ଅଧିକାର ବଳରେ ମୁଁ ତୁମକୁ ସେନାପତି ମାର୍କାସର ହାତରେ ଅର୍ପଣ କରୁଛି । ଆଜିଠାରୁ ତୁମେ ତାହାର ହେଲ ।

 

ସମ୍ରାଟ ଶୁଭେଚ୍ଛା ଜଣାଇବା ପାଇଁ ଅନ୍ୟ ଅତିଥିମାନଙ୍କ ପାଖକୁ ଉଠିଗଲେ । ବିଜୟ ଗର୍ବରେ ମାର୍କାସ ଲିଜିୟା ଆଡ଼କୁ ଅନାଇଲା, କିନ୍ତୁ ଲିଜିୟା ସେତେବେଳକୁ ଏପରି ଅଲୌକିକ ଘଟଣାରେ କାଠ ହୋଇଯାଇଥିଲା । ମାର୍କାସ ଜଣେ ରକ୍ଷୀକୁ ଡାକି ହୁକୁମ ଦେଲା–ଲିଜିୟାକୁ ଅନ୍ତଃପୁରରେ ଆକ୍ତି ପାଖକୁ ନେଇଯାଅ । ତାହାକୁ କହିବ ଯେ ସମ୍ରାଟ ମୋତେ ଏହାକୁ ପୁରସ୍କାର ଦେଇଛନ୍ତି ଏବଂ ଅନ୍ତଃପୁରର ସୁନ୍ଦରୀଙ୍କ ନାମ ତାଲିକାରୁ ଏହାର ନାମ କାଟିଦେଇ ତୁମ ସାଙ୍ଗରେ ଶିବିକାରେ ପେତ୍ରୋନିୟାସର ଘରକୁ ପଠାଇଦେବ ।

 

ରକ୍ଷୀ ଲିଜିୟାକୁ ଆକ୍ତି ପାଖକୁ ନେଇଗଲା ଏବଂ ତାହାକୁ ସବୁ କଥା ଜଣାଇଲା । ଆକ୍ତି ଲିଜିୟାର କାନରେ ଫୁସ୍‍ଫୁସ୍‍ କରି କହିଲା–ଭୟ କରନା, ଆର୍ଶାସ ତୁମ ଶିବିକା ସାଙ୍ଗରେ ଯିବ, ଯାହା କିଛି କରିବାର ସେ ବାଟରେ କରିବ ।

 

ଲିଜିୟାକୁ ନେଇ ରକ୍ଷୀ ପ୍ରସ୍ଥାନ କଲା ପରେ, ଆକ୍ତି ଝରକା ଖୋଲି ଖଣ୍ଡିଏ ଧଳା ରୁମାଲ ହଲାଇଲା । ଆର୍ଶାସ ଦୂରରେ ପ୍ରାଚୀର ପାଖରେ ଚୁପ୍‍ଚାପ୍‍ ଠିଆ ହୋଇଥିଲା । ସଙ୍କେତ ପାଇଲା ମାତ୍ରେ.ସେ ଦ୍ରୁତ ପଦରେ ପ୍ରାସାଦରୁ ବାହାରି ଯାଇ ପ୍ରଭୁ-କନ୍ୟାକୁ ଉଦ୍ଧାର କରିବା ନିମନ୍ତେ ଶିବିକା ପଛେ ପଛେ ଚାଲିଲା ।

 

 

ପେତ୍ରୋନିୟାସ ସମ୍ରାଟଙ୍କ ଭୋଜି ସଭାରୁ ଫେରିଲା ଉତ୍ତାରୁ ରାତିରେ ତାହାର ଘରେ ମହୋତ୍ସବ ଚାଲିଲା । ନୃତ୍ୟ ଗୀତ ଓ ବାଦ୍ୟର ଆୟୋଜନ ହୋଇଥିଲା । ଭୃତ୍ୟମାନେ ଅତିଥିଙ୍କ ସେବାରେ ବ୍ୟସ୍ତ ଥିଲେ ।

 

ମାର୍କାସ ଆସି ପହଞ୍ଚିଲା । ସେ ବର୍ତ୍ତମାନ ମାମୁଁଘରେ ବାସ କରୁଥିଲା । ଲିଜିୟା ଏଠାକୁ ଆସିଲେ ସେ ତାହାକୁ ନେଇ ନିଜର ଜମିଦାରୀ ସିସିଲି ଦ୍ଵୀପକୁ ଯିବ । ସେଥିପାଇଁ ମାର୍କାସ ଉଦ୍‍ଗ୍ରୀବ ହୋଇ ଘରୁ ବାହାରକୁ ପଦଚାରଣ କରିବାରେ ଲାଗିଥିଲା ।

 

ଯେଉଁ ରକ୍ଷୀ ଉପରେ ଲିଜିୟାକୁ ଆଣିବାରେ ଭାର ଥିଲା, ସେ ଏକା ରକ୍ତାକ୍ତ ଶରୀରରେ ଫେରି ଆସି ଜଣାଇଲା–ମୋ ସାଙ୍ଗରେ ଆଉ ତିନି ଜଣ ରକ୍ଷୀ ଥିଲେ । ହଠାତ୍‍ ଅନ୍ଧାରରେ ଜଣେ ଦୈତ୍ୟକାୟ ଲୋକ କୁଦି କୁଦି ଆସି ଆମକୁ ଜୋରରେ ଆଘାତ କରିବାକୁ ଲାଗିଲା । ଦୁଇ ଜଣ ଅଚେତ ହୋଇ ତଳେ ପଡ଼ିଗଲୁ, ବାକି ଦୁଇ ଜଣ ମାଡ଼ ଖାଇ କୁଆଡ଼େ ଖସିଗଲେ, ଆଉ ବାହକମାନେ ଏପରି ଅବସ୍ଥା ଦେଖି ଶିବିକା ଛାଡ଼ିଦେଇ ପ୍ରାଣ ବିକଳରେ ପଳାଇଲେ । ମୋର ଚେତା ପଶିଲାରୁ ମୁଁ ଲିଜିୟାକୁ ଢେର୍ ଖୋଜିଲି, କିନ୍ତୁ ତାହାକୁ କେଉଁଠି ପାଇଲି ନାହିଁ । ଏବେ ବି ଜଣେ ଆହତ ରକ୍ଷୀ ରାସ୍ତାରେ ଅଚେତ ହୋଇ ପଡ଼ିଛି ।

 

ଏହା ଶୁଣି ମାର୍କାସର ଶରୀର କଠିନ ହେଲା ଏବଂ ଆଖିରେ ନିଆଁ ଜଳିଲା । ତାହାର ବୁଝିବାକୁ ବାକି ରହିଲା ନାହିଁ ଯେ ଏହା ନିଶ୍ଚୟ ସେହି ପାଷଣ୍ଡ ଆର୍ଶାସର କାଣ୍ଡ ।

 

ପେତ୍ରୋନିୟାସ ଅବାକ୍‍ ହେଲେ ସୁଦ୍ଧା ବିଶେଷ ବିଚଳିତ ହେଲା ନାହିଁ । ସେ ମାର୍କାସକୁ ଶାନ୍ତ କରିବାକୁ ଚେଷ୍ଟା କଲା–ରୋମର ସୀମା ଭିତରେ ଥିଲେ ଲିଜିୟାକୁ ଧରି ଆଣିବା ଆଦୌ କଷ୍ଟକର ହେବ ନାହିଁ । ଯଦି ସେ ବାହାରକୁ ଚାଲି ଯାଇଥାଏ, ତାହାହେଲେ ତାହାକୁ ଖୋଜି ଆଣିବା ପାଇଁ ରାଜ୍ୟପାଳମାନଙ୍କ ଠାକୁ ସମ୍ରାଟଙ୍କର ଆଦେଶନାମା ପଠାଇବି ।

 

ମାର୍କାସ ଉତ୍ତେଜିତ ସ୍ଵରରେ କହିଲା–ସେ ନିଶ୍ଚୟ ପ୍ଳତିୟାସର ଘରେ ଅଛି । ବୁଢ଼ାର ମତିଭ୍ରମ ହୋଇଛି, ସେ ଆର୍ଶାସକୁ ପଠାଇ ପୁଣି ତାହାକୁ ନେଇ ଯାଇଛି ।

 

ପେତ୍ରୋନିୟାସ ତାହାକୁ ବୁଝାଇଲା–ମୋର ବିଶ୍ୱାସ, ଲିଜିୟା ସେଠାରେ ନାହିଁ । ଯଦି ତୁମେ ଦଳେ ରକ୍ଷୀ ନେଇ ସେଠାରେ ଖୋଜି ଲିଜିୟାକୁ ନ ପାଇବ, ତାହାହେଲେ ପ୍ଳତିୟାସ ଅଭିଯୋଗ କରିବେ ଯେ ଗୋଟାଏ ମିଥ୍ୟା ସନ୍ଦେହରେ ତାହାଙ୍କ ପରି ଜଣେ ସମ୍ଭ୍ରାନ୍ତ ପଦସ୍ଥ ରୋମାନ ଅଭିଜାତକୁ ଅପମାନ କରିବା ସମ୍ରାଟଙ୍କର ଉଚିତ ହୋଇ ନାହିଁ । ସେତେବେଳେ ସମ୍ରାଟ ଏହି ଅଭିଯୋଗର କୌଣସି ସନ୍ତୋଷଜନକ କୈଫିୟତ ଦେଇପାରିବେ ନାହିଁ । ତା’ପରେ ପରିସ୍ଥିତି ଅଧିକ ଜଟିଳ ହେବ । ବରଂ ତୁମେ ଏକ୍ଷଣି ଲିଜିୟାର ଚିନ୍ତା ମନରୁ ପୋଛି ପକାଅ ଏବଂ ମୋ ସାଙ୍ଗରେ ଏଣ୍ଟିୟାମକୁ ଚାଲ । କାଲି ସମ୍ରାଟ ସେଠାକୁ ଯାଉଛନ୍ତି ।

 

ତାହା ହୋଇ ନ ପାରେ–ମାର୍କାସ ବିରକ୍ତିରେ ଦୃଢ଼ ସ୍ଵରରେ କହିଲା ।

 

ବେଶ୍‍, ନୋହିଲେ କାଲି ସକାଳେ ତୁମେ ନିଜେ ଥରେ ପ୍ଳତିୟାସଙ୍କ ଘରକୁ ଯାଇ ଦେଖ, ଲିଜିୟା ସେଠାରେ ଅଛି କି ନା ।

 

ସକାଳେ ମାର୍କାସ ଆପିୟାନ ରାଜପଥରେ ଯାଇ ପ୍ଳତିୟାସର ଦୁଆର ସାମନାରେ ରଥ ରଖିଲା । ପ୍ଳତିୟାସ ଓ ପମ୍ପେନିୟା ଦୁହେଁ ଘରେ ଥିଲେ । ମାର୍କାସ ସଦମ୍ଭ ପଦକ୍ଷେପରେ ଭିତରେ ପ୍ରବେଶ କରି ତୀକ୍ଷ୍ଣ ସ୍ଵରରେ କହିଲା–ଲିଜିୟାକୁ ଖବର ଦିଅନ୍ତୁ, ମୁଁ ତାହାକୁ ନେବାକୁ ଆସିଛି ।

 

ପମ୍ପେନିୟା ଧୀର ଗମ୍ଭୀର କଣ୍ଠରେ ଜଣାଇଲା–ସମ୍ରାଟଙ୍କର ସୈନିକମାନେ ତ ତାହାକୁ ରାଜପ୍ରାସାଦକୁ ନେଇ ଯାଇଛନ୍ତି !

 

ଚମତ୍କାର ଅଭିନୟ ! ସୈନିକମାନେ ଲିଜିୟାକୁ ନେଇଯିବା ପରେ ଆପଣମାନେ ଆଉ ତାହାକୁ ଦେଖି ନାହାନ୍ତି ? –ମାର୍କାସ କ୍ରୂର ଦୃଷ୍ଟି ନିକ୍ଷେପ କଲା ।

 

ଆମ କଥା ଅବିଶ୍ଵାସ ହେଲେ, ନିଜେ ଘର ତଲାସ କରି ଦେଖିପାର ।

 

ଆପଣମାନେ ତାହାକୁ ନିଶ୍ଚୟ ଆଉ କେଉଁଠି ଲୁଚାଇ ରଖିଛନ୍ତି । ରକ୍ଷୀମାନେ କହିଛନ୍ତି, ହଠାତ୍ ଜଣେ ଦୈତ୍ୟକାୟ ଲୋକ ଆସି ସେମାନଙ୍କୁ ମାରି ଜଖମ କରି ଲିଜିୟାକୁ ସେମାନଙ୍କଠାରୁ ଛଡ଼ାଇ ନେଇଗଲା । ଏ କାଣ୍ଡ ଆର୍ଶାସ ଛଡ଼ା ଆଉ କାହାର ନୁହେଁ । ଡାକନ୍ତୁ ତ ତାହାକୁ ।

 

ପମ୍ପେନିୟା ଜବାବ ଦେଲା–ଆର୍ଶାସ ପରା ଲିଜିୟା ସାଙ୍ଗରେ ଯାଇଥିଲା ।

 

ଖାସା ଜବାବ ଆପଣ ତିଆରି କରି ରଖିଛନ୍ତି–କ୍ରୁଦ୍ଧ ସ୍ଵରରେ କହି ମାର୍କାସ ଦ୍ରୁତ ପଦରେ ବାହାରି ଆସି ନଗର ଆଡ଼କୁ ରଥ ଚଳାଇଲା । ପେତ୍ରୋନିୟାସ ଏଣ୍ଟିୟାମ ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲା । ଭଣଜାଠାରୁ ସବୁ ଖବର ଶୁଣି ସେ କହିଲା–ଲିଜିୟାର ନିଖୋଜ ହେବା ସାଙ୍ଗରେ ପ୍ଳତିୟାସଙ୍କର କିଛି ଯୋଗାଯୋଗ ନାହିଁ । ତାହାକୁ କିଏ ନେଇ ଯାଇଛି, ସନ୍ଧାନ କରିବା ଅବଶ୍ୟ କଠିନ ନୁହେଁ । ଚିଲୋ ବୋଲି ଜଣେ ଗ୍ରୀକ୍‍ ରୋମରେ ଯେତେ ଗୁଣ୍ଡା, ବଦମାସ, ଚୋର ଅଛନ୍ତି ସମସ୍ତଙ୍କୁ ଜାଣେ । ଚାଲ, ଚିଲୋ ପାଖକୁ ଯିବା, ତାହାଠାରୁ ନିଶ୍ଚୟ କିଛି ଖବର ପାଇବା ।

 

ରୋମର ବସ୍ତି ଅଞ୍ଚଳରେ ବୁଢ଼ା ଚିଲୋ ଗୋଟିଏ କଦର୍ଯ୍ୟ ଘରେ ବାସକରୁଥିଲା । ଗୋଟିଏ ବଡ଼ ମଲା କୁମ୍ଭୀର ତାହାର ଘରର ଛାତରୁ ଝୁଲୁଥିଲା । ଦୁର୍ଗନ୍ଧରେ ମାର୍କାସର ନାକ ଫାଟି ପଡ଼ିଲା । ତଥାପି ନିଜର ଗରଜ ଯୋଗୁଁ ତାହାକୁ ସେହି ବୁଢ଼ା ସାମନାରେ ବସି ରହିବାକୁ ହେଲା । ଧୂର୍ତ୍ତ ଶିଆଳ ପରି ତାହାର ଆଖି ଦୁଇଟା ଜଳୁଥିଲା, ଆଉ ମୁଖରେ ଠେକୁଆର ଭୀରୁତା ଫୁଟି ଉଠୁଥିଲା । ମାର୍କାସର ଦ୍ଵିଧା ଓ ସଂଶୟ ଦେଖି ଚିଲୋ କହିପକାଇଲା–ଆପଣ ଠିକ୍‍ ଜାଗାକୁ ଆସିଛନ୍ତି । ଝିଅଟିକୁ କିପରି ଖୋଜି ବାହାର କରିବାକୁ ହେବ, ମୋତେ ସେ ବାଟ ଭଲଭାବରେ ଜଣା । ରୋମରେ ନାନା ଧର୍ମର ଲୋକେ ବାସ କରନ୍ତି । ପ୍ରଥମେ ଠିକ୍‍ କରିବାକୁ ହେବ, ସେ କେଉଁ ଧର୍ମ ଲୋକର ହାତରେ ପଡ଼ିଛି ।

 

କିପରି ତାହା ଠିକ୍‍ କରିବ ? –ମାର୍କାସ ପଚାରିଲା ।

 

ଉପାୟ ଅଛି, ମହାଶୟ । ପ୍ରତ୍ୟକ ଧର୍ମର ଗୋଟିଏ ଲେଖାଏଁ ଚିହ୍ନ ଅଛି । ତାହାହିଁ ହେଲା ସେମାନଙ୍କର ସଙ୍କେତ । ଦେଖନ୍ତୁ, ମିନର୍ଭା ଦେବୀଙ୍କର ଚିହ୍ନ ହେଉଛି ପେଚା, ଜୂନୋଙ୍କର ମୟୂର, ଆଉ ଯୀଶୁଙ୍କର ମାଛ ।

 

ତତ୍‍କ୍ଷଣାତ୍‍ ମାର୍କାସର ମନେପଡ଼ିଲା । ସେ କହିପକାଇଲା–ଦିନେ ଲିଜିୟା ଖଡ଼ିରେ ମାଛର ଛବିଟିଏ ଆଙ୍କୁଥିଲା ।

 

ତାହାର ସର୍ବାଙ୍ଗ ରୋମାଞ୍ଚିତ ହେଲା ।

 

ତାହାହେଲେ ଝିଅଟି ନିଶ୍ଚୟ ଖ୍ରୀଷ୍ଟାନ ହୋଇଥିବ ।

 

ଏହା ଶୁଣି ମାର୍କାସ ଚିନ୍ତିତ ହେଲା । ଚିଲୋ ପୁଣି କହିଲା–କିଛି ଚିନ୍ତାକର ନାହିଁ । ଖ୍ରୀଷ୍ଟାନମାନଙ୍କର ଆଡ୍‍ଡାରେ ଖବର ନେଲେ, ଝିଅଟିର କିଛି ପତ୍ତା ମିଳିପାରେ ।

 

ତାହାହେଲେ ଖବର ନେଇ ସନ୍ଧ୍ୟାରେ ମୋତେ ଦେଖା କରିବ–କହି ମାର୍କାସ ଉଠିପଡ଼ିଲା ।

 

ଚିଲୋ ଦୁଇ ହାତ ଘଷି ଘଷି କହିଲା–ସେଥିପାଇଁ କିଛି ଖରଚପତ୍ର ଦେଲେ ଭଲ ହୁଅନ୍ତା-

 

ତୋଡ଼ାଏ ଟଙ୍କା ଚିଲୋ ଉପରକୁ ଫିଙ୍ଗି ଦେଇ ମାର୍କାସ ରୁକ୍ଷ ସ୍ୱରରେ ଧମକାଇଲା–କାମ ହାସଲ କରିବା ଦରକାର, ନୋହିଲେ ଜାଣିଥାଅ ଚାବୁକ ।

 

ସନ୍ଧ୍ୟାରେ ଚିଲୋ ମାର୍କାସକୁ ଦେଖାକରି ଜଣାଇଲା–ସନ୍ଧାନ ପାଇଛି !

 

କେଉଁଠି ଅଛି ସେ ? –ମାର୍କାସ କୁଦି ପଡ଼ିଲା ।

 

ଏଯାଏ ଅବଶ୍ୟ ତାହା ଜାଣିପାରି ନାହିଁ । ତେବେ ଆଜି ରାତିରେ କେଉଁଠାକୁ ଗଲେ ତାହାର ଦେଖା ମିଳିବ, ତାହା ମୁଁ ଜାଣିଛି । ରୋମର ବାହାରେ, ନୋମେନ୍ତାନ ଫାଟକ ପରେ, ଗୋଟିଏ ଜାଗାରେ କେତେଗୁଡ଼ିଏ ଛୋଟ ଛୋଟ ପାହାଡ଼ ଅଛି । ଆଜି ରାତିରେ ସେହି ପାହାଡ଼ର ଗୁହାରେ ଖ୍ରୀଷ୍ଟାନମାନଙ୍କର ସଭାରେ ସେମାନଙ୍କର ଜଣେ ମହାପୁରୁଷ ଭାଷଣ ଦେବେ । ଲିଜିୟା ନିଶ୍ଚୟ ସେଠାକୁ ଯିବ । ଆପଣ ସନ୍ଧ୍ୟାବେଳେ ଟିକିଏ ସେଠାକୁ ଚାଲନ୍ତୁ ।

 

ତୁମକୁ ବି ମୋ ସାଙ୍ଗରେ ସେଠାକୁ ଯିବାକୁ ହେବ, ନୋହିଲେ ଆଉ ଅଧଲାଟିଏ ପାଇବ ନାହିଁ–କହି ମାର୍କାସ ତାହା ଉପରକୁ ତୋଡ଼ାଏ ଟଙ୍କା ଫିଙ୍ଗିଦେଲା ।

 

ସେତକ ବିକଳରେ ଗୋଟାଇ ନେଇ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ଚିଲୋ କହିଲା–ହେଉ, ତାହାହେଲେ ନିଶ୍ଚୟ ଯିବି । କିନ୍ତୁ ଅନ୍ଧାରରେ ମୋତେ ଭାରି ଡର ମାଡ଼େ । ସେମାନେ ବି ଅତିଶୟ ପାଷଣ୍ଡ । ଆପଣଙ୍କର ସେଠାକୁ ଏକା ଯିବା ଉଚିତ ନୁହେଁ ।

 

ମାର୍କାସ ଦୃଢ଼ ସ୍ୱରରେ ଜଣାଇଲା–ନିଶ୍ଚୟ ଯିବି । ତୁମେ ବି ଯିବ, ଆଉ ଯିବ ରୋମର ଶ୍ରେଷ୍ଠ ପହିଲମାନ କ୍ରୋଟୋନ ।

 

ଗାଉଁଲି ବେଶଭୂଷାରେ ମାର୍କାସ ପହିଲମାନ କ୍ରୋଟୋନ ଓ ଭୀତୁ ଚିଲୋକୁ ସାଙ୍ଗରେ ନେଇ ସନ୍ଧ୍ୟା ପରେ ବାହାରି ପଡ଼ିଲା । ସହରଠାରୁ କିଛି ଦୂରରେ କେତୋଟି ଛୋଟ ଛୋଟ ପାହାଡ଼-। ତାହାରି ମଝିରେ ବାଲିର ଖାତ ଗୁଡ଼ିଏ ଓ ପଥର ଖୋଳା ଗହ୍ୱର । ଠାଏ ଠାଏ ପ୍ରାଚୀନ ପରିତ୍ୟକ୍ତ ସମାଧିସବୁ । ମାର୍କାସ ହାତରେ ଲଣ୍ଠନଟିଏ ଧରିଥିଲା, ତାହାର ତିନି ପାଖରେ କାଗଜ ଦିଆ ଯାଇଥିଲା । ଆତ୍ମରକ୍ଷା ନିମନ୍ତେ ସେ କଟିରେ ଗୋଟିଏ ଛୋଟ ବଙ୍କା ଛୁରା ଖୋସିଥିଲା-। ଅନ୍ଧାରରେ ବାଟ ବାରି ହେଉ ନ ଥିଲା । ଭଲ କରି ଲକ୍ଷ୍ୟ କଲେ, କେତେଗୁଡ଼ିଏ ଛାୟାମୂର୍ତ୍ତି ହାତରେ ଆବୃତ ଲଣ୍ଠନ ଧରି ବିଚରଣ କରୁଥିବାର ମାଲୁମ ହେଉଥିଲା । କେହି କେହି ମୃଦୁ ଗୁଞ୍ଜନରେ ଗୀତ ଗାଉଥିଲେ । ମାର୍କାସ ଅତି ସାବଧାନରେ କ୍ରୋଟୋନ ଓ ଚିଲୋ ସାଙ୍ଗରେ ଧୀରେ ଧୀରେ ପାଦ ପକାଇ ଲିଜିୟାକୁ ଖୋଜୁଥିଲା । ଅବଶେଷରେ ଗୋଟିଏ ସଂକୀର୍ଣ୍ଣ ଗିରି-ପଥ ଦେଇ ସେମାନେ ଏକ ପରିତ୍ୟକ୍ତ ଗହ୍ଵର ଭିତରେ ପ୍ରବେଶ କଲେ । ଲୋକେ ପଥର ଖୋଳି ସେହି ଜାଗାକୁ ଏମିତି କରିଦେଇଥିଲେ ଯେ ତଳେ ଛିଡ଼ା ହେଲେ ଚାରି ପଟର ପାହାଡ଼ ସର୍କସର ଗେଲେରି ଭଳି ଜଣାଯାଉଥିଲା । ସେହି ଗେଲେରିରେ ବହୁତ ଖ୍ରୀଷ୍ଟାନ ନୀରବରେ ବସିଥିଲେ-

 

ଗହ୍ଵରର ମଝିରେ ଖଣ୍ଡିଏ ବଡ଼ ଉଚ୍ଚ ପଥର ଘେରା ହୋଇଥିଲା । ସେହି ଘେରା ଜାଗାଟିରେ ଅନେକ ଲୋକ ଆଣ୍ଠୁମାଡ଼ି ବସିଥିଲେ । ସେମାନଙ୍କ ଦୁଇ ପାଖରେ ମଶାଲ ଜଳୁଥିଲା, ସାମନାରେ ଜଣେ ଦୀର୍ଘକାୟ ପୁରୁଷ ଟହଲ ମାରୁଥିଲା, ଆଉ ଖଣ୍ଡିଏ ଲମ୍ବା କ୍ରୁଶ କାଠ ପୋତା ହୋଇଥିଲା ।

 

ଚିଲୋ ହାତ ଠାରି ମାର୍କାସର କାନରେ ଫୁସ୍‍ଫୁସ୍‍ କରି କହିଲା–ସେହି ହେଉଛି ଖ୍ରୀଷ୍ଟାନଙ୍କର ବଡ଼ ନେତା ପଲ ।

 

ପଲର ପଛେ ପଛେ ଗୋଟିଏ ପିଲା ହାତରେ ପାତ୍ରଟିଏ ଧରି ସେଥିରୁ ପାଣି ନେଇ ନତଜାନୁ ଲୋକଙ୍କ ମଥାରେ ଛିଞ୍ଚି ଛିଞ୍ଚି କହୁଥିଲା–ଈଶ୍ଵରଙ୍କର ତ୍ରିମୂର୍ତ୍ତିଙ୍କ ନାମରେ ମୁଁ ତୁମକୁ ଆଜି ଦୀକ୍ଷିତ କରୁଛି ।

 

ଚିଲୋ ପୁଣି ଆସ୍ତେ ଆସ୍ତେ କହିଲା–ଏହା ହେଲା ଖ୍ରୀଷ୍ଟ ଧର୍ମର ଦୀକ୍ଷା ! ମୋ କାମ ତ ସରିଲା । ସେ ନିଶ୍ଚୟ ଏଠାରେ ଅଛି । ମୋତେ ଟଙ୍କା ଦିଅନ୍ତୁ, ମୁଁ ଚାଲି ଯାଏଁ ।

 

ସେ କଥା ନ ହୁଏ–କହି ମାର୍କାସ କ୍ରୋଟୋନକୁ ନେଇ ଗୋଟିଏ ଜାଗାରେ ଠିଆ ହେଲା, ଯେଉଁ ବାଟେ ସମସ୍ତେ ଘରକୁ ଫେରିଯିବେ ।

 

ଦୀକ୍ଷା ଦାନ ସାରି ପଲ କହିଲା–ମୁଁ ଜାଣେ, ଏଠାରେ ଏମିତି କେତେ ଲୋକ ଅଛନ୍ତି, ଯେଉଁମାନେ ଏକ୍ଷଣି ଦୀକ୍ଷା ଗ୍ରହଣ କରି ନାହାନ୍ତି । ସେମାନଙ୍କ ମନରେ ସନ୍ଦେହ ରହିବା ଅବଶ୍ୟ ସ୍ଵାଭାବିକ । ପ୍ରଭୁ ଯୀଶୁ ତାହା ଜାଣିପାରି ସଭିଙ୍କୁ ପ୍ରଶ୍ନ କରିବାର ଅଧିକାର ଦେଉଥିଲେ ଏବଂ ସଯତ୍ନରେ ସେମାନଙ୍କ ସନ୍ଦେହର ନିରସନ କରୁଥିଲେ । ଦିନେ ଯେ ତାଙ୍କର ବହୁ ଉତ୍ତର ନିଜ କାନରେ ଶୁଣିବାର ସୁଯୋଗ ପାଇଥିଲେ, ଆମର ସୌଭାଗ୍ୟକୁ ଆଜି ସେପରି ଜଣେ ମହାପୁରୁଷ ଏଠାରେ ଉପସ୍ଥିତ ଅଛନ୍ତି । ସେ ସ୍ୱଚକ୍ଷୁରେ ଯୀଶୁଙ୍କର ମୁଖ ଦେଖିଛନ୍ତି ଏବଂ ନିଜ ହାତରେ ତାଙ୍କର ପାଦପଦ୍ମ ସ୍ପର୍ଶ କରିଛନ୍ତି । ସେ ଜେରୁଜେଲମରୁ ଆସିଛନ୍ତି । ଦିନେ ସେ ଧୀବର ସାଇମନ ଥିଲେ । ବର୍ତ୍ତମାନ ତାଙ୍କର ନାମ ହେଉଛି ପିଟାର ।

 

ତା’ପରେ ମହିମମୟ ମୂର୍ତ୍ତି ପିଟାର ବଡ଼ ପଥର ଖଣ୍ଡିକ ଉପରକୁ ଉଠି ପ୍ରଶାନ୍ତ ବଦନରେ ସରଳ ଭାଷାରେ ଉଦବୋଧନ ଦେଲେ–ଏକଦା ପ୍ରଭୁ ଯୀଶୁ ଏହି ଅଯୋଗ୍ୟ ଭୃତ୍ୟକୁ କହିଥିଲେ: ପିଟାର, ତୁମେ ସେହି ଶାଶ୍ଵତ ଶିଳା, ଯାହା ଉପରେ ମୁଁ ମୋର ଧର୍ମ ମହାମଣ୍ଡଳ ଗଠନ କରିବି । ସେହି ପ୍ରଭୁ ମୋତେ ରୋମ ଆଡ଼କୁ ଆକର୍ଷଣ କରିଛନ୍ତି ଭାଟିକାନ ପାହାଡ଼ର ଚୂଡ଼ାରେ ତାଙ୍କର ଗିର୍ଜା ନିର୍ମାଣ କରିବା ନିମନ୍ତେ । ତାହାଙ୍କୁ ନ ଦେଖିଥିଲେ ସୁଦ୍ଧା ତୁମ୍ଭମାନଙ୍କର ତାହାଙ୍କ ଉପରେ ଅଗାଧ ବିଶ୍ଵାସ ଥିବ, କାରଣ ନିଜର ହୃଦୟ ତନ୍ତ୍ରୀରେ ରାଗିଣୀର ଝଙ୍କାର ପରି ନିଶ୍ଚୟ ତୁମ୍ଭେମାନେ ତାଙ୍କର କଣ୍ଠସ୍ୱର ଶୁଣିଛ । ଗାଲିଲିର ସମୁଦ୍ର କୂଳରେ ମୁଁ ପ୍ରଥମେ ତାଙ୍କର ସ୍ୱର ଶୁଣିବାକୁ ପାଇଥିଲି । ଆମେ ତିନି ଭାଇ ରାତି ସାରା ସମୁଦ୍ରରେ ଜାଲ ପକାଇ ପକାଇ ଗୋଟିଏ ହେଲେ ମାଛ ଧରି ନ ପାରି ଭୀଷଣ କ୍ଳାନ୍ତ ଶ୍ରାନ୍ତ ହୋଇ ପଡ଼ିଥିଲୁ । ଆମ ନୌକା କୂଳ ପାଖକୁ ଆସିଲା ବେଳେ କିଏ ମୋର ନାମ ଧରି ଡାକୁଥିବାର ମୁଁ ଶୁଣିପାରିଲି । ଜଣେ ଅପରୂପ ବ୍ୟକ୍ତିଙ୍କୁ କୂଳରେ ଠିଆ ହୋଇଥିବାର ଦେଖିଲା ମାତ୍ରେ ମୋର ହୃଦୟ ଆନନ୍ଦରେ ଉଛୁଳିଲା ଏବଂ ଶୀତ ଓ କ୍ଳାନ୍ତି ଉଭେଇଗଲା । ମୁଁ ଜବାବ ଦେବାରୁ, ସେ ମୋତେ ଡାକି କହିଲେ–ମୁଁ ତୁମ ନୌକାରେ ଚଢ଼ି ଲୋକମାନଙ୍କ ସାଙ୍ଗରେ କିଛି କଥା ହେବାକୁ ଚାହେଁ । ସେ ନୌକାକୁ ଉଠି ଆସି ଆମକୁ ସ୍ୱର୍ଗ ରାଜ୍ୟର କଥା କହିବାକୁ ଲାଗିଲେ । ତାହା ଶୁଣି ମୋର ହୃଦୟ ଆନନ୍ଦରେ ନାଚିଲା । ଭାଷଣ ସାରି ସେ ମୋତେ କହିଲେ–ନୌକା ନେଇ ଗଭୀର ଜଳକୁ ଯାଇ ଫେର୍‍ ଜାଲ ପକାଅ । ଆମେ ସେୟା କଲୁ । ଦେଖୁଁ ଦେଖୁଁ ଅଜସ୍ର ମାଛରେ ଆମ ଜାଲ ଭରିଗଲା । ମୋତେ ବିସ୍ମିତ ହେବାର ଦେଖି ସେ କହିଲେ–ଡର ନାହିଁ, ତୁମର ଜାଲ ପକା ଏଇଠି ଶେଷ ହେଲା । ଏଣିକି ତୁମେ ମଣିଷ ଧରିବା ଲାଗି ଜାଲ ପକାଇ ବୁଲିବ । ତାଙ୍କର ନିର୍ଦ୍ଦେଶ ପାଇ ମୁଁ ବିନା ବାକ୍ୟ ବ୍ୟୟରେ ତାଙ୍କର ଅନୁଗାମୀ ହେଲି-। ଅନ୍ୟ ଦୁଇ ଭାଇ ମଧ୍ୟ ମୋ ସଙ୍ଗରେ ଚାଲିଲେ । ଆମେ ତାହାଙ୍କ ସାଙ୍ଗରେ ଲୋକଙ୍କୁ ଡାକି ବୁଲିଲୁ । କ୍ରମେ କ୍ରମେ ଆମର ସଂଖ୍ୟା ବଢ଼ି ବଢ଼ି ବାର ହେଲା । ତାଙ୍କର କାମ ଥିଲା କ୍ଷୁଧାର୍ତ୍ତଙ୍କୁ ଆହାର ବିତରଣ ଏବଂ ରୁଗ୍‍ଣ ଓ ଜୀର୍ଣ୍ଣଶୀର୍ଣ୍ଣଙ୍କୁ ଆଶାର ବାଣୀ ଓ ଶାନ୍ତିର ଆଶ୍ଵାସନା ପ୍ରଦାନ-। ବେଥାନୀର ଲାଜାରାସକୁ ମୃତ୍ୟୁ ମୁଖରୁ ଫେରାଇ ଆଣିବା ଏବଂ ମେରୀ ମଡ଼ଲେନର ଅନ୍ତରରେ ଶାନ୍ତିର ଅମୃତ ସିଞ୍ଚିବା ଏକମାତ୍ର ତାହାଙ୍କ ଦ୍ଵାରା ସମ୍ଭବ ହୋଇଥିଲା । ଶେଷଥର ତାହାଙ୍କ ସହିତ ଭୋଜନ କଲା ବେଳେ ମୁଁ କହିଥିଲି–ପ୍ରଭୁ, ମୁଁ ତୁମ ସହିତ ମୃତ୍ୟୁବରଣ କରିବାକୁ ଭୟ କରେ ନାହିଁ-। ସେ ତତ୍‍କ୍ଷଣାତ୍‍ ଭବିଷ୍ୟତ ବାଣୀ ଶୁଣାଇଥିଲେ–ପିଟାର, ଆଜି ରାତିରେ ଭୋର ହେବା ଆଗରୁ ତୁମେ ମୋର ପରିଚୟକୁ ସୁଦ୍ଧା ତିନି ଥର ଅସ୍ୱୀକାର କରିବ । ସତରେ ଠିକ୍‍ ସେୟା ହେଲା । ଯେଉଁମାନେ ତାଙ୍କର ବିଚାର କରିବାକୁ ବସିଥିଲେ, ସେମାନେ ମୋତେ ବାରମ୍ବାର ପଚାରିଲେ–ତୁମେ ତାହାଙ୍କ ସମ୍ବନ୍ଧରେ କିଛି ଜାଣ କି ? ମୁଁ ତିନିଥର ଜବାବ ଦେଲି–ମୁଁ ସେହି ଲୋକଟିକୁ ଚିହ୍ନି ନାହିଁ । ମୃତ୍ୟୁର ଭୟରେ ମୁଁ ଏତେ କାତର ହୋଇ ପଡ଼ିଥିଲି ଯେ ସେହି ମାନବ ପୁତ୍ରଙ୍କୁ ମୁଁ ଅସ୍ୱୀକାର କରିଥିଲି । ତା’ପରେ ସେମାନେ ତାହାଙ୍କୁ କ୍ରୁଶ କାଠରେ ବିଦ୍ଧ କରି ଝୁଲାଇ ଦେଲେ । ଅସୀମ ଯାତନାରେ ସୁଦ୍ଧା ଯୀଶୁ କାତର ଭାବରେ ତାଙ୍କର ଘାତକମାନଙ୍କର କଲ୍ୟାଣ ନିମନ୍ତେ ପ୍ରର୍ଥନା କଲେ–ପିତା, ଏମାନଙ୍କୁ ତୁମେ କ୍ଷମା କର, ଏମାନେ କଅଣ କରୁଛନ୍ତି ନିଜେ ତାହା ଜାଣନ୍ତି ନାହିଁ । ସେ ମୋ ପାପ ଓ ସେମାନଙ୍କର ଅପରାଧ ପାଇଁ କ୍ଷମା କରିଥିଲେ । ତାହାଙ୍କୁ ସମାଧି ଦେଇ ଯେତେବେଳେ ଆମେ ଘରକୁ ଫେରି ଆସି ବିଷଣ୍ଣ ବଦନରେ କାନ୍ଦି କାନ୍ଦି ତାହାଙ୍କୁ ସ୍ମରଣ କଲୁ, ଅନ୍ଧାର ଭିତରେ ଅଚାନକ ଏକ ଉଜ୍ଜ୍ୱଳ ଶିଖା ପ୍ରଜ୍ୱଳିତ ହେଲା । ସେହି ଆଲୋକରେ ଆମେ ପୁନର୍ଜୀବିତ ପ୍ରଭୁଙ୍କର ଜ୍ୟୋତିର୍ମୟ ଦିବ୍ୟ ମୂର୍ତ୍ତି ଦେଖିପାରିଲୁ । ସକଳ ବେଦନା ଭୁଲି ସେ ଆମ୍ଭମାନଙ୍କୁ ଆଶୀର୍ବାଦ କଲେ–ତୁମ୍ଭେମାନେ ଶାନ୍ତି ଲାଭ କର । ତା’ପରେ ସେ ଆମ୍ଭମାନଙ୍କୁ ତାଙ୍କର ଏହି ବାଣୀ ଦୁନିଆରେ ପ୍ରଚାର କରିବା ପାଇଁ ଆଦେଶ ଦେଲେ–ଯେଉଁମାନେ ନମ୍ର, ଅନୁତପ୍ତ, ନିରୀହ, କ୍ଷୁଧାର୍ତ୍ତ, ତୃଷିତ, ଦୟାଳୁ,ପବିତ୍ର ଓ ଶାନ୍ତିର ଦୂତ, ସେମାନେ ସମସ୍ତେ ଧନ୍ୟ । ସେମାନେ ହିଁ ଈଶ୍ୱରଙ୍କର କୃପା ଲାଭ କରିବେ ଏବଂ ସ୍ଵର୍ଗ ରାଜ୍ୟର ଅଧିକାରୀ ହେବେ । ଯୀଶୁ ଅସହନୀୟ ଯାତନାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଶିଷ୍ୟମାନେ ମଧ୍ୟ ଅଶେଷ ଯାତନା ଭୋଗିବେ, ହୁଏତ ମୃତ୍ୟୁବରଣ କରିବେ । କିନ୍ତୁ ସେଥିକି ଭୟ କଲେ ଚଳିବ ନାହିଁ, କାରଣ ସେମାନଙ୍କ ରକ୍ତରୁ ପୃଥିବୀରେ ଶାନ୍ତି ଆସିବ । କେହି ତୁମର ଡାହାଣ ଗାଲରେ ଗୋଟାଏ ଥାପଡ଼ ମାରିଲେ, ତୁମେ ତାହାକୁ ବାମ ଗାଲ ଦେଖାଇ ଦେବ । ନିଜର ପ୍ରତିବେଶୀ ଓ ଶତ୍ରୁକୁ ଭଲ ପାଇବ-। ସମସ୍ତଙ୍କ ପ୍ରତି ଉତ୍ତମ ବ୍ୟବହାର ଦେଖାଇବ । ଯେ ଅଭିଶାପ ଦେବ, ତୁମେ ତାହାକୁ ଆଶୀର୍ବାଦ କରିବ । ଯେ ହିଂସା କରିବ, ତୁମେ ତାହାର ଉପକାର କରିବ, ଆଉ ଅତ୍ୟାଚାରୀ ନିମନ୍ତେ ପ୍ରାର୍ଥନା କରିବ ଶେଷରେ ସେ ଦୁଇ ବାହୁ ଟେକି ଶଙ୍ଖ ଧ୍ଵନି ପରି ଗଭୀର କଣ୍ଠରେ ପରାମର୍ଶ ଦେଲେ–ଏକମାତ୍ର ତାହାଙ୍କ ଉପରେ ତୁମେ ବିଶ୍ୱାସ ରଖିବ ଏବଂ ତାଙ୍କରି ନାମରେ ସକଳ କଳଙ୍କ ସହ୍ୟ କରିବ । ତାହାହେଲେ ତୁମ୍ଭେମାନେ ଚିରନ୍ତନ ଶାନ୍ତିର ଅଧିକାରୀ ହେବ ।

 

ସେହି ଭୂଗର୍ଭ ଗୃହରେ ମଶାଲର ସ୍ତିମୀତ ଆଲୋକରେ ସାମାନ୍ୟ ଜଣେ ଧୀବରର କଥା ଶୁଣୁଁ ଶୁଣୁଁ ବୀର ଶିରୋମଣି ମାର୍କାସ ନିଜର ଅଜାଣତରେ ଏକାବେଳେ ତନ୍ମୟ ହୋଇଗଲା । ସେହି ଦୀର୍ଘକାୟ ବୃଦ୍ଧର ଶାନ୍ତ ଗମ୍ଭୀର କଣ୍ଠରେ ସେ ସମ୍ମୋହିତ ହେଲା । ଚେତା ପଶିଲାରୁ ସେ ଅନ୍ଧାରରେ ଚାରିଆଡ଼େ ଆଖି ବୁଲାଇ ଦେଖିଲା, ସମବେତ ଜନତା ଜଣ ଜଣ କରି ଚାଲି ଯାଉଛନ୍ତି-। ସେ ସମସ୍ତଙ୍କ ଉପରେ ଲକ୍ଷ୍ୟ ରଖିଲା । କିଛି କ୍ଷଣ ପରେ ହଠାତ୍‍ ତାହାର ନିଜରରେ ପଡ଼ିଲା ଜଣେ ଦୈତ୍ୟକାୟ ପୁରୁଷ ସହିତ ବାଳକଟିଏ, ତାହାର ମାଆ ଓ ଜଣେ ଅବଗୁଣ୍ଠନବତୀ ନାରୀ-। ମାର୍କାସ ନିଜର ସଙ୍ଗୀମାନଙ୍କୁ ନେଇ ସେମାନଙ୍କ ପଛେ ପଛେ ଚାଲିଲା ।

 

ଫାଟକ ପରେ ବଡ଼ ରାସ୍ତା ଏବଂ ତା’ପରେ ଗଳି ପରେ ଗଳି । ଖ୍ରୀଷ୍ଟାନମାନଙ୍କର ଦରିଦ୍ର ପଲ୍ଲୀ ରାତିରେ ଗଭୀର ନିଦ୍ରାରେ ଆଚ୍ଛନ୍ନ । ଆର୍ଶାସର ଦଳଟି ଗୋଟିଏ ଘର ସାମନାରେ ଯାଇ ରହିଲେ । ଆର୍ଶାସ ବୁଲିପଡ଼ି ଲିଜିୟାକୁ ଉହାଡ଼ କରି କହିଲା–ଏହି ଲୋକଗୁଡ଼ାକ ବହୁତ ଦୂରରୁ ଆମ ପିଛା ଧରିଛନ୍ତି । ମୁଁ ସେମାନଙ୍କୁ ଅଟକାଉଛି, ତୁମେ ସବୁ ଘର ଭିତରକୁ ଚାଲି ଯାଅ ।

 

ମାର୍କାସକୁ ଚିହ୍ନିପାରି ଆର୍ଶାସ ଚିତ୍କାର କଲା–ଆଉ ପାହୁଣ୍ଡେ ଆଗେଇଲେ ଦେଖିବ !

 

ମାର୍କାସ ଧପ କରି ରହିଗଲା । ସଙ୍ଗେ ସଙ୍ଗେ କ୍ରୋଟୋନ ଆର୍ଶାସ ଉପରକୁ କୁଦି ପଡ଼ିଲା । ଅତର୍କିତ ଆକ୍ରମଣରେ ଆର୍ଶାସ ତଳେ ପଡ଼ିଗଲା । ସେହି ଅବସରରେ ମାର୍କାସ ଲିଜିୟାର ପଛେ ପଛେ ଘର ଭିତରକୁ ପଶିଗଲା । ଗୋଳମାଳ ଭିତରେ ଭୀତୁ ଚିଲୋ ପ୍ରାଣ ବିକଳରେ ଚୁପ୍‍ଚାପ୍‍ ଖସି ପଳାଇଲା । ଆର୍ଶାସକୁ କୁସ୍ତିର ସବୁ କୌଶଳ ମାଲୁମ । ସୁତରାଂ ପହିଲମାନ କ୍ରୋଟୋନ ଓ ଆର୍ଶାସ ଭିତରେ ଲଢ଼େଇ ସମାନ ଗତିରେ ଚାଲିଲା–କେତେ ଓଲଟ ପାଲଟ, ଧସ୍ତାଧସ୍ତି । ଶେଷରେ ଆର୍ଶାସ କ୍ରୋଟୋନକୁ ଏମିତି ବାଗରେ ଧରିନେଲା ଯେ ସେ ଆଉ ହଲଚଲ ହୋଇପାରିଲା ନାହିଁ । ଆର୍ଶାସ ତାହାକୁ ଉପରକୁ ଟେକି ଆକାଶକୁ ଫିଙ୍ଗି ଦେଲା । କ୍ରୋଟୋନ ଧଡ଼ାସ୍ କରି ଭୂଇଁରେ ପଡ଼ିଲା, ସଶବ୍ଦରେ ତାହାର ହାଡ଼ଗୋଡ଼ ଏକାବେଳେ ଚୂର୍ଣ୍ଣ ବିଚୂର୍ଣ୍ଣ ହେଲା । ତହୁଁ ଆର୍ଶାସ କ୍ରୋଟୋନର ଦେହକୁ ଉଠାଇ ଗଳିର କିଛି ଦୂରରେ ଗୋଟିଏ ନାଳର ପ୍ରଖର ସୁଅରେ ଭସାଇ ଦେଲା ।

 

ତା’ପରେ ଆର୍ଶାସ ଆଉ କାଳ ବିଳମ୍ବ ନ କରି ମାର୍କାସର ସନ୍ଧାନରେ ଘରେ ପ୍ରବେଶ କଲା । ସେତେବେଳେ ମାର୍କାସ ଲିଜିୟାକୁ ଏ ଘରେ ସେ ଘରେ ଖୋଜୁଥିଲା । ଅକସ୍ମାତ ଆର୍ଶାସ ତାହା ସାମନାରେ ଯାଇ ଠିଆ ହୁଅନ୍ତେ, ସେ କମରରୁ ତାହାର ବଙ୍କା ଛୁରାଟା ଟାଣି ଆଣିଲା । କିନ୍ତୁ ଆର୍ଶାସ ଛୁରା ସମେତ ତାହାର ହାତଟା ଏତେ ଜୋରରେ ଜାବୁଡ଼ି ଧରିଲା ଯେ ଛୁରାଟା ତଳେ ଖସି ପଡ଼ିଲା । ମାର୍କାସ ପ୍ରାଣପଣେ ଅନ୍ୟ ହାତରେ ଆର୍ଶାସର ତଣ୍ଟି ଚିପି ଧରିଲା, ମାତ୍ର ପର କ୍ଷଣରେ ଗୋଟାଏ ପ୍ରଚଣ୍ଡ ଧକ୍କାରେ ସେ ଘରର ଗୋଟାଏ କୋଣରେ ଓଲଟି ପଡ଼ିଲା । ଫଳରେ, ଆସବାବର ପ୍ରଚଣ୍ଡ ଧକ୍କାରେ ତାହାର ମଥାରେ ଭୀଷଣ ଆଘାତ ଲାଗିଲା, ରକ୍ତ ବହିଲା ଏବଂ ସଙ୍ଗେ ସଙ୍ଗେ ସେ ଅଚେତ ହୋଇପଡ଼ିଲା ।

 

ମାର୍କାସର ଚେତା ପଶିଲା ବେଳକୁ ତାହାର ସର୍ବାଙ୍ଗରେ ଭୟଙ୍କର ବେଦନା ହେଉଥିଲା-। ଅତି କଷ୍ଟରେ ସେ କଡ଼ ଲେଉଟାଇ ଦେଖିଲା, ଲିଜିୟା ଗୋଟିଏ ଜଳର ପାତ୍ର ଧରି ତାହାର ମୁଣ୍ଡ ପାଖରେ ଠିଆହୋଇ ତାହାର କ୍ଷତ ଧୋଇ ଦେଉଛି । ମାର୍କାସର ମୁହଁକୁ ଅନାଇ ରହିଥିଲା ବେଳେ ହଠାତ୍‍ ଲିଜିୟାର ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା । ସେତେବେଳକୁ ମାର୍କାସ ପୁଣି ଆଖି ମୁଦିଲାଣି । ସେ ଧୀରେ ଧୀରେ ନିଃଶ୍ୱାସ ନେଉଥିଲା । ତାହାର ଦେହ ଉପରକୁ ଚାଦରଟା ଟାଣି ଦେଇ ଲିଜିୟା ଧୀରେ ଧୀରେ ସେଠାରୁ ଚାଲିଗଲା ।

 

 

ପ୍ରାୟ ଘଣ୍ଟାକ ପରେ ମାର୍କାସ ପୁଣି କଡ଼ ଲେଉଟାଇଲା । କିଛି କ୍ଷଣ ପରେ ସେ ଧୀରେ ଧୀରେ ଉଠି ବସି ଅତି ସତର୍କତା ସହକାରେ ଚାରିଆଡ଼େ ଆଖି ବୁଲାଇଲା ଏବଂ ତାହାର ମୁଣ୍ଡକୁ ଅଣ୍ଡାଳିଲା । ଇତି ମଧ୍ୟରେ ଜାମାପଟା ସବୁ ସଫାସୁତୁରା ହୋଇ ଚଉକି ଉପରେ ରହିଥିଲା । ଅତି କଷ୍ଟରେ ଠିଆହୋଇ ସେ ପୋଷାକ ପିନ୍ଧି ଝରକା ପାଖରେ ଯାଇ ଠିଆ ହେଲା । ସେ ଠିକ୍‍ କରିପାରିଲା ନାହିଁ, କେମିତି ସେ ଏଠାକୁ ଆସିଲା । କ୍ରମେ କ୍ରମେ ସବୁ ଘଟଣା ତାହାର ମନେପଡ଼ିଲା ।

 

ଲିଜିୟା ଓ ଆର୍ଶାସ ଅଗଣାରେ ଠିଆ ହୋଇଥିଲେ । ମାର୍କାସକୁ ଉଠିବାର ଦେଖି ସେମାନେ ଭିତରକୁ ଆସିଲେ । ସରଳ ଦୃଷ୍ଟିରେ ମାର୍କାସ ଆଡ଼କୁ ଅନାଇ ଆର୍ଶାସ କରୁଣ କଣ୍ଠରେ କହିଲା–କ୍ଷମା କରିବେ, ମୁଁ ଆପଣଙ୍କର ବନ୍ଧୁକୁ ମାରି ପକାଇଛି ।

 

ମାର୍କାସ ଅବାକ୍‍ ହେଲା–ଏଁ, ପହିଲମାନ କ୍ରୋଟୋନକୁ ମାରିଦେଲ ! ଆଉ ସେହି ଗ୍ରୀକ୍‍ଟାକୁ ?

 

ମୁଁ ତାହାକୁ ଦେଖି ନାହିଁ–ଆର୍ଶାସ ଜବାବ ଦେଲା ।

 

ପଳାଇଲା ବୋଧହୁଏ–ମାର୍କାସ ହସି ପକାଇଲା ।

 

ଲିଜିୟା କହିଲା–ତୁମେ ଆର୍ଶାସକୁ କ୍ଷମା କର ।

 

ମାର୍କାସ ଉଦାସ କଣ୍ଠରେ ଜବାବ ଦେଲା–ଏଥିରେ ମୋର କ୍ଷମା କରିବାର କଅଣ ଅଛି-? କ୍ରୋଟୋନ ପରି ଲୋକ ତ ମରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଏ । ଆଚ୍ଛା, ଆର୍ଶାସ, ତୁମେ ମୋତେ ଏକାବେଳେ ମାରି ଦେଲ ନାହିଁ କାହିଁକି ?

 

ଆମ ଧର୍ମରେ ହତ୍ୟା ହେଉଛି ମହାପାପ–ଆର୍ଶାସ ଜଣାଇଲା ।

 

ଲିଜିୟା ଦୁଆର କତିରେ ଚୁପ୍‍ଚାପ୍‍ ଠିଆ ହୋଇଥିଲା । କିଛି କ୍ଷଣ ପରେ ନୀରବତା ଭଙ୍ଗ କରି ଟିକିଏ ଉତ୍ତେଜିତ ହୋଇ ମାର୍କାସ କହିଲା–ମୋତେ ମାରିଦେବା ପାଇଁ କାହିଁକି ତୁମେ ଆର୍ଶାସକୁ କହିଲ ନାହିଁ ? ଏମିତି ସୁଯୋଗ ପାଇ ହାତରୁ ଛାଡ଼ିଦେଲ, ଆଉ ଓଲଟି ମୋତେ ଘରକୁ ଆଣି ସେବା ଯତ୍ନ କରି ବଞ୍ଚାଇଲ । ଅଥଚ ତୁମେ ମୋତେ ଘୃଣା କର ! ନା, ତୁମେ ମୋତେ ପରାସ୍ତ କଲ । ମୁଁ ଆଉ ତୁମକୁ ଧରିନେବା ପାଇଁ ଚେଷ୍ଟା କରିବି ନାହିଁ । ଆଜି ମୋ ବନ୍ଧନରୁ ତୁମକୁ ମୁକ୍ତି ଦେଲି ।

 

କହୁଁ କହୁଁ ମାର୍କାସ ଧୀରେ ଧୀରେ ଦୁଆର ଆଡ଼କୁ ଆଗେଇଲା, ଏବଂ ହଠାତ୍ ବୁଲି ପଡ଼ି ଲିଜିୟାର ବିରସ ବଦନ ଦେଖି ରୁକ୍ଷ ସ୍ୱରରେ କହିଲା–ତୁମେ ମୁକ୍ତି ପାଇଲ, ତେବେ ବି ତୁମର ମନରେ ଆନନ୍ଦ ନାହିଁ ।

 

ଲିଜିୟା ଦୁଇ ହାତରେ ମୁହଁ ଢାଙ୍କି କାନ୍ଦିଲା–ତୁମେ ଜାଣ ନାହିଁ ମାର୍କାସ, ମୁଁ ତୁମକୁ କେତେ ଭଲପାଏ ।

 

ମାର୍କାସ ଅବାକ୍‍ ହୋଇ ଲିଜିୟାକୁ ଚାହିଁ ରହିଲା । ତାହାକୁ ବିଭା ହେବା ପାଇଁ ସେ ମନେମନେ ସ୍ଥିର କଲା । ଲିଜିୟା କାନ୍ଥରେ ଟଙ୍ଗା ହୋଇଥିବା ଗୋଟିଏ କାଠର କ୍ରୁଶ ଆଡ଼କୁ ଆଙ୍ଗୁଳି ଦେଖାଇ କହିଲା–ପଲଙ୍କର ଆସିବାର କଥା ଅଛି, ସେ ବିବାହ ମନ୍ତ୍ର ପଢ଼ାଇଲେ ମୁଁ ସୁଖୀ ହେବି ।

 

ମନ୍ତ୍ର ଫେର୍‍ କଅଣ ? –ମାର୍କାସ ସବିସ୍ମୟରେ ପଚାରିଲା ।

 

ଲିଜିୟା ଜବାବ ଦେଲା–ଖ୍ରୀଷ୍ଟାନ ବିବାହର ମନ୍ତ୍ର । ତୁମେ ପିଟାର ଓ ପଲଙ୍କର ଭାଷଣ ସେଦିନ ଶୁଣିଛ ପରା !

 

ଲିଜିୟା, ତୁମେ ଯଦି କହିବ, ମୁଁ ତୁମର ଧର୍ମ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

 

ମୁଁ କାହିଁକି କହିବି ? ତୁମର ବିଶ୍ୱାସ ହେଲେ ତୁମେ ଏହି ଧର୍ମ ଗ୍ରହଣ କରି ପାର ଏବଂ ଯୀଶୁଙ୍କୁ ମନ ଭିତରେ ପାଇ ପାର, ମୁଁ ଯେମିତି ପାଇଛି ।

 

ଯଦି ତୁମେ ଯୀଶୁଙ୍କୁ ମନ ଭିତରେ ପାଇଥାଅ, ତାହାହେଲେ ମୋତେ କେଉଁଠି ସ୍ଥାନ ଦେବ ? ନା, ଲିଜିୟା, ତୁମର ମନ ଭିତରେ ମୋ ଛଡ଼ା ଆଉ କେହି ରହିବେ, ଏହା ମୁଁ କଦାପି ସହିପାରିବି ନାହିଁ ।

 

ଲିଜିୟାର ମୁଣ୍ଡ ଉପରେ ସତେ ଯେମିତି ବଜ୍ରପାତ ହେଲା । ଦୁଇ ପାହୁଣ୍ତ ପଛକୁ ଘୁଞ୍ଚିଯାଇ ସେ ଉଦାସ ଦୃଷ୍ଟିରେ ମାର୍କାସ ଆଡ଼କୁ ଅନାଇ ରହିଲା । ଏତିକିବେଳେ ପଲ ଉପସ୍ଥିତ ହେଲା । ମାର୍କାସ ତାହାକୁ ଦେଖି କ୍ରୁଦ୍ଧ ହେଲା । କିନ୍ତୁ ପଲ ଶାନ୍ତ କଣ୍ଠରେ କହିଲା–ତୁମକୁ ଟିକିଏ ସୁସ୍ଥ ହେବାର ଦେଖି ଆମେ ନିଶ୍ଚିନ୍ତ ହେଲୁ । ଦୁଇ ଦିନି କାଳ ତୁମ ପାଇଁ ଆମେ ଖୁବ୍‍ ଅଶାନ୍ତି ଭୋଗିଛୁଁ ।

 

ଲିଜିୟା ଜଣାଇଲା–ପଲ, ମାର୍କାସ ମୋତେ ବିବାହ କରିବାକୁ ଚାହାନ୍ତି । କିନ୍ତୁ ଧର୍ମ ଯେ ଆମର ସମୁଦାୟ ଜୀବନକୁ ଘେରି ରହିଛି, ମୁଁ ତାହାଙ୍କୁ ସେ କଥା ବୁଝାଇ ପାରୁ ନାହିଁ ।

 

ପଲ କହିଲା–ବୁଝିଲି । ସତ୍ୟର ଉପଲବ୍ଧି ଦୀର୍ଘ ସାଧନାର ବସ୍ତୁ । ତୁମର ସାଧନା ଏବେଠୁଁ ଆରମ୍ଭ ହେଲା । ଆଚ୍ଛା, ମାର୍କାସ, ତୁମର ଦାସ ଦାସୀ ଅଛନ୍ତି ?

 

ଶହ ଶହ ଭଲ ଭଲ ଦାସ ଦାସୀ ।

 

ମାତ୍ର ଯୀଶୁ କହନ୍ତି, କେହି ଅପରର ଦାସତ୍ଵ କରିବ ନାହିଁ । ତୁମେ ସେହି ଦାସ ଦାସୀମାନଙ୍କୁ ଅଚିରେ ମୁକ୍ତ କରିଦିଅ । ସବୁ ମଣିଷ ସମାନ । ଯୀଶୁଙ୍କୁ ସ୍ଵୀକାର କରିବାକୁ ହେଲେ ପ୍ରଥମେ ଦରକାର ସବୁ ମଣିଷଙ୍କୁ ଭଲ ପାଇବା ।

 

ମାର୍କାସ ବ୍ୟଙ୍ଗ କଲା–ସେହି ବୁଢ଼ା କେଉଟଟା ତ ସତରେ ଏହି କଥା କହୁଥିଲା !

 

ପଲ ଶାନ୍ତ କଣ୍ଠରେ କହିଲା–ଅସ୍ତ୍ର ବଦଳରେ ପ୍ରେମଦ୍ଵାରା ମଣିଷକୁ ପ୍ରକୃତରେ ଜୟ କରାଯାଏ ।

 

ଏହା ଶୁଣି ମାର୍କାସ କ୍ରୁଦ୍ଧ ହୋଇ କହିଲା–ଆପଣମାନଙ୍କର ଦେବତା ଯେମିତି, ଆପଣମାନେ ସେମିତି । ଚାଲ, ଲିଜିୟା ।

 

ଟିକିଏ ଅପେକ୍ଷା କର, ମାର୍କାସ–ଲିଜିୟା ଅନୁନୟ କଲା ।

 

ମାର୍କାସ ଅସହିଷ୍ଣୁ ହେଲା–ତୁମେ ସେନାପତିର ପତ୍ନୀ ହେବାକୁ ଯାଉଛ, ଭିକାରିଙ୍କ ଦେବତା ଯୀଶୁଙ୍କର ଦାସୀ ହେବା ପାଇଁ ତୁମର ଜନ୍ମ ନୁହେଁ !

 

ଲିଜିୟା କାତର କଣ୍ଠରେ ନିବେଦନ କଲା–ତୁମେ ଜାଣ ନାହିଁ, ମୋର ଏହି ଧର୍ମ ବିଶ୍ଵାସ କେତେ ଗଭୀର । ପ୍ରଭୁ ଯୀଶୁ ମୋ ହୃଦୟରେ ଆସନ ପାତି ବସିଛନ୍ତି । ତୁମେ ଦୟା କରି ମୋ କଥା ଥରେ ଭାବି ଦେଖ ।

 

ତାହାହେଲେ ଯୀଶୁ ମୋର ପ୍ରତିଦ୍ଵନ୍ଦ୍ୱୀ ? ବେଶ୍‍, ତୁମେ ଏକ୍ଷଣି ବାଛି ନିଅ ଯୀଶୁ ନା ମାର୍କାସ କାହାକୁ ତୁମେ ଚାହଁ ।

 

ଲିଜିୟା ଦୁଇ ହାତରେ ମୁହଁ ଢାଙ୍କି କଇଁ କଇଁ କାନ୍ଦିଲା । ପଲ ମାର୍କାସର କାନ୍ଧ ଉପରେ ହାତ ରଖି କୋମଳ କଣ୍ଠରେ କହିଲା–ସ୍ଵାମୀ-ସ୍ତ୍ରୀର ପ୍ରେମ ଯେତେ ଗଭୀର ହେଲେ ସୁଦ୍ଧା ବିଶ୍ଵ ପ୍ରେମ ତୁଳନାରେ ତାହା ଅତି ସାମାନ୍ୟ । ତେଣୁ ପ୍ରଭୁ ଯୀଶୁଙ୍କୁ ତ୍ୟାଗ କରି ତୁମକୁ ସର୍ବସ୍ୱ ଅର୍ପଣ କଲେ ଲିଜିୟାର କଦାପି ମଙ୍ଗଳ ହେବ ନାହିଁ

 

ପଲର ହାତକୁ ଜୋରରେ ଠେଲି ଦେଇ ମାର୍କାସ କଠିନ ସ୍ଵରରେ କହିଲା–ଆପଣଙ୍କର ଓ ସେହି ବୁଢ଼ା କେଉଟର ମତଲବ ମୁଁ ବୁଝିଛି । ତାହାହେଲେ ତୁମେ ମୋ ସାଙ୍ଗରେ ଯିବ ନାହିଁ, ଲିଜିୟା ?

 

ନା–ଲିଜିୟାର କଣ୍ଠରେ ଦୃଢ଼ତା ।

 

ତହୁଁ ମାର୍କାସ ଏଣେତେଣେ ଆଖି ବୁଲାଇ ହଠାତ୍‍ କାନ୍ଥରୁ କାଠ କ୍ରୁଶଟା ଝିଙ୍କି ଆଣି ଆଣ୍ଠୁରେ ଚାପି ଖଣ୍ଡ ଖଣ୍ଡ କରି ଭାଙ୍ଗି ତଳେ ପକାଇ ଦେଲା ଏବଂ ପାଗଳ ପରି ଧାଇଁ ପଳାଇଲା । ଲିଜିୟା ସେହି କାଠ ଖଣ୍ଡଗୁଡ଼ିକ ଉପରେ ପଡ଼ି କଇଁ କଇଁ କାନ୍ଦିଲା ।

 

 

ମାର୍କାସ ଏକ ନିଃଶ୍ଵାସରେ ଯାଇ ପେତ୍ରୋନିୟାସର ଘରେ ପହଞ୍ଚିଲା । ସେଠାରେ ଦାସଦାସୀଙ୍କ ଛଡ଼ା ଆଉ କେହି ନ ଥିଲେ । ସ୍ନାନ, ଭୋଜନ ଓ ପୋଷାକ ପରିବର୍ତ୍ତନ ସାରି ମାର୍କାସ ରଥରେ ଚଢ଼ି ସମୁଦ୍ର କୂଳବର୍ତ୍ତୀ ଆଣ୍ଟିୟାମରେ ଉପସ୍ଥିତ ହେଲା । ଅତ୍ୟଧିକ ଗରମ ଯୋଗୁଁ ଏକ ମର୍ମର ପ୍ରାସାଦର ପ୍ରଶସ୍ତ ଚତ୍ୱରରେ ତିନୋଟି ତମ୍ବୁ ପଡ଼ିଥିଲା–ମଝିରେ ସମ୍ରାଟ, ଗୋଟିଏ ପାଖରେ ମହାରାଣୀ ଏବଂ ଅନ୍ୟ ପାଖରେ ପେତ୍ରୋନିୟାସ । ମାର୍କାସ ସିଧା ଯାଇ ପେତ୍ରୋନିୟାସର ତମ୍ବୁରେ ହାଜର ହେଲା ।

 

ସମ୍ରାଟ ନୀରୋ ତମ୍ବୁ ଭିତରେ ସ୍ଥପତି ଫେରନ ସହିତ ଗୁପ୍ତ ପରାମର୍ଶରେ ମଗ୍ନ ଥିଲେ ଏବଂ ଏକ ଅପୂର୍ବ ସୁରମ୍ୟ ଆଦର୍ଶ ନଗରୀର ପରିକଳ୍ପନା କରୁଥଲେ । କାରଣ ରୋମ ଅତ୍ୟନ୍ତ କଦର୍ଯ୍ୟ; ପଙ୍କିଳ, ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ହୋଇଥିଲା । ନୂତନ ରାଜଧାନୀର ନାମ ଦିଆଯିବ ନୀରୋପୋଲିସ । ପାରିଷଦମାନଙ୍କର ଧାରଣା ଯେ ସମ୍ରାଟ ନୀରୋ ହେଉଛନ୍ତି ପୃଥିବୀରେ ସର୍ବଶ୍ରେଷ୍ଠ ଶିଳ୍ପୀ, କବି ଓ ଗାୟକ । ସେଥିପାଇଁ ତାହାଙ୍କୁ ଗୋଟାଏ କିଛି ଅସାଧାରଣ କାର୍ଯ୍ୟ କରିବାକୁ ହେବ । ଆଦର୍ଶ ନାରୀର ନମୁନା ନଗ୍ନ ଦେଖାଇବା ସକାଶେ ସେ ପେତ୍ରୋନିୟାସ ଓ ଅନ୍ୟ ବନ୍ଧୁମାନଙ୍କୁ ଆହ୍ୱାନ କଲେ । ପେତ୍ରୋନିୟାସ ସାଙ୍ଗରେ ସେନାପତି ମାର୍କାସ ମଧ୍ୟ ଗଲା ।

 

ସମ୍ରାଟ ପ୍ରସ୍ତାବିତ ନୂତନ ନଗରୀର ପରିକଳ୍ପନା ସେମାନଙ୍କୁ ଗୋଟି ଗୋଟି କରି ବୁଝାଇଲେ–ପ୍ରାଚୀନ ରୋମ ଆଉ ରହିବ ନାହିଁ, ତାହା ବଦଳରେ ସ୍ଵପ୍ନପୁରୀ ନୀରୋପୋଲିସ ନିର୍ମିତ ହେବ । ସମଗ୍ର ପୃଥିବୀରେ ଏହା ହେବ ଆନନ୍ଦ ଉଲ୍ଲାସର କେନ୍ଦ୍ରସ୍ଥଳୀ ।

 

ପେତ୍ରୋନିୟାସ ପଚାରିଲା–କିନ୍ତୁ ରୋମ କୁଆଡ଼େ ଯିବ ? କଦର୍ଯ୍ୟ କି ଅସ୍ୱାସ୍ଥ୍ୟକର ହେଲେ ସୁଦ୍ଧା ବର୍ତ୍ତମାନ ପ୍ରାଚୀନ ରୋମ ସଗୌରବରେ ସ୍ଵସ୍ଥାନରେ ଠିଆ ହୋଇଛି !

 

ସେତିକିବେଳେ ତାଇଜେଲିନାସ ରୋମରୁ ଫେରି ଆସିଲା । ସମ୍ରାଟ କହିଲେ–ରୋମ ବର୍ତ୍ତମାନ ସ୍ଵସ୍ଥାନରେ ଠିଆ ହୋଇଛି କି ନା, ତାଇଜେଲିନାସ ତାହାର ସଠିକ୍‍ ଖବର ଦେଇ ପାରିବ-

 

ତାଇଜେଲିନାସ କହିପକାଇଲା–ବର୍ତ୍ତମାନ ରୋମ ନିଆଁର ସମୁଦ୍ର ଭିତରେ ହୁହୁ ଜଳୁଛି-

 

ଏହା ଶୁଣିଲା କ୍ଷଣି ପେତ୍ରୋନିୟାସର ଆଖି ସାମନାରେ ହଠାତ୍‍ ଗୋଟାଏ କଳା ପରଦା ଝୁଲି ପଡ଼ିଲା । ତାହାହେଲେ ନର-ଦାନବ ନୀରୋର ଆଦେଶରେ ପଶୁ ତାଇଜେଲିନାସ ରୋମରେ ନିଆଁ ଲଗାଇବାକୁ ଯାଇଥିଲା ! ପେତ୍ରୋନିୟାସ ଚିନ୍ତାକୁଳ ଥିଲାବେଳେ ମାର୍କାସ ଏହି ଦୁଃସମ୍ବାଦରେ ବ୍ୟାକୁଳ ହେଲା–ପ୍ରଳୟଙ୍କରୀ ଅଗ୍ନିଶିଖାରେ ମହାନଗରୀ ଧ୍ଵଂସ ହେଉଛି, ଗୋଟିଏ ଦରିଦ୍ର ପଲ୍ଲୀରେ ଲିଜିୟା ବାସ କରେ, ଲିଜିୟା ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ସୁଦ୍ଧା ସେ ତାହାକୁ କଦାପି ମନରୁ ପାଶୋରି ପାରିବ ନାହିଁ । ସେ ଆଉ ମୁହୂର୍ତ୍ତେ ଅପେକ୍ଷା କରି ନ ପାରି ସମ୍ରାଟଙ୍କ ଶିବିରରୁ ବାହାରି ଗଲା ଏବଂ ପ୍ରାସାଦରୁ ଗୋଟିଏ ରଥ ନେଇ ତୀର ବେଗରେ ରାଜପଥରେ ଛୁଟାଇଲା । ସମ୍ରାଟଙ୍କର ବିନା ଅନୁମତିରେ ଦରବାରରୁ ହଠାତ୍‍ ବାହାରି ଯାଇ ଥିବାରୁ, ମହାରାଣୀଙ୍କ ଇଙ୍ଗିତରେ ଦୁଇଜଣ ସେନା ନାୟକ ତାହାକୁ ଧରି ଆଣିବା ନିମନ୍ତେ ମାର୍କାସର ପଛେ ପଛେ ଦ୍ରୁତଗାମୀ ରଥରେ ଧାଇଁଲେ । ସେମାନଙ୍କର ରଥ ଦୁଇଟି ମାର୍କାସକୁ ଟପି କିଛିଦୂର ଆଗେଇଯାଇ ବୁଲିପଡ଼ି ତାହାର ଗତି ରୁଦ୍ଧ କରୁଥିଲେ । କିନ୍ତୁ ମାର୍କାସ ହଠାତ୍‍ କମରରୁ ଛୁରାଟା ବାହାର କରି ଏମିତି ବିଚିତ୍ର କୌଶଳରେ ନିକ୍ଷେପ କଲା ଯେ ସେଟା ଅଗ୍ରବର୍ତ୍ତୀ ରଥୀର ପଞ୍ଜରାରେ ଗଳିଗଲା । ସଙ୍ଗେ ସଙ୍ଗେ ସେ ରଥ ଉପରେ ଟଳି ପଡ଼ିଲା । ମାର୍କାସର ରଥ ତାହାକୁ ଅତିକ୍ରମ କଲା ମାତ୍ରେ ସାମନାରେ ଅନ୍ୟ ରଥଟି ଆସି ଠିଆ ହେଲା । ତହୁଁ ମାର୍କାସ ଶତ୍ରୁକୁ ଲକ୍ଷ୍ୟ କରି ଚାବୁକଟା ଏମିତି ଭାବରେ ବୁଲାଇଲା ଯେ ସେଟା ତାହାର ବେକରେ ଗୁଡ଼ାଇ ହୋଇ ତାହାକୁ ଟାଣି ଆଣିଲା ଏବଂ ତାହାର ରଥଟି ଓଲଟି ପଡ଼ିଲା ।

 

ଶତ୍ରୁମାନଙ୍କୁ ନିରସ୍ତ କରି ମାର୍କାସ ତୀର ବେଗରେ ରଥ ଛୁଟାଇ ରୋମ ନିକଟରେ ଆସି ପହଞ୍ଚିଲା । ଯେଉଁଠି ଆପିୟାନ ରାଜପଥ ପାହାଡ଼ରୁ ରୋମ ଆଡ଼କୁ ଓହ୍ଲାଇଛି, ସେ ସେଠାରେ ରଥ ଅଟକାଇ ବିସ୍ମୟରେ ଦେଖିଲା, ଦୁର୍ଭେଦ୍ୟ କଳା ଧୂଆଁ ଭିତରେ ସହର, ଘରଦ୍ୱାର, ନଦୀ ନାଳ, ବାଡ଼ି ବଗିଚା, ଗଛପତ୍ର ସବୁ କିଛି ଅଦୃଶ୍ୟ ହୋଇଛି । ସେହି ସର୍ବଗ୍ରାସୀ ଅଗ୍ନିର କବଳରୁ ରକ୍ଷାପାଇବା ପାଇଁ ରୋମରୁ ଜନ-ସ୍ରୋତ ବହି ଆସୁଛି । କ୍ରୁଦ୍ଧ ଜନତା ଭିତରେ ରଥରେ ଅଗ୍ରସର ହେବା ସମ୍ଭବ ନୁହେଁ ଭାବି, ମାର୍କାସ ରଥରୁ ଓହ୍ଲାଇ ତରବାରି ହଲାଇ ଲୋକଙ୍କର ଭିଡ଼ ଭିତରେ କୌଣସିମତେ ବାଟ କରି ଧାଇଁବାକୁ ଲାଗିଲା । ତା’ପରେ ସେ ସେହି କଳା ଧୂଆଁ ଭିତରକୁ ଡେଇଁ ପଡ଼ିଲା ।

 

ଅବଶେଷରେ ରୋମର ପ୍ରାଚୀର । ନାଳ ପାଖରେ ସେହି ଦରିଦ୍ର ପଲ୍ଲୀ । ପବନରେ ଅଗ୍ନିର ଶିଖା ଦାଉ ଦାଉ ଜଳୁଥିଲା ଏବଂ ଘରସବୁ ଭାଙ୍ଗି ଖସି ପଡ଼ୁଥିଲା । ସେତେବେଳେ ମିରିୟାମର ଘର ହୁହୁ ଜଳୁଥିଲା । ମାର୍କାସ ଅତି କଷ୍ଟରେ ନିଆଁକୁ ଡେଇଁ ଧୂଆଁ ଭିତରେ ଅନ୍ଧ ପରି ଅଣ୍ଡାଳି ଅଣ୍ଡାଳି କକ୍ଷରୁ କକ୍ଷକୁ ଘୂରି ଘୂରି ଲିଜିୟାର ନାମ ଧରି ଆର୍ତ୍ତ କଣ୍ଠରେ ଚିତ୍କାର କଲା । ଅଗ୍ନିର ପ୍ରଚଣ୍ତ ଗର୍ଜନ ଟପି ସେହି ହାହାକାର ଚଉଦିଗରେ ଖେଳି ଯାଉଥିଲା । ଲିଜିୟାକୁ ନ ପାଇ ସେ ରାସ୍ତାକୁ ଧାଇଁ ଆସିଲା ।

 

ସେତେବେଳେ ଘରସବୁ ରାସ୍ତା ଉପରେ ଭାଙ୍ଗି ପଡ଼ୁଥିଲା । ଚାରିଆଡ଼େ ବହଳ କଳା ଧୂଆଁର କୁଣ୍ଡଳୀ । ମାର୍କାସ କୌଣସିମତେ ଦରାଣ୍ଡି ଦରାଣ୍ଡି ଆଗେଇ ଚାଲିଲା । କିଛି ସମୟ ପରେ ହଠାତ୍‍ ସେ ଦେଖିଲା, ସାମନାରେ ଗୋଟାଏ ଜଳନ୍ତା ଘର ଖସି ପଡ଼ିଲା, ଡାହାଣ ପଟେ ଏକ ଗଭୀର ଖରସ୍ରୋତା ନାଳ ଏବଂ ବାମ ପଟେ ଧାଡ଼ି ଧାଡ଼ି ଘରସବୁ ଜଳୁଛି । ପବନ ଏତେ ତତଲା ହୋଇଥିଲା ଯେ ତାହା ପାଖରେ ଦଣ୍ଡେ ଠିଆ ହେବାର ଯୁ ନ ଥିଲା । ମାର୍କାସ ପ୍ରମାଦ ଗଣିଲା, ହଠାତ୍ ଗୋଟାଏ କାତର ଆର୍ତ୍ତନାଦ ତାହାର କାନରେ ବାଜିଲା । ବହୁତ ଲୋକ ଏକା ସାଙ୍ଗରେ ହାହାକାର କରୁଥିଲେ । ମାର୍କାସ ଚମକି ପଡ଼ି ସେହି ବହଳ ଧୂଆଁ ଭିତରେ ଦେଖିବାକୁ ଚେଷ୍ଟା କଲା, ରାସ୍ତା ଉପରେ ଗୁଡ଼ାଏ ଅସ୍ପଷ୍ଟ ଛାଇ ଜୀବନର ଆଶା ନ ରଖି ହାତ ଯୋଡ଼ି ପ୍ରଭୁଙ୍କର କରୁଣା ଭିକ୍ଷା କରୁଛନ୍ତି । ଜୀବନ ମରଣର ସନ୍ଧିକ୍ଷଣରେ ହଠାତ୍ ପିଟାରଙ୍କର ବାଣୀ ତାହାର କାନରେ ବାଜିଲା–ପ୍ରତିବେଶୀକୁ ଭଲପାଅ, ସମସ୍ତେ ଈଶ୍ୱରଙ୍କର ସନ୍ତାନ, ସେମାନେ ତୁମର ପରମ ଆତ୍ମୀୟ ! ଆଜି ସେ ପିଟାରଙ୍କର ଭାଷଣକୁ ଆଉ ପାଗଳର ପ୍ରଳାପ କହି ହସି ଉଡ଼ାଇ ଦେଇପାରିଲା ନାହିଁ । ଦିବ୍ୟ ଆଲୋକର ଗୋଟାଏ ଝଲକ ତାହାର ଆଖିରେ ପଡ଼ିଲା । ନିଜ କଥା ଭୁଲିଯାଇ ସେହି ଅଜଣା ଲୋକମାନଙ୍କୁ ବଞ୍ଚାଇବା ସକାଶେ ସେ ଅଧୀର ହେଲା । ହଠାତ୍‍ ତାହାର ପାଦ ତଳେ ଲୁହାର ଆବାଜ ଶୁଣି ସେ ବୁଝିପାରିଲା, ସେଟା ଗୋଟାଏ ବଡ଼ ନର୍ଦ୍ଦମାର ମୁହଁ, ଯେଉଁଠି ମେହେନ୍ତରସବୁ ତଳକୁ ଓହ୍ଲାଇ ନର୍ଦ୍ଦମା ସଫା କରନ୍ତି । ମାଟି ତଳେ ଏହିପରି ସୁଡ଼ଙ୍ଗ ପଥ ବହୁ ମାଇଲ ଯାଇ ଟାଇବାର ନଦୀରେ ମିଶିଛି । ସେ ଅତି କଷ୍ଟରେ ନର୍ଦ୍ଦମାର କବାଟଟା ଉଠାଇ ବୃଦ୍ଧ, ନର ନାରୀ ଓ ଶିଶୁମାନଙ୍କୁ ତାହା ଭିତରକୁ ଓହ୍ଲାଇ ଦେଲା । ତା’ପରେ ଖଣ୍ଡିଏ ଜଳନ୍ତା କାଠ ଧରି ସେ ଅନ୍ଧାର ସୁଡ଼ଙ୍ଗ ଭିତରେ ଆଗେଇ ଚାଲିଲା, ତାହା ପଛରେ ଅନ୍ୟମାନେ ।

 

ଦୀର୍ଘ ବିପଦ ସଙ୍କୁଳ ପଥ ପରେ ସୁଡ଼ଙ୍ଗ ଯେଉଁଠି ନଦୀ ସାଙ୍ଗରେ ମିଶିଛି, ସେଠାରେ ପ୍ରାୟ ଛାତିଏ ପାଣି । ମାର୍କାସ ପାଣି ଭିତରେ ଠିଆହୋଇ ଜଣ ଜଣ କରି ସମସ୍ତ ଆର ପଟକୁ ଟପାଇ ଦେଲା । ସେ ସେମାନଙ୍କୁ ନେଇ ରାଜପଥରେ ଗୋଟିଏ ପୋଲ ପାଖରେ ହାଜର ହେଲା । ସେ ପଟରୁ ଦଳେ ଦଳେ ଲୋକ ନିଆଁରେ ସର୍ବସ୍ୱ ହରାଇ ଧାଇଁ ଆସୁଥିଲେ । ମାର୍କାସ ସେମାନଙ୍କୁ ଲକ୍ଷ୍ୟ କଲା । ଦୈବାତ୍‍ ଜଣେ ଦୈତ୍ୟକାୟ ମଣିଷ ନଜରରେ ପଡ଼ିଲାରୁ, ତାହାର ହୃଦୟ ଆନନ୍ଦରେ ନାଚିବାକୁ ଲାଗିଲା । ଅବଶେଷରେ ତାହାର ଅନୁମାନ ଠିକ୍‍ ହେଲା–ଆଗରେ ଆର୍ଶାସ, ଆଉ ପଛେ ପଛେ ଲିଜିୟା ଓ ନାଜାରିୟାସ । ଠିକ୍‍ ସେତିକିବେଳେ ମାର୍କାସକୁ ଦେଖିପାରି ଲିଜିୟା ଦୁଇ ହାତ ଲମ୍ବାଇ ତାହା ଆଡ଼କୁ ଧାଇଁ ଆସିଲା ।

 

 

ହଜାରେ ବର୍ଷର ପ୍ରାଚୀନ ମହାନଗରୀ ରୋମ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଉଥିଲା । ଏହି ନାରକୀୟ ଦୃଶ୍ୟ ଦେଖିବା ପାଇଁ ସମ୍ରାଟ ନୀରୋ ରାଣୀ ଓ ପାରିଷଦ ବର୍ଗ ସହିତ ଧାଇଁ ଆସିଲେ । ତାଇଜେଲିନାସ ଷୋଳ ହଜାର ରକ୍ଷୀ ଧରି ସେମାନଙ୍କୁ ପହରା ଦେଉଥିଲା । ଜନରବ ପ୍ରଚାରିତ ହୋଇଥିଲା ଯେ ସମ୍ରାଟ ଏକ ନୂତନ ନଗରୀ ନିର୍ମାଣ କରିବା ନିମନ୍ତେ ରୋମରେ ନିଆଁ ଲଗାଇଛନ୍ତି । ଫଳରେ ଲକ୍ଷ ଲକ୍ଷ ରୋମବାସୀ ସମ୍ରାଟଙ୍କୁ ବଡ଼ ପାଟିରେ ଅକଥ୍ୟ ଗାଳି ଅଭିଶାପ ଦେଉଥିଲେ ।

 

ରୋମଠାରୁ କିଛି ଦୂରରେ ଛାଉଣି ପଡ଼ିଲା । ସମ୍ରାଟ ସେଠାରେ ଅପେକ୍ଷା କଲେ, ରାତି ହେଲେ ପାଖକୁ ଯାଇ ଅନ୍ଧକାରରେ ନିଆଁର ଅପରୂପ ଦୃଶ୍ୟ ଦେଖିବେ । ତଦନୁଯାୟୀ ରାତି ଅଧରେ ସେ ପ୍ରାସାଦକୁ ଆସିଲେ । ଛାତ ଉପରେ କଳା ଧୂଆଁ ମଝିରେ ଅଗ୍ନି ସ୍ଫୁଲିଙ୍ଗ ଦେଖି ସେ ଆନନ୍ଦରେ ଆତ୍ମହରା ହେଲେ । ସେହି ଧ୍ଵଂସ ଲୀଳା ଆଡ଼କୁ ଅନାଇ ସେ ସ୍ଥାନ କାଳ ପାତ୍ର ଭୁଲି ସଗର୍ବରେ ବ୍ୟକ୍ତ କଲେ–ରୋମର ସୃଷ୍ଟିଠାରୁ ଅଦ୍ୟାବଧି କୌଣସି ରୋମାନ ଏପରି ଦୃଶ୍ୟ ଆଖିରେ ଦେଖି ନାହିଁ । ମୁଁ ଏହି କଳ୍ପନାତୀତ ଛବି ସୃଷ୍ଟି କରିଛି । ମୁଁ ଗୀତରେ ଏହି ଦୃଶ୍ୟର ଅପରୂପ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବି, ସର୍ବଶ୍ରେଷ୍ଠ କବି ହୋଇ ଚିରଦିନ ବଞ୍ଚି ରହିବି । ତାର୍ପନସ, ଦିଅ ମୋର ବଂଶୀ ।

 

ସମ୍ରାଟ ନୀରୋ କିଛି କ୍ଷଣ ବିଜୟୋଲ୍ଲାସରେ ବଂଶୀ ବଜାଇ ଥୋଇଦେଲେ ଏବଂ ତା’ପରେ ବୀଣା ବଜାଇ ଗୀତ ଗାଇବାକୁ ଲାଗିଲେ । ସେତେବେଳେ ଚଉଦିଗରେ ନିଆଁର ଢେଉ ମାଡ଼ି ଯାଉଥିଲା । ପାରିଷଦମାନେ ମଝିରେ ମଝିରେ ସମ୍ରାଟଙ୍କ ସଙ୍ଗୀତର ଉଚ୍ଛ୍ଵସିତ ପ୍ରଶଂସା କରୁଥିଲେ । ଏକମାତ୍ର ପେତ୍ରୋନିୟାସ ବିଷାଦରେ ନୀରବରେ ବସିଥିଲା । ସମ୍ରାଟ ତାହାଙ୍କୁ ପଚାରିଲେ–ବନ୍ଧୁ, ମୋ ଗୀତ ନିଆଁର ବିରାଟ ଧ୍ଵଂସଲୀଳାକୁ ଠିକ୍‍ ଫୁଟାଇ ପାରୁଛି ତ ?

 

ପେତ୍ରୋନିୟାସ ଶୁଷ୍କ ସ୍ଵରରେ ଜବାବ ଦେଲା–ଏଥିରେ କିଛି ସନ୍ଦେହ ନାହିଁ, ସମ୍ରାଟ । ଆପଣଙ୍କ ଗୀତ ଏହି ଧ୍ଵଂସ ଲୀଳାର ଉପଯୁକ୍ତ, ଆଉ ଏହି ଧ୍ଵଂସ ଲୀଳା ଆପଣଙ୍କର ଉପଯୁକ୍ତ ।

 

ତାହାର କଥାରେ ଯେଉଁ ଘୃଣା ଫୁଟିଲା, ଅହଙ୍କାରର ମୋହରେ ସମ୍ରାଟ ତାହା ବୁଝିପାରିଲେ ନାହିଁ । ମୃତ୍ୟୁର ଅଗ୍ନି ଲୀଳାରେ ଉତ୍ତେଜିତ ହୋଇ ସେ ଆନନ୍ଦରେ ଗୀତ ଗାଉଥିଲେ-। ଅଚାନକ ଦୂରରୁ ଭୀଷଣ କୋଳାହଳ ଶୁଭିଲା । ପ୍ରଥମେ କେହି ତାହାକୁ କର୍ଣ୍ଣପାତ କଲେ ନାହିଁ-। ସମୁଦ୍ରର ଗର୍ଜନ ପରି କୋଳାହଳ କ୍ରମେ କ୍ରମେ ନିକଟତର ହେଲା–ଅଗଣିତ ସର୍ବହରାଙ୍କର କ୍ରୁଦ୍ଧ ଅନ୍ତିମ ପ୍ରତିବାଦ । ତାଇଜେଲିନାସ ପଚାରିଲାରୁ ରକ୍ଷୀ ଜବାବ ଦେଲା–ସମ୍ରାଟଙ୍କୁ ହତ୍ୟା କରିବା ନିମନ୍ତେ ନାଗରିକମାନେ ପ୍ରାସାଦ ଆଡ଼କୁ ମାଡ଼ି ଆସୁଛନ୍ତି । ସମ୍ରାଟ ନଗରୀରେ ନିଆଁ ଲଗାଇଛନ୍ତି ବୋଲି ସେମାନେ ରଡ଼ି କରୁଛନ୍ତି ।

 

ସଙ୍ଗୀତର ବିହ୍ୱଳତା ଭିତରେ ପ୍ରମତ୍ତ କୋଳାହଳ ଶୁଣି ସମ୍ରାଟ ପ୍ରଥମେ ଆତଙ୍କିତ ହେଲେ ଏବଂ ପର ମୁହୂର୍ତ୍ତରେ ଗର୍ଜନ କଲେ–ପଶୁଗୁଡ଼ାକ କେଉଁ ସାହସରେ ମୋ ପ୍ରାସାଦ ନିକଟରେ ଚିତ୍କାର କରୁଛନ୍ତି ?

 

ପେତ୍ରୋନିୟାସ ଜବାବ ଦେଲା–ସାହସରେ ନୁହେଁ ସମ୍ରାଟ, ପ୍ରୟୋଜନର ତାଡ଼ନାରେ । ସେମାନେ ବଞ୍ଚିବାକୁ ଚାହାନ୍ତି । ଆପଣଙ୍କର ଲୀଳା ସୁଖର ନିଆଁରେ ସେମାନଙ୍କର ଘରଦ୍ୱାର, ଖାଦ୍ୟପେୟ, ବସନ ଭୂଷଣ ସବୁ ପୋଡ଼ି ଛାରଖାର ହୋଇଯାଇଛି । ସେମାନେ ଆପଣଙ୍କୁ “ଘରପୋଡ଼ା ବାନ୍ଦର” ଉପାଧିରେ ଭୂଷିତ କରିଛନ୍ତି ।

 

ରକ୍ଷୀମାନେ ସେମାନଙ୍କୁ ଅସ୍ତ୍ର ଦେଖାଇ ଦୂର କରି ଦେଉ ନାହାନ୍ତି କାହିଁକି ?

 

ତାଇଜେଲିନାସ ଧାଇଁଗଲା ଜନତାକୁ ଘଉଡ଼ାଇ ଦେବା ପାଇଁ, କିନ୍ତୁ ସଙ୍ଗେ ସଙ୍ଗେ ଆହତ ହୋଇ ଫେରି ଆସି ସେ ଜଣାଇଲା–ହଜାର ହଜାର ଲୋକ ହାତରେ ଲାଠି ଓ ପଥର ଧରି ପ୍ରାସାଦର ପ୍ରାଙ୍ଗଣ ଭିତରକୁ ପଶି ଆସିଲେଣି । ସେମାନଙ୍କୁ ନିରସ୍ତ୍ର କରି ନ ପାରିଲେ ସେମାନେ ଏକ୍ଷଣି ପ୍ରାସାଦ ଅଧିକାର କରିବେ ।

 

ଏତିକିବେଳେ ରାଣୀ ଆସି ପରାମର୍ଶ ଦେଲେ–ସମ୍ରାଟ ତାଇଜେଲିନାସକୁ ନିଆଁ ଲଗାଇବା ପାଇଁ ଆଦେଶ ଦେଇଥିଲେ, ଏ କଥା ସତ । ତଥାପି ସେମାନେ ଆସି ସମ୍ରାଟଙ୍କୁ ହତ୍ୟା କରିବେ, ଏହା କଦାପି ହୋଇ ନ ପାରେ । ଲୋକେ ଖ୍ରୀଷ୍ଟାନମାନଙ୍କ ଉପରେ ବିରକ୍ତ ଥିବାରୁ, ଯଦି ନିଆଁ ଲଗାଇବାର ଦୋଷ ସେମାନଙ୍କ ଉପରେ ଲଦି ଦିଆଯାଏ, ତାହାହେଲେ କେହି ତାହା ଅବିଶ୍ୱାସ କରିବେ ନାହିଁ ।

 

ତଦନୁଯାୟୀ ସମ୍ରାଟ ତତ୍‍କ୍ଷଣାତ୍‍ ଘୋଷଣା କଲେ–ଏହି ଅଗ୍ନିକାଣ୍ଡ ସକାଶେ ପ୍ରଧାନତଃ ଖ୍ରୀଷ୍ଟାନମାନେ ଦାୟୀ, ସେମାନଙ୍କୁ ସମୂଳେ ଧ୍ଵଂସ କରାଯିବ । ରୋମାନମାନଙ୍କ ଆଖି ଆଗରେ ସେମାନଙ୍କୁ ହିଂସ୍ରଜନ୍ତୁଙ୍କ ମୁହଁରେ ପକାଇ ଦେବାକୁ ହେବ । ତାହାହିଁ ହେବ ସେମାନଙ୍କର ଯଥାଯଥ ଶାସ୍ତି ।

 

ସମ୍ରାଟଙ୍କର ଆଦେଶ ଦେଶ ସାରା ପ୍ରଚାରିତ ହେଲା । ଖ୍ରୀଷ୍ଟାନମାନଙ୍କୁ ଧରିଆଣି କାରାଗାରରେ ନିକ୍ଷେପ କରା ହେଲା । ଆଗରୁ ସେମାନେ ଗୋପନରେ ଧରାନୁଷ୍ଠାନ କରୁଥିଲେ, ମାତ୍ର ପିଟାର ରୋମକୁ ଆସିଲା ଦିନଠୁଁ ସେମାନେ ଯେକୌଣସି ସ୍ଥାନରେ ସମବେତ ହୋଇ ଭାଷଣ ଶୁଣୁଛନ୍ତି ଏବଂ ଦୀକ୍ଷା ଗ୍ରହଣ କରୁଛନ୍ତି । ସେମାନଙ୍କର ଏକାନ୍ତ ବିଶ୍ୱାସ, ଦୁଃଖ ଭିତରେ ଶକ୍ତି ଓ ଶାନ୍ତି ଆସେ ।

 

ଦେଖୁଁ ଦେଖୁଁ କାରାଗାର ଭରିଗଲା । ମାର୍କାସ ତାହାର ପ୍ରେମିକା ଲିଜିୟା, ନାଜାରିୟାସ ଓ ଆର୍ଶାସକୁ ନେଇ ପ୍ଳତିୟାସର ଘରେ ଛାଡ଼ିଦେଇ ଆସିଥିଲା ଏବଂ ଆଶ୍ୱାସନା ଦେଇଥିଲା ଯେ ପ୍ରଥମ ସୁଯୋଗରେ ସେ ସେମାନଙ୍କୁ ନେଇ ସିସିଲି ଯାତ୍ରା କରିବ । କିନ୍ତୁ ସେହି ସୁଯୋଗ ମିଳିବା ଆଗରୁ ରକ୍ଷୀମାନେ ଦିନେ ପ୍ଳତିୟାସର ଘର ଘେରାଉ କରି ସମସ୍ତଙ୍କୁ ବନ୍ଦୀ କଲେ ।

 

ପେତ୍ରୋନିୟାସର ଘରେ ମାର୍କାସ ଏହି ସମ୍ବାଦ ପାଇ କ୍ଷୋଭ ଓ ଦୁଃଖରେ ଜଳିଲା । ସେ ତାହାର ଦୁଇ ଜଣ ଭୂତପୂର୍ବ ସହକର୍ମୀ ଫେବିୟାସ ଓ ଜାଷ୍ଟିନ ସହିତ ପରାମର୍ଶ କରି ସ୍ଥିର କଲା, ରୋମ ସାମ୍ରାଜ୍ୟକୁ ଯେକୌଣସିମତେ ଦାନବ ସମ୍ରାଟର ଭୀଷଣ ଅତ୍ୟାଚାରରୁ ମୁକ୍ତ କରିବାକୁ ହେବ । କିନ୍ତୁ ସମ୍ରାଟଙ୍କୁ ସିଂହାସନ ଚ୍ୟୁତ କରିବାକୁ ହେଲେ ସାମରିକ ଶକ୍ତିର ପ୍ରୟୋଜନ-। ମାର୍କାସର ବିଜୟୀ ବାହିନୀକୁ ଭାଙ୍ଗି ଦିଆ ଯାଇଥିବାରୁ, ସେ ପ୍ରସ୍ତାବ କଲା ଯେ ଟାସକାନିକୁ ଦୂତ ପଠାଇ ଯଶସ୍ଵୀ ସେନାପତି ଗାଲ୍‍ବାକୁ ଡକା ଯାଉ ଏବଂ ସେ ଆସି ନୀରୋଙ୍କୁ ସିଂହାସନ ଚ୍ୟୁତ କରି ସମ୍ରାଟ ହେଉ । ସୁତରାଂ ଗାଲ୍‍ବାକୁ ଚିଠି ଲେଖା ହେଲା । ସେଥିରେ ମାର୍କାସ, ଫେବିୟାସ, ଜାଷ୍ଟିନ ଓ ପେତ୍ରୋନିୟାସ ଦସ୍ତଖତ କଲେ । ଫେବିୟାସ ନିଜେ ଚିଠିଟି ନେଇ ତାହା ପାଖକୁ ଗଲା-

 

ଏଣେ ତାଇଜେଲିନାସ ଦିନେ ମାର୍କାସକୁ କାରାଗାର ସାମନାରେ ଦେଖିପାରି ସୈନ୍ୟମାନଙ୍କ ଦ୍ଵାରା ତାହାକୁ ବନ୍ଦୀ କଲା । ମାର୍କାସ କାରାଗାର ଭିତରେ ଲିଜିୟାର ଦେଖା ପାଇଲା ଏବଂ ତାହାର ସାହଚର୍ଯ୍ୟରେ ଦିନ କାଟିବାକୁ ଲାଗିଲା । ଆସନ୍ନ ମୃତ୍ୟୁ ମୁଖରେ ଠିଆହୋଇ ଖ୍ରୀଷ୍ଟାନମାନଙ୍କର ଅସୀମ ଧୈର୍ଯ୍ୟ ଓ ଅଟଳ ଧର୍ମବିଶ୍ଵାସ ଦେଖି ସେ ବିସ୍ମିତ ଓ ମୁଗ୍ଧ ହେଲା । କ୍ରମେ କ୍ରମେ ପ୍ରଭୁ ଯୀଶୁଙ୍କ ପ୍ରତି ତାହାର ଭକ୍ତି ବଢ଼ିବାକୁ ଲାଗିଲା ।

 

ଜଣେ ହେଲେ ଖ୍ରୀଷ୍ଟାନ କାରାଗାରର ବାହାରେ ରହିଲେ ନାହିଁ, କେବଳ ପିଟାର ଓ ନାଜାରିୟାସ ଛଡ଼ା । ପିଟାର ପ୍ରକାଶ୍ୟରେ ବିଚରଣ କରି ଲୋକଙ୍କୁ ଧର୍ମର ବ୍ୟାଖ୍ୟାନ ଶୁଣାଉଥିଲେ, ମାତ୍ର କେହି ତାହାଙ୍କୁ ଗିରଫ କରୁନଥିଲେ । ଖ୍ରୀଷ୍ଟାନ ଶୂନ୍ୟ ସ୍ଥାନରେ ରହି କିଛି ଫଳ ନାହିଁ ଭାବି, ଦିନେ ରାତିରେ ପିଟାର ବାଳକ ନାଜାରିୟାସକୁ ସାଙ୍ଗରେ ନେଇ ରୋମ ପରିତ୍ୟାଗ କଲେ ।

 

କାରାଗାରରେ ପଡ଼ି ରହିଲେ ହଜାର ହଜାର ଖ୍ରୀଷ୍ଟାନ । ରୋମରେ ଏତେ ହିଂସ୍ରଜନ୍ତୁ ନ ଥିବାରୁ, ଆଫ୍ରିକାର ଘନ ଅରଣ୍ୟରୁ ସେହି ସବୁ ଜିଅନ୍ତା ଜନ୍ତୁକୁ ଧରି ଆଣିବାପାଇଁ ସମ୍ରାଟ ବହୁ ଲୋକଙ୍କୁ ସେଠାକୁ ପଠାଇଥିଲେ । ସେମାନେ ଫେରି ଆସିଲେ ଖ୍ରୀଷ୍ଟାନମାନଙ୍କୁ ସିଂହ ଓ ବାଘର ମୁହଁରେ ନିକ୍ଷେପ କରାଯିବ । ଶିଷ୍ୟମାନଙ୍କୁ ନିୟତିର କରାଳ ଗ୍ରାସରେ ଛାଡ଼ିଦେଇ ଅସ୍ଵସ୍ତି ଓ ଗ୍ଳାନି ଭିତରେ ପିଟାର ଚାଲିଥିଲେ । ସମୀରଣ ମୃଦୁ ମୃଦୁ ବହୁଥିଲା, ନୀଳ ଆକାଶ ଅଗଣିତ ନକ୍ଷତ୍ରରେ ଖଚିତ ହୋଇଥିଲା । ଅକସ୍ମାତ ପୂର୍ବ ଆକାଶରେ ଆଲୋକ ରେଖା ଝଟକିଲା । ପିଟାର ଅବାକ୍‍ ହୋଇ ସେହି ଆଡ଼କୁ ଅନାଇ ଦେଖିଲେ, ଏକ ମହାଜ୍ୟୋତି ଚଉଦିଗ ଝଲସାଇ ଦ୍ରୁତ ଗତିରେ ପୃଥିବୀକୁ ଓହ୍ଲାଇ ଆସୁଛି । ସାମନାରେ ସ୍ଥିର ଦିବ୍ୟ ଜ୍ୟୋତିକୁ ଦେଖି ପିଟାର ଗଭୀର ଆନନ୍ଦରେ ଭୂମିରେ ସାଷ୍ଟାଙ୍ଗ ପ୍ରଣାମ କଲେ ଏବଂ ବିନୀତ କଣ୍ଠରେ ପଚାରିଲେ–ହେ ପ୍ରଭୁ, ଆପଣ କୁଆଡ଼େ ଯାଉଛନ୍ତି ?

 

ଦିବ୍ୟଜ୍ୟୋତି ଜବାବ ଦେଲା–ମୋ ସନ୍ତାନମାନଙ୍କର ରକ୍ଷଣାବେକ୍ଷଣର ଭାର ତୁମ ଉପରେ ଥିଲା । ତୁମେ ସେମାନଙ୍କୁ ବିପଦର ମୁହଁରେ ଛାଡ଼ିଦେଇ ପଳାଇ ଆସିଥିବାରୁ, ମୁଁ ରୋମକୁ ଯାଉଛି ଦ୍ଵିତୀୟ ଥର କ୍ରୁଶବିଦ୍ଧ ହେବା ପାଇଁ ।

 

ହେ ଖ୍ରୀଷ୍ଟ ! ହେ ପ୍ରଭୁ ! –ପିଟାର ଖାଲି ଆର୍ତ୍ତ ଚିତ୍କାର କଲେ । ସେତେବେଳେ ଦିବ୍ୟ ଜ୍ୟୋତି ଅନ୍ତର୍ହିତ ଏବଂ ଶେଷ ଯାମିନୀର ତରଳ ଅନ୍ଧକାରରେ ପୃଥିବୀ ଆଚ୍ଛନ୍ନ ହୋଇଥିଲା । ସେ ଉଠି ଛିଡ଼ା ହୋଇ ତଳୁ ଲାଠିଟା ଉଠାଇ ନେଲେ ଏବଂ ନିଜର ଭୁଲ ବୁଝିପାରି ଲଜ୍ଜିତ ହେଲେ । ଏକ ଅଜେୟ ଶକ୍ତିରେ ତାଙ୍କର ଶରୀର ଓ ମନ ପରିପୂର୍ଣ୍ଣ ହେଲା । ସେ ରୋମ ଆଡ଼କୁ ଫେରି ଚାଲିଲେ ।

 

ରୋମର ପ୍ରକାଶ୍ୟ ରାଜପଥରେ ଠିଆହୋଇ ପିଟାର ନିର୍ଭୀକ କଣ୍ଠରେ ଘୋଷଣା କଲେ–ମୁଁ ଆଣିଛି ମରଣର ମଝିକୁ ଖ୍ରୀଷ୍ଟଙ୍କର ଅମୃତମୟ ବାଣୀ ! ଲୋକେ ଦଳ ଦଳ ହୋଇ ଆସି ତାହାଙ୍କ ଠାରୁ ନୂତନ ଧର୍ମର ଦୀକ୍ଷା ନେବାକୁ ଲାଗିଲେ । ଏହା ଶୁଣି ତାଇଜେଲିନାସ ପିଟାରଙ୍କୁ ଗିରଫ କଲା । ସେ ସହାସ୍ୟ ବଦନରେ କାରାଗାରରେ ପ୍ରବେଶ କରନ୍ତେ, ତାହାଙ୍କୁ ଦେଖି ବିଷାଦ ପୁରୀରେ ବନ୍ଦୀ ଖ୍ରୀଷ୍ଟାନମାନଙ୍କ ଅନ୍ତରରେ ଅପୂର୍ବ ଆନନ୍ଦ ଜାତ ହେଲା ।

 

କାରାଗାର ଭିତରେ ଖ୍ରୀଷ୍ଟାନମାନେ ପ୍ରଭୁ ଯୀଶୁଙ୍କର ମହିମା କୀର୍ତ୍ତନ କଲେ । ପିଟାର ସେମାନଙ୍କୁ ଧର୍ମ କଥା ଓ ପ୍ରେମର ଅମର ବାଣୀ ଶୁଣାଇଲେ–ଯେଉଁମାନେ ଭଗବାନଙ୍କ ଠାରେ ବିଶ୍ୱାସ ରଖନ୍ତି, ସେମାନେ ଧନ୍ୟ !

 

ଲିଜିୟା ପ୍ରେମିକ ମାର୍କାସର ହାତ ଧରି ପିଟାରଙ୍କ ସାମନାକୁ ଆସି ହସି ହସି କହିଲା–ମାର୍କାସକୁ ଦୀକ୍ଷା ଦିଅନ୍ତୁ । ତା’ପରେ ଆମର ବିବାହ ହେବ ।

 

କାରାଗାର ଭିତରେ ପ୍ରେମ ଆନନ୍ଦର ହାଟ ବସିଲା । ଏକା ସାଙ୍ଗରେ ଦୁଇଟି ଶୁଭକର୍ମ ଅନୁଷ୍ଠିତ ହେଲା । ପରଦିନ ତାଇଜେଲିନାସର ଚରମାନେ ଆସି ପିଟାରଙ୍କୁ କାରାଗାରରୁ ନେଇ ଗଲେ ଏବଂ ଆଟିକାସ ପାହାଡ଼ ଉପରେ କ୍ରୁଶବିଦ୍ଧ କରି ରଖିଲେ ।

 

 

ସମ୍ରାଟ ନୀରୋଙ୍କ ମନରେ ଶାନ୍ତି ନ ଥିଲା । କାରଣ ରୋମରେ ଏକ ଅଜବ ଜନରବ ପ୍ରଚାରିତ ହେଉଥିଲା ଯେ ସେନାପତି ଗାଲ୍‍ବା ସସୈନ୍ୟରେ ଟାସକାନିରୁ ଫେରି ଆସୁଛି । ଅଥଚ ସମ୍ରାଟ ତାହାକୁ ଆସିବା ପାଇଁ ଆଦେଶ ଦେଇ ନ ଥିଲେ । ବିଦ୍ରୋହ କଲେ ସୁଦ୍ଧା ଗାଲ୍‍ବାକୁ ସମ୍ରାଟ ଭୟ କରୁନଥିଲେ, କରୁଥିଲେ କେବଳ ପାର୍ଶ୍ଵଚର ଛଦ୍ମବେଶୀ ବିଶ୍ଵାସଘାତକମାନଙ୍କୁ । ପ୍ରଧାନ ଶତ୍ରୁ ପେତ୍ରୋନିୟାସ ରୋମରେ ନିଆଁ ଲାଗିଲା ପରଠୁଁ ସମ୍ରାଟଙ୍କର ସାନ୍ନିଧ୍ୟ ବର୍ଜନ କରିଥିଲା ଏବଂ ନିଜର କଥାରେ ବ୍ୟଙ୍ଗ, ଭର୍ତ୍ସନା ଓ ରାଜଦ୍ରୋହର ସ୍ପଷ୍ଟ ଆଭାସ ଦେଉଥିଲା । ସୁତରାଂ ପେତ୍ରୋନିୟାସକୁ ଖତମ କରିଦେବା ସର୍ବାଦୌ ପ୍ରୟୋଜନ ବୋଲି ସମ୍ରାଟ ବରାବର ମନେମନେ ଭାବୁଥିଲେ ।

 

ଏଣେ ତୀକ୍ଷ୍ଣ ବୁଦ୍ଧି ବିଳାସୀ ପେତ୍ରୋନିୟାସର ବୁଝିବାକୁ ବାକି ନ ଥିଲା ଯେ ତାହାର ଦିନ ସରି ଆସୁଛି ! ସେ ମଧ୍ୟ ମନେମନେ ଚିନ୍ତା କରୁଥିଲା, ଅନ୍ୟତ୍ର ପଳାୟନ ଅପେକ୍ଷା ନିଜ ପ୍ରାସାଦରେ ସୁଖ ଶଯ୍ୟାରେ ମୃତ୍ୟୁବରଣ ବରଂ ଶ୍ରେୟସ୍କର । ଦିନେ ସେ ଗୋଟିଏ ବଡ଼ ଭୋଜିର ଆୟୋଜନ କରି ବନ୍ଧୁବାନ୍ଧବମାନଙ୍କୁ ଆମନ୍ତ୍ରଣ କଲା । ପ୍ରାସାଦର ଉଦ୍ୟାନରେ ଆଲୋକର ଝରଣା ବହୁଥିଲା, ଫୁଲର ସୁବାସ ଚଉଦିଗ ମହକୁଥିଲା, ସୁବେଶା ସୁନ୍ଦରୀ ତରୁଣୀମାନେ ସୁରା ପାତ୍ର ଧରି ବିଚରଣ କରୁଥିଲେ । ଭୋଜନ କକ୍ଷରେ ମଖମଲ ଗଦିରେ ଅର୍ଦ୍ଧଶାୟିତ ପେତ୍ରୋନିୟାସ ସହାସ୍ୟ ବଦନରେ ବନ୍ଧୁମାନଙ୍କ ସହିତ ନାନା ବିଷୟ ଆଲୋଚନା କଲା । ସମ୍ରାଟଙ୍କର କେତେଜଣ ପାରିଷଦ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

 

ପାରିଷଦ ସେନେକା ପଚାରିଲା–ଆପଣ ତ ବହୁ ଦିନ ହେଲା ଦରବାରକୁ ଯାଇ ନାହାନ୍ତି, କେବେ ଯାଉଛନ୍ତି ?

 

ପେତ୍ରୋନିୟାସ ହସ ହସ ମୁଖରେ ଜବାବ ଦେଲା–ଠିକ୍ କରିଛି, ମୁଁ ଆଉ ଦରବାରକୁ ଯିବି ନାହିଁ । ଶୁଣନ୍ତୁ, ସମ୍ରାଟଙ୍କୁ ମୋର ବିଦାୟ ଚିଠିରେ କଅଣ ଲେଖିଛି, ଏଯାଏ ଅବଶ୍ୟ ତାହା ପଠାଇ ନାହିଁ–

 

“ରୋମବାସୀଙ୍କର ଭାଗ୍ୟବିଧାତା ନୀରୋ’’,

 

ଶୁଣିଛି, ଆପଣ ମୋ’ପାଇଁ ଅଧୀର ଭାବରେ ପ୍ରତୀକ୍ଷା କରିଛନ୍ତି ଏବଂ ରାଜପ୍ରାସାଦରେ ପଦାର୍ପଣ କଲା ମାତ୍ରେ ଆପଣ ମୋତେ ପ୍ରିଟୋରିୟାନ ରକ୍ଷୀ ଦଳର ଅଧିନାୟକ କରିଦେବେ । କିନ୍ତୁ ଆପଣ ଯେଉଁ ଭୂତପୂର୍ବ ସମ୍ରାଟ, ଜନନୀ ଓ ଧର୍ମପତ୍ନୀଙ୍କୁ ହତ୍ୟା କରିଛନ୍ତି, ସେମାନଙ୍କ ନାମରେ ଶପଥ କରି କହୁଛି, ମୁଁ କଦାପି ଆପଣଙ୍କ ଠାକୁ ଯିବି ନାହିଁ ।

 

ଜୀବନରେ ମୁଁ ପ୍ରଚୁର ସୁଖ ଭୋଗ କରିଛି, ଯଥେଷ୍ଟ ଦୁଃଖ ମଧ୍ୟ ପାଇଛି କେବଳ ଆପଣଙ୍କ ହେତୁ । ଆପଣଙ୍କର କବିତା ଶୁଣି ଶୁଣି ମୁଁ ଜୀବନ ସାରା ଅଶାନ୍ତିରେ ବହୁତ ଜଳିପୋଡ଼ି ହୋଇଛି । ଆପଣଙ୍କର ଗର୍ଦ୍ଦଭ ସଙ୍ଗୀତ ମୁଁ ଆଉ ବରଦାସ୍ତ କରିପାରିବି ନାହିଁ । ତେଣୁ ଚିରଦିନ ପାଇଁ ମୁଁ ଆପଣଙ୍କଠାରୁ ବିଦାୟ ନେଉଛି ।

 

ବିଦାୟ ବେଳାରେ ମୁଁ ଆପଣଙ୍କୁ ଏତିକି ମାତ୍ର ଶେଷ ସଦୁପଦେଶ ଦେଉଛି, ଆପଣ ଆଉ ଚାରୁକଳାର ଚର୍ଚ୍ଚା କରନ୍ତୁ ନାହିଁ । ରୋମ ଭସ୍ମ ହୋଇଛି, ହଜାର ହଜାର ଖ୍ରୀଷ୍ଟାନମାନଙ୍କୁ ସିଂହର ମୁହଁକୁ ଠେଲି ଦେବାର ବ୍ୟବସ୍ଥା ଆପଣ କରିଛନ୍ତି, ଆଉ ଦରକାର ପଡ଼ିଲେ କେତେ ହଜାର ଅଣ-ଖ୍ରୀଷ୍ଟାନଙ୍କୁ ମଧ୍ୟ ବଳି ଦେଇ ପାରନ୍ତି । ଏସବୁ କୁକର୍ମ କରିବା ପାଇଁ ଆପଣ ଜନ୍ମ ହୋଇଛନ୍ତି । ମାତ୍ର ମୋର ଅନ୍ତିମ ମିନତି, ଆପଣ ଆଉ କବିତା ଲେଖିବେ ନାହିଁ, କି ଗୀତ ଗାଇବେ ନାହିଁ, କି ବଂଶୀ ମଧ୍ୟ ବଜାଇବେ ନାହିଁ ।

 

ଏସବୁ ମୋଟେ ସହିପାରିବି ନାହିଁ ବୋଲି ମୁଁ ଆଉ ଆପଣଙ୍କ ଠାକୁ ଯିବି ନାହିଁ ।”

 

ପଢ଼ିସାରି ପେତ୍ରୋନିୟାସ ଚିଠିଟି ସେନେକାର ହାତକୁ ବଢ଼ାଇ ଦେଇ କହିଲା–ସମ୍ରାଟଙ୍କୁ ଦେବେ ।

 

ସେନେକା ଚିଠିଟି ଧରି ପଚାରିଲା–ତାହାହେଲେ କଅଣ–

 

ପେତ୍ରୋନିୟାସ ସ୍ମିତ ହାସ୍ୟରେ ଜବାବ ଦେଲା–ଯଦି ଇଚ୍ଛା ହେଉଛି, ଏହି ମୁହୂର୍ତ୍ତରେ ସ୍ୱଚକ୍ଷୁରେ ଦେଖି ଯାଇ ପାରନ୍ତି ।

 

କହି ପେତ୍ରୋନିୟାସ ନିଜର ବାମ ହାତ ଲମ୍ୱାଇ ଦେଲା । ଜଣେ ଅଜଣା ଗ୍ରୀକ୍‍ ଅସ୍ତ୍ରରେ ତାହାର ବାହୁ ମୂଳର ଶିରା କାଟି ଦେଲା । ସଙ୍ଗେ ସଙ୍ଗେ ଝରଣା ପରି ରକ୍ତର ସୁଅ ଛୁଟିଲା । ପେତ୍ରୋନିୟାସ ହସ ହସ ମୁଖରେ ଶୋଇ ପଡ଼ିଲା ।

 

ପେତ୍ରୋନିୟାସର ମୃତ୍ୟୁ ସମ୍ବାଦ ପାଇ ଆବେଗରେ ସମ୍ରାଟ ନୀରୋ ସଜଳ ନୟନରେ ଚିତ୍କାର କଲେ–ଅନୁମତି ନ ନେଇ ମୋର ଏକମାତ୍ର ବନ୍ଧୁ ମରିଗଲା । ମୋ ଆଖିର ପବିତ୍ର ଲୁହ ସୁନା ପାତ୍ରରେ ଯତ୍ନରେ ଧରି ରଖ । ମୋତେ କହିଥିଲେ ତ ମୁଁ ଜଣେ ଘାତକ ପଠେଇ ଦେଇ ଥାଆନ୍ତି, ସେ କାହିଁକି କଷ୍ଟ କରି ନିଜ ହାତରେ ମରିବାକୁ ଗଲା ? ମୋର ପ୍ରିୟ ବନ୍ଧୁ, ଏକମାତ୍ର ସେ ମୋର କବିତା ବୁଝୁଥିଲା ! ଏବେ ଆଉ କାହାକୁ ମୋ କବିତା ଶୁଣାଇବି ।

 

ଏତିକିବେଳେ ସେନେକା ଧୀରେ ଧୀରେ ପେତ୍ରୋନିୟାସର ଚିଠଟି ସମ୍ରାଟଙ୍କ ହାତକୁ ବଢ଼ାଇ ଦେଲା । ଆହା, ପ୍ରିୟ ବନ୍ଧୁ ମୋର, ରୋମରେ ମୁଁ ତାହା ପାଇଁ ମନ୍ଦିରଟିଏ ତିଆରି କରିଦେବି–କହୁଁ କହୁଁ ସମ୍ରାଟ ଚିଠିର ପ୍ରଥମ କେତେ ଧାଡ଼ି ଉପରେ ଆଖି ବୁଲାଇ ନେଇ ନେଇ ହଠାତ୍‍ ରକ୍ତ ଚକ୍ଷୁରେ କୁଦି ପଡ଼ିଲେ । କ୍ରୋଧରେ ଥରି ଥରି ସେ କହିଲେ–ଏଁ, ସୀଜାରକୁ ଏମିତି କୁଭାଷାରେ ପାପିଷ୍ଠ ଚିଠି ଲେଖିଛି ! ତାହାର ହାତ ଦୁଇଟା କାଟି ଜିଭଟା ଉପାଡ଼ି ଆଣନ୍ତି । ନା, ଭଲ ହେଲା, ତାହା ଆଗରୁ ସେ ମରିଯାଇଛି । ବେଶ୍, ତାହାହେଲେ ତାହାର ଘରଦ୍ୱାର ନିଆଁ ଲଗାଇ ପୋଡ଼ିଦିଅ ଏବଂ ଦାସଦାସୀମାନଙ୍କୁ ହତ୍ୟା କର !

 

 

ନିର୍ଦ୍ଦିଷ୍ଟ ଦିବସରେ ନବ ନିର୍ମିତ ରଙ୍ଗ ଭୂମିରେ ନରମେଧ ଯଜ୍ଞ ଆରମ୍ଭ ହେଲା । ରାଜପ୍ରାସାଦକୁ ଲାଗି କରି କାଠରେ ରଙ୍ଗଭୂମି ତିଆରି ହୋଇଥିଲା । ସମ୍ରାଟଙ୍କ ଆସନ ପଛରେ ଦରଜା ବାଟେ ପ୍ରାସାଦ ଭିତରେ ପ୍ରବେଶ କରିବାର ପଥ ଥିଲା । ଦର୍ଶକ ମଞ୍ଚରେ ଅଗଣିତ ଆସନରେ ଅଭିଜାତ ସୁବେଶ ନରନାରୀମାନେ ବସି ପାଶବିକ ଆନନ୍ଦରେ ଉତ୍ତେଜିତ ହେଉଥିଲେ-

 

ଗୋଟିଏ ଛୋଟ ଦରଜା ଖୋଲିଗଲା । ମଲ୍ଲମାନେ ଆଖିରେ ପଟି ବାନ୍ଧି ଓ ହାତରେ ତରବାରି ଧରି ସେହି ବାଟେ ରଙ୍ଗଭୂମିରେ ପ୍ରବେଶ କଲେ । କିଛି କ୍ଷଣ ସେମାନଙ୍କ ଭିତରେ ହଣାକଟା ଚାଲିଲା । କେହି କେହି ମଲେ, ଆଉ କେହି କେହି ସାଙ୍ଘାତିକ ଭାବରେ ଆହତ ହୋଇ ଟଳି ପଡ଼ିଲେ । ଦଳେ ଲାଲ ପୋଷାକଧାରୀ ଲୋକ ହାତରେ ଛୋଟ ଛୋଟ ଖଣ୍ଡା ଧରି ଆସି ପହଞ୍ଚିଲେ ଏବଂ ଜୀବିତ ମଲ୍ଲମାନଙ୍କର ମୁଣ୍ଡ କଚାକଚ କାଟି ପକାଇଲେ । ରଙ୍ଗଭୂମିର ମାଟି ରକ୍ତରେ ଲାଲ ହୋଇଗଲା । ଦଳେ କଳା ପୋଷାକଧାରୀ ଲୋକ ଆସି ଲାସ୍‍ଗୁଡ଼ାକ ଟାଣି ଟାଣି ନେଇଗଲେ । ତା’ପରେ ରଙ୍ଗଭୂମିରେ ବାଲି ପକାଇ ଦିଆ ହେଲା ।

 

ସଙ୍କେତର ଘଣ୍ଟା ବାଜିଲା । ହଠାତ୍‍ ବଡ଼ କଳା ଦରଜାଟା ଖୋଲିଗଲା । ରକ୍ଷୀମାନେ ପଛରୁ ଚାବୁକ ମାରି ମାରି ଦଳ ଦଳ ଖ୍ରୀଷ୍ଟାନ ନରନାରୀଙ୍କୁ ସେହି ବାଟେ ରଙ୍ଗଭୂମି ମଝିକୁ ଠେଲି ଦେଲେ । ସେମାନେ ଆଣ୍ଠୁ ମାଡ଼ି ବସି ଯୀଶୁଙ୍କର ବନ୍ଦନା ଗାଇଲେ । ଏହା ଶୁଣି ସମ୍ରାଟ ଭୀଷଣ କ୍ରୁଦ୍ଧ ହେଲେ ଏବଂ ଜାନୁଆରଗୁଡ଼ାକୁ ଛାଡ଼ି ଦେବା ପାଇଁ ଆଦେଶ ଦେଲେ ।

 

ଆଉ ଗୋଟିଏ ଛୋଟ ଦରଜା ବାଟେ ବଣୁଆ କୁକୁରଗୁଡ଼ାକ ଲମ୍ବା ଧାରୁଆ ଦାନ୍ତ ବାହାର କରି ଧାଇଁ ଆସିଲେ ଏବଂ ସାମନାରେ ଯାହାକୁ ପାଇଲେ ଡେଇଁ ପଡ଼ି ତାହାର ତଣ୍ଟିକୁ କାମୁଡ଼ି ଧରିଲେ । ଖ୍ରୀଷ୍ଟାନମାନେ ଆତ୍ମରକ୍ଷା ପାଇଁ ବାଧା ଦେଲେ ନାହିଁ, କି ତିଳେ ହେଲେ ଆର୍ତ୍ତନାଦ କଲେ ନାହିଁ, କେବଳ ଯୀଶୁଙ୍କର ବନ୍ଦନା ଗାଇବାକୁ ଲାଗିଲେ । କିଛି କ୍ଷଣ କୁକୁରମାନଙ୍କର ଭୋଜି ଚାଲିଲା ।

 

ସୁସଭ୍ୟ ରୋମାନମାନେ ଦର୍ଶକ ମଞ୍ଚରେ ବସି ତାମସା ଦେଖୁଥିଲେ । ସେମାନେ ଏଥିରେ ତୃପ୍ତ ହେଲେ ନାହିଁ, ପର ଦିନ ଅଧିକ ନାରକୀୟ ଦୃଶ୍ୟ ଦେଖିବା ଆଶାରେ ଉଠିଲେ ।

 

ଦ୍ୱିତୀୟ ଦିନ ପ୍ରଭାତରେ ସମ୍ରାଟ ଆସନ ଗ୍ରହଣ କରନ୍ତେ ପ୍ରଥମେ ତାଙ୍କର ଦୃଷ୍ଟି ଗୋଟିଏ କ୍ରୁଶକାଠ ଉପରେ ପଡ଼ିଲା । ସେଥିରେ ଜଣେ ବୟସ୍କ ପୁରୁଷର ନଗ୍ନ ଦେହ ବନ୍ଧା ହୋଇଥିଲା । ସମ୍ରାଟ କହିଲେ–ଏହି ଲୋକଟିତ ଚିହ୍ନା ଚିହ୍ନା ମାଲୁମ ହେଉଛି !

 

ତାଇଜେଲିନାସ ଜବାବ ଦେଲା–ଭୂତପୂର୍ବ ସେନାପତି ପ୍ଳାତିୟାସ ।

 

ସମ୍ରାଟ ପୁଣି ପଚାରିଲେ–ଲିଡିୟାର ରାଜକୁମାରୀ ତାହା ପାଖରେ ଥିଲା ନା ?

 

ହଁ, ହଜୁର, ସେହି ବନ୍ଦିନୀର ପାଲରେ ପଡ଼ି ପ୍ଳାତିୟାସ ଓ ଆମର ସେନାପତି ମାର୍କାସ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି ।

 

ସତେ ! ତାହାହେଲେ ପ୍ଳାତିୟାସ ପାଖରେ ମାର୍କାସ କ୍ରୁଶ ଉପରେ ଦେଖାଯାଉ ନାହିଁ କାହିଁକି ?

 

ସମ୍ରାଜ୍ଞୀଙ୍କ ଆଦେଶରେ ଲିଜିୟାର ମୃତ୍ୟୁ ପର୍ଯ୍ୟନ୍ତ ତାହାକୁ ବଞ୍ଚାଇ ରଖା ହେବ ।

 

ରୋମାନ ମହିଳାମାନଙ୍କର ଦୟାମାୟା ଏମିତି ଅଦ୍ଭୁତ ଯେ ଅନେକ ସମୟରେ ଶାସନ କ୍ଷେତ୍ରରେ ବହୁ ବିଭ୍ରାଟ ଘଟେ–କହି ସମ୍ରାଟ ସ୍ମିତ ହାସ୍ୟରେ ରଙ୍ଗଭୂମି ଆଡ଼କୁ ଅନାଇଲେ ।

 

ସେଠାରେ ପ୍ରାୟ ତିନି ଶହ ଖ୍ରୀଷ୍ଟାନ ନରନାରୀ ଆଣ୍ଠେଇ ପଡ଼ି ପ୍ରଭୁ ଯୀଶୁଙ୍କର ବନ୍ଦନା ଗାଉଥିଲେ । କାଲି କୁକୁରଗୁଡ଼ାକ ଯେଉଁ ଦୁଆର ବାଟେ ଆସିଥିଲେ, ସେହି ବାଟେ ଗୋଟିଏ ଗୋଟିଏ ଅତିକାୟ ଉପବାସୀ ସିଂହ କୁଦି କୁଦି ରଙ୍ଗଭୂମିର ମଝିକୁ ଆସିଲେ । ସାମନାରେ ଏତେଗୁଡ଼ିଏ ମଣିଷକୁ ଦେଖି ସିଂହସବୁ ଗର୍ଜନ କଲେ, ଆନନ୍ଦରେ ଅଧୀର ହୋଇ ଲାଙ୍ଗୁଳ ହଲାଇଲେ ଏବଂ ଆଖି ପିଛଡ଼ାକେ ଜଣେ ଜଣେ ମଣିଷଙ୍କ ଉପରକୁ ଡେଇଁ ପଡ଼ିଲେ । ରକ୍ତେନ୍ମାଦ ସିଂହଙ୍କର ଆନନ୍ଦ ଉଲ୍ଲାସର ଚାପା ଗର୍ଜନ ଓ ମୃତ୍ୟୁ ମଥିତ ଅସହାୟ ମଣିଷଙ୍କର ଅନ୍ତିମ ଚିତ୍କାର ରଙ୍ଗଭୂମିକୁ ନରକଠାରୁ ଅଧିକ ଭୟଙ୍କର କଲା । ଏପରି ଅଭୂତପୂର୍ବ ବୀଭତ୍ସ ହତ୍ୟା ଲୀଳା ଦେଖି ନାଗରିକମାନଙ୍କ ଭିତରୁ କେହି ଉତ୍ତେଜନାରେ ଡେଇଁଲା ଏବଂ କେହି ଅବସାଦରେ ଝାଉଁଳି ପଡ଼ିଲା-। ସେହି କରୁଣ ଆର୍ତ୍ତନାଦ ଭିତରୁ ମୃତ୍ୟୁ ପଥଯାତ୍ରୀଙ୍କ ଭଗ୍ନ କଣ୍ଠରୁ ତ୍ରାଣକର୍ତ୍ତା ଯୀଶୁଙ୍କର ମହିମା ଗାନ ଭାସି ଆସୁଥିଲା–ହେ ପ୍ରଭୁ, ଆମକୁ ଅନ୍ଧକାରରୁ ଆଲୋକକୁ ନେଇଯିବାକୁ ଆସିଛ । ଅସୀମ ତୁମର ଦୟା, ଅପାର ତୁମର ମହିମା !

 

ସେ ଦିନ ଉତ୍ସବ ସରିଲା । ସମ୍ରାଜ୍ଞୀ ପଶୁଶାଳାକୁ ଯାଇ ନିର୍ଦ୍ଦେଶ ଦେଲେ–ଏହି ଜର୍ମାନ ଷଣ୍ଢର ଦୁଇ ଶିଙ୍ଗର ମଝିରେ ଲିଜିୟାକୁ ହାଲୁକା ଭାବରେ ବାନ୍ଧି ଦିଆଯିବ, ଯେମିତି ଷଣ୍ଢଟା ଥରେ ମୁଣ୍ଡ ହଲାଇଲେ ଲିଜିୟାର ଦେହ ବନ୍ଧନରୁ ଛିଡ଼ି ତଳେ ପଡ଼ିଯିବ, ଆଉ ଦୈତ୍ୟକାୟ ଷଣ୍ଢ ଲିଜିୟାର ନଧର ଦେହକୁ ଦଳି ଚକଟି ଦେବ, ଯେଉଁ ଦେହର ଲୋଭରେ ମାର୍କାସ ପରି ବୀର ପୁଙ୍ଗଳ ପର ଧର୍ମ ଗ୍ରହଣ କରିଛି ! ହଁ, ଆଉ ଗୋଟିଏ କଥା । ଆର୍ଶାସକୁ ବାନ୍ଧି ରଙ୍ଗଭୂମିରେ ଠିଆ କରାଇ ତା’ପରେ ଷଣ୍ଢଟାକୁ ଆଣି ଛାଡ଼ି ଦେବ । ତାହାହେଲେ ଆର୍ଶାସ ସ୍ୱଚକ୍ଷୁରେ ରାଜକୁମାରୀର ମରଣ ଦେଖିପାରିବ । ଧର୍ମତ୍ୟାଗୀ ରୋମାନ ସେନାପତି ମାର୍କାସକୁ ବାନ୍ଧି ଆଣି ଗେଲେରୀରେ ଦର୍ଶକମାନଙ୍କ ପାଖରେ ବସାଇ ଦିଆଯିବ, ଯଦ୍ୱାରା ସେ ମଧ୍ୟ ଲିଜିୟାର ମୃତ୍ୟୁ ଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିପାରିବ ।

 

ଶେଷ ଦିବସ । ରଙ୍ଗଭୂମି ଲୋକାରଣ୍ୟ । ଦର୍ଶକମାନେ ନୀରବ ଓ ମ୍ରିୟମାଣ । ଗଲା ଦୁଇ ଦିନ ସେମାନେ ରକ୍ତର ନଦୀ ବହି ଯିବାର ଦେଖିଛନ୍ତି, ମାତ୍ର ଲଢ଼େଇର ଉନ୍ମାଦନା ଆଦୌ ଅନୁଭବ କରିପାରିନାହାନ୍ତି । ଗେଲେରୀରେ ମାର୍କାସକୁ ବନ୍ଦୀ ଅବସ୍ଥାରେ ବସାଇ ଦିଆ ଯାଇଥିଲା, ମାତ୍ର କେହି ତାହା ଦେଖିପାରି ନ ଥିଲେ । ସମସ୍ତଙ୍କର ଦୃଷ୍ଟି ରଙ୍ଗଭୂମିର କେନ୍ଦ୍ର ସ୍ଥଳରେ ନିବଦ୍ଧ ଥିଲା ।

 

ସେଠାରେ ଅତିକାୟ ଆର୍ଶାସ ମଲ୍ଲ ବେଶରେ ଠିଆ ହୋଇଥିଲା । ଆର୍ଶାସ ବୀରର ମୂର୍ତ୍ତି ଧାରଣ କରି ଚଉଦିଗକୁ ଆଖି ବୁଲାଉଥିଲା । ହଠାତ୍ ସାମନାର କଳା ଦରଜାଟା ଖୋଲିଗଲା-। ସେଠାରୁ ଅଜବ ଧରଣର ଚାପା ଗର୍ଜନ ଶୁଭିଲା । ଗୋଟାଏ କଳା ଜାନୁୟାର ସେହି ବାଟେ ଧାଇଁ ଆସିଲା । ବିରାଟ ଆକୃତିର ଜର୍ମାନ ଷଣ୍ଢର ଶିଙ୍ଗରେ ଝିଅଟିଏ ବନ୍ଧା ହୋଇଥିଲା ଏବଂ ଷଣ୍ଢର ଦୌଡ଼ ସାଙ୍ଗରେ ସେ ମାଳା ପରି ଦୋହଲୁଥିଲା । ଏତେ ଦିନେ ଗୋଟାଏ ନୂଆ ଖେଳ ଦେଖିବା ଆଶାରେ ଦର୍ଶକମାନେ ଉଦ୍‍ଗ୍ରୀବ ହୋଇ ଉଲ୍ଲାସରେ ଚିତ୍କାର କଲେ । ମାର୍କାସର ଅବ୍ୟକ୍ତ ଆର୍ତ୍ତନାଦ ସେହି ପ୍ରମତ୍ତ ଆନନ୍ଦ କୋଳାହଳ ଭିତରେ ମିଳାଇଗଲା ।

 

ଗୋଟାଏ ତୀବ୍ର ଆର୍ତ୍ତନାଦ ଦର୍ଶକମାନଙ୍କର ଚିତ୍କାର ଭେଦ କଲା ଏବଂ ସଙ୍ଗେ ସଙ୍ଗେ ଜଣେ ବିରାଟକାୟ ମଣିଷ ଷଣ୍ଢ ସାମନାକୁ କୁଦି ପଡ଼ିଲା । ଷଣ୍ଢଟା ଶିଙ୍ଗ ନୁଆଁଇ ତାହା ଆଡ଼କୁ ତଡ଼ିଗଲା କ୍ଷଣି–ଲୋକଟି ନଇଁ ପଡ଼ି ଦୁଇ ହାତରେ ତାହାର ଦୁଇ ଶିଙ୍ଗକୁ ଏତେ ଜୋରରେ ଭିଡ଼ି ଧରିଲା ଯେ ସେ ତିଳେ ମାତ୍ର ହଲଚଲ ହେଲା ନାହିଁ–ନିଶ୍ଚଳ, ନିସ୍ପନ୍ଦ । ଆର୍ଶାସ ମଧ୍ୟ ହଲୁ ନ ଥିଲା-। ଦୁଇ ମହା ଶକ୍ତିର ସଂଘର୍ଷ ଏକାନ୍ତ ନିସ୍ତବ୍ଧତା ଭିତରେ ଚାଲିଲା ।

 

ଦର୍ଶକମାନେ ନିସ୍ତବ୍ଧ । ସେମାନେ ଏମିତିକା ଲଢ଼େଇ କେବେ ଦେଖି ନ ଥିଲେ । ଧୀରେ ଧୀରେ ନିସ୍ତବ୍ଧତା ଉଭାଇଗଲା । ଗୋଟାଏ ଜାନୁଆରର କ୍ଷୀଣ ଗଳାର ଗଁ ଗଁ ଶବ୍ଦ, ଆଉ ଜଣେ ମଣିଷର ଦ୍ରୁତ ତାଳର ନିଃଶ୍ୱାସ । ଆର୍ଶାସର ବାହୁର ପେଷଣରେ ଷଣ୍ଢ ଗଁ ଗଁ ହେଉଥିଲା ଏବଂ ତାହାର କାନ୍ଧ ନଇଁ ନଇଁ କ୍ରମେ କ୍ରମେ ଗୋଟାଏ ପଟକୁ ଢଳି ଯାଉଥିଲା । ଷଣ୍ଢର କାନ୍ଧର ଖଣ୍ଡିଏ ହାଡ଼ ମଟ୍‍ କରି ଭାଙ୍ଗିଗଲା ଏବଂ ତାହାର ମୁହଁରୁ ଫେଣ ସାଙ୍ଗରେ ରକ୍ତ ବାହାରିଲା । ସେ ତଳେ ଚିତ୍‍ ହୋଇ ଟଳି ପଡ଼ିଲା । ତହୁଁ ଆର୍ଶାସ ତାହାର ଶିଙ୍ଗ ଉପରୁ ଅଚେତ ଲିଜିୟାକୁ ନିଜର କାନ୍ଧ ଉପରକୁ ଉଠାଇ ନେଲା ।

 

ଗେଲେରୀ ଉପରେ ଦର୍ଶକମାନେ ଉଠି ପଡ଼ି ଚିତ୍କାର କଲେ–ସାବାସ୍‍, ସାବାସ୍‍ ! ଉତ୍ସାହର ଆତିଶଯ୍ୟରେ ଅନେକେ ରଙ୍ଗଭୂମିର ମଝିକୁ ଡେଇଁ ପଡ଼ିଲେ, ଆର୍ଶାସକୁ ବେଢ଼ିଯାଇ ବାହାବା ଦେଲେ ଏବଂ ଲିଜିୟା ପାଇଁ ସହାନୁଭୂତି ପ୍ରକାଶ କଲେ । ସମସ୍ତେ ସମ ସ୍ଵରରେ ଉପର ଆଡ଼କୁ ଚାହିଁ ପାଟି କଲେ–ନୀରେ ! ସୀଜାର ! କ୍ଷମା ! କ୍ଷମା ! ପ୍ରାଣ ଭିକ୍ଷା !

 

ସମ୍ରାଟଙ୍କ ଅନ୍ତରରେ ଦୟା ନ ଥିଲା । ଖ୍ରୀଷ୍ଟାନମାନଙ୍କୁ ନିର୍ମୂଳ କରିବା ପାଇଁ ସେ ବଦ୍ଧ ପରିକର ଥିଲେ । ସେ ବୁଢ଼ା ଆଙ୍ଗୁଳି ତଳକୁ ବୁଲାଇଲେ, ଅର୍ଥାତ୍‍ ମୃତ୍ୟୁ । କିନ୍ତୁ କେହି ତାଙ୍କର ଆଦେଶ ପାଳନ କଲେ ନାହିଁ ।

 

ଏହି ସମୟରେ ମାର୍କାସ ହଠାତ୍‍ ତାହାର ବନ୍ଧନ ଛିଡ଼ାଇ ରଙ୍ଗଭୂମିକୁ ଓହ୍ଲାଇ ଆସି ସମସ୍ତଙ୍କ ସାମନାରେ ଠିଆହୋଇ ଥଟା କରି କହିଲା–ବୀର ରୋମାନଗଣ । ତୁମ୍ଭେମାନେ ଆଉ କେତେଦିନ ଏହି ରାକ୍ଷସ ନୀରୋର ଶାସନ ମଥା ପାତି ସହିବ ? ଜାଣ କିଏ ରୋମ ପୋଡ଼ିଛି ? ଏହି ବର୍ବର ନୀରୋ ! ନିଜର ପାପକୁ ଘୋଡ଼ାଇବା ଲାଗି ସେ ନିରୀହ ଖ୍ରୀଷ୍ଟାନମାନଙ୍କର ଉପରେ ଦୋଷ ଲଦି ଦେଉଛି । ତୁମେ କଅଣ ନିଜ ଆଖିରେ ଦେଖି ନାହଁ, ରୋମ ନଗରୀ ନିଆଁରେ ହୁ ହୁ ଜଳୁଥିଲା ବେଳେ ଏହି ପିଶାଚ ରାଜପ୍ରାସାଦର ଛାତରେ ବସି କିପରି ଆନନ୍ଦ ମନରେ ବୀଣା ବଜାଉଥିଲା ?

 

ମାର୍କାସର ଅଭିଯୋଗ ଶୁଣି ନାଗରିକମାନେ ଅଗଣିତ କ୍ରୁଦ୍ଧ କ୍ଷୁବ୍ଧ ଦୃଷ୍ଟିରେ ନୂଆ କରି ସମ୍ରାଟ ନୀରୋଙ୍କୁ ଅନାଇ ଦେଖିଲେ । ତାଇଜେଲିନାସର ବାରମ୍ବାର ଇଙ୍ଗିତରେ ପ୍ରିଟୋରିୟାନ ରକ୍ଷୀମାନେ ମଧ୍ୟ ଜନତାକୁ ଆଘାତ କଲେ ନାହିଁ । ସମ୍ରାଟଙ୍କର କଠୋର ଆଦେଶ ସତ୍ତ୍ୱେ ସେମାନେ ନାଗରିକ ଦଳନ ସକାଶେ ଆଦୌ ଅଗ୍ରସର ହେଲେ ନାହିଁ ।

 

ନାଗରିକମାନଙ୍କର ବିଦ୍ରୋହର ଉତ୍ତାପ କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । ସେମାନଙ୍କର ବିପରୀତ ଭାବ ଓ ରକ୍ଷୀମାନଙ୍କର ଉଦାସୀନତା ଦେଖି, ସମ୍ରାଟ ଦର୍ଶକ ମଞ୍ଚର ପଛ ଦରଜା ବାଟେ ଚୁପ୍‍ଚାପ୍‍ ରାଜପ୍ରାସାଦରେ ପ୍ରବେଶ କଲେ । ତେଣେ ନାଗରିକମାନେ ମଧ୍ୟ ବଳପୂର୍ବକ ସିଂହଦ୍ଵାର ଭାଙ୍ଗି ରାଜପ୍ରାସାଦ ଭିତରକୁ ପଶିଗଲେ । ତାଇଜେଲିନାସ ସେମାନଙ୍କ ହାତରେ ନିହତ ହେଲା ।

 

ସମ୍ରାଟ ଦେଖିଲେ, ସମ୍ରାଜ୍ଞୀ ପମ୍ପିୟା ରାଜଦରବାରରେ ଠିଆ ହୋଇଛି ଏବଂ ବୋଧହୁଏ ତାହାଙ୍କୁ ତିରସ୍କାର କରିବାକୁ ଆସିଛି । ସମ୍ରାଟ ତାହାକୁ ସେହି ସୁଯୋଗ ନ ଦେଇ ଅଚାନକ ନିଜ ହାତରେ ତାହାର ତଣ୍ଟି ଚିପି ହତ୍ୟା କଲେ । ସଙ୍ଗେ ସଙ୍ଗେ ଉପେକ୍ଷିତା ଆକ୍ତି ଧାଇଁ ଆସି ସମ୍ରାଟଙ୍କ ହାତକୁ ଖଣ୍ଡିଏ ଛୁରା ବଢ଼ାଇ ଦେଇ କହିଲା–ଏହି ଛୁରାଟା ଛାତିରେ ଭୁଷି ନିଜକୁ ଖତମ କରି ଦିଅନ୍ତୁ, ନୋହିଲେ ଏମାନେ ଆପଣଙ୍କୁ ନିଷ୍ଠୁର ଭାବରେ ହତ୍ୟା କରିବେ !

 

ସମ୍ରାଟ ଛୁରାଟି ନେଲେ ସତ, ମାତ୍ର ନିଜ ଛାତିରେ ବସାଇ ଦେଇ ପାରିଲେ ନାହିଁ । ତହୁଁ ଆକ୍ତି ତାଙ୍କର ହାତ ଉପରେ ହାତ ରଖି ଛୁରାକୁ ଚାପି ଦେଲେ । ଛୁରା ସମ୍ରାଟଙ୍କ ଛାତି ଭିତରକୁ ଚାଲିଗଲା । ସମ୍ରାଟ କକ୍ଷ ତଳେ ଟଳି ପଡୁ଼ଁ ପଡୁ଼ଁ ଖେଦରେ କହିଲେ–ମୋ ମୃତ୍ୟରେ ଦୁନିଆ ନିଜର ଶ୍ରେଷ୍ଠ ଶିଳ୍ପୀକୁ ହରାଇଲା ।

 

ତା’ପରେ ଆକ୍ତି ଛୁରାଟି ସମ୍ରାଟଙ୍କ ଛାତିରୁ କାଢ଼ି ନେଇ ନିଜର ଛାତିରେ ଭୁଷି ଦେଲା । ସେ ସମ୍ରାଟଙ୍କୁ ଆଜୀବନ ଭଲ ପାଉଥିଲା, ତାହାର ଅବସାନ ଘଟିଲା ।

 

ପର ଦିନ ସେନାପତି ଗାଲ୍‍ବା ସସୈନ୍ୟରେ ରୋମ ନଗରୀରେ ପ୍ରବେଶ କଲା । ବିପୁଳ ଜନତା ଅସୀମ ଅନନ୍ଦରେ ତାହାକୁ ସମ୍ୱର୍ଦ୍ଧନା କଲେ । ସୈନ୍ୟମାନେ ତାହାକୁ ସସମ୍ମାନରେ ସିଂହାସନରେ ବସାଇଲେ ।

 

ଲିଜିୟା, ଆର୍ଶାସ ଓ ନାଜାରିୟାସକୁ ସାଙ୍ଗରେ ଧରି ମାର୍କାସ ସିସିଲି ଅଭିମୁଖେ ଯାତ୍ରା କଲା । ସେମାନେ ସେହି ସ୍ଥାନରେ ଯାଇ ପହଞ୍ଚିଲେ, ଯେଉଁଠି ପିଟାର ଜ୍ୟୋତିର୍ମୟ ଯୀଶୁଙ୍କ ଚରଣରେ ପ୍ରମାଣ କରି ପଚାରିଥିଲେ–ହେ ପ୍ରଭୁ, ତୁମେ କୁଆଡେ଼ ଯାଉଛ ? ସେଠାରେ ପିଟାରଙ୍କର ଯେଉଁ ଦଣ୍ଡ ଖଣ୍ଡିକ ମାଟିରେ ପଡ଼ିଥିଲା, ସେଥିରୁ ଏକ ନବୀନ ତରୁ ମୁଞ୍ଜରିତ ହୋଇ ପତ୍ର-ପୁଷ୍ପରେ ପଲ୍ଲବିତ ହୋଇଥିଲା ।

★★★

 

ଗୀ ଦ୍ୟ ମୋପାସାଁ

Unknown

ନାରୀର କପାଳ

 

ରବିବାର ସକାଳ । ଗିର୍ଜାରେ ଉପାସନା ସରିଲା । ଘରକୁ ଫେରିବା ଆଗରୁ ସେମାନେ ଯଥା ରୀତି ଥରେ ଗିର୍ଜାର ପାଦ୍ରୀଙ୍କ ସାଙ୍ଗରେ ଦେଖା କରିବାକୁ ଗଲେ । ସେମାନଙ୍କୁ ଦେଖି ପାଦ୍ରୀ ଆବେ ପିକୋ ହସି ହସି କହିଲେ–ବେରନ, ଏ ହେଉଛନ୍ତି ଆପଣମାନଙ୍କର ନୂତନ ପ୍ରତିବେଶୀ, ଯାହାଙ୍କ କଥା ମୁଁ ସେ ଦିନ କହୁଥିଲି । ଭାଇକାଉଣ୍ଟ ଜୁଲିୟେନ୍‍ ଲାମାରେ, ଅତି ଚମତ୍କାର ଲୋକ ।

 

ବେରେନଙ୍କ ପାଖରେ ବେରନେସ ଛଡ଼ା ହୋଇଥିଲେ । ମହିଳା ଜଣଙ୍କ ଅସମ୍ଭବ ଭାବରେ ମୋଟୀ । ତାହାଙ୍କୁ ଦୁଇ ପାଖରୁ ଦୁଇ ଜଣ ନ ଧରିଲେ ବେରନେସ ପାହୁଣ୍ଡେ ସୁଦ୍ଧା ଚାଲି ପାରନ୍ତି ନାହିଁ । ବର୍ତ୍ତମାନ ଗୋଟାଏ ପଟେ ଜଣେ ଲମ୍ବା ଚଉଡ଼ା ଦାସୀର ବାହୁ ଉପରେ ଭରା ଦେଇ ସେ ସିଧା ଠିଆ ହୋଇଥିଲା ।

 

ଜୁଲିୟେନ ଲାମାରେର ପହିଲି ନଜର ପଡ଼ିଲା ଦାସୀ ରୋଜାଲି ଉପରେ, ଯାହାର ଶକ୍ତ ସମର୍ଥ ଦୀର୍ଘ ଦେହ ଉପରେ ଉଦ୍ଦାମ ଯୌବନର ପ୍ରବଳ ବନ୍ୟା ବହୁଥିଲା । ଏଣେ ପାଦ୍ରୀ ଆବେ ପିକୋ ତାହାକୁ ଜଣେ ଧୀରସ୍ଥିର ଶାନ୍ତଶିଷ୍ଟ ଯୁବକ କହି ଲାମାରେର ପ୍ରଶଂସା ଗାନ କରୁଥିଲେ । ଠିକ୍‍ ସେତିକିବେଳେ ତେଣେ ଲାମାରେ ପ୍ରଥମ ଦର୍ଶନରେ ଯୁବତୀ ରୋଜାଲି ପ୍ରତି ଭୀଷଣ ଭାବରେ ଆକୃଷ୍ଟ ହୋଇ ପଡ଼ିଥିଲା ।

 

ପାଦ୍ରୀ ପିକୋ ପରିଚୟ କରି ଦେବାରେ ଲାଗିଲେ–ଏ ହେଉଛନ୍ତି ବେରନ ସାଇମନ ଜାକସ ଲା ପାର୍ଥୁଇଜ ଦ୍ୟ ଭଡ଼ସ, ଆଉ ଏ ତାଙ୍କର ସହଧର୍ମିଣୀ ବାରନେସ ଆଡ଼ିଲେଡ଼ । କୁଆଡ଼େ ଗଲ ? ପଛରେ ଲୁଚି ରହିଛ କାହିଁକି ? ଆଗକୁ ଆସ, ଚାଲି ଆସ । ଏ ହେଉଛନ୍ତି କୁମାରୀ ମାମୋୟାଜେଲ ଜିୟେନ, ବେରନ ଓ ବେରନେସଙ୍କର ଏକମାତ୍ର ସନ୍ତାନ ଓ ଉତ୍ତରାଧିକାରିଣୀ ।

 

ଜିୟେନ ଅବଶ୍ୟ ଲୁଚି ରହି ନ ଥିଲା । ତେବେ ତାହାର ମାଆର ବିପୁଳ କଳେବର ପଛରେ ସେ ଢାଙ୍କି ହୋଇ ପଡ଼ିଥିଲା । ଏକ୍ଷଣି ତାହାକୁ ବାଧ୍ୟ ହୋଇ ବେରନଙ୍କର ସେ ପାଖ ଦେଇ ଆଗେଇ ଆସିବାକୁ ହେଲା । ସେ ତରୁଣ ପ୍ରତିବେଶୀ ଜୁଲିୟେନ ସହିତ କର ମର୍ଦ୍ଦନ କଲା ।

 

କୁମାରୀ ଜିୟେନର ବୟସ ସତର ବର୍ଷ । ସେ ଏବେ କନଭେଣ୍ଟରୁ ଫେରିଛି । ସେଠାରେ ଏକାଦି କ୍ରମେ ପାଞ୍ଚ ବର୍ଷ ସେ କଟାଇଛି, ପଢ଼ାଶୁଣା କରିଛି, ନିୟମିତ ଭାବରେ ଉପାସନା କରିଛି, ଏବଂ ସବୁ ଦିଗରୁ ଦେହ ଓ ମନର ଶୁଚିତା ରକ୍ଷା କରି ପାରିଛି ।

 

ଜିୟେନ ସୁନ୍ଦରୀ ସତ । ତାହାଛଡ଼ା ନବଯୌବନ ତାହାର ତନୁ ବଲ୍ଲରୀକୁ ଅପରୂପ ସୁଷମାରେ ମଣ୍ଡିତ କରିଛି । ମଦାଳସା ନୟନର କୋଣରେ ସୁଖ ସ୍ୱପ୍ନର ଆବେଶ ସଞ୍ଚାର କରିଛି । ଜୁଲିୟେନ ବଡ଼ ଅଡ଼ୁଆରେ ପଡ଼ିଲା । ସେ କେଉଁ ଆଡ଼କୁ ଅନାଇବ ? ଏଣେ ନୀଳ ରକ୍ତର ଅଧିକାରିଣୀ ଅଭିଜାତ ତରୁଣୀ, ତେଣେ ନଗ୍ନ କାମନାର ଅଗ୍ନିଶିଖା କୃଷକ କିଶୋରୀ । ଆକର୍ଷଣ ଭାବରେ ଦୁହେଁ ସମାନ ।

 

ଭାଇକାଉଣ୍ଟ ଜୁଲିୟେନ ଲାମାରେର ବୟସ ମାତ୍ର ତେଇଶ ବର୍ଷ । କିନ୍ତୁ ଏହି ବୟସରୁ ସେ ଜଣେ ପୋଖତ ମଣିଷ ହୋଇଯାଇଛି । ସେ ଏ ଅଞ୍ଚଳର ଲୋକ ନୁହେଁ । ୟୁରୀ ଜିଲାରେ ତାହାର ବାବାର ଜମିଦାରୀ ଥିଲା । ଗଲା ବର୍ଷ ତାହାର ବାବାର ଦେହାନ୍ତ ହୋଇଛି । ସେ ଏ ସଂସାରରୁ ବିଦାୟ ନେଇଥିବାରୁ, ଜୁଲିୟେନ ଜମିଦାରୀର ଖୁଦ ଓ କୁଟା ସୁଦ୍ଧା ଗୋଟାଇ ନିଜର ପକେଟରେ କିଛି ଭରି ପାରିଛି । ବୁଢ଼ା ଅତ୍ୟନ୍ତ ବେହିସାବୀ ଓ ଅମିତବ୍ୟୟୀ ଥିଲା, ଠିକ୍ ଆଉ ପାଞ୍ଚ ଜଣ ଜମିଦାରଙ୍କ ପରି । ଯଦି ସେ ଆଉ ଦୁଇ ଚାରି ବର୍ଷ ରହି ଯାଇ ଥାଆନ୍ତା, ତାହାହେଲେ ବିଚରା ଜୁଲିୟେନକୁ ରାସ୍ତାରେ ଆସି ଠିଆ ହେବାକୁ ପଡ଼ି ଥାଆନ୍ତା ।

 

ତାହାର ବାବା ଦୟା କରି ସ୍ଵର୍ଗାରୋହଣ କଲେ ବୋଲି ଜୁଲିୟେନ ଆଜି ଏକାବେଳେ ନିଃସମ୍ବଳ ନୁହେଁ । ତେବେ ତାହାର ସମ୍ବଳ ସେମିତି କିଛି ବେଶୀ ବି ନୁହେଁ, ଯଦ୍ଵାରା ଆଗର ସେହି ଜମିଦାରୀର ଥାଟ ବଜାୟ ରଖି ଚଳି ହେବ । ଅନ୍ୟ ଦିଗରେ ତାହାର ବୁଦ୍ଧି ଯେତେ କଞ୍ଚା ହୋଇ ଥାଉ ନା କାହିଁକି, ଜୁଲିୟେନର ବୈଷୟିକ ବୁଦ୍ଧି ଅତି ପ୍ରଖର । କିଛି ଜମିବାଡ଼ି କିଣାବିକା କରି ସେ ଦେଣାସବୁ ପରିଶୋଧ କରିଦେଲା । ତାହାର ହାତରେ ଯାହା କିଛି ରହିଲା, ତାହାକୁ ସମ୍ବଳ କରି ସେ ରୋୟେଁ ଜିଲାକୁ ଯାଇ ଗୋଟିଏ ମଧ୍ୟମ ଧରଣର ଖମାର ବାଡ଼ି କିଣି ପକାଇଲା । ତାହାକୁ ଭଲଭାବରେ ଚଳାଇ ପାରିଲେ ବାର୍ଷିକ ଆୟ ପ୍ରାୟ ଛଅ ହଜାର ଫ୍ରାଙ୍କ ହୋଇପାରେ ।

 

ତାହାର ଆୟ ଖୁବ୍‍ ସାମାନ୍ୟ । କିନ୍ତୁ ଜୁଲିୟେନ ଏକା ମଣିଷ, ବୁଝି ସୁଝି ହିସାବ କରି ଚଳିପାରିଲେ ସେଥିରୁ ଯଥେଷ୍ଟ କିଛି ବଞ୍ଚାଇ ହେବ । କେତେ ବର୍ଷ ଏହିପରି ଭାବରେ ସଞ୍ଚୟ କରି ଚଳିଲେ, ଦିନେ ସେ ପୁଣି ସମାଜରେ ଜଣେ ପ୍ରକୃତ ମଣିଷ ହୋଇ ମୁଣ୍ଡ ଟେକି ଛିଡ଼ା ହୋଇପାରିବ-। ଜୁଲିୟେନର ପରିକଳ୍ପନା ଏହିପରି ଥିଲା ।

 

କିନ୍ତୁ ସେହି ଦିନ ଗିର୍ଜା ଭିତରେ ବେରନ ଭଡ଼ସଙ୍କ ପରିବାର ସହିତ ଆକସ୍ମିକ ସାକ୍ଷାତ ତାହାର ସବୁ ପରିକଳ୍ପନାକୁ ବୋଧହୁଏ ଓଲଟ ପାଲଟ କରିଦେଲା ।

 

ଇତି ମଧ୍ୟରେ ଜୁଲିୟେନ ଖବର ନେଇ ବୁଝିଛି, ବେରନ ସାଇମନ ଭଡ଼ସ, ଅର୍ଥାତ୍‍ ସେହି ବୃଦ୍ଧ ଭଦ୍ରବ୍ୟକ୍ତି ମଧ୍ୟ ଅମିତବ୍ୟୟୀ, ଠିକ୍‍ ଆଉ ପାଞ୍ଚ ଜଣ ଜମିଦାରଙ୍କ ପରି । ତେବେ ତାଙ୍କର ବ୍ୟୟ ଦାନ ଧ୍ୟାନ ଆଡ଼େ, ବିଳାସ ବସନ ଆଡ଼େ ନୁହେଁ ! ସମାଜରେ ଦୟାଶୀଳ ହୃଦୟବାନ ବୋଲି ସେମାନଙ୍କର ନାମ ଡାକ ଅଛି । କିନ୍ତୁ ଜୁଲିୟେନର ଅଭିଧାନରେ ଦୟା ଓ କରୁଣାର ଅର୍ଥ ବୋକାମି ଓ ସରଳ ପଣିଆ । ଏହି ବୁଢ଼ା ବେରନ ଦମ୍ପତିଙ୍କୁ ସେ ଅନାୟାସରେ ପକେଟରେ ପୂରାଇ ପାରିବ ବୋଲି ତାହାର ବିଶ୍ୱାସ ।

 

ଆଉ ସେହି ନବଯୌବନ କୁମାରୀକୁ ? କନଭେଣ୍ଟରେ ପଢ଼ିଥିବା, ଭଜା ମାଛକୁ ଲେଉଟାଇ ଖାଇ ନ ଜାଣିଥିବା ଅପଗଣ୍ଡଟାକୁ ଜୁଲିୟେନ ନିଜର କାଣି ଆଙ୍ଗୁଳିର ଅଗରେ ଉଠା ବସା କରିବ । ଜୁଲିୟେନ ପ୍ରେମର ହାଟରେ ବିକା କିଣାରେ ଜଣେ ଓସ୍ତାଦ ବେପାରୀ, ସେହି ଝିଅଟାକୁ ବଶ କରିବା ପାଇଁ ତାହାକୁ ବା କେତେ ସମୟ ଲାଗିବ ?

 

ତାହାହେଲେ ଏକତିରିଶଟା ଖମାର ସମେତ ବେରନଙ୍କର ସମୁଦାୟ ଜମିଦାରୀଟା ଅକ୍ଳେଶରେ ଆସି ଜୁଲିୟେନର ହାତରେ ପଡ଼ିବ; ଯାହାର ବାର୍ଷିକ ଆୟ ପ୍ରାୟ ତିନି ଫ୍ରାଙ୍କ ।

 

ଦିନେ ପପଲାର୍ସ ପ୍ରାସାଦରୁ ଜୁଲିୟେନ ଠାକୁ ନିମନ୍ତ୍ରଣ ଆସିଲା । ବେରନଙ୍କର ସେହି ସୁରମ୍ୟ ଅଟ୍ଟାଳିକା ଛବିଶ ଏକର ଜମି ଉପରେ ଅବସ୍ଥିତ । ତାହାର ଚଉହଦିରେ ଅଗଣିତ ବିରାଟ ପପଲାର ଗଛ ସବୁ ଠିଆହୋଇ ରହିଥିବାରୁ, ଅଟ୍ଟାଳିକାର ନାମ ପପଲାର୍ସ ଦିଆ ଯାଇଥିଲା । ତାହା ବୋଲି ଅନ୍ୟ କିଛି ଗଛ କଅଣ ସେଠାରେ ନ ଥିଲା ? ସତରେ ଅଛି, ମାତ୍ର ସବୁଠାରୁ ବେଶୀ ଦୃଷ୍ଟି ଆକର୍ଷଣ କରେ ଦୁଇଟି ଅତିକାୟ ବନସ୍ପତି–ଗୋଟିଏ ହେଉଛି ଲିଣ୍ଡେନ ଗଛ, ଅନ୍ୟଟି ପ୍ଲେନ-

 

ସେହି ଦୁଇଟି ଗଛର ମଝିରେ ଗୋଟିଏ ଚଲା ବାଟ ଲମ୍ବି ଯାଇଛି । ନିତି ବେରନେସ ଦୁଇ ପଟେ ଦୁଇ ଦେହ ରକ୍ଷୀଙ୍କୁ ଘେନି ସେହି ବାଟରେ କିଛି ସମୟ ପଦଚାରଣ କରନ୍ତି । ଦୁଇଟି ଗଛର ତଳେ ବେଞ୍ଚ ପଡ଼ିଛି । ବେରନେସ ଥରେ ଟିକିଏ ଘୂରି ଆସନ୍ତି ଏବଂ ସେହି ବେଞ୍ଚରେ କିଛି ସମୟ ବସି ବିଶ୍ରାମ କରନ୍ତି ।

 

ହଁ, ଜୁଲିୟେନ ପପଲାର୍ସ ପ୍ରାସାଦକୁ ନିମନ୍ତ୍ରିତ ହେଲା । ଭୋଜନର ନିମନ୍ତ୍ରଣ, ସାଧାରଣତଃ ସନ୍ଧ୍ୟା ପରେ । ଅନ୍ୟ ଅତିଥି ଜଣକ ହେଉଛନ୍ତି ପାଦ୍ରୀ ଆବେ ପିକୋ । ସେ ଜଣେ ଦିଲଦାର ଓ ଭେଦ ଭାବହୀନ ଧର୍ମଯାଜକ । ସେ ଏମିତି ରସାଇ ମଜାଇ ଅନର୍ଗଳ କଥା କହିପାରନ୍ତି ଯେ ତାହାଙ୍କୁ ଭୋଜନ ଟେବୁଲରେ ଆଣି ବସାଇ ପାରିବା ଯେ କୌଣସି ଗୃହସ୍ଥ ପକ୍ଷରେ ଏକ ପରମ ସୌଭାଗ୍ୟଜନକ କଥା ବୋଲି ବିବେଚିତ ହୁଏ ।

 

ରାତି ଅଧିକ ହୁଅନ୍ତେ ପାଦ୍ରୀ ବିଦାୟ ନେଲେ । ଜୁଲିୟେନ ଅବଶ୍ୟ ଆଗରୁ ତାହାର ଘରକୁ ଚାଲି ଯାଇଥିଲା । ତା’ପରେ ଘରର ଲୋକମାନେ ଯେଝେ ଯେଝାର ଶୟନ କକ୍ଷରେ ଦେହ ଲମ୍ବାଇ ଦେଲେ ।

 

ଯୁବତୀ ଜିୟେନର ଆଖିରେ ନିଦ ନ ଥିଲା । ଖୋଲା ଝରକା ପାଖରେ ଠିଆହୋଇ ସେ ବାହାରକୁ ଅନାଇ ରହିଥିଲା । ଧରଣୀରେ ଖଇ ଫୁଟିଲା ପରି ସଫା ଜହ୍ନ ପଡ଼ିଥିଲା । ପପଲାର୍ସର ସୀମା ଟପିଲେ ଗୋଟାଏ ଖାଲ । ତା’ପରେ ଗୋଟାଏ ପାହାଡ଼ । ପାହାଡ଼ର ଫାଙ୍କରେ ଅତଳ ମହାସାଗରର ଅନନ୍ତ ବିସ୍ତାର ଦୃଷ୍ଟିରେ ପଡ଼େ । ଅସଂଖ୍ୟ ଢେଉରେ ସମୁଦ୍ର ବକ୍ଷ ବିକ୍ଷୁବ୍ଧ । ନିଜ ଅନ୍ତର ଆଡ଼କୁ ଅନାଇ ଜିୟେନ ଦେଖିଲା, ଆଜି ସେହି ହୃଦୟ ସାଗରରେ ବି ଢେଉ ଉଠୁଛି । ଚାନ୍ଦର ଆଲୁଅ ଖାଲି ବାହାରେ ପଡ଼ି ନ ଥିଲା, ତାହାର ଗୋପନ ମନର ନିରୋଳା କୋଣରେ ମଧ୍ୟ ପଡ଼ିଥିଲା ।

 

କେବେ ସେ ଆସିବେ ? –ଏତେ ଦିନ ହେଲା ଏହାହିଁ ଥିଲା କୁମାରୀ ହୃଦୟର ଏକମାତ୍ର ପ୍ରଶ୍ନ । ସେହି ଅଜଣା ପ୍ରିୟତମ, ଯାହାର ବେକରେ ପିନ୍ଧାଇବା ପାଇଁ ତନୁଲତାର ପ୍ରତି ଅଙ୍ଗକୁ ଫୁଲ ପରି ତୋଳି ଆଣି ନିଭୃତରେ ବସି ଅତି ସରୁ ଅଦେଖା ସୂତାରେ ଏହି ସତରଟି ବସନ୍ତର ଫୁଲ ହାରଟିଏ ସେ ସଯତ୍ନରେ ଗୁନ୍ଥି ରଖିଛି ।

 

ଆଜି ଭୋଜନ ଟେବୁଲରେ ଜିୟେନ ସେହି ପୁଞ୍ଜିଭୂତ ପ୍ରଶ୍ନର ଗୋଟାଏ ଜବାବ ପାଇଲା । ଯୁବକ ଜୁଲିୟେନର ଚାହାଣି, ଅତି ସାଧାରଣ ଆଳାପ ଭିତରେ କୋମଳ ଝଙ୍କାର, ବିଦାୟ କାଳୀନ କର-ପରଶର ଅନ୍ତରାଳରେ ଏକ କ୍ଷୀଣ ମୃଦୁ ଚାପର ଆଭାସ, ଏସବୁ ମିଶି ନୀରବ ଗୁଞ୍ଜନରେ ଜିୟେନକୁ ଏହି ଶୁଭ ସନ୍ଧ୍ୟାରେ ଜଣାଇ ଦେଲା–ଆସିଛି ! ସେ ଆସିଛି ଆଜି !

 

ଆଜି ଆକାଶ ପବନ ମଧୁମୟ, ଶିହରିତ ସାଗର ଜ୍ୟୋତ୍ସ୍ନା ଧବଳ । ଆଜି କୁମାରୀ ଜିୟେନର ଅନ୍ତରରେ ସୁଖର ଲହରୀ ମାଳା । ମନେମନେ ଆନନ୍ଦ ଅନୁଭବ କଲା ବେଳେ ଗୋଟାଏ ଶଙ୍କା ଜାତ ହେଲା–ସେ ମୋର ହେବ ତ ? ଯଦିଚ ଜୁଲିୟେନ ନିଜ ମନର କଥା ଆକାର ଇଙ୍ଗିତରେ ଆଜି ତାହାକୁ ଶୁଣାଇ ଦେଇ ଯାଇଥିଲା, ତଥାପି ସେ ଅପ୍ରତ୍ୟାଶିତ ସନ୍ଦେହକୁ ଲିଭାଇ ପାରୁ ନ ଥିଲା ।

 

ଏହିପରି ଏଣୁତେଣୁ କେତେ କଥା ଭାବୁଁ ଭାବୁଁ ଜିୟେନକୁ ନିଦ ମାଡ଼ିଲା । ସେ ବିଛଣାରେ ଯାଇ ଶୋଇ ପଡ଼ିଲା ।

 

କିନ୍ତୁ ସେହି ନିସ୍ତବ୍ଧ ଗଭୀର ନିଶୀଥରେ ପପଲାର୍ସ ପ୍ରାସାଦର ଆଉ ଗୋଟିଏ କକ୍ଷରେ ଏକ ବିଚିତ୍ର ନାଟକ ଅଭିନୀତ ହେଉଥିଲା । ଜିୟେନର କକ୍ଷ ପରି ମୂଲ୍ୟବାନ ବିଳାସିତାରେ ସେହି ଘରଟି ସଜା ହୋଇ ନ ଥିଲା । ଗୋଟିଏ ପରିଷ୍କାର ପରିଚ୍ଛନ୍ନ କୋଠରୀ, ଅତି ସାଧାରଣ ଆସବାବପତ୍ର, ଖଣ୍ଡିଏ ସରୁ ଖଟିଆରେ ଗୋଟିଏ ଜଣକିଆ ବିଛଣା । ତାହାରି ଉପରେ ଦର-ଶୁଆ ଅବସ୍ଥାରେ ପଡ଼ିଥିଲା ରୋଜାଲି । ବିରଳ ରାତ୍ରିବାସରେ ତାହାର ଦେହର ଉଦ୍ଧତ ଯୌବନ ଆବୃତ ନ ହୋଇ ବାତୟାନ ପଥର ଉଜ୍ଜ୍ୱଳ ଚନ୍ଦ୍ରାଲୋକରେ ଅଧିକ ଉଦ୍ଭାସିତ ହେଉଥିଲା ।

 

ସେହି କୋଠରୀଟିରେ ରୋଜାଲି ଏକା ନ ଥିଲା । ଆଉ ଜଣେ ବି ଥିଲା । ସେ ରୋଜାଲିର ବିଲକୁଲ ଅଚିହ୍ନା ନୁହେଁ । ଦିନେ ସେ ତାହାକୁ ଗିର୍ଜାରେ ଦେଖିଥିଲା । ଯେତେବେଳେ ପାଦ୍ରୀ ଆବେ ପିକୋ ସେହି ଯୁବକକୁ ବେରନ, ବେରନେସ ଓ କୁମାରୀ ଜିୟେନ ସହିତ ପରିଚୟ କରୁଥିଲେ, ରୋଜାଲିର ନଜର ତାହା ଉପରେ ପଡ଼ିଥିଲା ।

 

ରୋଜାଲି ଏତେ ରାତିରେ ନିଜର ଶୟନ କକ୍ଷରେ ତାହାକୁ ଦେଖି ଆବାକାବା ହୋଇ ଭୟରେ କହିଲା–ଏଁ, ଆପଣ ? ଆପଣ କାହିଁକି ଏଠାରେ ? କାହିଁକି ? ଏଠାକୁ କିପରି ଆସିଲେ ? ଯାଆନ୍ତୁ, ଚାଲି ଯାଆନ୍ତୁ ଦୟା କରି । ନୋହିଲେ ମୁଁ ପାଟି କରିବି । ଯାଆନ୍ତୁ, ଚାଲି ଯାଆନ୍ତୁ ଏଠାରୁ-

 

ଚାଲିଆସିବା ପାଇଁ ଜୁଲିୟେନ ସେଠାକୁ ଯାଇ ନ ଥିଲା । ଭୋଜନ ଟେବୁଲରୁ ଉଠି ଅନ୍ୟ ସମସ୍ତଙ୍କ ଅଲକ୍ଷ୍ୟରେ ସେ ସିଡ଼ି ଘରକୁ ଚାଲି ଯାଇଥିଲା । ସେଠାରେ ସେ କେତେ ଘଣ୍ଟା ଲୁଚି ରହିଥିଲା । ବର୍ତ୍ତମାନ ରାତି ବେଶି ହେବାରୁ ସେ ଛପି ଛପି ଏଠାକୁ ଆସିଲା । ଏତେ ବଡ଼ ପ୍ରାସାଦ ପୁରୀର କେଉଁ ପଟେ କେଉଁ କୋଠରୀରେ ରୋଜାଲି ଥାଏ, ଜୁଲିୟେନ ତାହା କିପରି ବା ଜାଣିଲା ? ଏହି ବ୍ୟବସାୟରେ ଯେଉଁମାନେ ବେପାରୀ, ସେମାନେ ଆଗରୁ ଖୋଜ ଖବର ନେଇ ଏହି କାମକୁ ବାହାରନ୍ତି !

 

ରୋଜାଲି ! ବିଚାରୀ ରୋଜାଲି ଦୁରନ୍ତ ଯୌବନର ଅତୃପ୍ତ ଲାଳସାକୁ ତାହାର ପ୍ରତିବାଦର କଣ୍ଠରେ ଚାପି ଧରିଲା । ଅନାହୂତ ଅତିଥି ସାମନାରେ ଦୁଆର ବନ୍ଦ କରିଦେବା ପାଇଁ ତାହାର ଶକ୍ତି କୁଳାଇଲା ନାହିଁ ।

 

 

ଦିନ ଗଡ଼ି ଯିବାକୁ ଲାଗିଲା । ତରୁଣୀ ଜିୟେନ ଓ ଯୁବକ ଜୁଲିୟେନ ଭିତରେ ସମ୍ପର୍କ ଘନିଷ୍ଠତର ହେଲା ।

 

ଦିନେ ବେରନ ମୃଦୁ ସ୍ୱରରେ ଝିଅକୁ ପଚାରିଲେ–ମାଆ ! ଭାଇକାଉଣ୍ଟ ଜୁଲିୟେନ ମୋ ପାଖରେ ଗୋଟାଏ ପ୍ରସ୍ତାବ ପକାଇଛି ।

 

ପ୍ରଥମେ ଜିୟେନ ବିଷୟଟା ଠିକ୍‍ ବୁଝିପାରିଲା ନାହିଁ । ତେଣୁ ହଠାତ୍‍ ତାହାର ଛାତି ଭିତରଟା ଧଡ଼ପଡ଼ ହେବାକୁ ଲାଗିଲା । ତାହାର କପାଳରୁ ଗଳା ପର୍ଯ୍ୟନ୍ତ ସମୁଦାୟ ମୁଖଟି ସିନ୍ଦୂର ପରି ଲାଲ ହୋଇଗଲା । ଥରେ ଆଖି ଟେକି ସେ ତାହାର ବାବାର ମୁଖକୁ ଅନାଇଲା ଏବଂ ପର ମୁହୂର୍ତ୍ତରେ ମୁଖ ପୁଣି ତଳକୁ ନୁଆଁଇଲା ।

 

ବେରନ ପୁଣି କହିଲେ–ପ୍ରସ୍ତାବଟି ହେଉଛି, ସେ ତୋତେ ବିଭା ହେବାକୁ ଚାହେଁ ।

 

ଏହା ଶୁଣିଲା ମାତ୍ରେ ଜିୟେନର ମୁଖ ଆହୁରି ତଳକୁ ନଇଁ ପଡ଼ିଲା । ସେ ଗୋଟିଏ ପଥର ମୂର୍ତ୍ତି ପରି ନିସ୍ପନ୍ଦ ହୋଇଗଲା । କିନ୍ତୁ ଭିତରେ ଭିତରେ ତାହାର ଛାତିଟା ଆହୁରି ଜୋରରେ ଧଡ଼ପଡ଼ ହେବାକୁ ଲାଗିଲା ।

 

ଝିଅ ଯେ ଏହି ବିଷୟରେ ବିଶେଷ କିଛି କଥା କହିବ, ବେରନ ଅବଶ୍ୟ ଏହା ଆଶା କରିନଥିଲେ । ତେଣୁ ଝିଅକୁ ଆକସ୍ମିକ ଧକ୍କାଟା ସମ୍ଭାଳି ନେଇ ପ୍ରକୃତିସ୍ଥ ହେବା ପାଇଁ ସମୟ ଦେବାକୁ ସେ କିଛି କ୍ଷଣ ନୀରବ ରହିଲେ । ତା’ପରେ ସେ ଜିୟେନକୁ ପଚାରିଲେ–ଏ ବିଷୟରେ ତୁ କଅଣ କହୁଛୁ ? ତୋ ମତ ନ ଦେଇ ତ ମୁଁ ତାହାକୁ କିଛି ଜବାବ ଦେଇ ପାରିବି ନାହିଁ ।

 

ଜିୟେନ ଆଉ ନୀରବ ରହିପାରିଲା ନାହିଁ, କାରଣ ତାହାଠାରୁ କିଛି ଜବାବ ପାଇବା ପାଇଁ ତାହାର ବାବା ଅପେକ୍ଷା କରିଥିଲେ । ତହିଁ ଜିୟେନ ଅତି ମୃଦୁ କଣ୍ଠରେ କହିଲା–ଏଥିରେ ମୋର ଅମତ ହେବାର କ’ଣ ଅଛି, ବାବା !

 

ବୃଦ୍ଧ ବେରନଙ୍କ ଅଧର କୋଣରେ ଟିକିଏ ହସ ଫୁଟିଲା । ତତ୍‍କ୍ଷଣାତ୍‍ ସେ ଓଠ କାମୁଡ଼ି ନିଜକୁ ସଂଯତ କରିନେଲେ । ଆଉ ଯାହାହେଉ ନା କାହିଁକି, ଏହି କଥାରେ ଝିଅ ଆଗରେ ହସିଲେ ଚଳିବ ନାହିଁ । ସେ ପୁଣି କହିଲେ–ମୁଁ ବି ସେହି ଭଳି କିଛି ମନେମନେ ଭାବିଥିଲି । କହୁଁ କହୁଁ ସେ ଉଠି ପଡ଼ିଲେ ଏବଂ ଚାଲିଗଲେ ।

 

ପ୍ରାୟ ଦେଢ଼ ମାସ ଭିତରେ ଜିୟେନ ସହିତ ଜୁଲିୟେନର ବିବାହ ସମ୍ପନ୍ନ ହେଲା । ବିବାହରେ କୌଣସି ରକମ ଆଡ଼ମ୍ବରର ଚିହ୍ନ ଦେଖାଗଲା ନାହିଁ । ବେରନେସ ଏଥିରେ କ୍ଷୁଣ୍ଣ ହେଲେ । କିନ୍ତୁ ବେରନ ନିରୂପାୟ, ସେ ପ୍ରାୟ ହାତ ବାନ୍ଧି ହୋଇ ରହିଥିଲେ । ବିବାହ ପୂର୍ବରୁ ଭାବୀ ଜାମାତା ଜୁଲିୟେନ ଘୋର ଆପତ୍ତି ଉଠାଇଥିଲା ଏହି ବିଷୟରେ–ନା, ନା, ଏଥିରେ ଅଯଥା କାହିଁକି ଗୁଡ଼ାଏ ଅର୍ଥ ଉଡ଼ାଇବେ ? ଯାହା ଖର୍ଚ୍ଚ ହୋଇଯିବ, ତାହା ତ ଆଉ ହାତକୁ ଫେରି ଆସିବ ନାହିଁ ! ତେଣୁ ଏମିତିକା ପାଗଳାମୀ କରି କି ଲାଭ !

 

ଜିୟେନ ହେଉଛି ବେରନଙ୍କର ଏକମାତ୍ର ଝିଅ, ସମସ୍ତ ସମ୍ପତ୍ତିର ଉତ୍ତରାଧିକାରିଣୀ । ଆଜି ଜୁଲିୟେନ ତାଙ୍କର ଝିଅକୁ ବିଭା ହେଲେ, କାଲି ସେ ପ୍ରକୃତରେ ସବୁ ସମ୍ପତ୍ତିର ମାଲିକ ହେବ-। ଯଦି ଜୋଇଁ କିଛି ଆପତ୍ତି କଲା, ସେଥିରେ ବାଧା ଦେବା ତାହାଙ୍କ ପକ୍ଷରେ ଉଚିତ ନୁହେଁ । ସେ ଅବଶ୍ୟ ଜୋର୍‍ କରି କିଛି କରି ପାରି ଥାଆନ୍ତେ, କିନ୍ତୁ ମୂଳରୁ ଜୋଇଁଙ୍କୁ କୌଣସିମତେ ରଗାଇ ଦେବା ଠିକ୍‍ ହେବ ନାହିଁ ଭାବି ସେ ସେଥିରୁ କ୍ଷାନ୍ତ ହେଲେ ।

 

ସୁତରାଂ ବିନା ଆଡ଼ମ୍ବରରେ ବିବାହ କାର୍ଯ୍ୟ ସରିଲା । ଅତିଥି ବୋଇଲେ ମେୟର, ଡାକ୍ତର ଓ ପ୍ରାସାଦ ସଂଲଗ୍ନ ଡାହାଣ ଓ ବାମ ପାଖର ଦୁଇ ଖମାରର କର୍ତ୍ତା କୁଇଲାର୍ଡ଼ ଓ ମାର୍ଟିନ । ଗ୍ରାମର ଚାଷୀମାନେ ନିମନ୍ତ୍ରିତ ହୋଇଥିଲେ, ଆଉ ଇପୋର୍ଟ ବନ୍ଦରର କେଉଟମାନେ । ସେମାନେ ସବୁବେଳେ ଜମିଦାରଙ୍କର ସୁଖ ଦୁଃଖରେ ଭାଗିଦାର ହେଉଥିଲେ ।

 

ସନ୍ଧ୍ୟାବେଳେ ରୋଶନି ହେଲା । ପପଲାର ବଗିଚାରେ ଟେବୁଲ ପକାଇ ଭୂରିଭୋଜନର ବ୍ୟବସ୍ଥା ହୋଇଥିଲା । ଜୋଇଁ ବା ଏଥିରେ କିପରି ଆପତ୍ତି ଉଠାଇବ ? ତାହାଛଡ଼ା ସେ ଆପତ୍ତି କଲେ ସୁଦ୍ଧା ବେରନ ତାହା ଗ୍ରହଣ କରିପାରିବେ ନାହିଁ । କାରଣ ପୁରୁଷାନୁକ୍ରମେ ଯେଉଁ ପ୍ରଥା ଚଳି ଆସୁଛି, ପଦିଏ କଥାରେ ତାହାକୁ ବନ୍ଦ କରିଦେବା ବେରନଙ୍କ ପକ୍ଷରେ ସମ୍ଭବ ନ ଥିଲା ଖାଲି ଗୋଟାଏ ଅପବ୍ୟୟର ବାହାନା ଦେଖାଇ । ତାହାହେଲେ ଦାଣ୍ଡରେ ଘାଟରେ ଲୋକେ ତାହାଙ୍କୁ କଅଣ କହିବେ ? ଏଥିରେ ଏମିତି କେତେ ଖରଚ ହେବ ?

 

ଅଭିଜାତ ଭଦ୍ରବ୍ୟକ୍ତିମାନଙ୍କର ଭୋଜନର ବ୍ୟବସ୍ଥା ହୋଇଥିଲା ଦୋତାଲାର ଭୋଜନ କକ୍ଷରେ । ଭୋଜନ ସାରି ଅତିଥିମାନେ ଜଣ ଜଣ ହୋଇ ବିଦାୟ ନେଲେ । ବେରନ ଓ ବେରନେସ ଗୋଟାଏ କୋଣରେ ଠିଆହୋଇ ମୁହଁ ହାତ ହଲାଇ କଥାବାର୍ତ୍ତା ହେବାକୁ ଲାଗିଲେ । ସେମାନେ ଏତେ ଆସ୍ତେ ଆସ୍ତେ କଥା ହେଉଥିଲେ ଯେ ଜିୟେନ ଗୋଟିଏ ହେଲେ ଶବ୍ଦ ଶୁଣିପାରୁ ନଥିଲା ।

 

ଶେଷ ଅବଧି ବେରନେସ ଟିକିଏ ଉଚ୍ଚ ସ୍ଵରରେ କହିବାର ଶୁଭିଲା–ନା, ନା, ସେମିତିକା କଥାସବୁ ସାଜେଇ ସଜେଇ ମୋତେ କହି ଆସିବ ନାହିଁ ।

 

ତା’ପରେ ଅତ୍ୟନ୍ତ ବିରକ୍ତ ହୋଇ ଚାଲି ଆସି ବେରନ ଜିୟେନକୁ କହିଲେ–ଚାଲ ମାଆ, ଆମେ ଟିକିଏ ବାହାରୁ ବୁଲି ଆସିବା ।

 

ଏତେ ରାତିରେ ବାପଠାରୁ ବୁଲିବାର ପ୍ରସ୍ତାବ ଶୁଣି ଜିୟେନ ଅବାକ୍‍ ହେଲା । ତଥାପି ସେ କହିଲା–ହେଉ, ଚାଲନ୍ତୁ ।

 

ବଗିଚା ଭିତରେ ବୁଲୁଁ ବୁଲୁଁ ବେରନ କେତେଥର ଗଳା ଖଙ୍କାର ମାରିଲେ । କଅଣ ଯେ କହିବେ, ସେ ତାହା ଠିକ୍‍ କରିପାରୁନଥିଲେ । ଜିୟେନ ତାଙ୍କର ଆଉ ଗୋଟାଏ ବିଶେଷ ପ୍ରଭେଦ ଲକ୍ଷ୍ୟ କଲା । ଅନ୍ୟ ଦିନେ ଏକା ସାଙ୍ଗରେ ବୁଲି ବାହାରିଲେ, ବେରନ ଝିଅର ହାତ ଧରି ନଚେତ୍‍ ତାହାକୁ ନିଜ ପାଖେ ପାଖେ ରଖି ଚାଲନ୍ତି । କିନ୍ତୁ ଆଜି ସେ ଏକ ପାହୁଣ୍ଡ ଆଗେଇ ଚାଲୁଥିଲେ, ଆଉ ଝିଅ ତାହାଙ୍କ ପଛେ ପଛେ ଯାଉଥିଲା ।

 

କିଛି କ୍ଷଣ ପରେ ବେରନ ଆରମ୍ଭ କଲେ–ଦେଖ ମାଆ, ଆମର ଏହି ଯେଉଁ ଦେଶ, ବୁଝିଲୁ ନା, ଲୋକେ କହନ୍ତି ଏମିତି ସଭ୍ୟ ଦେଶ, ଏମିତି ଉନ୍ନତ ଦେଶ ଦୁନିଆରେ ଆଉ ନାହିଁ । ଗୋଟାଏ ଦିଗରୁ ଦେଖିଲେ ହୁଏତ ଏହି କଥାଟା ଠିକ୍‍ ଜଣା ପଡ଼ିବ । କିନ୍ତୁ ଅନ୍ୟ ଦିଗରୁ, ଦୂର୍‍, ଏତେ ଗଲ୍‍ତି ଏଠାକାର ଶିକ୍ଷା ପ୍ରାଣଳୀରେ ଅଛି ଯେ ।

 

ଶିକ୍ଷା ? ଜିୟେନ ସତେ ଯେମିତି ଆକାଶରୁ ପଡ଼ିଲା । ବିବାହର ରାତିରେ ତାହାର ପିତା ବେରନ ମହୋଦୟ ତାହାକୁ ବାହାରକୁ ଡାକିଆଣି ମୁକ୍ତ ଆକାଶ ତଳେ ଠିଆହୋଇ ଫରାସୀ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ବକ୍ତୃତା ଦେବେ, ଜିୟେନ ଏହା ମନରେ ବି କଳ୍ପନା କରିନଥିଲା-

 

ବେରନ କଥା ପ୍ରସଙ୍ଗରେ କହିଲେ–ଅସଲ କଥାଟା କଅଣ ଜାଣୁ ? ଯେତେବେଳେ ପୁଅ ଝିଅସବୁ ବିଦ୍ୟାଳୟକୁ ପଢ଼ିବାକୁ ଯାଆନ୍ତି, ସେତେବେଳେ ଆମେ ଅବଶ୍ୟ ଭାବି ଥାଉଁ ଯେ ସେମାନେ ଚିରଦିନ ସେମିତିକା ସାନ ସାନ ପିଲା ହୋଇ ରହିଥିବେ, କଦାପି ବଡ଼ ହେବେ ନାହଁ । ସେଇଥିପାଇଁ, ମାନେ, ସେଇଠି ତ୍ରୁଟି ରହିଥାଏ । ବଡ଼ ହୋଇ ସେମାନେ ଯାହା ହେବାକୁ ବାଧ୍ୟ ହେବେ, ଅର୍ଥାତ୍ ବୟସ୍କ ମଣିଷ– ।

 

ଏହା ଶୁଣି ଜିୟେନ ମନେମନେ ଭାବିଲା, ଆଜି ବାବା ବୋଧହୁଏ ଟିକିଏ ବେଶି ପରିମାଣରେ ମଦ ଖାଇ ଦେଇଛନ୍ତି, ସେଇଥିପାଇଁ ତାଙ୍କର କଥାବାର୍ତ୍ତା ଏମିତି ଖାପଛଡ଼ା ମାଲୁମ ହେଉଛି ।

 

ବେରନ ପୁଣି କହିବାକୁ ଲାଗିଲେ–ମାନେ ଯେ ଡାକ୍ତର ହେବ ସେ ଡାକ୍ତରୀ ଶିକ୍ଷା ପାଉଛି, ଯେ ଯାଜକ ହେବ ସେ ଧର୍ମ ଶିକ୍ଷା କରୁଛି । କିନ୍ତୁ ସମସ୍ତଙ୍କୁ ଦିନେ ନା ଦିନେ ବୟସ୍କ ମଣିଷ ହେବାକୁ ପଡ଼ିବ । ସେତେବେଳେ ତାହାର ବାସ୍ତବିକ ଯାହା ଦରକାର ହେବ, ସେହିସବୁ ବିଷୟରେ ଶୈଶବରେ ସେମାନଙ୍କୁ କେହି ଶିକ୍ଷା ଦେଉ ନାହିଁ । ବିଦ୍ୟାଳୟରେ ଶିକ୍ଷକମାନେ ତ ତାହା ଶିକ୍ଷା ଦେଉ ନାହାନ୍ତି, ଘରେ ବାପ ମାଆମାନେ ମଧ୍ୟ ଦେଉ ନାହାନ୍ତି । ସେଇଥିପାଇଁ ପରା ମୁଁ କହୁଥିଲି, ବର୍ତ୍ତମାନ ଆମର ଶିକ୍ଷା ବ୍ୟବସ୍ଥା ଗୋଟାଏ ଭୟଙ୍କର କଦର୍ଯ୍ୟ ଅବସ୍ଥାରେ ଆସି ପହଞ୍ଚିଛି-। ମୂଳରୁ ସେଥିରେ ଢେର୍‍ ଗଲତି ରହିଛି ।

 

ବହୁ କ୍ଷଣ ନୀରବ ରହି, ହୁଏତ ଭଦ୍ରତାର ଖାତିରରେ, ଜିୟେନ ଗୋଟିଏ ମାତ୍ର ଶବ୍ଦ ଉଚ୍ଚାରଣ କଲା–ଗଲତି ?

 

ଏହି ଶବ୍ଦଟିରେ ଯଥେଷ୍ଟ ଉତ୍ସାହିତ ହୋଇ ବେରନ କହିଲେ–ଗଲତି ଛଡ଼ା ତାହା ଆଉ କଅଣ ହୋଇପାରେ ? ନିଶ୍ଚୟ ଗଲତି । ତୋ ନିଜ କଥା କହୁନୁ । ତୁ ନିଜକୁ ବୟସ୍କ କହିପାରୁ, କାରଣ ଆଜି ତୋର ବିବାହ ହେଲା ।

 

ହଠାତ୍‍ ବେରନଙ୍କର କୋହ ଉଠିଲା । ସେ ଆଉ କିଛି କହିପାରିଲେ ନାହିଁ । କାରଣ ଝିଅଟି ବିଭା ହୋଇଯିବାରୁ, ସେ ଆଉ ତାଙ୍କର ନିଜର ହୋଇ ରହିଲା ନାହିଁ, ପର ଘରକୁ ଚାଲିଗଲା-। ତାହାର ଭଲମନ୍ଦ ହାନିଲାଭ ସମ୍ବନ୍ଧରେ ତାହା ଉପରେ ପ୍ରତ୍ୟକ୍ଷ ଭାବରେ କିଛି ହୁକୁମ ଚଳାଇବାର ଅଧିକାର ସେ ହଠାତ୍‍ ହରାଇଲେ । ସେହି ଅଧିକାର ଯାଇ ପଡ଼ିଲା ଏପରି ଜଣେ ସମ୍ପର୍କହୀନ ଲୋକ ଉପରେ, ଯାହା ସମ୍ବଦ୍ଧରେ ସେ କିଛି ଜାଣନ୍ତି ନାହିଁ ।

 

କିନ୍ତୁ ମନର ଦୁଃଖକୁ ଆପଣା ମନ ଭିତରେ ଚାପି ରଖି ବର୍ତ୍ତମାନର କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ସେ ସଙ୍ଗେ ସଙ୍ଗେ କହି ପକାଇଲେ–ହଁ, ତୋର ବିବାହ ହୋଇଗଲା । ଏହି ଦାମ୍ପତ୍ୟ ଜୀବନରେ ତୋର କେତେଗୁଡ଼ିଏ ନୂତନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଦୁନିଆର ନିୟମ, ସମସ୍ତଙ୍କୁ ଏହା କରିବାକୁ ହୁଏ । ନୂତନ ପରିସ୍ଥିତି ! ନୂତନ କର୍ତ୍ତବ୍ୟ ! ଅପରିହାର୍ଯ୍ୟ କର୍ତ୍ତବ୍ୟ ! ଅଥଚ ଆମେ କେବେହେଲେ ତୋତେ ଏହି ବିଷୟରେ କିଛି ଶିକ୍ଷା ଦେଇ ନାହୁଁ, ଏପରିକି ଟିକିଏ ସୂଚନା ବି ଦେଇ ନାହୁଁ ।

 

ଏତେବେଳେ ଜିୟେନ ଅସ୍ପଷ୍ଟ ଭାବରେ ବୁଝିପାରିଲା, ତାହାର ବାବା ତାହାକୁ କଅଣ କହିବାକୁ ଯାଉଛନ୍ତି । ସେ ମନେମନେ ଭୀଷଣ ଅସ୍ଵସ୍ତି ବୋଧ କଲା ।

 

ବେରନ ପୁଣି କହିଲେ–ସ୍ଵାମୀ କଥାଟା ହୁଏତ ତୋତେ ଏକାବେଳେ ଗୋଟାଏ ନୂଆ ଜିନିଷ ବୋଲି ଜଣା ଯିବ । ନୂଆ ତ ସତ, ସମୟ ବିଶେଷରେ ଅସ୍ୱସ୍ତିଜନକ ମଧ୍ୟ । କାରଣ ସେ ଜଣେ ଜିଅନ୍ତା ମଣିଷ । ତାହାର କେତେଗୁଡ଼ିଏ ଝୁଙ୍କ ଅଛି, ଦାବି ମଧ୍ୟ ଅଛି । ପ୍ରଥମେ ପ୍ରଥମେ ସେସବୁ ତୋତେ ରୁଚିକର ବୋଧ ହୋଇ ନ ପାରେ । ସାଧାରଣତଃ ହୁଏନା, ମାନେ ଏହି ପ୍ରଥମେ ପ୍ରଥମେ । ତା’ପରେ ଅବଶ୍ୟ ।

 

ଜିୟେନ ନୀରବ ରହିଲା । ତାହାର କାନ ଦୁଇଟା ଗରମ ହୋଇଗଲା ।

 

ବେରନ କହିବାକୁ ଲାଗିଲେ–ତୋତେ ସେସବୁ ମାନି ନେବାକୁ ହେବ, ମାଆ, ଦୁନିଆରେ ମାନି ନେଇ ଚଳିବାକୁ ହେବ । ସେଥିପାଇଁ ମୁଁ ପ୍ରଥମେ କହୁଥିଲି ପରା, ଏସବୁ ବିଷୟରେ ପିଲାମାନଙ୍କୁ ଆଗରୁ ଶିକ୍ଷା ଦେଉଥିଲେ ଖୁବ୍‍ ଭଲ ହେଉ ଥାଆନ୍ତା । କିନ୍ତୁ ସେସବୁ କଥା ତ କେହି ଶିକ୍ଷା ଦେବେ ନାହିଁ । କାରଣ ଆମର ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ତାହାର ନାମ ଗନ୍ଧ ସୁଦ୍ଧା ନାହିଁ ।

 

ହଠାତ୍‍ ବେରନଙ୍କର ମନେହେଲା, ସେ ଯେମିତି ନିଜେ ଖୁବ୍‍ ବେଶି ବାଜେ କଥାସବୁ ବକୁଛନ୍ତି ଏବଂ ତହିଁ ସଙ୍ଗେ ସଙ୍ଗେ ନିଜକୁ ଝିଅ ନିକଟରେ ପ୍ରାୟ ହାସ୍ୟାସ୍ପଦ କରି ଦେଉଛନ୍ତି । ବେରନେସ ମନେମନେ ଭୟ କରୁଥିଲେ, ତାଙ୍କର ସ୍ଵାମୀ ଜିୟେନକୁ ଠିକ୍‍ ଭାବରେ କିଛି କହିପାରିବେ ନାହିଁ । ସତକୁ ସତ ବେରନ ବି ନିଜେ ତାହା ଉତ୍ତମ ଭାବରେ କରିପାରୁନଥିଲେ ।

 

ସୁତାରାଂ ସେ ତରବରରେ ନିଜର ବକ୍ତବ୍ୟ ଶେଷ କଲେ–ଦାମ୍ପତ୍ୟ ଜୀବନର ଅନନ୍ତ ରହସ୍ୟ ବିଷୟରେ କିଛି ଶିକ୍ଷା ନ ଦେଇ ଆମେ ଝିଅମାନଙ୍କୁ ସେହି ବିବାହିତ ଜୀବନ ଭିତରକୁ ପ୍ରାୟ ଠେଲି ଦେଉଁ । ଆମେ ଆଶା କରୁଁ ଯେ ସେ ନିଜର ସ୍ଵାମୀଠାରୁ ଯଥା ସମୟରେ ସେସବୁ ଶିକ୍ଷା ପାଇବ । ସେହି ଶିକ୍ଷା ସବୁ ସମୟରେ ରୁଚିକର ଓ ତୃପ୍ତିଦାୟକ ହେବ କି ନା, ତାହା ଶିକ୍ଷା ଉପରେ ନିର୍ଭର କରେ ।

 

ହଠାତ୍‍ ଜିୟେନକୁ ଟିକିଏ ଶୀତ ଲାଗିଲା । ସେ ସର୍ବାଙ୍ଗରେ ଗୋଟାଏ ଶିହରଣ ଅନୁଭବ କଲା, ଗୋଟାଏ କେମିତିକା ଅସ୍ଵସ୍ତି । ତାହାର ମନରେ ଟିକିଏ ଭୟ ଜାତ ହେଲା ।

 

ବେରନ ସହସା କହିଲେ–ଚାଲ ମାଆ, ଘରକୁ ଯିବା ଚାଲ । ଥଣ୍ଡା ପଡ଼ିଲାଣି । ତେବେ ତୋତେ ମୋର ଶେଷ ଉପଦେଶ ହେଲା, ସ୍ଵାମୀ ହେଉଛି ତୋର ଗୁରୁ ଓ ପ୍ରଭୁ । ତୁ ଦେହ ଓ ମନରେଏକାନ୍ତ ଭାବରେ ତାହାର । ମୋର ଏହି କଥା ପଦକ ତୁ କଦାପି ପାଶୋରିବୁ ନାହିଁ ।

 

ନିତି ରାତିରେ ଦାସୀ ରୋଜାଲି ଜିୟେନର ପୋଷକପତ୍ର ବଦଳାଇ ଦେଲେ, ସେ ବିଛଣାରେ ଶୋଇ ପଡ଼େ । ସେ ନିତି ଏହି କାମଟା କରେ । ସେତିକିବେଳେ ଦୁହିଁଙ୍କ ଭିତରେ ଥଟା ତାମସା ଚାଲେ । କାରଣ ଜିୟେନ ତାହାକୁ ଜଣେ ଦାସୀ ଭାବରେ ଦେଖେ ନାହିଁ, ରୋଜାଲି ପ୍ରାୟ ତାହାର ଭଉଣୀ ପରି । ତାହାଛଡ଼ା ଦୁହେଁ ସମ ବୟସୀ ହୋଇ ଥିବାରୁ ଦୁହିଁଙ୍କ ଭିତରେ ଗୋଟାଏ ପ୍ରୀତିର ସମ୍ପର୍କ ସ୍ଥାପିତ ହୋଇଥିଲା ।

 

ରୋଜାଲି ନିତି ତାହା ସାଙ୍ଗରେ ଥଟା ତାମସା କରୁଥିଲା । କିନ୍ତୁ ଏହି ଶୁଭ ଦିନରେ ସେ କାନ୍ଦି କାଟି ଏକାକାର ହୋଇଗଲା । ଜିୟେନର ପୋଷାକ ଖୋଲିଲା ବେଳେ ତାହାର ଆଖିରୁ ବାରି ଧାରା ପରି ଲୁହ ଗଡ଼ିବାକୁ ଲାଗିଲା । ଏହା ଦେଖି ଜିୟେନ ଅବାକ୍‍ ହେଲା । ସେ ତାହାକୁ ବାରମ୍ବାର ପଚାରିଲା–ରୋଜାଲି, ଏତେ କାନ୍ଦୁଛୁ କାହିଁକି ? ତୋର କଅଣ ହେଲା କହ ।

 

କିନ୍ତୁ ରୋଜାଲିର ତୁଣ୍ଡରୁ ପଦିଏ ହେଲେ କଥା ବାହାରିଲା ନାହିଁ । ସେ ଖାଲି କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା । ଅବଶେଷରେ ସେ ଆଉ କାନ୍ଦ ସମ୍ଭାଳି ପାରିଲା ନାହିଁ, ଘରୁ ଧାଇଁ ପଳାଇଲା । ଏହା ଦେଖି ଜିୟେନ ଆବାକାବା ହୋଇଗଲା । ରୋଜାଲିର ଅପ୍ରତ୍ୟାଶିତ କାନ୍ଦଣା ତାହାକୁ ଅତ୍ୟନ୍ତ ଅସ୍ଵାଭାବିକ ବୋଧ ହେଲା, କାରଣ ଏହା ସୁଖର କାନ୍ଦଣା ବଦଳରେ ଦୁଃଖର କାନ୍ଦଣା ବୋଲି ପ୍ରାୟ ମାଲୁମ ହେଲା ।

 

ରୋଜାଲିର ଅସ୍ଵଭାବିକ ଆଚରଣରେ ବିଚଳିତ ହୋଇ ଜିୟେନ ଆଉ ତାହା ପାଇଁ ଅପେକ୍ଷା କଲା ନାହିଁ, ନିଜେ କମ୍ବଳଟା ଟାଣି ନେଇ ଶୋଇ ପଡ଼ିଲା । ପ୍ରାୟ ସଙ୍ଗେ ସଙ୍ଗେ ଜୁଲିୟେନ ଆସି ଘରେ ପ୍ରବେଶ କଲା । ସେ ଖାଲି ଖଣ୍ଡିଏ ଜଙ୍ଘିଆ ପିନ୍ଧିଥିଲା ।

 

ସ୍ୱାମୀର ଲୋମଶ ବକ୍ଷ ଓ ଊରୁ ଦେଖି, ଜିୟେନକୁ ଡର ମାଡ଼ିଲା । ସେ ପ୍ରାୟ କହିବାକୁ ଯାଉଥିଲା–ଆଜି ନୁହେଁ, ଆଜି ନୁହେଁ, ଆଜି ମୋତେ କ୍ଷମା କର । କିନ୍ତୁ ସେହି ମୁହୂର୍ତ୍ତରେ ତାହାର ବାବାର କଥା ମନେପଡ଼ିଲା–ସ୍ଵାମୀ ତୋର ପ୍ରଭୁ, ତୁ ଦେହ ଓ ମନରେ ଏକାନ୍ତ ଭାବରେ ତାହାର ।

 

ଜିୟେନର କାକୁତି ମିନତି ଫୁଟି ପାରିଲା ନାହିଁ, ତଣ୍ଟି ଭିତରେ ଅଟକି ରହିଲା । ଗୋଟାଏ ନିବିଡ଼ ସାନ୍ନିଧ୍ୟ, ଗୋଟାଏ ନିଷ୍ଠୁର ପେଷଣ, ଗୋଟାଏ ତୀବ୍ର ବ୍ୟଥା ।

 

ତା’ପରେ ଜିୟେନର ସବୁ ଅନୁଭୂତି ଅଚଳ ହୋଇଗଲା ।

 

 

ବିବାହର ଚତୁର୍ଥ ଦିନରେ ବର ଓ କନ୍ୟା କର୍ସିକାରେ ମଧୁଚନ୍ଦ୍ରିକା ଯାପନ ନିମନ୍ତେ ଯାତ୍ରା କଲେ । ବିଦାୟ ବେଳେ ବେରନେସ ଜିୟେନର ହାତରେ ଗୋଟିଏ ଟଙ୍କାର ଥଳି ଦେଇ କହିଲେ–ତୋ ନିଜର ହାତ ଖରଚ ପାଇଁ ।

 

ମାର୍ସାଇ ବନ୍ଦରରେ ଜୁଲିୟେନ ଓ ଜିୟେନ ଜାହାଜରେ ଚଢ଼ିଲେ । ରୟ ଲୁଇ ନାମକ ଜାହାଜଟି ନେପଲ୍‍ସ ପର୍ଯ୍ୟନ୍ତ ଯିବ, ମଝିରେ ଥରେ କର୍ସିକାର ରାଜଧାନୀ ଆଜାଇଚୋରେ ଅଟକିବ ।

 

ସମୁଦ୍ରରେ ଜାହାଜ ଭିତରେ ବର ଓ କନ୍ୟା ଦୁଇ ଦିନ କଟାଇଲେ । ଜିୟେନ ନିକଟରେ ସମୁଦ୍ରର ଉଗ୍ର ଚେହେରା ନୂଆ ନୁହେଁ । ପପଲାର୍ସ ପ୍ରାସାଦର ଝରକା ପାଖରେ ଠିଆ ହେଲେ ସେ ଦୂରରେ ଆଟଲାଣ୍ଟିକ ମହାସାଗରର ତରଙ୍ଗ ବିକ୍ଷୋଭ ଦେଖିବାକୁ ପାଏ । ଦୂରରୁ ନୀଳ ସାଗରର ଶୋଭା ଯେତିକି ଦେଖିବା ସମ୍ଭବ, ସେ ତାହା ଦେଖିଛି । କିନ୍ତୁ ଦିକ୍‍-ଚିହ୍ନ-ହୀନ ସମୁଦ୍ରର ବକ୍ଷ ଚିରି ଜାହାଜର କ୍ରମାଗତ ଅଗ୍ରସର, ଏହି ଅଭିଜ୍ଞତା ଜିୟେନ ନିକଟରେ ଏକାବେଳେ ନୂଆ ।

 

ବିଶାଳ ବିଶାଳ ଡଲଫିନସବୁ ଜାହାଜର ଆଖପାଖରେ ଘୂରି ବୁଲୁଥିଲେ, ଏ ପାଖରେ ଡୁବି ଯାଇ ସେ ପାଖରେ ଫଟ୍‍ କରି ଭାସି ଉଠୁଥିଲେ, କେତେବେଳେ ଅବା ହଠାତ୍‍ ଡେଇଁ ପଡ଼ି ଆକାଶରେ କେତେ ସେକେଣ୍ଡ ଉଡ଼ୁଥିଲେ ଏବଂ ତା’ପରେ ଝପାଂ କରି ପୁଣି ପାଣିରେ ପଡ଼ୁଥିଲେ । ସେମାନଙ୍କର ଏମିତିକା ଅଜବ ଖେଳ ଦେଖି ଦେଖି ଜିୟେନର ମନର ସାଧ ମେଣ୍ଟୁ ନ ଥିଲା ।

 

ଜାହାଜଟି ଯାତ୍ରୀ ଜାହାଜ ନୁହେଁ, ଗୋଟିଏ ମାଲବାହୀ ଜାହାଜ । ତାହା ଭିତରେ ଗୋଟିଏ ଦୁଇଟା କେବିନ ଥିଲା । କିନ୍ତୁ ତାହା ଭିତରକୁ ପଶିଲା ମାତ୍ରେ ଦମ୍‍ ବନ୍ଦ ହୋଇ ଯାଉଥିଲା-। ତେଣୁ ଜିୟେନ ଓ ଜୁଲିୟେନକୁ ବାଧ୍ୟ ହୋଇ ଡେକ୍‍ ଉପରେ ଶୋଇବାକୁ ପଡ଼ୁଥିଲା-

 

ଦ୍ଵିତୀୟ ଦିନ ଦିଗନ୍ତରେ ପାହାଡ଼ ଦିଶିଲା । କର୍ସିକାର ବୃତ୍ତାକାର ଗିରିମାଳା, ଦେଶୀ ଭାଷାରେ ଯାହାକୁ ମାକୁଇ ବୋଲି କହନ୍ତି । ତିନୋଟି ଜିନିଷ ସକାଶେ କର୍ସିକା ବିଖ୍ୟାତ–ଏକ ହେଲା କର୍ସିକାର ମାକୁଇ, ଦୁଇ ହେଲା ଡକେଇତ, ଆଉ ତିନି ହେଲା ନେପୋଲିୟାଁ ।

 

ଜାହାଜର ପ୍ରୌଢ଼ କପ୍ତାନ କଥା ପ୍ରସଙ୍ଗରେ ଥରେ ଯାତ୍ରୀମାନଙ୍କୁ ଶୁଣାଇ ଦେଲା ଯେ ସେ ହେଉଛି ସମ୍ରାଟଙ୍କର ଜ୍ଞାତି ଭାଇ । ଏହା କହିବା ସମୟରେ ସାତ ସମୁଦ୍ରର ସେପାରିରେ ସେଣ୍ଟ ହେଲେନାରେ ନିର୍ବାସିତ ନେପୋଲିୟନଙ୍କୁ ସମ୍ମାନ ଦେଖାଇବା ଉଦ୍ଦେଶ୍ୟରେ ସେ ମଥାରୁ ଟୋପିଟା କାଢ଼ି ସାଡ଼ମ୍ୱରରେ ଉପରକୁ ଟେକି ଧରିଥିଲା ।

 

ପାହାଡ଼ର ମଝିରେ ଗୋଟିଏ ଫାଙ୍କା ପଥ । ଜାହାଜଟି ସେହି ବାଟେ ପଶିଗଲା । ପଥଟି ବୁଲି ବୁଲି ଯାଇଛି । ଡାହାଣରେ ପାହାଡ଼ ଓ ବାମରେ ପାହାଡ଼, ଚଉଦିଗରେ ପାହାଡ଼ । ଶେଷ ଅବଧି ମନେହେଲା, ସତେ ଯେମିତି ଜାହାଜଟି ପାହାଡ଼ ବେଷ୍ଟିତ ଗୋଟିଏ ହ୍ରଦରେ ଭାସୁଛି, ସମୁଦ୍ର ସହିତ ଏହାର ମୋଟେ ଯୋଗାଯୋଗ ନାହିଁ ।

 

ସେହି ହ୍ରଦର କୂଳରେ ଆଜାଇଚୋ ସହର ଅବସ୍ଥିତ । ଜାହାଜର ଏକାବେଳେ କୂଳରେ ଭିଡ଼ିବାର ଉପାୟ ନାହିଁ, କାରଣ ଜଳ ଗଭୀର ନୁହେଁ । ମାଲ ଓ ଯାତ୍ରୀମାନଙ୍କୁ ନେବା ପାଇଁ କୂଳରୁ ନୌକାସବୁ ଆସୁଛନ୍ତି ।

ଜିୟେନ ଓ ଜୁଲିୟେନ ଜାହାଜରୁ ଓହ୍ଲାଇଲେ । କାରଣ ଆଜାଇଚୋ ସହର ହେଉଛି ସେମାନଙ୍କର ଗନ୍ତବ୍ୟ ସ୍ଥାନ । ଏଠାରେ ଓହ୍ଲାଇ ସେମାନେ କର୍ସିକାର ପାହାଡ଼ରେ ଘୂରି ବୁଲିବେ ।

ସେମାନେ ଗୋଟିଏ ହୋଟେଲରେ ଯାଇ ଉଠିଲେ । ବିରାଟ ହୋଟେଲ, ଅସଂଖ୍ୟ କୋଠରୀ, ସବୁ ପ୍ରାୟ ଖାଲି । ଜୁଲିୟେନ ଗୋଟିଏ କୋଠରୀ ଭଡ଼ା ନେଲା । ସେମାନେ ଖିଆପିଆ କଲେ । ଜିୟେନ ବୁଲିବାକୁ ଯିବା ପାଇଁ ସଜ ହେଲା । ଆଜି ସେମାନେ ସହରଟି ବୁଲି ଦେଖିବେ, କାଲିଠାରୁ ଘୋଡ଼ା ଓ ଗାଇଡ୍‍ ନେଇ ପାହାଡ଼ ଭିତରେ ପ୍ରବେଶ କରିବେ । କର୍ସିକାକୁ ବୁଲି ଆସିବା ମାନେ ତ ପାହାଡ଼ରେ ଘୂରି ବୁଲିବା ।

ଜିୟେନ ବାହାରିବା ପାଇଁ ପ୍ରସ୍ତୁତ, ଏତିକିବେଳେ ଜୁଲିୟେନ ତାହାର କାନରେ କହିଲା–ଚାଲ, ଘରେ ଯାଇ ଟିକିଏ ଶୋଇବା ।

ଏହା ଶୁଣି ଜିୟେନ ଅବାକ୍‍ ହେଲା–ଏଁ, ଶୋଇବା ? ଏକ୍ଷଣି ? ମୁଁ ତ ତିଳେହେଲେ କ୍ଳାନ୍ତି ବୋଧ କରୁ ନାହିଁ ।

ଜୁଲିୟେନ ଜବାବ ଦେଲା–କ୍ଳାନ୍ତିର ପ୍ରଶ୍ନ ଉଠୁ ନାହିଁ । ତୁମକୁ ମୋର ଥରେ ଦରକାର । ବୁଝି ପାରୁ ନାହଁ, ଜାହାଜରେ ମୁଁ ଦୁଇ ଦିନ ହେଲା ଉପବାସ ରହିଛି ।

ଜିୟେନ ଲଜ୍ଜାରେ ମୁହଁ ତଳକୁ ନୁଆଁଇଲା । ସେ ଆଉ ମୁଣ୍ଡ ଟେକିଲା ନାହିଁ । ନତ ନୟନରେ ଚଟାଣକୁ ଅନାଇ ଅନାଇ ସେ ସିଡ଼ିରେ ଉପରକୁ ଉଠିଗଲା । ତାହାର ମନେହେଲା, ହୋଟେଲ ଯାକର ଲୋକେ ବୋଧହୁଏ ତାହା ଆଡ଼କୁ ଅନାଇ ହସୁଛନ୍ତି ।

ନିଜ ବାବାର କଥା ଜିୟେନର ମନେପଡ଼ିଲା–ରୁଚିକର ହୋଇ ନ ପାରେ, କିନ୍ତୁ ତୋତେ ସ୍ଵୀକାର କରିବାକୁ ହେବ ଯେ ସ୍ଵାମୀହିଁ ପ୍ରଭୁ, ଦେହ ଓ ମନରେ ତୁ ସମ୍ପୂର୍ଣ୍ଣ ତାହାର ।

ପର ଦିନ ସ୍ଵାମୀ ସ୍ତ୍ରୀ ଦୁହେଁ ଦୁଇଟି ତଟୁ ଘୋଡ଼ା ଭଡ଼ା କରି ଜଣେ ଗାଇଡ୍‍କୁ ସାଙ୍ଗରେ ନେଇ ପାହାଡ଼ ଭିତରେ ପଶିଲେ । ପ୍ରଥମେ ପ୍ରଥମେ ପାହାଡ଼କୁ ଲାଗି ଗ୍ରାମସବୁ ନଜରରେ ପଡ଼ିଲା-। ଗଛର ଅଗରେ ଚଢ଼େଇ ବସା ପରି ଗ୍ରାମଗୁଡ଼ିକ ସତେ ଯେମିତି ପାହାଡ଼ର ଚୂଡ଼ାରୁ ଝୁଲୁଥିଲା-। ଦିନ ପରେ ଦିନ ଗଡ଼ିଯିବାକୁ ଲାଗିଲା । ତା’ପରେ ଆଉ କେଉଁଠି ଗ୍ରାମର ଦେଖା ମିଳିଲା ନାହିଁ-

ବେଳେ ବେଳେ ଜଣେ ଅଧେ ଗାଈଆଳ ନଜରରେ ପଡ଼ନ୍ତି । ଗାଈଆଳ ପାହାଡ଼ରେ ବୁଲି ବୁଲି ଛେଳି ଚରାଏ । ହଠାତ୍‍ କେଉଁଠି ଗୋଟାଏ କୁଡ଼ିଆ ଦେଖାଯାଏ । ସେହି କୁଡ଼ିଆଟିର ଅଧିବାସୀମାନେ ଡକେଇତ କି ଗୃହସ୍ଥ ପ୍ରଥମେ କିଛି ମାଲୁମ ହୁଏ ନାହିଁ । ହୁଏତ ଉଭୟ । ସୁଯୋଗ ପାଇଲେ ସେମାନେ ଡକେଇତି କରନ୍ତି, ଆଉ ସୁଯୋଗ ନ ପାଇଲେ ପଥର ଖୋଳି ସେମାନେ ତାହା ଭିତରେ କେତେ ରକମ ପରିବାର ମଞ୍ଜି ଲଗାନ୍ତି ।

ଗାଇଡ୍‍ ନ ନେଇ ଏହି ସବୁ ପାହାଡ଼ରେ ଦିନେହେଲେ ବି ଏକା ବୁଲି ହୁଏ ନାହିଁ । ଉପତ୍ୟକା ପରେ ଅଧିତ୍ୟକା, ତୀଖ ପାହାଡ଼ ପରେ ଅତଳ ତଳ ଖାଲ । ସବୁଠାରୁ ବେଶି ବିପଦର କଥା ହେଉଛି କେଉଁଠି କୌଣସି ନିୟମିତ ଆଶ୍ରୟର ସ୍ଥାନ ନାହିଁ ।

ତେବେ ଗାଇଡ୍‍କୁ ମାଲୁମ ଅଛି, କେଉଁ ବାଟରେ କେତେ ଦୂର ଗଲେ ଦିନର ଶେଷରେ ରାତିକ ପାଇଁ ମଣିଷର ଆଶ୍ରୟ ଟିକିଏ ମିଳିବ । ହେଉ ପଛକେ ସେ ଡକେଇତ, କିନ୍ତୁ ଅତିଥିର ସତ୍କାରରେ ସେ କୌଣସି ସଭ୍ୟ ମଣିଷଠାରୁ କମ୍‍ ଆନ୍ତରିକତା ଦେଖାଇବ ନାହିଁ । ବିଶେଷତଃ ଏହି ଗାଇଡ୍‍ ସେହି ସବୁ କୁଟୀରବାସୀଙ୍କର ଅତ୍ୟନ୍ତ ପରିଚିତ, କେତେକଙ୍କର ଆତ୍ମୀୟ ମଧ୍ୟ । ଗାଇଡ୍‍ର ଖାତିରରେ ସେମାନେ ଯେକୌଣସି ବିଦେଶୀକୁ ଯଥାସାଧ୍ୟ ଆଦର ଅଭ୍ୟର୍ଥନା କରିବାକୁ ପ୍ରସ୍ତୁତ ଥାଆନ୍ତି ।

 

ସେମାନେ ସମସ୍ତେ ଗରିବ । କିନ୍ତୁ ଶତ ଚେଷ୍ଟା କରି ଜିୟେନ କେବେହେଲେ ସେମାନଙ୍କ ଭିତରୁ କାହାକୁ ଆତିଥ୍ୟର ବିନିମୟରେ କିଛି ପଇସାପତ୍ର ଦେଇପାରିଲା ନାହିଁ । ସେ ଯେତେ ଯାଚିଲେ ବି, ସେମାନେ ଆଦୌ ନେଲେ ନାହିଁ । ଦିନେ ଢେର୍‍ କୁହାବୋଲା ପରେ ଜଣେ ସ୍ତ୍ରୀଲୋକ ଜିୟେନକୁ ଖାଲି କହିଲା–ଯଦି କିଛି ଦେବାକୁ ଚାହୁଁଛ ତ, ପରେ ଗୋଟିଏ ପିସ୍ତଲ ମୋ ପାଖକୁ ପଠାଇ ଦେବ ।

 

ପିସ୍ତଲ ? –ଜିୟେନ ଅବାକ୍‍ ହୋଇ ପଚାରିଲା ।

 

ବୁଝିପାରିଲ ନାହିଁ ? ମୋର ସ୍ଵାମୀ ରୋଗଣା, ଦୁର୍ବଳ, ଅସମର୍ଥ । ଜଣେ ବାହାରର ଲୋକ ଆସି ମୋତେ ପ୍ରାୟ ବରାବର ଜଳଉଛି । ଗୋଟାଏ ପିସ୍ତଲ ପାଇଲେ ମୁଁ ତାହାର ପ୍ରେମ କରିବାର ସଉକ ବଞ୍ଚିଥିଲା ଯାଏ ଦେଖାଇ ଦେଇ ପାରିବି ।

 

ଘରକୁ ଫେରିଲା ବେଳେ ଜିୟେନ ପ୍ୟାରିସରୁ କିଣି ତାହାଠାକୁ ଗୋଟିଏ ପିସ୍ତଲ ପଠାଇଥିଲା ।

 

ଏହି ଭୟଙ୍କର ପାର୍ବତ୍ୟ ଅଞ୍ଚଳରେ ସବୁଠାରୁ ବେଶି ଦୁର୍ଗମ ସ୍ଥାନ ହେଉଛି ଓଟା ଉପତ୍ୟକା । ବଡ଼ ଓ ଛୋଟ ପଥରର ଢେଲାସବୁ ଏମିତି ବିଛେଇ ହୋଇ ରହିଛି ଯେ ଘୋଡ଼ାରେ ଚଢ଼ି ତାହା ଉପରେ ଯିବା ଏକାବେଳେ ଅସମ୍ଭବ । ସୁତାରଂ ଗାଇଡ୍‍ ଘୋଡ଼ା ନେଇ ଆଗେ ଆଗେ ଚାଲିଲା, ଆଉ ତାହା ପଛେ ପଛେ ଜିୟେନ ଓ ଜୁଲିୟେନ ପଥର ଉପରେ କୁଦି କୁଦି ଚାଲିବାକୁ ଲାଗିଲେ ।

 

ଏହିସବୁ ଜାଗାରେ ଘନ ଘନ ଝରଣାସବୁ ଦେଖାଯାଏ । ପାଣିର ଧାରାରେ ଖଣ୍ଡିଏ ବାଉଁଶ ନଳ ଲାଗିଥାଏ, ସେଥିରେ ମୁହଁ ଲଗାଇ ଛେଳି ରଖୁଆଳମାନେ ଓ ପାହାଡ଼ିଆ ପଥର ଯାତ୍ରୀମାନେ ପାଣି ପିଅନ୍ତି । ସାମନାରେ ଏମିତି ଗୋଟାଏ ନଳ ଦେଖିପାରି ଜିୟେନ ଯାଇ ସେଥିରେ ମୁହଁ ଲଗାଇଦେଲା ।

 

ଏହା ଦେଖି ଜୁଲିୟେନ ବି ସେଠାରେ ଯାଇ ହାଜର ହେଲା । ନଳରେ ମୁହଁ ଲଗାଇ କିଏ ଆଗ ପାଣି ପିଇବ, ସେଇଥିପାଇଁ ଦୁହିଁଙ୍କ ଭିତରେ ଯୁଝାଯୁଝି ଚାଲିଲା । ଥରେ ଜିୟେନ ଟିକିଏ ପାଣି ପିଏ ତ, ତା’ପରେ ଜୁଲିୟେନ ଟିକିଏ ନଳରେ ମୁହଁ ଲଗାଇ ପିଏ । ଏମିତି ଭାବରେ ଗୋଟାଏ ମଜାର ଖେଳ ଚାଲିଲା । ଶେଷକୁ ଗୋଟିଏ ମୁହଁରୁ ଅନ୍ୟ ମୁହଁକୁ ପାଣିର ଆଦାନ ପ୍ରଦାନ ହେଲା । ଆଉ ସେଥିରୁ–ସେହି ପ୍ରଥମ ଓ ସେହି ଶେଷ । ଜିୟେନ ଗୋଟାଏ, ଅନିର୍ବଚନୀୟ ପ୍ରେମୋନ୍ମାଦ ବିହ୍ୱଳତାରେ ଆତ୍ମହରା ହୋଇଗଲା । ସେ ଜୁଲିୟେନକୁ ଏକାନ୍ତ ନିବିଡ଼ ଭାବରେ କୁଣ୍ଢାଇ ଧରିଲା ।

 

ସେମାନେ ବହୁତ ସମୟ ପରେ ପଥର ଶଯ୍ୟାରୁ ଉଠିଲେ । ତେଣେ ଗାଇଡ୍‍ ଗୋଟାଏ ଜାଗାରେ ଘୋଡ଼ା ବାନ୍ଧିଦେଇ ସେମାନଙ୍କୁ ଖୋଜି ଖୋଜି ଫେରି ଆସିଲା ।

 

ଗାଇଡ୍‍କୁ ଦେଖି ଜୁଲିୟେନ ଗୋଟାଏ ମିଛ କୈପିୟତ ଦେଲା–ପଥ ଶ୍ରମରେ କ୍ଳାନ୍ତ ହୋଇ ଟିକିଏ ଶୋଇ ପଡ଼ିଥିଲୁ ।

 

ଅବଶେଷରେ ସେମାନେ ମାକୁଇ ଅଞ୍ଚଳରୁ ବାହାରି ପଡ଼ିଲେ । ବର୍ତ୍ତମାନ ଲୋକ ବସତିର ଭିତର ଦେଇ ଚାଲିବାକୁ ହେବ । ତେଣୁ ଗାଇଡ୍‍ ଆଉ ଦରକାର ନାହିଁ ।

 

ଗାଇଡ୍‍କୁ ବିଦାୟ ଦେଲା ବେଳେ ଜୁଲିୟେନ ସ୍ତ୍ରୀକୁ କହିଲା–ମୋ ପାଖରେ ଯାହା କିଛି ଟଙ୍କାପଇସା ଥିଲା ସବୁ ସରି ଗଲାଣି । ତୁମ ମାଆ ପରା ତୁମକୁ ଦୁଇ ହଜାର ଫ୍ରାଙ୍କ ଦେଇଥିଲେ, ସେଥିରୁ କିଛି ଦିଅ ।

 

ଜିୟେନ କିଛି ଚିନ୍ତା ନ କରି ଥଳିଟି ସ୍ୱାମୀର ହାତକୁ ବଢ଼ାଇ ଦେଇ କହିଲା–ତୁମେ ଏଟା ରଖି ଥାଅ । ଏହା କହି ଜିୟେନ ଅନ୍ୟଆଡ଼େ ଚାଲିଗଲା । କାହାକୁ ପାରିଶ୍ରମିକ ବା ବକସିସ୍‍ ଦେଲା ବେଳେ ଜୁଲିୟେନ ଏମିତି ଦର କଷାକଷି କରେ ଯେ ଜିୟେନର ଅଭିଜାତ ହୃଦୟ ସେହି ପରିସ୍ଥିତିରେ ଲଜ୍ଜାରେ ଅତିଶୟ ସଙ୍କୁଚିତ ହୋଇଯାଏ ।

 

ଯାହା ଖରଚ ହୋଇଗଲା, ସେଟା ଆଉ ହାତରେ ରହିଲା ନାହିଁ–ଏହି ସ୍ଥୂଳ ନୀତି ବାକ୍ୟଟି ଜୁଲିୟେନ କେବେହେଲେ ମନରୁ ପାଶୋରି ପାରେ ନାହିଁ ।

 

ପ୍ୟାରିସରେ ପହଞ୍ଚି ଜିୟେନ ମନେମନେ ଭାବିଲା, ବଜାରରୁ କିଛି ଦରକାରୀ ଜିନିଷ କିଣିବ । ତହୁଁ ସେ ଜୁଲିୟେନକୁ କହିଲା–ଥଳିଟା ଦିଅ ତ ।

 

ଜୁଲିୟେନ ଖିଙ୍କାରି ହେଲା–ଥଳି ? ତୁମେ ଥଳିଟା କଅଣ କରିବ ? କେତେ ଟଙ୍କା ତୁମର ଦରକାର, କହୁ ନାହଁ !

 

ମୁଁ ତ ତୁମକୁ ଥଳିଟା ଖାଲି ରଖିବାକୁ ଦେଇଥିଲି ।

 

ରଖିଛି ତ । ତୁମ ପାଖରେ ଥିବାଠାରୁ ମୋ ପାଖରେ ଥିଲେ କଅଣ ତାହା ଅଧିକ ନିରାପଦ ନୁହେଁ ? ନିଅ ଶହେ ଫ୍ରାଙ୍କ, କିଣାକିଣି କରିବ । ତେବେ ଟିକିଏ ହିସାବ କରି ଖରଚ କରିବ । କାରଣ ଯାହା ଖରଚ ହୋଇଯିବ, ସେତକ ଆଉ ହାତକୁ ଫେରି ଆସିବ ନାହିଁ ।

 

ଜିୟେନ ତୁଣ୍ଡ ଖୋଲି ପଦେହେଲେ କଥା ସ୍ୱାମୀକୁ କହିପାରିଲା ନାହିଁ । ଜିନିଷପତ୍ର କିଣାକିଣିର ଇଚ୍ଛା ତାହାର ମନରୁ ଉଭେଇ ଗଲା । ଖାଲି ଗୋଟିଏ ପିସ୍ତଲ ଛଡ଼ା ସେ ଆଉ କିଛି କିଣିଲା ନାହିଁ । ପିସ୍ତଲଟିଏ ନ କିଣିଲେ ନ ହୁଏ, କାରଣ ସେ ସେହି ପାହାଡ଼ୀ ସ୍ତ୍ରୀ ଲୋକଟିକୁ କଥା ଦେଇ ଆସିଛି, ତାହାର ଆତ୍ମରକ୍ଷା ପାଇଁ ଗୋଟିଏ ପିସ୍ତଲ ସେ ତାହାକୁ ପ୍ୟାରିସରୁ ପଠାଇବ ।

 

ଅବଶେଷରେ ସ୍ଵାମୀ ସ୍ତ୍ରୀ ଦୁହେଁ ଦିନେ ପପଲାର୍ସରେ ଆସି ପହଞ୍ଚିଗଲେ । ଜୁଲିୟେନ ନିଜର ଖମାର ଘରକୁ ଫେରିଯିବାର ନାମ ଗନ୍ଧ ଧରିଲା ନାହିଁ । ସେ ଶଶୁରଘରୁ ବାହାରିଲା ନାହିଁ-। ଜଣାଗଲା, ଯେମିତି ସ୍ଥାୟୀ ଭାବରେ ବସବାସ କରିବା ପାଇଁ ତାହାର ଏକାନ୍ତ ଇଚ୍ଛା-। ବେରନ ବାଧ୍ୟ ହୋଇ ଜିନିଷପତ୍ର ବନ୍ଧାବନ୍ଧି କରିବାକୁ ଲାଗିଲେ । ବେରନେସଙ୍କୁ ନେଇ ରୋୟେଁର ଘରେ ରହିବା ପାଇଁ ସେ ସ୍ଥିର କଲେ । ସେଠାରେ ତାଙ୍କର ଯଥେଷ୍ଟ ସମ୍ପତ୍ତି ବାଡ଼ି ଅଛି, ଦେଖାଶୁଣା ନ କଲେ ଚଳିବ ନାହିଁ ।

 

ତାହାର ପିତାମାତା ଘର ଛାଡ଼ି ଚାଲି ଯାଉଥିବାରୁ ଜିୟେନ ବିଶେଷ ଦୁଃଖିତ ହେଲା । ସେ ନିଜକୁ ଅପରାଧୀ ମନେ କଲା । ଆଉ ଗୋଟିଏ ଦିଗରୁ ଅବଶ୍ୟ ସେ ମନେମନେ ଟିକିଏ ଖୁସି ହେଲା । କୃପଣ ଜୁଲିୟେନ ସାଙ୍ଗରେ ଏକାଠି ବାସ କରିବା ବେରନଙ୍କ ପରି ଜଣେ ମର୍ଯ୍ୟାଦାସମ୍ପନ୍ନ ଉଦାର ହୃଦୟ ବ୍ୟକ୍ତିଙ୍କ ପକ୍ଷରେ କେଡ଼େ କଷ୍ଟକର, ତାହା ଜିୟେନ ଅକ୍ଳେଶରେ ଅନୁମାନ କରିପାରିଲା ।

 

ଜୁଲିୟେନ ଜଣେ ଭାଇ କାଉଣ୍ଟର ପୁଅ । ଅଭିଜାତ ବଂଶରେ ଜନ୍ମ ହୋଇ ସୁଦ୍ଧା ମଣିଷ ଯେ ନିଜ ଚେଷ୍ଟାରେ କେତେ ବଡ଼ କୃପଣ ହୋଇପାରେ, ଜୁଲିୟେନ ତାହା ହାତେ ହାତେ ଦେଖାଇ ଦେଲା । ସେ ଘରର ଚାକର ବାକରଙ୍କ ଭିତରୁ ଅଧେ ବିଦା କରିଦେଲା, ଏପରିକି ଗାଡ଼ି ଟାଣୁଥିବା ଘୋଡ଼ାକୁ ମଧ୍ୟ ବିକି ଦେଲା ।

 

ପପଲାର୍ସ ପ୍ରାସାଦର ଦୁଇ ଦିଗରେ ଦୁଇଟା ଖମାର । ବେରନଙ୍କ ସମ୍ପତ୍ତି । ସେ ତାହାକୁ ନିଜ ହାତରେ ରଖି ନ ଥିଲେ । ସେଠାରେ ସେ ଦୁଇ ଜଣ ପ୍ରଜା ବସାଇଥିଲେ । ସେମାନେ ନିର୍ଦ୍ଦିଷ୍ଟ ପରିମାଣରେ ଖଜଣା ଓ ଦୁଇ ଚାରି ରକମ କର ଦେଉଥିଲେ ।

 

ବର୍ତ୍ତମାନ ଜୁଲିୟେନ ସେମାନଙ୍କ ସହିତ ଗୋଟାଏ ନୂଆ କିସମର ବନ୍ଦୋବସ୍ତ କଲା । ଗୋଟାଏ ଦୁଇଟା କମ୍‍ ପରିମାଣର କରରୁ ସେ ସେମାନଙ୍କୁ ରିହାତି ଦେଲା । ତାହା ବଦଳରେ ସେମାନେ ପ୍ରତ୍ୟେକ ମାସରେ ଥରେ କି ଦୁଇ ଥର ଲେଖାଏଁ ନିର୍ଦ୍ଦିଷ୍ଟ ଦିନରେ ଗୋଟିଏ ଘୋଡ଼ା ଯୋଗାଇବେ । ଦୁଇ ଖମାରର ଦୁଇଟି ଘୋଡ଼ାକୁ ଗାଡ଼ିରେ ଜୁଟି ପପଲାର୍ସର ବେରନ ପରିବାର ଯେତେବେଳେ ବୁଲି ବାହାରନ୍ତି, ସେଟା ଗୋଟାଏ ଦର୍ଶନୀୟ ଦୃଶ୍ୟରେ ପରିଣତ ହୁଏ । କାରଣ କୁଇଲାର୍ଡ଼ ଖମାରର ଘୋଡ଼ାଟା ହୁଏତ ବେଶି ଉଚ୍ଚ ଓ ଗାଢ଼ ହଳଦିଆ ରଙ୍ଗ, ଆଉ ତେଣେ ମାର୍ଟିନ ଖମାରରୁ ଆସିଛି ହୁଏତ ଗୋଟାଏ ବାଙ୍ଗରା ତଟୁ ଘୋଡ଼ା, ତାହାର ଦେହରେ ଧଳା ଉପରେ କଳା ଟିପିଟିପିକା ଚିହ୍ନ । ସୁତରାଂ ଯୋଡ଼ିଟି ଅପରୂପ ହୁଏ ।

 

ତଥାପି ଜୁଲିୟେନର ଏହି କୃପାଣତାକୁ ହୁଏତ ବେରନ ସହି ଯାଇ ପାରି ଥାଆନ୍ତେ, କିନ୍ତୁ ତାହାର ନିଷ୍ଠୁରତା ଅସହ୍ୟ ହେଲା । ଦିନେ ସେ ଚାକର ଟୋକା ମେରିୟାସକୁ ବାଡ଼େଇ ବାଡ଼େଇ ପ୍ରାୟ ମାରିପକାଇଲା ଭଳି କରିଥିଲା । ସେହି ଦିନ ବେରନ ବାଧ୍ୟ ହୋଇ ଜୁଲିୟେନକୁ ରୀତିମତ ଧମକ ଦେବାକୁ ବାଧ୍ୟ ହୋଇଥିଲେ ।

 

କିନ୍ତୁ ବେରନଙ୍କୁ ତ ଦେଖିବାକୁ ହେବ, ଏହି ରକମ ପରିସ୍ଥିତି ଯେପରି ଘନ ଘନ ନ ଘଟୁ-। ଝିଅଟିର ମୁହଁକୁ ଅନାଇ ତ ଏହା କରିବାକୁ ହେବ । ତେଣୁ ପପଲାର୍ସରୁ ଚାଲିଯିବା ତାହାଙ୍କ ପକ୍ଷରେ ଶ୍ରେୟସ୍କର ବୋଲି ସେ ମନେକଲେ ।

 

 

ରୋଜାଲି ଦିନେ ରାତିରେ ଜିୟେନର ବେଶଭୂଷା ଖୋଲି ଦେଉଥିଲା । ଜିୟେନ ଲକ୍ଷ୍ୟ କରୁଥିଲା, କିଛିଦିନ ହେଲା ରୋଜାଲିର ଦେହ ବୋଧହୁଏ ଭଲ ନାହିଁ । ତାହାର ଗାଲ ପଶି ଗଲାଣି, ଚିବୁକ ଉଠି ପଡ଼ିଛି । ତାହାର ଢଙ୍ଗଢାଙ୍ଗ ଦେଖିଲେ ମନେହୁଏ, ସତେକି ସବୁବେଳେ ତାହାକୁ ଶୀତ ଲାଗୁଛି । ନୋହିଲେ ଖଣ୍ଡିଏ ମୋଟା ଜାମା ବା ସେ ଅନବରତ ଦେହରେ ଦିଅନ୍ତା କାହିଁକି ? ବରାବର ଧାଁ ଦଉଡ଼ କରି ବୁଲିବା ଥିଲା ତାହାର ସ୍ଵଭାବ । ବର୍ତ୍ତମାନ ସେ ଯେମିତି ଶୋଇ ରହିବାକୁ ଭଲ ପାଉଛି ।

 

ଜିୟେନ ବେଳେ ବେଳେ ତାହାକୁ ପଚାରୁଥିଲା–ରୋଜଲି, ତୋର କଅଣ ହୋଇଛି ?

 

ପ୍ରତିଥର ସେ ଜୋର୍‍ ଗଳାରେ ଜବାବ ଦେଉଥିଲା–ହେବ ଆଉ କ’ଣ ? କିଛି ହୋଇ ନାହିଁ ।

 

କିନ୍ତୁ ସେହି ଦିନ ଜିୟେନକୁ ରାତିର ପୋଷାକ ପିନ୍ଧାଇ ଦେଇ ତାହାର ଦିନର ପୋଷକପତ୍ରସବୁ ଆଲଣାରେ ସଜାଇ ରଖୁଥିଲା ବେଳେ ହଠାତ୍‍ ରୋଜାଲି ଆଲଣା ପଛରେ ଯାଇ ଶୋଇ ପଡ଼ିଲା ।

 

ଏଣେ ଜିୟେନ ଚାଦର ଘୋଡ଼ି ହୋଇ ଶୋଇବା ଲାଗି ପ୍ରସ୍ତୁତ ହେଉଥିଲା । ଆଜିକାଲି ଜୁଲିୟେନ ଅଲଗା ଘରେ ଶୁଏ । କର୍ସିକାରୁ ଫେରିଲା ଦିନରୁ ଏହି ବ୍ୟବସ୍ଥା ହୋଇଛି । କ୍ଵଚିତ ସେ ଏହି ଘରେ ପଦାର୍ପଣ କରେ, ମାତ୍ର ମାସରେ ଦୁଇ ତିନି ରାତିରୁ ବେଶି ନୁହେଁ । ଏଥିରେ ଜିୟେନ ଖୁସି ଯେତିକି, ଅସୁଖୀ ମଧ୍ୟ ସେତିକି ।

 

ଖୁସି ଏଇଥି ପାଇଁ ଯେ ଜୁଲିୟେନର ପ୍ରେମ ନିବେଦନର ପଦ୍ଧତିଟା ଜିୟେନକୁ ଭଲ ଲାଗେ ନାହିଁ । ତାହା ଯେମିତି ଅତିରିକ୍ତ ପରିମାଣରେ ପାଶବିକ । ସେହି ଦିନ କର୍ସିକାର ଓଟା ଉପତ୍ୟକାରେ ଯାହା ହୋଇଥିଲା, ସେତିକି । ତାହାଛଡ଼ା ଆଉ କେଉଁ ଦିନ ନିଜ ତରଫରୁ ସ୍ୱାମୀର ସାନ୍ନିଧ୍ୟ ସକାଶେ ଜିୟେନ ଆକୁଳତା ଅନୁଭବ କରି ନାହିଁ । ତେଣୁ ଜୁଲିୟେନ ଯେତେବେଳେ ନିଜ ପାଇଁ ଅଲଗା ଘର ବାଛି ନେଲା, ଜିୟେନ ଦୀର୍ଘଶ୍ଵାସ ଛାଡ଼ିଲା ।

 

କିନ୍ତୁ ଅନ୍ୟ ଦିଗରେ ଏପରି ବ୍ୟବସ୍ଥାରେ ଜିୟେନର ଅସୁଖୀ ହେବାର ଯଥେଷ୍ଟ କାରଣ ମଧ୍ୟ ଥିଲା । ଜଣେ ସମର୍ଥ ପୁରୁଷ ନିକଟରେ ତାହାର ରୂପ ଯୌବନର କୌଣସି ମୂଲ୍ୟ ନାହିଁ, ଏହି ଧାରଣା କୌଣସି ଯୁବତୀ ନାରୀ ନିକଟରେ କଦାପି ରୁଚିକର ହୋଇ ନ ପାରେ । ତାହାଛଡ଼ା ଜୁଲିୟେନ ତ ତାହାର ନିଜର ସ୍ଵାମୀ ! ମାତ୍ର କେତେଦିନ ହେଲା ସେମାନଙ୍କର ବିବାହ ହୋଇଛି । ଇତି ମଧ୍ୟରେ ତାହାର ସବୁ ଆକର୍ଷଣ କଅଣ ସରିଗଲା ? ଏତେ ଶୀଘ୍ର କଅଣ ଜିୟେନ ତାହା ନିକଟରେ ବାସି ହୋଇଗଲା ?

 

ଅବ୍ୟକ୍ତ ଅଭିଯୋଗ ଦିନେ ଜିୟେନର ଅନ୍ତରରେ ପୁଞ୍ଜିଭୂତ ହେଲା । ହୁଏତ ଗୋଟାଏ ବିସ୍ଫୋରଣ ଘଟି ଯାଇ ସାରନ୍ତାଣି, ଯଦି ଜିୟେନର ଆତ୍ମସମ୍ମାନ ବୋଧ ଏତେ ପ୍ରବଳ ହୋଇ ନ ଥାଆନ୍ତା ।

 

ଜୁଲିୟେନ ନିଶ୍ଚୟ ଏଠାକୁ ଆସିବ ନାହିଁ, ମନେମନେ ଏହା ଭାବି ଜିୟେନ ନିଶ୍ଚିନ୍ତରେ ଶୋଇବାକୁ ଯୋଗାଡ଼ କରୁଛି, ଏତିକିବେଳେ ଗୋଟାଏ ଶବ୍ଦ ହେଲା ।

 

ଏମିତି ଆର୍ତ୍ତ କଣ୍ଠରେ କିଏ କାତର ଚିତ୍କାର କରୁଛି ? କିଏ ? କେଉଁଠି ? କାହିଁକି ?

 

ଜିୟେନ କାନ ପାତିଲା, ଯେମିତି ଶବ୍ଦଟା ଏହି ଘର ଭିତରେ ହେଉଛି । ଆଲଣା ଆଡ଼େ-। କିଏ ହୋଇପାରେ ? ରୋଜାଲି କଅଣ ଘରୁ ଚାଲି ଯାଇ ନାହିଁ ? ଏହି କାତର ଚିତ୍କାର କଅଣ ତାହାର ? ଅସମ୍ଭବ କଅଣ ? ଜିୟେନ ତ ଅନେକ ଦିନରୁ ସନ୍ଦେହ କରୁଛି ଯେ ରୋଜାଲି ଅସୁସ୍ଥ-। ହୁଏତ ତାହାର ଚାପା ଦିଆ ଯାଇଥିବା ଅସୁସ୍ଥତା ଆଜି ହଠାତ୍‍ ମୁଣ୍ଡ ଟେକି ବାହାରି ପାରି ଥାଏ-!

 

ଶୋଇ ରହି ଜିୟେନ ତକିଆ ଉପରୁ ମଥା ଟେକିଲା । ସେ କାନ ପାତି ଶୁଣିବାକୁ ଚେଷ୍ଟା କଲା, ଏବଂ ତା’ପରେ ଜୋରରେ ଡାକିଲା–ରୋଜାଲି ? ରୋଜାଲି ? ରୋଜାଲି ନା କିଏ ?

 

କିଛି ଜବାବ ମିଳିଲା ନାହିଁ । କିଛି କ୍ଷଣ ପାଇଁ କାତର ଚିତ୍କାର ବନ୍ଦ ହୋଇଗଲା । ପୁଣି ଆରମ୍ଭ ହେଲା, ଆଗଠାରୁ ଅଧିକ ଜୋରରେ କରୁଣ ଆର୍ତ୍ତ ସ୍ୱର ।

 

ଜିୟେନ ଧଡ଼ପଡ଼ ହୋଇ ଉଠିପଡ଼ିଲା ଏବଂ ପଛ ପଟକୁ ଧାଇଁଗଲା । ଯାହା ଦେଖିଲା, ସେ ତାହାର ଆଖିକୁ ବିଶ୍ୱାସ କରିପାରିଲା ନାହିଁ । ସେ ବିସ୍ମୟ ବିମୂଢ଼ ହେଲା–ଏଁ, ଏହି ତ ! ରୋଜାଲି ଶୋଇ ପଡ଼ିଛି ଏଇଠି ! କି ସର୍ବନାଶ ! ରୋଜାଲିର ଲୁଗା ଭିତରେ ସେଟା କଅଣ ହଲଚଲ ହେଉଛି ? ଗୋଟିଏ ଶିଶୁ ନା ?

 

ପର ଦିନ ଜୁଲିୟେନ ମୁହଁ ଓଳାଇ ଜିୟେନ ପାଖରେ ଆସି ହାଜର ହେଲା ଏବଂ ପଚାରିଲା–ତାହାକୁ ନେଇ କଅଣ କରିବ ବୋଲି ଭାବୁଛ ତୁମେ ?

 

ଜିୟେନ ବି ଅବାକ୍‍ ହୋଇ ପଚାରିଲା–କାହାକୁ ନେଇ ? ରୋଜାଲିକୁ ? କଅଣ ଆଉ କରିବି ?

 

ଜୁଲିୟେନ ଖିଙ୍କାରି କହିଲା–କଅଣ କରିବ, ଏ କଥାର ମାନେ କଅଣ ? ତାହାକୁ ତ ଆଉ ଏ ଘରେ ରଖି ହେବ ନାହିଁ ।

 

କାହିଁକି ?

 

କାରଣଟା କଅଣ ତୁମକୁ ବୁଝାଇ କହିବାକୁ ହେବ ? ଗୋଟାଏ ଚରିତ୍ରହୀନା ଦାସୀ, ବିବାହର ନାମ ଗନ୍ଧ ନାହିଁ, ଗୋଟିଏ ପୁଅର ମାଆ ହୋଇ ବସିଲା । ଯଦି ତାହାକୁ ଆମେ ଏହି ଘରେ ରହିବାକୁ ଦେବା, ତାହାହେଲେ ଆମର ବଦନାମ ହେବ ନାହିଁ ? କୁକର୍ମକୁ ପ୍ରଶୟ ଦେଉଛୁଁ ବୋଲି ସମାଜ ଆମକୁ ଏକଘରିଆ କରିବ ନାହିଁ ? କଅଣ ଭାବୁଛ ତୁମେ ?

 

କୋମଳ ସ୍ଵଭାବା ଜିୟେନ ହଠାତ୍‍ ଶକ୍ତ ହୋଇ କହିଲା–ବଦନାମର ଭୟରେ ବର୍ତ୍ତମାନ ରୋଜାଲିକୁ ତଡ଼ି ଦେବା କଅଣ ଆମ ପକ୍ଷରେ ଠିକ୍‍ ହେବ ? ସେ କଅଣ ଆଉ ପାଞ୍ଚ ଜଣ ଦାସୀ ପରି ? ସେ ତ ମୋର ଧାଈ-ଭଉଣୀ । ଆମେ ଏହି ଘରେ ଏକା ସାଙ୍ଗରେ ମଣିଷ ହୋଇଛୁଁ, ଏକା ମାଆର ଦୁଧ ଖାଇଛୁଁ । ଓଃ ! ଏକଘରିଆ ! ଦେଖା ଯିବ କିଏ ଆମକୁ ଏକଘରିଆ କରିବ ! ପାଦ୍ରୀ ଆବେ ପିକୋ ସେମିତିକା ମଣିଷ ନୁହନ୍ତି, ମୁଁ ଜାଣେ ତାଙ୍କର ହୃଦୟରେ ଦୟାମାୟା ଅଛି ।

 

ତାହାହେଲେ ତୁମେ ଏକ୍ଷଣି କଅଣ କରିବ ? –ଜୁଲିୟେନ ହଡ଼ବଡ଼େଇ ଯାଇ ପୁଣି ପଚାରିଲା ।

 

ଏଁ, କଅଣ କରିବି ? ରୋଜାଲିର ପୁଅ ହୋଇଛି, ପୁଅର ବାପ କିଏ ଖୋଜି ବାହାର କରିବା ହେଉଛି ମୋର ପ୍ରଥମ କାମ । ଏଯାଏ ମୁଁ ରୋଜାଲିକୁ ସେ କଥା ପଚାରି ନାହିଁ । ସେ ଟିକିଏ ସୁସ୍ଥ ହେଲେ ତାହାକୁ ଏ କଥା ପଚାରିବି । ସେ ନିଶ୍ଚୟ କହିବ, ମୋ ପାଖରେ ଲୁଚାଇବ ନାହିଁ । ତାହାର ନ କହିବାର କାରଣ କଅଣ ଥାଇପାରେ ? ବେଶ୍‍, ଯେତେବେଳେ ତାହା ଜାଣିପାରିବି, ସେତେବେଳେ ମୁଁ ତୁମକୁ କହିବି । ସେହି ଲୋକଟିକୁ ଡାକି ଆଣିବା ପାଇଁ ପାଦ୍ରୀଙ୍କୁ ମଧ୍ୟ କହିବି । ସେ ଯେମିତି ରୋଜାଲିକୁ ବିଭା ହୁଏ, ତାହାର ବ୍ୟବସ୍ଥା ମଧ୍ୟ କରିବି । ତାହାକୁ ଯେକୌଣସିମତେ ବିଭା ହେବାକୁ ପଡ଼ିବ ।

 

ଏହା ଶୁଣି ଜୁଲିୟେନ ଡେଇଁ ପଡ଼ିଲା, ସତେ ଯେମିତି କିଏ ତାହାର ଦେହରେ ନିଆଁ ଲଗାଇଦେଲା । ସେ ଚିତ୍କାରକଲା–ବିଭା ହେବାକୁ ପଡ଼ିବ ? ଏଡ଼େ ସହଜ ନୁହେଁ । ତା’ପରେ ସେ କହି କହି ଘରୁ ଧାଇଁ ପଳାଇଲା–ମାଇକିନା ଜାତିଟା ବଡ଼ ବୋକା ।

 

ଜିୟେନ ବଡ଼ ଆଶା କରିଥିଲା ଯେ ରୋଜାଲି କଦାପି ତାହାଠାରୁ କିଛି ଲୁଚାଇ ରଖିବ ନାହିଁ, ଅକପଟରେ ସବୁ କଥା ପ୍ରକାଶ କରିବ । କିନ୍ତୁ ତାହା ବ୍ୟର୍ଥ ହେଲା । ଜିୟେନ ଯେତେ ଚେଷ୍ଟା କଲେ ସୁଦ୍ଧା କୌଣସିମତେ ରୋଜାଲିର ତୁଣ୍ଡରୁ କଥା ବାହାର କରିପାରିଲା ନାହିଁ, ତାହାର ପ୍ରେମିକ କିଏ । ଜିୟେନ ତାହାକୁ ଯେତେ ବୁଝାଇଲା, ରୋଜାଲି ସେତେ ବେଶି କାନ୍ଦିବାକୁ ଲାଗିଲା-। ଶେଷକୁ ଜିୟେନର ହାତରୁ ନିସ୍ତାର ପାଇବା ଲାଗି ସେ ଘରୁ ଧାଇଁ ପଳାଇଲା ।

 

ଜିୟେନ ରୋଜାଲିର ପୁଅଟିକୁ ଜଣେ ଧାଈ ପାଖକୁ ପଠାଇ ଦେଲା । କାରଣ ରୋଜାଲିର ମତି ସ୍ଥିର ନ ଥିଲା । ତେଣୁ ସେ ପିଲାଟିର ଯତ୍ନ ନେଇପାରିବ ନାହିଁ । ତାହାଛଡ଼ା ତାହାର ଦୁଧ ହେଉନଥିଲା ।

 

ଦିନ ଗଡ଼ି ଯିବାକୁ ଲାଗିଲା । ଜିୟେନ ନିତି ଅନ୍ତତଃ ଥରେ ଚେଷ୍ଟା କରେ ରୋଜାଲିର ମୁଖ ଖୋଲିବା ପାଇଁ । ମାତ୍ର ପ୍ରତିଦିନ ରୋଜାଲିର ସେହି ଏକ ଆଚରଣ, ଆଦୌ ପରିବର୍ତ୍ତନ ନାହିଁ, କେତେ ସମୟ କନ୍ଦାକଟା, ତା’ପରେ ତାହା ପାଖରୁ ଧାଇଁ ପଳାଇବା । ଜିୟେନ ଏହା ଦେଖି କ୍ରମେ କ୍ରମେ ହତାଶ ହୋଇପଡ଼ିଲା, କିନ୍ତୁ ରୋଜାଲିକୁ ପଦିଏ ଟାଣ କଥା କହିବାକୁ ତାହାର ମନ ଟେକିଲା ନାହିଁ ।

 

ତେଣେ ନିଜର ଶରୀରରେ ଜିୟେନ କିଛି ପରିବର୍ତ୍ତନ ଲକ୍ଷ୍ୟ କଲା । ତାହାର ମନ ଭିତରେ ଗୋଟାଏ ଅହେତୁକ ଭୟ ଉପୁଜିଲା, ତହିଁ ସଙ୍ଗେ ସଙ୍ଗେ ଗୋଟିଏ ବଡ଼ ଆଶା ମଧ୍ୟ । ସେହି ଆଶା ସହିତ ମିଶିଥିଲା ଗୋଟାଏ ସ୍ୱର୍ଗୀୟ ଆନନ୍ଦ । ସତରେ ଆସିବ ? ତାହାର କୋଳକୁ ଆସିବ ଗୋଟିଏ କୋମଳ ସୁନ୍ଦର ଶିଶୁ ?

 

ମଝିରେ ମଝିରେ ଜିୟେନର ଦେହ ଖୁବ୍‍ ଖରାପ ମାଲୁମ ହୁଏ । ସେତିକିବେଳେ ତାହାର ମାଆର କଥା ମନେପଡ଼େ । ମାଆ କେତେ ଦୂରରେ ଅଛନ୍ତି, ଏମିତିକା ଅବସ୍ଥା ଲାଗି ରହିଲେ ସେ ବାଧ୍ୟ ହୋଇ ମାଆଙ୍କୁ ଆସିବା ପାଇଁ ଲେଖିବ । ଅବଶ୍ୟ ଏ କଥା ଲେଖିବାକୁ ତାହାକୁ ଲାଜ ମାଡ଼ିବ, କିନ୍ତୁ ଲାଜ କଲେ ତ ଆଉ ଚଳିବ ନାହିଁ । ନିଜର ପ୍ରାଣ ବିକଳରେ ତାହାକୁ ନିଶ୍ଚୟ ଲେଖିବାକୁ ହେବ । ତାହାଛଡ଼ା ବାପ ମାଆଙ୍କର କଥା ତ ତାହାକୁ ଭାବିବାକୁ ହେବ । ଏହି ଖବର ଶୁଣିଲେ ସେମାନେ ନିଶ୍ଚୟ ଖୁସି ହେବେ । ସେହି ଆନନ୍ଦରୁ ସେମାନଙ୍କୁ ବଞ୍ଚିତ କରିବାର କି ଅଧିକାର ବା ତାହାର ଅଛି ?

 

ସେହି ରାତିରେ ତାହାର ଦେହ ଖୁବ୍‍ ଖରାପ ଲାଗିଲା । ଜିୟେନ ମନେମନେ ଭାବିଲା, ଏତେବେଳେ ରୋଜାଲିକୁ ଡାକିବା ଦରକାର । ଜଣେ କେହି ଏହି ସମୟରେ ତାହା ପାଖରେ ରହିଲେ ନିଶ୍ଚୟ ଭଲ ହେବ ।

 

ଜିୟେନକୁ ବିଛଣାରୁ ଉଠିବାକୁ କଷ୍ଟ ହେଉଥିଲା । ତଥାପି ବାଧ୍ୟ ହୋଇ ତାହାକୁ ଉଠିବାକୁ ପଡ଼ିଲା । ରାତିର ପୋଷାକ ଉପରେ ଖଣ୍ଡିଏ ଚାଦର ଘୋଡ଼ି ହୋଇ ଜିୟେନ ଧୀରେ ଧୀରେ ତଳକୁ ଓହ୍ଲାଇ ଯାଇ ରୋଜାଲିର ଘରକୁ ଗଲା ।

 

ସେ ଦେଖିଲା, ରୋଜାଲି ବିଛଣାରେ ନାହିଁ । ସେହି ବିଛଣାରେ ରାତିରେ କେହି ହେଲେ ଶୋଇଥିଲା ପରି ଜଣାଗଲା ନାହିଁ । ତାହାହେଲେ ରୋଜାଲି କୁଆଡ଼େ ଗଲା ? ଏବେ ବି କଅଣ ସେ ତାହାର ପ୍ରେମିକର ଫାନ୍ଦରେ ପଡ଼ିଛି, ବାହାରି ପାରୁ ନାହିଁ ? ନା, ଏଣିକି ତାହାର ଭଲ ପାଇଁ ଜିୟେନକୁ ତାହା ପ୍ରତି ଟିକିଏ କଡ଼ା ହେବାକୁ ପଡ଼ିବ ।

 

ଜିୟେନ ନିଜ କୋଠରୀକୁ ଫେରିଗଲା । ତାହାର କଷ୍ଟ କ୍ରମେ ବଢ଼ୁଥିଲା । ଏତେବେଳେ ଜଣେ କେହି ତାହା ପାଖରେ ନ ରହିଲେ ତ ଚଳିବ ନାହିଁ । ତାହାହେଲେ କଅଣ ସେ ଜୁଲିୟେନକୁ ଯାଇ ଡାକିବ ?

 

ଇଚ୍ଛା ନ ଥିଲେ ସୁଦ୍ଧା, ଶେଷ ଅବଧି ଜିୟେନକୁ ବାଧ୍ୟ ହୋଇ ଜୁଲିୟେନର ଘର ଆଡ଼କୁ ଯିବାକୁ ହେଲା । ତାହାର ସ୍ୱାଭାବିକ କଷ୍ଟ ହେଉଥିଲା । ଏକା ରହିବା ଲାଗି ତାହାର ସାହାସ କୁଳାଉ ନ ଥିଲା । ଜୁଲିୟେନକୁ କହିଲେ, ସେ ଗାଁକୁ ଯାଇ କାହାକୁ ହେଲେ ଡାକି ଆଣିବ ।

 

ଜିୟେନ କାନ୍ଥ ଧରି ଧରି ନିଜକୁ ସମ୍ଭାଳି ଧୀରେ ଧୀରେ ଯାଇ ଜୁଲିୟେନର କୋଠରୀରେ ଠିଆ ହେଲା । ସେତେବେଳେ ଟେବୁଲ ଉପରେ ମହମବତି ଜଳୁଥିଲା । କ୍ଷୀଣ ଆଲୋକରେ ଘରର ସବୁ କିଛି ଅସ୍ପଷ୍ଟ ଦିଶୁଥିଲା ।

 

ସ୍ଵାମୀ ଶୋଇଥିବାର ମାଲୁମ କରି ଜିୟେନ ତାହାକୁ ଡାକିଲା । ସଙ୍ଗେ ସଙ୍ଗେ ପଲଙ୍କ ଉପରେ ଶୋଇଥିବା ଲୋକଟିଏ ଧଡ଼ପଡ଼ ହୋଇ ଉଠି ବସିଲା ।

 

ଅସ୍ପଷ୍ଟ ଆଲୋକରେ ଜିୟେନ ପରିଷ୍କାର ଦେଖିପାରିଲା–ସେ ରୋଜାଲି, ନିଶ୍ଚୟ ରୋଜାଲି ।

 

ତତ୍‍କ୍ଷଣାତ୍‍ ଗୋଟିଏ ତୀବ୍ର ଆର୍ତ୍ତନାଦ ଜିୟେନର କଣ୍ଠରୁ ନିଜର ଅଜାଣତରେ ବାହାରି ଆସିଲା । ସେହି ଆର୍ତ୍ତନାଦ ଶୁଣିଲା ମାତ୍ରେ ଜୁଲିୟେନ ବିଛଣାରୁ ଉଠି ପଡ଼ି ପଚାରିଲା–କିଏ ? କଅଣ ? କଅଣ ଜିୟେନ ? ତୁମେ ଏଠାରେ କାହିଁକି ? ତୁମେ କାହିଁକି ଏଠାକୁ ଆସିଛ ?

 

ବୋଧହୁଏ ଜୁଲିୟେନ ତାହାକୁ ଠେଲି ଠେଲି ଘରୁ ବାହାର କରିଦେବା ପାଇଁ ଆଗେଇ ଆସୁଥିଲା । ସେଇଥିପାଇଁ ଜିୟେନ ଆଉ ସେଠାରେ ଅପେକ୍ଷା କରି ରହିଲା ନାହିଁ । ଜୁଲିୟେନକୁ ତାହା ଆଡ଼କୁ ଆସୁଥିବାର ଦେଖି ସେ ପୁଣି ଚିତ୍କାର କଲା ଏବଂ ଝଡ଼ ବେଗରେ ଘରୁ ଧାଇଁ ପଳାଇଲା ।

 

ଟିକିଏ ଆଗରୁ ଜିୟେନ ଘରର କାନ୍ଥ ନ ଧରି ପାହୁଣ୍ଡେ ସୁଦ୍ଧା ଚାଲି ପାରୁ ନ ଥିଲା । କିନ୍ତୁ ଏକ୍ଷଣି ଏପରି ଏକ ଆସୁରିକ ଶକ୍ତି ତାହା ଭିତରେ ଜାତ ହେଲା ଯେ ସେ ଊର୍ଦ୍ଧ୍ୱଶ୍ୱାସରେ ଧାଇଁବାକୁ ଲାଗିଲା ଏ ଘରୁ ସେ ଘରକୁ, ଦଲାଣରୁ ସିଡ଼ି ଉପରକୁ, ସିଡ଼ିରୁ ତଳକୁ–ତେତାଲାରୁ ଦୋତାଲାକୁ, ଦୋତାଲାରୁ ତଳକୁ ।

 

ଜୁଲିୟେନ ତାହା ପଛେ ପଛେ ଧାଇଁବାକୁ ଲାଗିଲା । ଜିୟେନ କଅଣ ଯେ କରି ପକାଇବ, ତାହାର କିଛି ଠିକ୍‍ ଠିକଣା ନାହିଁ । ସେ ଦାସୀ ରୋଜାଲିକୁ ନିଜର ସ୍ଵାମୀ ଜୁଲିୟେନର ବିଛଣାରେ ଦେଖିଛି । ଏହି ଆବିଷ୍କାରର ବିଭୀଷିକା ହୁଏତ ତାହାକୁ ପାଗଳ କରି ଦେଇଛି । ନୋହିଲେ ସେ ଏମିତି ରଡ଼ି କରନ୍ତା କାହିଁକି ? ଜ୍ଞାନ ହରାଇ ଏମିତି ଭାବରେ ସେ ଏଣେତେଣେ ବା ଧାଆଁନ୍ତା କାହିଁକି ?

 

ଜୁଲିୟେନ ମନେମନେ ଆଶଙ୍କା କଲା, ହୁଏତ ଜିୟେନ ଏକ୍ଷଣି ଗୋଟାଏ କିଛି ଭୟଙ୍କର କାଣ୍ଡ ଘଟାଇ ପାରେ । ତେଣୁ ତାହାକୁ ଧରିବା ପାଇଁ ସେ ତାହା ପଛେ ପଛେ ଗୋଡ଼ାଇଲା । ଜୁଲିୟେନ ଯେତେ ଧାଉଁଥାଏ, ଜିୟେନର କ୍ରୋଧ ଘୃଣା ଓ ଭୟ ସେତେ ବଢ଼ିବାରେ ଲାଗିଥାଏ । ସେତେବେଳେ ତାହାର ଏକମାତ୍ର ପ୍ରତିଜ୍ଞା ଥିଲା, ସେ କୌଣସିମତେ ଜୁଲିୟେନର ହାତରେ ଧରା ଦେବ ନାହିଁ । ଆଉ ସବୁ ଚିନ୍ତା ମନରୁ ଦୂର ହୋଇ ସେହି ଗୋଟିଏ କଥା ବରାବର ତାହାର ମଗଜରେ ଖେଳୁଥିଲା । ଅଗ୍ନିର କଷାଘାତ ଘନଘନ ଝଲସି ଉଠୁଥିଲା, ସତେ ଯେମିତି ତାହାର ମସ୍ତିଷ୍କକୁ ବିଦୀର୍ଣ୍ଣ କରିଦେବ–ନା, ଧରା ଦେବାକୁ ହେବ ନାହିଁ । ଜୁଲିୟେନର ହାତରେ ଧରା ପଡ଼ିଲେ ଚଳିବ ନାହିଁ ।

 

ଜିୟେନ ଧାଇଁ ଧାଇଁ ତଳକୁ ଓହ୍ଲାଇ ଆସିଲା, ଧଡ଼ାସ୍‍ କରି ଦାଣ୍ଡ ଦୁଆରରେ କବାଟ ଖୋଲିଦେଲା ଏବଂ ଏକା ଦୌଡ଼ରେ ବାହାରର ଅନ୍ଧାର ଭିତରକୁ ପଶିଗଲା ।

 

ଜୁଲିୟେନ ତାହା ପଛେ ପଛେ ଧାଇଁଥିଲା । ନିଜର ସ୍ତ୍ରୀକୁ କୌଣସିମତେ ଧରିବା ପାଇଁ ସେ ବି ପାଗଳ ପରି ତାହା ପଛେ ପଛେ ଗୋଡ଼ାଇଥିଲା, ଜିୟେନର ନାମ ଧରି ବାରମ୍ବାର ବଡ଼ ପାଟିରେ ରଡ଼ି ଛାଡ଼ୁଥିଲା ।

 

କିନ୍ତୁ ଜିୟେନ ଘନ ଅନ୍ଧାର ଭିତରେ ମିଳାଇ ଯାଇଥିଲା । ଆଲୁଅ ଜାଳି, ଚାକର ବାକରଙ୍କୁ ନିଦରୁ ଉଠାଇ, ସଜବାଜ ହୋଇ ବାହାରୁ ବାହାରୁ ଜୁଲିୟେନର ଟିକିଏ ବିଳମ୍ବ ହେଲା । ସେତେବେଳକୁ ଅଭାଗିନୀ ପାଗଳୀ ଜିୟେନ ରୁଦ୍ଧଶ୍ୱାସରେ ଧାଇଁଥିଲା ପପଲାର୍ସ ପ୍ରାସାଦର ସୀମା ଟପି ବହୁତ ଦୂରକୁ ଚାଲିଯିବା ପାଇଁ, ଯଦ୍ଵାରା ଜୁଲିୟେନର ସ୍ପର୍ଶ ତାହାକୁ ଆଉ ସହିବାକୁ ପଡ଼ିବ ନାହିଁ ।

 

ବଗିଚା ପରେ ବଣ । ବଣ ପରେ ପାହାଡ଼ । ପାହାଡ଼ର ପାଦ ଦେଶରେ ଗୋଟାଏ ବଡ଼ ଖାଲ । ସେହି ଖାଲଟା ଟପି ନ ପାରି ଜିୟେନ ନିରୂପାୟ ହୋଇ ତାହାରି କଡ଼ରେ ବସି ପଡ଼ିଲା । ଖାଲର ସେ ପଟେ ମଧ୍ୟ ପାହାଡ଼ । ତାହାରି ଫାଙ୍କରେ ଏହି ଅନ୍ଧାରରେ ବି ଆଖିରେ ପଡ଼େ ଗୋଟାଏ ଅସୀମ ଧୂସର ବିସ୍ତାର, ଅକୂଳ ମହା ସମୁଦ୍ର । ତାହାରି ଜଳର ତଳେ ପ୍ରତାରିତ ଜିୟେନକୁ ଏହି ରାତିରେ କଅଣ ଟିକିଏ ଆଶ୍ରୟ ମିଳିବ ନାହିଁ ?

 

ପାଟିଗୋଳ ଶୁଭିଲା । ଆଲୁଅ ଓ ଲୋକମାନଙ୍କୁ ନେଇ ଜୁଲିୟେନ ଆସୁଥିଲା । ଜିୟେନ ତାହା ଭିତରକୁ ଡେଇଁ ପଡ଼ିବାକୁ ବସିଲା । କିନ୍ତୁ ହଠାତ୍‍ ବଢ଼ି ଯାଇଥିବା ତାହାର ଅସ୍ୱାଭାବିକ ଶକ୍ତିଟା ଯେମିତି ଅଚାନକ ଆସିଥିଲା, ସେମିତି ଅଚାନକ ମଧ୍ୟ କମି ଗଲା । ଉଠିବାକୁ ଯାଇ ଜିୟେନ ଟଳି ପଡ଼ିଲା ।

 

ଜୁଲିୟେନ ଆସି ତାହାକୁ ଅଚେତ ଅବସ୍ଥାରେ ପାଇଲା । ଆଉ ଦୁଇ ତିନି ଇଞ୍ଚ ଘୁଞ୍ଚି ଯାଇଥିଲେ ସେ ଗୋଟାଏ ଗଭୀର ଖାଲ ଭିତରେ ପଡ଼ି ଯାଇ ଥାଆନ୍ତା ।

 

ଯେତେବେଳେ ଜିୟେନର ଚେତା ପଶିଲା, ସେ ଦେଖିଲା ଯେ ତାହାର ମାଆ ତାହା ପାଖରେ ବସିଛି । ସେ ଏକ୍ଷଣି ଭୀଷଣ ଅସୁସ୍ଥ । ଖାଲି ଖଣ୍ଡିଏ ରାତ୍ରି-ବାସ ପିନ୍ଧି ଗଭୀର ରାତିରେ ସମୁଦ୍ର କୂଳରେ ପଡ଼ି ରହିଥିବା ଯୋଗୁଁ ତାହାର ଏପରି ଅସୁସ୍ଥତା ହେଲା ।

 

ଜୁଲିୟେନ ନିଜର ଶାଶୁ ଶଶୁରଙ୍କୁ ବୁଝାଇ ଦେଲା–ଜିୟେନର ମଥା ଖରାପ ହୋଇଯାଇଛି, ନୋହିଲେ ସେ ହଠାତ୍‍ ରାତିରେ ଘରୁ ପଳାଇ ଯାଇ ଥାଆନ୍ତା କାହିଁକି ?

 

ବେରନ ଓ ବେରନେସ ଅବଶ୍ୟ ତାହାର କଥାକୁ ଅବିଶ୍ୱାସ କରିପାରିଲେ ନାହିଁ ।

 

କିଛିଦିନ ପରେ ଜିୟେନ ଟିକିଏ ସୁସ୍ଥ ହେଲା । ସେତେବେଳେ ସେ କହିବାକୁ ଲାଗିଲା ଯେ ସେହି ରାତିରେ ଯଦି ତାହାର ମଥା ଖରାପ ହୋଇଥାଏ, ତାହାହେଲେ ସେଟା ହୋଇଥିଲା କେବଳ ରୋଜାଲିକୁ ଜୁଲିୟେନର ବିଛଣାରେ ଏକା ସାଙ୍ଗରେ ଶୋଇଥିବାର ଦେଖି । ଏହା ଶୁଣି ସମସ୍ତେ ତାହାର କଥାକୁ ପାଗଳାମି କହି ହସରେ ଉଡ଼ାଇ ଦେଲେ । ଜୁଲିୟେନ ମଧ୍ୟ ଏହି ଅଭିଯୋଗର ସତ୍ୟତାକୁ ସ୍ୱୀକାର କଲା ନାହିଁ ।

 

କିନ୍ତୁ ଜିୟେନ ତାହାର ଜିଦ୍‍ କୌଣସିମତେ ଛାଡ଼ିଲା ନାହିଁ । ସେ ବେରନଙ୍କୁ କହିଲା–ତୁମେ ରୋଜାଲିକୁ ଯେକୌଣସିମତେ ମୋ ପାଖକୁ ଧରି ଆଣ ।

 

ମାତ୍ର ଜିୟେନର ଏହି କଥାକୁ କେହି କାନ ଦେଲେ ନାହିଁ । ତେଣୁ ଜିୟେନ ଭୟଙ୍କର ଚିତ୍କାର ଆରମ୍ଭ କଲା । ଏହା ଦେଖି ବେରନ ଡରିଗଲେ, ହୁଏତ ଏପରି ଚିତ୍କାର ଓ ଉତ୍ତେଜନା ଫଳରେ ଝିଅର ଅସୁସ୍ଥତା ବଢ଼ି ଯିବ, ଏବଂ ଶେଷରେ ତାହାକୁ ହରାଇବାକୁ ପଡ଼ି ପାରେ ।

 

ଅନ୍ୟ ଉପାୟ ନ ଦେଖି ବେରନ ବାଧ୍ୟ ହୋଇ ରୋଜାଲିକୁ ଜିୟେନ ଠାକୁ ଧରି ଆଣିଲେ । ଜିୟେନ ତାହାର ତଣ୍ଟି ଚିପି ଧରି ପଚାରିଲା–କହ, ସତ କରି କହ, ସେହି ରାତିରେ ତୁ ଜୁଲିୟେନ ପାଖରେ ଶୋଇଥୁଲୁ କି ନା ?

 

ଜିୟେନର ରୁଦ୍ର ମୂର୍ତ୍ତି ଦେଖି ରୋଜାଲି ଏମିତି ଭୀତ ତ୍ରସ୍ତ ହୋଇଗଲା ଯେ ସେ ସତ କଥା ନ କହି ରହିପାରିଲା ନାହିଁ–ହଁ, ଶୋଇଥିଲି ।

 

ତାହାହେଲେ ତୋର ସେହି ପିଲାଟି ? ଜୁଲିୟେନ ତାହାର ବାପ ତ !

 

ହଁ ।

 

ଏତିକି ଶୁଣିଲା ମାତ୍ରେ ବେରନ ରୋଜାଲିକୁ ଧକ୍କା ଦେଇ ସେହି ଘରୁ ବାହାର କରିଦେଲେ ।

 

 

ଚାହୁଁ ଚାହୁଁ ପପଲାର୍ସ ପ୍ରାସାଦରେ ଏକ ଭୟଙ୍କର ଅଶାନ୍ତିର କଳା ମେଘ ଘୋଟିଗଲା ।

 

ସେହି ଦିନରୁ ଜିୟେନ ରାଗରେ ନିଆଁ ହୋଇଯାଇଥିଲା । ସେ ବଡ଼ ପାଟିରେ କହିବାକୁ ଲାଗିଲା, ଜୁଲିୟେନ ସାଙ୍ଗରେ ସେ ଆଉ କିଛି ସମ୍ପର୍କ ରଖିବ ନାହିଁ, ଅତି ଶୀଘ୍ର ତାହାକୁ ଛାଡ଼ପତ୍ର ଦେବ । ଏପରି ଖଳ, ପ୍ରବଞ୍ଚକ ଓ ଚରିତ୍ରହୀନ ଲୋକ ସହିତ ସମ୍ପର୍କ ରଖିବା ଗୋଟାଏ ମହାପାପ ।

 

ବେରନ ମଧ୍ୟ ଖୁବ୍‍ ରାଗି ଯାଇଥିଲେ । ଜୁଲିୟେନକୁ ଘରୁ ତଡ଼ିଦେବା ପାଇଁ ସେ ବଦ୍ଧ ପରିକର ହେଲେ । ବେରନେସ ମନେମନେ ଏହି କଥା ଗୁଣି ହେଉଥିଲେ, ମାତ୍ର କିଛି ସ୍ଥିର କରିପାରୁନଥିଲେ । ସେଥିରେ ଅବଶ୍ୟ ବିଶେଷ କିଛି ଯାଏ ଆସେ ନାହିଁ । ବରାବର ଦେଖା ଯାଇଛି ଯେ ସଂସାରରେ କିଛି ଗୁରୁତର ପରିସ୍ଥିତି ଉପୁଜିଲେ ବେରନେସ ସଙ୍ଗେ ସଙ୍ଗେ ବୁଦ୍ଧିବଣା ହୋଇ ଯାଆନ୍ତି । ତେଣୁ ବେରନଙ୍କୁ ଏକା ଯାହା କିଛି ସିଦ୍ଧାନ୍ତ କରିବାକୁ ହୁଏ ।

 

ଜୁଲିୟେନକୁ ଘରୁ ତଡ଼ିଦେବାର ମତଲବ ପ୍ରାୟ ପକା ହୋଇଗଲା । ସେହି ସମୟରେ ଦିନେ ହଠାତ୍‍ ପାଦ୍ରୀ ଆବେ ପିକୋ ଆସି ଉପସ୍ଥିତ ହେଲେ । ସେ ତ ଏକେ ଧର୍ମ ଯାଜକ, ତାହାଛଡ଼ା ପୁଣି ପାରିବାରିକ ବନ୍ଧୁ । ମୂଳରୁ କଥାଟା ତାହାଙ୍କ କାନରେ ପଡ଼ିଛି । ବର୍ତ୍ତମାନ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଗୋଟାଏ ଚରମ ସିଦ୍ଧାନ୍ତ ନେବା ଆଗରୁ, ତାହାଙ୍କ ସହିତ ପରାମର୍ଶ କରିବା ଉଚିତ ବୋଲି ବେରନ ମନେମନେ ଭାବିଲେ ।

 

ଶଶୁର ଦୃଢ଼ କଣ୍ଠରେ ଘୋଷଣା କଲେ–ତାହାକୁ ତଡ଼ି ଦେବାକୁ ହେବ ।

 

ଶାଶୁ ସମର୍ଥନ ଜଣାଇଲେ–ହେଉ, ତାହାହେଲେ ସେୟା ହେଉ ।

 

ସ୍ତ୍ରୀ ଦାବି କଲା–ଏକ୍ଷଣି ।

 

ପାଦ୍ରୀ ଜଣ ଜଣ କରି ତିନି ଜଣଙ୍କ ମୁହଁକୁ ଥରେ ଥରେ ଅନାଇଲେ, ଟିକିଏ ହସିଲେ, ମୁଣ୍ଡ ହଲାଇଲେ ଏବଂ ମୃଦୁ ସ୍ଵରରେ ଜଣାଇଲେ–ଏଟା ବୋଧହୁଏ ଠିକ୍‍ ହେବ ନାହିଁ ।

 

ସେ ସେମାନଙ୍କୁ ସବୁ କଥା ବୁଝାଇବାକୁ ଲାଗିଲେ । ଘଟଣାଟା ଅବଶ୍ୟ ଅତ୍ୟନ୍ତ ପରିତାପର ବିଷୟ, ଏଥିରେ କିଛି ସନ୍ଦେହ ନାହିଁ । କିନ୍ତୁ ତାହା ବୋଲି ହଠାତ୍‍ ମୁଣ୍ଡ ଗରମ କରି ଗୋଟାଏ କିଛି ଗୁରୁତର କାମ କରି ବସିବା ଠିକ୍‍ ହେବ ନାହିଁ । ସବୁ କଥା ଭାବି ଚିନ୍ତି ଗୋଟାଏ କିଛି ଅବଶ୍ୟ ସ୍ଥିର କରିବାକୁ ହେବ । ଏପରି ଏକ ସାଙ୍ଘାତିକ କଥାକୁ ତରବରରେ ଫଇସଲା କରିଦେଲେ ଶେଷରେ ଦିନେ ନିଜକୁ ପସ୍ତାଇବାକୁ ପଡ଼ିବ ।

 

ଦେଶ ସାରା ଗୋଟାଏ ବଦନାମ ରଟିଯିବ । ଅଭିଜାତ ସମାଜରେ ଚହଳ ପଡ଼ିବ । ଜିୟେନ ଆଉ କେଉଁଠି ମୁହଁ ଦେଖାଇ ପାରିବ ନାହିଁ । ଏସବୁ କାଣ୍ଡ ସହଜରେ ମେଣ୍ଟେ ନାହିଁ, ବହୁ ଦିନ ଘୁଷୁରୁ ଥାଏ, ବହୁ ଦୂରକୁ ଗଡ଼ି ଯାଏ । ସେ ନିଜ ଆଖିରେ ଏମିତି କେତେ କଥା ଦେଖିଛନ୍ତି ।

 

ତାହାଛଡ଼ା ଯଦିଚ ଘଟଣାଟା ଅତ୍ୟନ୍ତ କଦର୍ଯ୍ୟ, ତେବେ ଏଥିରେ ଏମିତି କି ମାରାତ୍ମକ କ୍ଷତିଟାଏ ହୋଇଛି ? ଜିୟେନର ମନୋକଷ୍ଟ ତ ? ଦିନ ଦୁଇଟାରେ ସେ ବଳେ ଏଟା ଭୁଲିଯିବ । ଦିନେ ନା ଦିନେ ସମସ୍ତେ ପଛ କଥା ଭୁଲି ଯାଆନ୍ତି । ଏଟା କିଛି ନୂଆ କଥା ନୁହେଁ । ଦୁନିଆରେ ପ୍ରାୟ ପନ୍ଦର ଅଣା ସ୍ୱାମୀ ବହୁ ନାରୀ ପ୍ରତି ଆସକ୍ତ ଥିବାର ଦେଖା ଯାଆନ୍ତି । ଏକନିଷ୍ଠ କେତେ ଜଣ ଥାଆନ୍ତି ? ଯଦି ସବୁ ସ୍ତ୍ରୀ ଏହି ଅପରାଧରେ ସ୍ୱାମୀ ତ୍ୟାଗ କରିବେ, ତାହାହେଲେ ସମାଜ ତ ଆଉ ରହିବ ନାହିଁ ।

 

ପାଦ୍ରୀ ସିଧା ସଳଖ ବେରନଙ୍କ ମୁହଁକୁ ଅନାଇ ପଚାରିଲେ–ଆପଣ ଛାତିରେ ହାତ ଦେଇ କହନ୍ତୁ ତ ଦେଖି, ପର ସ୍ତ୍ରୀ ଉପରେ ଆପଣ କେବେହେଲେ ପାପ ଦୃଷ୍ଟି ପକାଇ ନାହାନ୍ତି ?

 

ନିଜର ସ୍ତ୍ରୀ ଓ ଝିଅ ସାମନାରେ ପାଦ୍ରୀଙ୍କ ତୁଣ୍ଡରୁ ଏପରି କଥା ଶୁଣି ବେରନଙ୍କ ମୁଖ ଲାଜରେ ଲାଲ ପଡ଼ିଗଲା । ବିବେକର କଷାଘାତରେ ସେ ଭିତରେ ଭିତରେ ଜଳିଲେ । ଯୁବା ଅବସ୍ଥାରେ ସେ କଅଣ କୌଣସି ନାରୀ ଉପରେ ପାପ ଦୃଷ୍ଟି ପକାଇ ନ ଥିଲେ ? ତାଙ୍କରି ଦୌରାତ୍ମ୍ୟରେ ଘରେ ପରା ଯୁବତୀ ଦାସୀ ରହିପାରୁନଥିଲେ । ବେରନେସଙ୍କୁ ସେ କଥା ଭଲଭାବରେ ମାଲୁମ ଅଛି । ସେ ଓଠ ଚାପି ହସ ଲୁଚାଉଥିଲେ । ମୁଖ ଗମ୍ଭୀର କରିବା ପାଇଁ ଶତ ଚେଷ୍ଟା କଲେ ସୁଦ୍ଧା ତାଙ୍କର ଆଖିର କୋଣରେ ହସ ଈଷତ୍‍ ଝଲସୁଥିଲା । ସେ ନିଜ ସ୍ଵାମୀର କାର୍ଯ୍ୟ କଳାପର ପ୍ରତ୍ୟକ୍ଷଦର୍ଶୀ ।

 

ପାଦ୍ରୀ ସେହି ବିଷୟ ଆଉ ଘାଣ୍ଟ ଚକଟ କଲେ ନାହିଁ–ନା, ନା, ଏପରି କଥାରେ ଅସ୍ଥିର ହୋଇ ତରବରରେ ଗୋଟାଏ କିଛି ଏଣୁତେଣୁ ସିଦ୍ଧାନ୍ତ ନିଆଯାଏ ନାହିଁ । ନିଜ ଜୋଇଁ ସମ୍ବନ୍ଧରେ ଆପଣ ଯାହା କରିବେ, ମଥା ଥଣ୍ଡା କରି ଖୁବ୍‍ ଭଲଭାବରେ ଭାବି ଚିନ୍ତି କରିବେ । ବର୍ତ୍ତମାନ ଏକମାତ୍ର ଜରୁରୀ କାମ ହେଉଛି ରୋଜାଲିର ଗୋଟାଏ କିଛି ବ୍ୟବସ୍ଥା କରିବା । ମୋ ମତରେ, ତାହାର ବିବାହ କରିଦେବା ଉଚିତ । ସେଥିରେ ଅବଶ୍ୟ କିଛି ପଇସା ଖର୍ଚ୍ଚ ହେବ, କିନ୍ତୁ ଉପାୟ କଅଣ ?

 

ବେରନ ଟିକିଏ ବିରକ୍ତ ହୋଇ ଆପତ୍ତି କଲେ–କିଏ ତାହାକୁ ବିଭା ହେବ ?

 

ନିଶ୍ଚୟ କେହି ନା କେହି କରିବେ । ଗୋଟିଏ ଖମାର ଘର ଯୌତୁକ ପାଇଲେ ଯେକୌଣସି କୃଷକ ଯୁବକ ଧାଇଁ ଆସି ରୋଜାଲିକୁ ଝାମ୍ପି ନେବ । ଖାଲି ତାହାକୁ ନୁହେଁ, ତାହାର ପୁଅଟିକୁ ମଧ୍ୟ ।

 

ବେରନ କ୍ରୁଦ୍ଧ କଣ୍ଠରେ ପଚାରିଲେ–ଖମାର ଘର ? କେଉଁଠୁ ଆସିବ ?

 

ପାଦ୍ରୀ ଅତିଶୟ ଶାନ୍ତ ସ୍ୱରରେ ଜବାବ ଦେଲେ–ଆସିବ ଛାଏଁ ଛାଏଁ ନିଜ ପକେଟରୁ ! ଆପଣଙ୍କର ମୋଟ ଏକତିରିଶଟା ଖମାର ଅଛି । ଦିନେ ନା ଦିନେ ସେସବୁ ତ ଜିୟେନର ହାତକୁ ଯିବ । ସେହି ଜିୟେନର ଶାନ୍ତି ଉଦ୍ଦେଶ୍ୟରେ ଯଦି ଗୋଟାଏ ଖମାର ଆପଣଙ୍କୁ ଆଗତୁରା ଛାଡ଼ି ଦେବାକୁ ହୁଏ, ଏମିତି କି ଲୋକସାନ ଆପଣଙ୍କର ହେବ ?

 

ପାଦ୍ରୀଙ୍କର ସୁଚିନ୍ତିତ ପରାମର୍ଶ ବୃଥା ହେଲା ନାହିଁ । ମଥା ଥଣ୍ଡା କରି ବାପ ଓ ଝିଅ ଉଭୟେ ଏହି କଥାଟି ଚିନ୍ତା କରି ଦେଖିଲେ । ଶେଷକୁ ଦୁହେଁ ଏକମତ ହେଲେ ଯେ କଳଙ୍କଟା ଦୂର କରିବାକୁ ହେଲେ ପାଦ୍ରୀଙ୍କର ପ୍ରସ୍ତାବିତ ଉପାୟଟି ହେଉଛି ତାହାର ଏକମାତ୍ର ସହଜ ବାଟ ।

 

ରୋଜାଲି ପାଇଁ ବର ଖୋଜି ଦେବାର ଭାର ପାଦ୍ରୀଙ୍କ ଉପରେ ପଡ଼ିଲା । ସେ ବି ଦୈବ ଯୋଗକୁ ଭଲ ପାତ୍ରଟିଏ ପାଇଗଲେ । ଡିଜେରି ଲେକକ–ବୟସ ପଚିଶ ବର୍ଷ, ଶକ୍ତ ସମର୍ଥ ଯୁବକ, ପ୍ରଖର ବୁଦ୍ଧି । ପାଦ୍ରୀଙ୍କ ପ୍ରସ୍ତାବରେ ସେ ସମ୍ମତ ହେଲା ।

 

ବେରନ ନିଜର ବାରଭିଲ ଖମାର ରୋଜାଲିକୁ ଯୌତୁକ ଦେବାକୁ ସ୍ଥିର କଲେ । କିନ୍ତୁ ସେଥିରେ ସେ ଗୋଟିଏ ସର୍ତ୍ତ ରଖିଲେ ଯେ ରୋଜାଲିର ପୁଅ ଖମାରର ମାଲିକ ହେବ, ରୋଜାଲି ଓ ତାହାର ସ୍ଵାମୀ ଖମାର ଚଳାଇବେ ଏବଂ ଆଜୀବନ ତାହାର ଆୟ ଭୋଗ କରିବେ ।

 

ବିବାହ ସରିଲା । ଯେତେବେଳେ ବର ଓ କନ୍ୟା ଗିର୍ଜାରୁ ବାହାରିଲେ, ସେତେବେଳେ ରୋଜାଲିର ଟିକି ପୁଅଟିକୁ କାଖେଇ ଧାଈ ଠିକ୍‍ ସେମାନଙ୍କ ପଛେ ପଛେ ଚାଲିଥିଲା । ଏପରି ଦୃଶ୍ୟ ପାଦ୍ରୀ ପିକୋଙ୍କ ଧର୍ମ ରାଜ୍ୟରେ ବେଳେ ବେଳେ ଦେଖାଯାଏ ।

 

ତା’ପରେ ଦିନ ଗଡ଼ିଯିବାକୁ ଲାଗିଲା ।

 

ଏତେ ସବୁ କାଣ୍ଡ କାରଖାନା ହେଲା ପରେ ମଧ୍ୟ ଜୁଲିୟେନ ଶଶୁର ଘରୁ ବିଦାୟ ନେବାର ପ୍ରୟୋଜନ ବୋଧ କଲା ନାହିଁ । ଯଦିଚ ନିଜର ସ୍ତ୍ରୀ ତାହା ସହିତ କିଛି ସମ୍ପର୍କ ରଖୁ ନ ଥିଲା, ଶଶୁର ଓ ଶାଶୁ କେବେହେଲେ ତାହା ସହିତ ହସି ହସି ପଦେ ଅଧେ କଥା ହେଉ ନ ଥିଲେ । ରୋଜାଲି ଆଉ ଏହି ଘରେ ନ ଥିଲା, ତଥାପି ଜୁଲିୟେନ ପୂର୍ବ ପରି ମାଟି କାମୁଡ଼ି ପଡ଼ି ରହିଥିଲା । ସେ ଅଦ୍ୟାବଧି ସମ୍ପତ୍ତିବାଡ଼ି ଦେଖାଶୁଣା କରୁଥିଲା । ବେରନ ସେହି ଅଧିକାରଟି ତାହାର ହାତରୁ କାଢ଼ି ନେଇ ନ ଥିଲେ । ସୁତରାଂ ଜୁଲିୟେନର ହାତରେ କାମର ଅଭାବ ନ ଥିଲା । ତାହାଠାରୁ ବଡ଼ ଥିଲା ଆପଣାର ଇଜ୍ଜତ, ପ୍ରଜା ମହଲରେ ତାହା ବି ଊଣା ହୋଇ ନ ଥିଲା । ସେହି ଅଞ୍ଚଳରେ ଚାଷୀମାନେ କୌଣସି ପ୍ରଣୟ ଘଟିତ ଦୁର୍ନୀତି ଉପରେ ଆଦୌ ବିଶେଷ ଗୁରୁତ୍ୱ ଆରୋପ କରୁନଥିଲେ ।

 

ଜୁଲିୟେନର କିଛି ଭାବାନ୍ତର ହେଲା ନାହିଁ । କିନ୍ତୁ ସେହି ସାମ୍ପ୍ରତିକ ବିପର୍ଯ୍ୟୟର ଆଘାତରେ ଜିୟେନ ପୂରାପୂରି ବଦଳି ଗଲା । ଦୁନିଆରେ କାହାରି ଉପରେ ତାହାର ଆଉ ଆସ୍ଥା ରହିଲା ନାହିଁ । କୌଣସି ପାରିବାରିକ କିମ୍ବା ସାମାଜିକ ଆନନ୍ଦ ଅନୁଷ୍ଠାନରେ ସେ ଆଗ୍ରହରେ ଯୋଗ ଦେଲା ନାହିଁ । ଏହା ଦେଖି ବେରନ ଓ ବେରନେସଙ୍କ ମନରେ ଆଶଙ୍କା ଉପୁଜିଲା, ଝିଅଟା କଅଣ ଆଜୀବନ ଦୁଃଖର ଅନଳରେ ଜଳିପୋଡ଼ି ମରୁଥିବ ?

 

କିନ୍ତୁ ସହସା ପରିବର୍ତ୍ତନ ଆସିଲା । ନିର୍ଦ୍ଧିଷ୍ଟ ସମୟ ଆଗରୁ ଜିୟେନର ଗୋଟିଏ ପୁଅ ହେଲା । ଅପରିଣତ ଦେହ ଧରି ଶିଶୁଟି ଭୂମିଷ୍ଠ ହେଲା । ସେତେବେଳେ ତାହାର ଆଙ୍ଗୁଳିରେ ନଖ କି ମୁଣ୍ଡରେ ବାଳ ହୋଇ ନ ଥିଲା । ତାହାର ପ୍ରଥମ କ୍ଷୀଣ କ୍ରନ୍ଦନର ରୋଳ ଟିକକ ଶୁଣିଲା ମାତ୍ରେ ଏକ ଅପରିସୀମ ବାତ୍ସଲ୍ୟର ବନ୍ୟା ଜିୟେନର ଅନ୍ତରକୁ ପରିପ୍ଳାବିତ କଲା । ନିଜର ଦୈହିକ ଯନ୍ତ୍ରଣା ଭୁଲି ସେ ଡାକ ଛାଡ଼ିଲା–ଦିଅ, ଦିଅ, ତାହାକୁ ମୋତେ ଆଣି ଦିଅ ।

 

ତା’ପରେ ତାହାର ଶୟନ ସପନ ଓ ଜାଗରଣରେ ଜିୟେନର ଏକମାତ୍ର ନୟନର ମଣି ହୋଇ ରହିଲା ନିଜର ଶିଶୁ ସନ୍ତାନ ପଲ । କ୍ରମେ କ୍ରମେ ଜିୟେନର ବିକ୍ଷୁବ୍ଧ ହୃଦୟ ଶାନ୍ତ ହୋଇ ଆସିଲା ଏବଂ ତାହାର ବିଭ୍ରାନ୍ତ ଦୃଷ୍ଟି ସ୍ନେହର ବାରି ଧାରାରେ କୁସୁମ କୋମଳ ହେଲା । ବେରନ ଓ ବେରନେସ ତାହା ସମ୍ବନ୍ଧରେ ନିଶ୍ଚିନ୍ତ ହୋଇ ରୋୟେଁର ନିବାସକୁ ଫେରିଗଲେ ।

 

ବାତ୍ସଲ୍ୟ ସ୍ନେହର ଅମୃତରେ ଜିୟେନର ଅନ୍ତର ଏମିତି ପରିପୂର୍ଣ୍ଣ ହେଲା ଯେ ସେ ସ୍ଵାମୀ ପ୍ରତି ଆଉ ଏତେ କଠୋର ହୋଇପାରିଲା ନାହିଁ । ତାହା ପ୍ରତି ଜିୟେନର ପ୍ରେମ ନ ଥିଲା, ତେବେ ସୌଜନ୍ୟ ମାତ୍ର । ସେମାନେ ଏକା ସାଙ୍ଗରେ ଭୋଜନ କରୁଥିଲେ ଏବଂ ବୈଠକଖାନାରେ କିଛି କ୍ଷଣ ବସି ସାଧାରଣ ଭାବରେ ଆଳାପ ଆଲୋଚନା କରୁଥିଲେ । ତେବେ ବର୍ତ୍ତମାନ ପରିସ୍ଥିତିରେ ଜିୟେନର ଏତାଦୃଶ ଆଚରଣ ଜୁଲିୟେନ ପକ୍ଷରେ ଆଶାତୀତ ଅନୁଗ୍ରହ ବୋଲି ମନେହେଲା ।

 

ଦିନେ ଜୁଲିୟେନ ଦମ୍ଭ ଧରି ସ୍ତ୍ରୀ ନିକଟରେ ପ୍ରସ୍ତାବ କଲା–ଢେର୍‍ ଦିନ ହେଲା କୌଣସି ପଡ଼ିଶା ଘରକୁ ବୁଲି ଯାଇ ନାହାନ୍ତି । ଯଦି ତୁମର ଆପତ୍ତି ନ ଥାଏ, ଚାଲ ଦିନେ କାଉଣ୍ଟଙ୍କ ଘରୁ ବୁଲି ଆସିବା ।

 

ଜିୟେନ ମନେମନେ ଭାବିଲା, ଏଟା ତ କିଛି ଖରାପ କଥା ନୁହେଁ । ଅନ୍ୟମାନଙ୍କ ପ୍ରତି ତାହାର ଗୋଟାଏ ସାମାଜିକ କର୍ତ୍ତବ୍ୟ ଅଛି । ତାହାଛଡ଼ା ବନ୍ଧୁବାନ୍ଧବଙ୍କ ସହିତ ଦେଖା ସାକ୍ଷାତ ହେଲେ ନୀରସ ଜୀବନରେ କିଛି ଆନନ୍ଦ ମିଳିବ । ଫୋର୍ଭିଲର କାଉଣ୍ଟେସ ଅତି ଚମତ୍କାର ଝିଅଟିଏ, ବୟସରେ ଜିୟେନଠାରୁ ଟିକିଏ ବେଶି ଅବଶ୍ୟ, କିନ୍ତୁ ସେ ତାହା ସହିତ ଠିକ୍‍ ସଖୀ ପରି ବ୍ୟବହାର କରେ । ଅପୂର୍ବ ରୂପସୀ, ତାହାର ଛୁଆ ପିଲା କିଛି ହୋଇ ନାହାନ୍ତି । ତେଣୁ ତାହାର ପ୍ରକୃତ ବୟସ ବାରି ହୁଏ ନାହିଁ । ତାହାର ନାମଟି ମଧ୍ୟ ନାରୀ ସୁଲଭ ନୁହେଁ–ଗିଲବାର୍ଟ । ତାହାର ଆଉ ଗୋଟିଏ ବଡ଼ ଗୁଣ ଥିଲା, ଯାହା ନାରୀମାନଙ୍କ ଠାରେ କ୍ଵଚିତ ଦେଖାଯାଏ । ଘୋଡ଼ା ଚଢ଼ାରେ ତାହାର ଦକ୍ଷତା ଅତୀବ ପ୍ରଶଂସନୀୟ ।

 

ଦିନେ ଜିୟେନ ଓ ଜୁଲିୟେନ କାଉଣ୍ଟଙ୍କର ଲାଭ୍ରିଲେଟ ପ୍ରାସାଦକୁ ଗଲେ । ଗୋଟିଏ ପ୍ରକାଣ୍ଡ ସରୋବର କୂଳରେ ଏକ ବିଶାଳ ଅଟ୍ଟାଳିକା । ସରୋବରରେ ମାଛ ଯେତେ, ଜଳଚର ପକ୍ଷୀ ବି ସେତେ । କାଉଣ୍ଟ ନିଜେ ଜଣେ ପକ୍କା ଶିକାରୀ । ମାଛ ଧରା ଓ ପକ୍ଷୀ ମରାରେ ସେ ସମାନ ଓସ୍ତାଦ । ଶିକାର ପରେ ତାଙ୍କର ଯେତିକି ସମୟ ଅବସର ମିଳେ, ସେସବୁତକ ସ୍ତ୍ରୀର ଅପୂର୍ବ ସୁନ୍ଦର ମୁଖକୁ ଅନାଇ କଟାନ୍ତି ।

 

କାଉଣ୍ଟ ଏତେ ଦିନ ପରେ ସେମାନଙ୍କୁ ଦେଖି ଖୁବ୍‍ ଖୁସି ହେଲେ, ବହୁତ ଆଦର ଅଭ୍ୟର୍ଥନା କଲେ, ଦିନ ସାରା ନାନା ରକମ ମଧୁର ଆଳାପ ଆଲୋଚନାରେ ମାତିଲେ । ରାତ୍ରିଭୋଜନ ପରେ ସେ ସେମାନଙ୍କୁ ବିଦାୟ ଦେଲେ । ଦୁଇ ଦିନ ପରେ ସ୍ଵାମୀ ସ୍ତ୍ରୀ ଦୁହେଁ ଘୋଡ଼ାରେ ଚଢ଼ି ସହସା ସେମାନଙ୍କ ଘରେ ଯାଇ ପହଞ୍ଚିଲେ । ଅଚାନକ ଅତିଥି ଦୁହିଁଙ୍କୁ ଦେଖି ଜିୟେନ ପ୍ରଥମେ ଅବାକ୍‍ ହେଲା ଏବଂ ସେମାନଙ୍କୁ ପାଖାପାଖି ଘୋଡ଼ା ଉପରେ ବସି ଥିବାର ଦେଖି, ସେ ହସି ହସି ଗଡ଼ିଗଲା । କାରଣ ଦୁଇ ଜଣଙ୍କର ଚେହେରା ପୂରାପୂରି ଅଲଗା । କାଉଣ୍ଟେସ ତନୁ ପାତଳୀ ଓ ଅନିନ୍ଦ୍ୟ ସୁନ୍ଦରୀ, କିନ୍ତୁ କାଉଣ୍ଟ ମୋଟାସୋଟା ଓ ଦେଖିବାକୁ ରାକ୍ଷସ ପରି ଚେହେରା ।

 

ସେହି ଦିନରୁ ଦୁଇ ପରିବାର ଭିତରେ କ୍ରମେ କ୍ରମେ ଘନିଷ୍ଠତା ବଢ଼ିବାକୁ ଲାଗିଲା । କାଉଣ୍ଟଙ୍କର ଚେହେରା ବିକଟାଳ ସତ, ମାତ୍ର ତାଙ୍କର ଅନ୍ତର ଅତ୍ୟନ୍ତ କୋମଳ ଓ ସ୍ନେହ ପ୍ରବଣ । ସେ ଜିୟେନର ପୁଅ ପଲକୁ ପ୍ରାଣ ଭରି ଭଲ ପାଆନ୍ତି । ପପଲାର୍ସକୁ ଆସିଲେ ସେ ଯେତେ ବେଳଯାଏ ରହନ୍ତି, ପଲକୁ କେବେ କୋଳରୁ ତଳକୁ ଓହ୍ଲାନ୍ତି ନାହିଁ ।

 

ଏହି ଅଞ୍ଚଳରେ ଅଭିଯାତ ସମାଜର ତିନି ଚାରୋଟି ମାତ୍ର ପରିବାର ସ୍ଥାୟୀ ଭାବରେ ବାସ କରନ୍ତି । ସେମାନଙ୍କ ଭିତରେ ଫୋର୍ଭିଲ ପରିବାର ଭଡସ-ଲାମାରେଙ୍କର ଅନ୍ତରଙ୍ଗ । ସେହି ଅନ୍ତରଙ୍ଗ ସମ୍ପର୍କରେ ଘନିଷ୍ଠତା ଦିନକୁ ଦିନ ବଢ଼ି ଚାଲିଲା ।

 

ତେବେ ଏହି ସମ୍ପର୍କରେ ଅଚାନକ ଛେଦ ପଡ଼ିଲା ଗୋଟାଏ ଦାରୁଣ ଦୁର୍ଘଟଣାରେ । ବେରେନେସଙ୍କର ଅକାଳ ବିୟୋଗ ଘଟିଲା । ଏଥର ସେ ଯେତେବେଳେ ରୋୟେଁରୁ ଆସିଲେ, ସେତେବେଳେ ଜିୟେନ ତାହାଙ୍କୁ ଦେଖି ଆତଙ୍କିତ ହେଲା । ବରାବର ସେ ବେଶ୍‍ ମୋଟାସୋଟା ଥିଲେ । ମାତ୍ର ଏଥର ତାଙ୍କର ସେହି ସ୍ଥୂଳାଙ୍ଗ ଫୁଲି ଫୁଲି ପ୍ରାୟ ଦୁଇ ଗୁଣ ହୋଇଯାଇଥିଲା । ତାଙ୍କର ଅବସ୍ଥା ଏପରି ଅସ୍ୱାଭାବିକ ହେଲା ଯେ ଦୁଇ ପଟରୁ ଦୁଇ ଜଣ ତାହାଙ୍କୁ ନ ଧରିଲେ ସେ ବସି ଉଠି ପାରିଲେ ନାହିଁ । ଦିନେ ସେହି ଦେହ ଧରି ସେ ଲିଣ୍ଡେନ ଓ ପ୍ଲେନ ଗଛର ମଝିରେ ନିଜର ପୁରୁଣା ପଥରେ ପଦଚାରଣ କରିବା ପାଇଁ ବାହାରି ପଡ଼ିଲେ । କିନ୍ତୁ ଥରେ ବୁଲି ଆସିବା ଆଗରୁ, ସେ ହଠାତ୍‍ ତଳେ ପଡ଼ି ଅଚେତ ହୋଇଗଲେ । କେତେଜଣ ଲୋକ ତାହାଙ୍କୁ ଧରାଧରି କରି ଉପରକୁ ଟେକି ନେଲେ । ସେହି ଅଚେତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା ।

 

ଶୋକର ପ୍ରଥମ ଧକ୍କା କଟିବାକୁ ବେଶ୍‍ କିଛିଦିନ ଲାଗିଲା । ତା’ପରେ ବେରନ ପୁଣି ରୋୟେଁକୁ ଚାଲିଗଲେ । ସେଠାରେ ତାଙ୍କର ଅନେକ କାମ ପଡ଼ି ରହିଥିଲା । ତେବେ ଏ କଥା ଠିକ୍‍ ଯେ ସେ ଏକା ସେଠାରେ ବେଶି ଦିନ ରହି ପାରିବେ ନାହିଁ । ଅଚିରେ ତାହାଙ୍କୁ ପପଲାର୍ସକୁ ନିଶ୍ଚିନ୍ତ ଫେରି ଆସିବାକୁ ହେବ ।

 

କିନ୍ତୁ ଆପାତତଃ ଜିୟେନ ଏକା । କ୍ରମେ କ୍ରମେ ଜୁଲିୟେନର ସଙ୍ଗ ତାହା ପକ୍ଷରେ ଦୁଷ୍ପ୍ରାପ୍ୟ ହେଲା । ସେ ଏବେ ଘୋଡ଼ା ଚଢ଼ା ନିଶାରେ ମସଗୁଲ । ଯେ ଦିନେ ଖରଚ କମାଇବା ଉଦ୍ଦେଶ୍ୟରେ ଘୋଡ଼ାଶାଳ ଖାଲି କରି ସବୁ ଘୋଡ଼ା ବିକି ଦେଇଥିଲା, ସେହି ଲୋକ ଏକ୍ଷଣି ବଛା ବଛା ଘୋଡ଼ା ସବୁ ଚଢ଼ା ଦାମ ଦେଇ ବଜାରରୁ କିଣି ଆଣୁଛି ଖାଲି କାଉଣ୍ଟେସ ଗିଲବାର୍ଟର ଘୋଡ଼ା ସାଙ୍ଗରେ ତାଳ ଦେବା ପାଇଁ ।

 

ଗିଲବାର୍ଟ ଓ ଜୁଲିୟେନ ଉଭୟଙ୍କର ଗୋଟିଏ ନିଶା–ପାହାଡ଼ ଡେଇଁ ପ୍ରାନ୍ତର ଟପି ଦୂର ଦୂରାନ୍ତରକୁ ଘୋଡ଼ା ଛୁଟାଇବା । ଦିନେହେଲେ ଏହା ବାଦ ଯିବାର ଜୁ ନାହିଁ । –ହେଇ ପଛେ ବର୍ଷା, କି ଝଡ଼, କି ତୁଷାରପାତ । ଗିଲବାର୍ଟକୁ ଆସିବାର ଦେଖିଲା କ୍ଷଣି ଜୁଲିୟେନ ଘୋଡ଼ା ଧରି ବାହାରି ପଡ଼େ । କେଉଁ ଦିନ ବା ଆଗରୁ ଜୁଲିୟେନ ବାହାରି ଯାଇ ଲାଭ୍ରିଲେଟରୁ ଗିଲବାର୍ଟକୁ ଡାକି ନିଏ ।

 

କାଉଣ୍ଟ ମାଛ ଧରୁ ଥାଆନ୍ତି, ସେ ଗିଲବାର୍ଟ ସାଙ୍ଗରେ ଆସନ୍ତି ନାହିଁ । ଏଣେ ପଲର ଦେହ ଭଲ ନ ଥିବାରୁ ତାହାକୁ ଧାଈ ପାଖରେ ଛାଡ଼ି ଦେଇଯିବା ପାଇଁ ଜିୟେନର ମନ ହୁଏ ନାହିଁ । ସୁତରାଂ ଗିଲବାର୍ଟ ଓ ଜୁଲିୟେନ ଏକା ଘୂରି ବୁଲନ୍ତି । ତେଣେ କାଉଣ୍ଟ ଓ ଏଣେ ଜିୟେନ ସେଥିରେ କିଛି ଦୋଷ ଧରି ପାରନ୍ତି ନାହିଁ ।

 

ଏହି ସମୟରେ ପାଦ୍ରୀ ଆବେ ପିକୋଙ୍କର ପଦୋନ୍ନତି ହେଲା । ସେ ଅନ୍ୟତ୍ର ଚାଲିଗଲେ । ତାହାଙ୍କ ସ୍ଥାନରେ ପାଦ୍ରୀ ଟୋବଲିୟାକ ଆସିଲେ–ଏକାବେଳେ ଟୋକା, ଯେମିତି ନୈଷ୍ଠିକ ସେମିତି କଡ଼ା । ପିକୋ ଗାଉଁଲି ଗରିବ ଲୋକଙ୍କର ନୀତିହୀନତାକୁ ବରାବର କ୍ଷମାର ଦୃଷ୍ଟିରେ ଦେଖୁଥିଲେ । କିନ୍ତୁ ଟୋବଲିୟାକ ସେହି ଦିଗରୁ କ୍ଷମାହୀନ ହେତୁ ନିର୍ମମ ଜଣା ପଡ଼ିଲେ ।

 

ପାଦ୍ରୀ ଆବେ ପିକୋଙ୍କର ସୁଚିନ୍ତିତ ବିଚାର ଯୋଗୁଁ ରୋଜାଲି ଓ ଜୁଲିୟେନର ଜଟିଳ ବ୍ୟାପାର ଗୋଟାଏ ମାରାତ୍ମକ ପରିଣତିରେ ପହଞ୍ଚି ପାରିଲା ନାହିଁ । ଆଜି ରୋଜାଲି ସ୍ଵାମୀର ଘରେ ଖୁବ୍‍ ସୁଖରେ ଅଛି । ଏଣେ ଜୁଲିୟେନ ମଧ୍ୟ ସ୍ତ୍ରୀଠାରୁ ବିତାଡ଼ିତ ହୋଇ ରାସ୍ତାରେ ଯାଇ ଠିଆ ହେବାକୁ ବାଧ୍ୟ ହୋଇ ନାହିଁ ।

 

ନୂଆ ପାଦ୍ରୀ ଟୋବଲିୟାକଙ୍କର କଥାବାର୍ତ୍ତା ଓ ଢଙ୍ଗଢାଙ୍ଗରୁ ଜଣା ପଡ଼ିଲା, ଏମିତି କିଛି ଘଟଣା ତାଙ୍କର ଗୋଚରକୁ ଆସିଲେ ସେ ସମ୍ପୃକ୍ତ ଲୋକମାନଙ୍କୁ ନରକକୁ ନ ପଠାଇ ଛାଡ଼ିବେ ନାହିଁ । ମରଣ ପରେ ନରକ ବାସ ତ ଢେର୍‍ ପରରକଥା । ଉପସ୍ଥିତ ଇହଲୋକରେ ସେ ସେମାନଙ୍କ ଚାରିପଟେ ଯେଉଁ ନିଆଁ ଜାଳି ଦେବେ, ନରକର ଅଗ୍ନିଠାରୁ ତାହାର ଜ୍ୱାଳା କୌଣସିମତେ ଊଣା ହେବ ନାହିଁ ।

 

ଦିନେ ଟୋବଲିୟାକ ଆସି ଜିୟେନକୁ ଫୁସ୍‍ ଫୁସ୍‍ କରି ଯାହା ଜଣାଇଲେ, ତାହା ଶୁଣିଲା ମାତ୍ରେ ଜିୟେନ ପ୍ରାୟ ପଥର ପାଲଟି ଗଲା । ପାଦ୍ରୀ ଏକ୍ଷଣି ଯାହା କହିଲେ, ସେ ସ୍ୱପ୍ନରେ ସୁଦ୍ଧା ତାହା ଭାବି ନ ଥିଲା । ଜଣେ ସଦାଶୟ ଏକନିଷ୍ଠ ସ୍ୱାମୀ ଥାଉଁ ଥାଉଁ, ତାଙ୍କର ସ୍ତ୍ରୀ ଗିଲବାର୍ଟ ଏପରି କୁକର୍ମରେ ଲିପ୍ତ ହେବ ?

 

ଟୋବଲିୟାକ ତାହାକୁ ଉତ୍ତେଜିତ କରିବା ପାଇଁ ଚେଷ୍ଟା କଲେ–ଜିୟେନ, ଯଦି ତୁମେ ନୀରବରେ ଏହି ମହାପାପ ବରଦାସ୍ତ କରିବାକୁ ବସ, ତାହାହେଲେ ପାପକୁ ପ୍ରଶ୍ରୟ ଦେବାର ଅପରାଧରେ ତୁମେ ମଧ୍ୟ ନିଶ୍ଚୟ ନରକରେ ପଡ଼ିବ । ଏଥିରେ କିଛି ସନ୍ଦେହ ନାହିଁ ।

 

ଅବଳା ଜିୟେନ କ୍ଷୀଣ ସ୍ୱରରେ କାକୁତି ମିନତି କଲା–ଏଥିରେ ମୁଁ କଅଣ କରିପାରିବି-?

 

ତୁମେ ପ୍ରତିବାଦ କରିପାର । ପ୍ରଥମେ ଗୋପନରେ ତୁମ ସ୍ୱାମୀର କାର୍ଯ୍ୟର ପ୍ରତିବାଦ କରିବ । ସେଥିରେ କିଛି ଫଳ ନ ହେଲେ ପ୍ରକାଶ୍ୟରେ ସ୍ୱର ଉଠାଇବ । ସମାଜର ଛାତି ଉପରେ ଠିଆହୋଇ ଏପରି ବ୍ୟଭିଚାର ଚଳିବ ନାହିଁ । ଗରିବଙ୍କ କ୍ଷେତ୍ରରେ ନୁହେଁ, କି ବଡ଼ଲୋକଙ୍କ କ୍ଷେତ୍ରରେ ବି ନୁହେଁ । ଧନୀ ବୋଲି କେହି ପାପ କରିବା ପାଇଁ ଭଗବାନଙ୍କ ଠାରୁ ବିଶେଷ ସନନ୍ଦ ପାଇ ନାହିଁ ।

 

ଅଚିରେ ଗୋଟାଏ କିଛି କରିବା ପାଇଁ ଜିୟେନକୁ ପରାମର୍ଶ ଦେଇ ପାଦ୍ରୀ ଟୋବଲିୟାକ ଗର୍ଜନ କରି କରି ଚାଲିଗଲେ, ସତେ ଯେମିତି ଗୋଟାଏ କ୍ଷୁଧାର୍ତ୍ତ ବାଘ ହାତ ପାହାନ୍ତାରେ ଗୋଟିଏ ନରମ ଶିକାର ଗନ୍ଧ ପାଇଛି ।

 

କିନ୍ତୁ ଜିୟେନ କିଛି କରିପାରିଲା ନାହିଁ । ନିଜ ସ୍ୱାମୀ ସହିତ ଏହି କଥା ଆଲୋଚନା କରିବା ପାଇଁ ତାହାର ମନ ଟେକିଲା ନାହିଁ । କାରଣ ଏହି କଥା ଉଠାଇଲା ମାତ୍ରେ ସ୍ୱାମୀ ସ୍ତ୍ରୀ ଦୁହିଙ୍କ ଭିତରେ ଗୋଟାଏ କଦର୍ଯ୍ୟ କଳହର ସୂତ୍ରପାତ ହେବ । ବେରନ ଏଠାରେ ଥିଲେ ଜିୟେନ ତାହାଙ୍କ ଉପରେ ଏହି ଘଟଣାଟା ଛାଡ଼ିଦେଇ ପାରି ଥାଆନ୍ତା । ଯେତେବେଳେ ସେ ଏକ୍ଷଣି ନାହାନ୍ତି, ଜିୟେନକୁ ନିଶ୍ଚୟ ଅପେକ୍ଷା କରିବାକୁ ପଡ଼ିବ । ଏହି ନିନ୍ଦନୀୟ ଘଟଣା ଭିତରେ ଜିୟେନ କଦାପି ମଥା ଗଳାଇ ପାରିବ ନାହିଁ ।

 

ସତକୁ ସତ ଜିୟେନ ଅବଶ୍ୟ ଏପରି ଏକ ସାଙ୍ଘାତିକ ଘଟଣାରେ ଅପେକ୍ଷା କରିପାରିଲା । କିନ୍ତୁ ପାଦ୍ରୀ ଟୋବଲିୟାକ ପାରିଲେ ନାହିଁ । ଖ୍ରୀଷ୍ଟ ଧର୍ମର ପବିତ୍ରତା ରକ୍ଷା କରିବାର ଭାର ତାହାଙ୍କ ଉପରେ ନ୍ୟସ୍ତ ଥିଲା । ସେ ଜିୟେନ ଜରିଆରେ କିଛି ହେବାର ଆଶା ଛାଡ଼ିଦେଇ କାଉଣ୍ଟ ଫୋର୍ଭିଲଙ୍କ ପାଖରେ ଯାଇ ହାଜର ହେଲେ ।

 

ସେ ଦିନ ଝଡ଼ ସାଙ୍ଗରେ ବର୍ଷା ହେଉଥିଲା । ଏହି ଦୁର୍ଯୋଗରେ ବି ଜୁଲିୟେନ ଘୋଡ଼ା ଧରି ବାହାରିଲା । ଜିୟେନ ଏହା ଦେଖି ପାଟି ଫିଟାଇଲା ନାହିଁ । କାରଣ ସେ ଜାଣେ, ଏକ୍ଷଣି କହିଲେ କିଛି ଫଳ ହେବ ନାହିଁ । ସେ କାହିଁକି ଅଯଥା ସ୍ୱାମୀଠାରୁ ଅପମାନ ପାଇବାକୁ ଯିବ ?

 

ଜିୟେନ ପୁଅଟିକୁ ଧରି ଘର ଭିତରେ ଚୁପ୍‍ଚାପ୍‍ ବସି ରହିଲା । କାଉଣ୍ଟ ଫୋର୍ଭିଲ ମେଘରେ ତିନ୍ତି ବୁଡ଼ି ଅଣନିଃଶ୍ୱାସୀ ହୋଇ ହଠାତ୍‍ ପହଞ୍ଚିଲେ । ତାଙ୍କର ଦୃଷ୍ଟି ଉଦ୍‍ଭ୍ରାନ୍ତ, ଆଉ ପଦକ୍ଷେପ ଅସ୍ଥିର । ସେ ଜିୟେନକୁ ପଚାରିଲେ–ମୋ ସ୍ତ୍ରୀ ଏଠାରେ ଅଛି ? ଅନ୍ୟ ଦିନେ ପପଲାର୍ସକୁ ଆସିଲେ କାଉଣ୍ଟ ପଲକୁ କାଖେଇ କେତେ ସ୍ନେହ ଆଦର କରନ୍ତି, କିନ୍ତୁ ଆଜି ସେ ତାହା ଆଡ଼କୁ ଅନାଇଲେ ନାହିଁ ।

 

 

ନା, ଆଜି ତ ସେ ଏଠାକୁ ଆସି ନାହାନ୍ତି–ଜିୟେନ ଜବାବ ଦେଉଁ ଦେଉଁ ଗୋଟାଏ ଅଜଣା ଭୟରେ ଶିହରି ଉଠିଲା ।

 

କାଉଣ୍ଟ ଆଉ ଦଣ୍ତେ ବି ଠିଆ ହେଲେ ନାହିଁ । ସଙ୍ଗେ ସଙ୍ଗେ ସେହି ଝଡ଼ ବର୍ଷା ଭିତରେ ସେ ଫେରିଗଲେ । ଜିୟେନ ଝରକା ବାଟେ ଅନାଇ ଦେଖିଲା, କାଉଣ୍ଟ ପପଲାର୍ସର ହତା ଟପି ପାହାଡ଼ ଆଡ଼କୁ ଚାଲିଗଲେ । ସେହି ଅଭିଶପ୍ତ ରାତିରେ ଯେଉଁ ଖାଲ ଟପି ନ ପାରି ଜିୟେନ ହତାଶ ହୋଇ ମୃତ୍ୟୁବରଣ କରିବା ପାଇଁ ପାହାଡ଼ ତଳେ ବସି ପଡ଼ିଥିଲା, ଆଜି କାଉଣ୍ଟ ଏକା କୁଦାରେ ସେହି ଖାଲଟାକୁ ଡେଇଁପଡ଼ି ଆଗକୁ ଧାଇଁଗଲେ । ତା’ପରେ ଜିୟେନ ସେହି ଦୁର୍ଯୋଗର ଦିନରେ ଆଉ ତାହାଙ୍କୁ ଦେଖିପାରିଲା ନାହିଁ ।

 

ତହୁଁ ଜିୟେନ ପୁଅ ପଲକୁ କୋଳରେ ଧରି ଭାରାକ୍ରାନ୍ତ ହୃଦୟରେ ବସି ରହିଲା । ସେହି ଘନ ବର୍ଷାର ଅବିରଳ ଧାରା ଭିତରେ ସେ ଗୋଟାଏ ଘୋର ଅମଙ୍ଗଳର ଛାୟା ଦେଖି ପାରୁଥିଲା । ସେ ମନେମନେ ଭାବୁଥିଲା, ଏହି ଦୁର୍ଯୋଗର ଦିନରେ ଜୁଲିୟେନ ଓ ଗିଲବାର୍ଟ ନିଶ୍ଚୟ ଗୋଟାଏ ଜାଗାରେ ଏକାଠି ରହିଛନ୍ତି । ଭଗବାନ କରନ୍ତୁ, କାଉଣ୍ଟ ଯେମିତି ସେଠାରେ ଯାଇ ପହଞ୍ଚି ନ ପାରନ୍ତୁ ।

 

କିନ୍ତୁ ଭଗବାନ ଜିୟେନର ଆନ୍ତରିକ ପ୍ରାର୍ଥନା ଆଦୌ କାନକୁ ନେଲେ ନାହିଁ । ଅପରାହ୍ନରେ ଜଣେ ଗ୍ରାମବାସୀ ଗୋଟିଏ ମାଲବୁହା ଗାଡ଼ି ଆଣି ପପଲାର୍ସ କୋଠିର ହତାରେ ରଖିଲା । ସେହି ଗାଡ଼ିରେ ଜୁଲିୟେନର ରକ୍ତାକ୍ତ ମୃତ ଦେହ ପଡ଼ିଥିଲା ।

 

ଠିକ୍‍ ସେମିତିକା ଆଉ ଖଣ୍ଡିଏ ଗାଡ଼ି ଯାଇ ଲାଭ୍ରିଲେଟ କୋଠି ପାଖରେ ରହିଲା । ସେଥିରେ ଥିଲା କାଉଣ୍ଟେସ ଗିଲବାର୍ଟର ଶବ ।

 

ଲୋକମାନଙ୍କ ଠାରୁ ଖବର ମିଳିଲା ଯେ ଝଡ଼ ବର୍ଷାର ଦାଉରୁ ରକ୍ଷା ପାଇବା ପାଇଁ ଜୁଲିୟେନ ଓ ଗିଲବାର୍ଟ ଉଭୟେ ଗୋଟିଏ ଚକ ଲଗା କାଠଘରେ ଆଶ୍ରୟ ନେଇଥିଲେ । ହାଲୁକା କାଠରେ ତିଆରି ଛୋଟ ଘର, ଚାରୋଟି ଚକ ଲାଗିଥିବାରୁ ସେଟାକୁ ଯେଉଁଠାକୁ ପାରେ ସେଠାକୁ ଖୁସିରେ ନେଇ ଯାଇ ହୁଏ । ନିର୍ଜନ ଜାଗାରେ ଆଶ୍ରୟ ନେବା ପାଇଁ ସାଧାରଣତଃ ମେଷ ପାଳକମାନେ ଏପରି ଘର ବ୍ୟବହାର କରନ୍ତି, ଏପରି ଗୋଟିଏ କାଠ ଘର କୁଆଡ଼େ ଅନେକ ଦିନରୁ ସେହି ପାହାଡ଼ ଉପରେ ପଡ଼ିଥିଲା । ଜୁଲିୟେନ ଓ ଗିଲିବାର୍ଟ ଯାଇ’ତାହା ଭିତରେ ବସିଥିଲେ । ଝଡ଼ର ପ୍ରଚଣ୍ଡ ଧକ୍କାରେ ସେହି ଚକ ଲଗା ଘରଟି ଗଡ଼ିବାକୁ ଲାଗିଲା ଏବଂ ପାହାଡ଼ର ଢାଲୁ ଜାଗାରୁ ଗଡ଼ି ଗଡ଼ି ଅତଳ ଗହ୍ୱରରେ ପଡ଼ିଗଲା । ଗାଡ଼ିଟା ଦିଆସିଲି ବାକ୍‍ସ ପରି ଗୁଣ୍ତ ହୋଇଯାଇଛି, ତାହା ଭିତରେ ଥିବା ମଣିଷ ଦୁହେଁ ଶେଷ ପର୍ଯ୍ୟନ୍ତ ଆର୍ତ୍ତ ସ୍ୱରରେ ଚିତ୍କାର କରିଥିଲେ, ସେମାନେ ମଧ୍ୟ ତାହା ସାଙ୍ଗରେ ଗୁଣ୍ତ ହୋଇ ଯାଇଛନ୍ତି । କାଠଘରର ଦୁଆରଟା ବାହାରୁ କେମିତି ବନ୍ଦ ହୋଇଯାଇଥିଲା । ଘରଟି ଗଡ଼ିବାର ଦେଖି ସୁଦ୍ଧା ଭିତର ଲୋକମାନେ ସେଥିରୁ କୌଣସିମତେ ବାହାରି ପାରିଲେ ନାହିଁ । ପାଖ ଆଖରେ ଚାଷୀମାନଙ୍କ ଭିତରୁ କେହି କେହି କୁଆଡ଼େ ଏହା ଦେଖିଥିଲେ । ଯଦିଚ ସେମାନେ ଆଖି ଆଗରେ ଏପରି ଗୋଟାଏ ଦୁର୍ଘଟଣା ଘଟିବାର ଦେଖିଲେ, ତଥାପି ଛୁଟନ୍ତା ଘରର ଗତି ରୋଧ କରିବା ପାଇଁ ଆଗେଇ ଆସିବାକୁ କେହି ସାହସ କଲେ ନାହିଁ । ଘରର ଧକ୍କାରେ ପଡ଼ିଯିବେ ବୋଲି ସେମାନେ କୁଆଡ଼େ ମନେମନେ ଆଶଙ୍କା କରିଥିଲେ ।

 

ସମସ୍ତେ ବାହାରେ ଜାଣିଲେ, ଏଟା ଗୋଟାଏ ଦୁର୍ଘଟଣା । କିନ୍ତୁ ଜିୟେନ ଜାଣିଲା ଅନ୍ୟ ରକମ । କେବଳ ସେ ଜାଣିଲା ଯେ ଝଡ଼ର ଧକ୍କାରେ ଘରଟି ଆପେ ଆପେ ଗଡ଼ି ଯାଇ ନ ଥିଲା, କାଉଣ୍ଟ ଫୋର୍ଭିଲଙ୍କର ଧକ୍କାରେ ଗଡ଼ି ଯାଇଥିଲା, ଆଉ ଘରର ଦୁଆର ଦୈବାତ୍‍ ବନ୍ଦ ହୋଇ ଯାଇ ନ ଥିଲା, କାଉଣ୍ଟ ନିଜେ ସେଟା ବନ୍ଦ କରି ଦେଇଥିଲେ ।

 

 

ଦିନ ଦ୍ରୁତ ଗତିରେ ଗଡ଼ି ଯିବାକୁ ଲାଗିଲା ।

 

ବେରନ ଆସି ପପଲାର୍ସ ପ୍ରାସାଦରେ ବାସ କଲେ । ଝିଅ ଜିୟେନ ଓ ନାତି ପଲର ଗହଣରେ ତାଙ୍କର ଦିନଗୁଡ଼ିକ ସୁଖରେ ଅତିବାହିତ ହେଉଥିଲା ।

 

ପଲ ଏକ୍ଷଣି ସାବାଳକ । ଦଶ ବର୍ଷ ବୟସରେ ତାହାକୁ ହେଭାର ସହରର ବିଦ୍ୟାଳୟକୁ ପଠା ହୋଇଥିଲା । ସେଠାରେ ସେ ମନଦେଇ ପଢ଼ାଶୁଣା କଲା ନାହିଁ । ତାହାର ଅଜା ଓ ମାଆ ଉଭୟେ ଅତ୍ୟଧିକ ଆଦର କରି କରି ଶୈଶବରୁ ତାହାର ମୁଣ୍ଡ ଖାଇଛନ୍ତି । ସେଥିରେ ବିଦ୍ୟା ଅର୍ଜନ କରିବା ପାଇଁ ବେଶି ଦୂର ଆଗେଇବା ତାହା ପକ୍ଷରେ କୌଣସିମତେ ସମ୍ଭବ ହେଲା ନାହିଁ ।

 

ଠିକ୍‍ ଅଠର ବର୍ଷ ହେବା ଆଗରୁ ପଲ ହେଭାର ଛାଡ଼ି କେତେବେଳେ ପ୍ୟାରିସ ତ କେତେବେଳେ ଲଣ୍ଡନକୁ ଧାଇଁବାକୁ ଆରମ୍ଭ କଲା । ମଝିରେ ମଝିରେ ବେରନଙ୍କୁ ତାହାର ମୋଟା ମୋଟା ଦେଣାସବୁ ବିନା ବାକ୍ୟ ବ୍ୟୟରେ ଚୁକ୍ତି କରିବାକୁ ପଡ଼ିଲା । ପାଉଣାଦାରମାନେ ପଲର ଲେଖା ଚିରକୁଟ ଖଣ୍ଡିଏ ଲେଖାଏଁ ଧରି ଯାଆନ୍ତି ଏବଂ ବେରନଙ୍କ ଠାରୁ ଅନାୟାସରେ ଶହେ କି ହଜାରେ ଫ୍ରାଙ୍କ ଲେଖାଏଁ ଆଦାୟ କରି ନିଅନ୍ତି । ସେମାନଙ୍କୁ ନ ଦେବାର ଗତି ବେରନଙ୍କର ନ ଥିଲା । କାରଣ ସେ ନ ଦେଲେ, ସେମାନେ ପଲର ନାମରେ ପ୍ରତାରଣାର ମାମଲା ରୁଜୁ କରିବେ । ପଲ ଜେଲ ଯିବ, ଏଣେ ବଂଶର ନାମରେ କାଳି ଲାଗିବ ।

 

ତେବେ ପଲ ସାବାଳକ ହେଲା ଦିନରୁ ଏହି ଚିରକୁଟାରୀ ମହାଜନମାନଙ୍କର ଯାତାୟାତ ବନ୍ଦ ହୋଇଛି । ଦିନେ ପଲ ତରଫରୁ ଜଣେ ଓକିଲ ଆସି ତାହାର ବାପା ଭାଇକାଉଣ୍ଟ ଜୁଲିୟେନ ଲାମାରେର ପୈତୃକ ସମ୍ପତ୍ତିର ଆୟବ୍ୟୟର ହିସାବ ଚାହିଁଲା ।

 

ଜୁଲିୟେନର ମୃତ୍ୟୁ ପରେ ସେହି ସମ୍ପତ୍ତିର ଦେଖାଶୁଣାର ଭାର ସାଧାରଣତଃ ଜିୟେନ ଉପରେ ପଡ଼ିଥିଲା । ଜିୟେନ ତରଫରୁ ବେରନ କାମ କରୁଥିଲେ । ସେ ସଙ୍ଗେ ସଙ୍ଗେ ଓକିଲ ସାମନାରେ ଆୟବ୍ୟୟର ହିସାବ ଥୋଇ ଦେଲେ । ସମ୍ପତ୍ତି ବୋଇଲେ ଏକମାତ୍ର ଖମାର ଘର । ତେବେ ବିଶେଷ କିଛି ବ୍ୟୟ ହୋଇ ନ ଥିଲା । ତେଣୁ ଏତେ ବର୍ଷ ଭିତରେ ଗୁଡ଼ିଏ ଟଙ୍କା ଆୟ ହୋଇଥିଲା । ବେରନ ପଲର ନାମରେ ବେଙ୍କରେ ଏକ ଲକ୍ଷ କୋଡ଼ିଏ ହଜାର ଫ୍ରାଙ୍କ ଜମା କରିଦେଲେ ।

 

ତା’ପରେ କିଛିଦିନ ଯାଏ ପଲର କିଛି ଖବର ଅନ୍ତର ମିଳିଲା ନାହିଁ । ଅବଶେଷରେ ଲଣ୍ଡନରୁ ଖଣ୍ଡିଏ ଚିଠି ଆସିଲା–ବର୍ତ୍ତମାନ ହେଭାର ବାସିନୀ ଜଣେ ଯୁବତୀ ସାଙ୍ଗରେ ସେ ସେଠାରେ ବାସ କରୁଛି ଏବଂ ବ୍ୟବସାୟରେ ନିଜକୁ ନିୟୋଜିତ କରିଛି ।

 

ବ୍ୟବସାୟଟି ହେଉଛି ଜାହାଜ କମ୍ପାନୀ । ଗୋଟିଏ ଯୌଥ କମ୍ପାନୀ ଗଠିତ ହୋଇଛି । କମ୍ପାନୀ ଜାହାଜ କିଣିବ କିମ୍ବା ତିଆରି କରିବ, ଚଳାଇବ ଏବଂ ଦେଶ ବିଦେଶରୁ ଅଜସ୍ର ଅର୍ଥ ଉପାର୍ଜନ କରିବ । ଦେଖୁଁ ଦେଖୁଁ ଭାଇକାଉଣ୍ଟ ପଲ ଦ୍ୟ ଲାମାରେ ଜଣେ କୋଟିପତି ହୋଇଯିବ । ପୈତୃକ ଭାଇକାଉଣ୍ଟ ଉପାଧିଟାକୁ ପଲ ଜାବୁଡ଼ି ଧରିଛି । ତାହାର ମାଆ ଠାକୁ ଚିଠି ଲେଖିଲା ବେଳେ ବି ସେ ଭାଇକାଉଣ୍ଟ ପଲ ବୋଲି ନାମ ଦସ୍ତଖତ କରେ ।

 

ଯାହାହେଉ ପଲ କୋଟିପତି ହେବାକୁ ବସି ଥିବାର ଖବର ପାଇ ଘରେ ଅଜା ଓ ମାଆ ଖୁବ୍‍ ଖୁସି ହେଲେ । ସେମାନେ ମନେମନେ ଭଗବାନଙ୍କୁ ଡାକିଲେ, ପଲର ଦେଣା ଚୁକ୍ତି କରିବା ପାଇଁ ସେମାନଙ୍କ ଉପରେ କେବେହେଲେ ଆଉ ବିପଦ ନ ପଡ଼ୁ !

 

କିନ୍ତୁ ବର୍ଷକ ପରେ ସେହି ବିପଦ ଆସିଲା । ଜାହାଜ କମ୍ପାନୀ ଅଚାନକ ଭାଙ୍ଗିଗଲା । ବଜାରରେ ପଲର ଦେଣା ଅଢ଼େଇ ଲକ୍ଷ ଫ୍ରାଙ୍କ । ପଲ ଜଣାଇଲା–ଯଦି ଅଜା ସେହି ଦେଣା ତକ ପଇଠ କରି ନ ଦିଅନ୍ତି, ତାହାହେଲେ ତାହା ସାମନାରେ ଗୋଟିଏ ମାତ୍ର ବାଟ ଖୋଲା ରହିଛି । ତାହା ହେଉଛି ପିସ୍ତଲରେ ନିଜ ମଥାର ଖପୁରୀ ଉଡ଼ାଇ ଦେବା ।

 

ଅଢ଼େଇ ଲକ୍ଷ ଫ୍ରାଙ୍କ ପଇଠ କରିବା ଏଡ଼େ ସହଜ କଥା ନୁହେଁ । ଯଦି ବେରନ ନିଜର ଜୋଇଁ ଜୁଲିୟେନ ପରି କୃପଣ ହୋଇଥାଆନ୍ତେ, ତାହାହେଲେ ଏହି ପରିମାଣ ଅର୍ଥ ସେ ନିଶ୍ଚୟ ସଞ୍ଚୟ କରିପାରି ଥାଆନ୍ତେ । କିନ୍ତୁ ସେ କେଉଁଦିନ କୃପଣ ହୋଇ ନାହାନ୍ତି, ନିଜ ମନଇଚ୍ଛା ଦୁଇ ହାତରେ ଟଙ୍କା ଉଡ଼ାଇଛନ୍ତି । ସୁତରାଂ ତାଙ୍କର କିଛି ସଞ୍ଚୟ ନ ଥିଲା, ବରଂ କିଛି ଧାର ହୋଇଥିଲା-। ତେଣୁ ପଲକୁ ବଞ୍ଚାଇବା ପାଇଁ ତାହାକୁ କେତେଗୁଡ଼ିଏ ଖମାର ବିକି ଦେବାକୁ ପଡ଼ିଲା-। ହାତରେ ଅଢ଼େଇ ଲକ୍ଷ ଫ୍ରାଙ୍କ ପାଇଲାଠୁଁ ପଲ ଦୀର୍ଘ ଦିନ ନୀରବ ରହିଲା ।

 

ତା’ପରେ ପ୍ୟାରିସରୁ ପଲର ଚିଠି ଆସିବାକୁ ଲାଗିଲା–ଟଙ୍କା ପାଇଁ । ବ୍ୟବସାୟ ଲାଗି ନୁହେଁ, ଖାଲି ନିଜର ଖର୍ଚ୍ଚ ପାଇଁ । ତାହାର ପରିମାଣ ମଧ୍ୟ କମ୍‍ ନୁହେଁ । ଆଜି ଦଶ ହଜାର ତ, କଲି କୋଡ଼ିଏ ହଜାର ।

 

କିନ୍ତୁ ମାଆ ଜିୟେନ ପ୍ରତି ଚିଠିରେ ତାହାକୁ ଅନୁନୟ ବିନୟ କରି ଲେଖିଲା–ତୁ ଘରକୁ ଫେରିଆ, ଏଠାରେ ତୋତେ ଆମେ ରଜାପୁଅ ପରି ରଖିବୁ ।

 

ସେହି ଅନୁନୟର ଜବାବ ଦେବାକୁ ଯାଇ ପଲ ଲେଖିଲା–ମୁଁ ଯାଇପାରେ, କିନ୍ତୁ ଏହି ଝିଅଟିକୁ ସାଙ୍ଗରେ ନେଇ । ତାହାକୁ ବିଭା ହୋଇ ଘରକୁ ନେଇ ଯିବାକୁ ଚାହେଁ । ତାହାକୁ ଛାଡ଼ି ଦେଇ ରହିବା ମୋ ପକ୍ଷରେ ସମ୍ଭବ ନୁହେଁ । ଏଥିରେ ତୁମ୍ଭେମାନେ ସମ୍ମତ ହେଲେ, ଆମେ ନିଶ୍ଚୟ ଯିବୁ ।

 

ଜିୟେନର ମୁଣ୍ଡ ଉପରେ ଆକସ୍ମିକ ବଜ୍ରପାତ ହେଲା । ବେରନ ପାର୍ଥ ଇସ ଦ୍ୟ ଭଡ଼ସଙ୍କର ନାତି ହେଭାରର ଜଣେ ଚରିତ୍ରହୀନା ଗଣିକାକୁ ବିଭା ହେବ ! ଏପରି ପ୍ରସ୍ତାବରେ ବେରନ ମତ ଦେଇ ପାରିଲେ ନାହିଁ । ମାତ୍ର ସେ ପଲକୁ ବରାବର ଅର୍ଥ ଯୋଗାଇବାକୁ ଲାଗିଲେ । ଯେତେବେଳେ ପଲ ଯେତିକି ମାଗିଲା, ବେରନ ଚିଠି ପାଇଲା ମାତ୍ରେ ଜଣେ ଆଜ୍ଞାଧୀନ କର୍ମଚାରୀ ପରି ସେତକ ପଠାଇ ଦେଲେ । ଏପରି ଅବସ୍ଥା ହେଲା ଯେ ଶେଷକୁ ବେରନଙ୍କର ଏକତିରିଶଟା ଖମାର ଭିତରୁ ଗୋଟିଏ ସୁଦ୍ଧା ରହିଲା ନାହିଁ । ରୋୟେଁ ସହରର ଘରଟା ବି ଗଲା ।

 

ତା’ପରେ ଟଙ୍କା ପାଇଁ ପଲର ଦାବି ଆସିଲାରୁ, ବେରନ ଝିଅକୁ କହିଲେ–ଜିୟେନ, ଏକ୍ଷଣି ମୋର ଆଉ କିଛି ଉପାୟ ନାହିଁ । ପପଲାର୍ସ ପ୍ରାସାଦଟି ବନ୍ଧା ଦେବାକୁ ପଡ଼ିବ । ଜିୟେନର ଆଖିରୁ ଲୁହ ଗଡ଼ି ପଡ଼ିଲା । ତଥାପି ସେ ଟାଣ ହୋଇ ବାପକୁ କହିପାରିଲା ନାହିଁ–ନା, ବାବା, ତାହାକୁ ଆଉ ଟଙ୍କା ପଠାଅ ନାହିଁ । ସେ ତ ନରକରେ ପଡ଼ିଛି, ତାହାପାଇଁ ତୁମେ ନିଜର ଆଶ୍ରୟ ଟିକକ କଦାପି ହାତରୁ ଛାଡ଼ ନାହିଁ ।

 

ଅବଶେଷରେ ନିରୁପାୟ ହୋଇ ବେରନ ପପଲାର୍ସ ପ୍ରାସାଦ ବନ୍ଧକ ଦେଇ ଟଙ୍କା ଧାର ଆଣିଲେ । ଥରେ ବନ୍ଧା ଦେଲେ, ଦୁଇ ଥର ବନ୍ଧା ଦେଲେ । ତୃତୀୟ ଥର ବନ୍ଧା ଦେବା ପାଇଁ ସେ ଦଲିଲ ଦସ୍ତଖତ କରିବାକୁ ଯାଇଥିଲେ । ଓକିଲର ଅଫିସରେ ବସିଥିଲା ବେଳେ ସେ ଅଚେତ ହୋଇଗଲେ । ତାଙ୍କର ଚେତା ଆଉ ଫେରିଲା ନାହିଁ ।

 

ବାପକୁ କବର ଦେବା ପାଇଁ ଜିୟେନ କବରଖାନାକୁ ଯାଇଥିଲା । ଯେଉଁମାନେ ତାହାର ସାଙ୍ଗରେ ସେଠାକୁ ଯାଇଥିଲେ, କବର ଦେଇସାରି ସେମାନେ ନିଜ ନିଜ ଘରକୁ ଫେରିଗଲେ । ଜିୟେନକୁ ସାଙ୍ଗରେ ଘରକୁ ନେଇଯିବା ପାଇଁ କେହି ସେଠାରେ ଟିକିଏ ଅପେକ୍ଷା କଲେ ନାହିଁ । ଗ୍ରାମବାସୀମାନେ ଜାଣନ୍ତି ଯେ ଆଜି ଭଡ଼ସ ବଂଶ ନିଃସ୍ଵ ହୋଇଯାଇଛି । କାଲି ଯାହାକୁ ପପଲାର୍ସ ପ୍ରାସାଦ ଛାଡ଼ି ଚାଲି ଯିବାକୁ ପଡ଼ିବ, କିଏ ବା କାହିଁକି ତାହାକୁ ସହାନୁଭୂତି ଦେଖାଇବା ପାଇଁ ସେଠାରେ ଠିଆହୋଇ ରହିବ !

 

ଏଣୁତେଣୁ କେତେ କଥା ଭାବୁଁ ଭାବୁଁ ଜିୟେନ ଏକ ସମୟରେ ଅଚେତ ହୋଇ ବାପର କବର ପାଖରେ ପଡ଼ିଗଲା । କେତେବେଳକେ ଜଣେ ଶକ୍ତ ସମର୍ଥ ସ୍ତ୍ରୀଲୋକ ହଠାତ୍‍ କେଉଁଠୁ ଆସି ପହଞ୍ଚିଲା ଏବଂ ବିନା ଦ୍ୱିଧାରେ ଜିୟେନକୁ ତଳୁ ଟେକିନେଇ କାନ୍ଧ ଉପରେ ପକାଇଲେ । ତା’ପରେ ସେ ଧୀରେ ଧୀରେ ତାହାକୁ ନେଇ ପପଲାର୍ସ ପ୍ରାସାଦରେ ଜିୟେନର ଶୟନ କକ୍ଷରେ ପଲଙ୍କ ଉପରେ ଶୁଆଇ ଦେଲା ।

 

କିଛି ସମୟ ପରେ ଜିୟେନର ଚେତା ପଶିଲା । ମାତ୍ର ସେ କୌଣସିମତେ ମନେ କରିପାରିଲା ନାହିଁ, ଏହି ସ୍ତ୍ରୀଲୋକଟି କିଏ । ଖୁବ୍‍ ଚିହ୍ନା ମନେହେଲେ ସୁଦ୍ଧା ଜିୟେନ ତାହାକୁ କୌଣସିମତେ ଚିହ୍ନିପାରିଲା ନାହିଁ । ତାହାର ପୋଷାକପତ୍ର ଓ କଥାବାର୍ତ୍ତାରୁ ସେ ଚଷା ଘର ଝିଅ ପରି ମାଲୁମ ହେଉଥିଲା । କିନ୍ତୁ କୌଣସି ଚାଷୀର ସ୍ତ୍ରୀର ଅନ୍ତରରେ ଜିୟେନ ପ୍ରତି ଏପରି ଅହେତୁକ ଦରଦ ଛପି ରହିଥିବାର ସେ ତ ଏତେ ଦିନ ଯାଏ ଜାଣି ପାରି ନ ଥିଲା ।

 

ଜିୟେନ ବିଛଣାରେ ଉଠି ବସି ପଚାରିଲେ–କିଏ ତୁମେ ?

 

କେତେଥର ପଚାରିଲା ପରେ ଶେଷକୁ ଜବାବ ମିଳିଲା–ମୁଁ ରୋଜାଲି ।

 

ଏଁ ରୋଜାଲି ! ଏତେ ଦିନ ପରେ ରୋଜାଲି !

 

ବାରଭିଲ ତ ପାଖରେ ନୁହେଁ । ତଥାପି ମୁଁ କେତେଥର ତୁମକୁ ଦେଖିବାକୁ ଆସିଛି । ତୁମକୁ ଦୂରରୁ ଦେଖି ଚାଲି ଯାଇଛି, ମାତ୍ର ତୁମ ପାଖକୁ ଯିବାକୁ ମୋର ସାହସ କୁଳାଏ ନାହିଁ । ଜାଣେ, ତୁମେ ମୋତେ ଏଠାରୁ ତଡ଼ି ଦେଇ ନ ଥାଆନ୍ତ, କିନ୍ତୁ ତଡ଼ି ଦେବା ପାଇଁ ଅନ୍ୟ ଲୋକ ଥିଲେ । ତେଣୁ ମୁଁ ଆସିଛି, ତୁମକୁ ଦେଖି ଚାଲି ଯାଇଛି । କିନ୍ତୁ ଏଥର ଆଉ ଫେରିଯାଇ ପାରିଲି ନାହିଁ । କବର ନିକଟରେ ତୁମକୁ ଏକା ଅଚେତ ଅବସ୍ଥାରେ ଛାଡ଼ିଦେଇ ଚାଲିଯିବାକୁ ମୋ ମନ ଡାକିଲା ନାହିଁ ।

 

ନିଜର ଶୈଶବ ଓ କୈଶୋର କଥା ମନେପଡ଼ିବାରୁ ଜିୟେନ କାନ୍ଦି ପକାଇଲା । ରୋଜାଲି ଓ ଜିୟେନ ସେତେବେଳେ ଅତି ଆପଣାର ଥିଲେ । ଆଜି ସେ ଦିନ ଆଉ ନାହିଁ ।

 

ହୁଏତ ରୋଜାଲି ଜିୟେନର ମନର କଥା ବୁଝିପାରି କହିଲା–ଆଜି ଆଉ ତୁମକୁ ଏକା ଛାଡ଼ିଦେଇ ଯାଇ ପାରିଲି ନାହିଁ, କି ପାରିବି ମଧ୍ୟ ନାହିଁ । ଆଜି ତୁମ ପାଖରେ କେହି ନାହାନ୍ତି, ତୁମେ ଏକା । ମୁଁ ନ ରହିଲେ ତୁମକୁ ଦେଖାଶୁଣା କରିବ କିଏ ?

ଏହା ଶୁଣି ଏତେ ଦୁଃଖ ଭିତରେ ଜିୟେନ ଭାରି ଖୁସି ହେଲା ଏବଂ ପଚାରିଲା–ସତେ, ରହିବୁ ତୁ ଏଠି ? କିନ୍ତୁ ତୋର ଘରଦ୍ଵାର ? ତୋର ସ୍ଵାମୀ ଓ ପିଲାଛୁଆଙ୍କୁ ଛାଡ଼ି ଏଠି ରହିପାରିବୁ ?

ଗଲା ବର୍ଷ ସ୍ଵାମୀଙ୍କର ଦେହାନ୍ତ ହେଲା । ପୁଅ ବଡ଼ ହୋଇଛି, ସେ ଘରଦ୍ୱାର ଦେଖାଦେଖି କରିପାରିବ । ମୋର ଜାଗା ଏଇଠି ।

ଜିୟେନ କିଛି କ୍ଷଣ ଚିନ୍ତା କରି ଲଜ୍ଜିତ ଭାବରେ କହିଲା–ଦେଖୁଛୁ ତ, ମୋର ଏକ୍ଷଣି କେମିତିକା ଅବସ୍ଥା । ସେଥିରେ ତୋତେ ଦରମା ଦେବି କେଉଁଠୁ ଆଣି ? ଯେଉଁ ଜଣେ ଦି ଜଣ ଚାକର ବାକର ଏବେ ଅଛନ୍ତି, ସେମାନଙ୍କୁ ତ ମୁଁ ଦରମା ଦେଇପାରୁ ନାହିଁ ।

ରୋଜାଲି ଜିଭ କାମୁଡ଼ା କହିଲା–ଏଁ, କି କଥା ତୁମେ ତୁଣ୍ଡରେ ଧରିଲ ! ତୁମଠାରୁ ମୁଁ ଦରମା ନେବି କେଉଁ ମୁହଁରେ ? ତୁମେ ପରା ମୋତେ ଯାଚି କରି ବାଇଶ ହଜାର ଫ୍ରାଙ୍କ ଦାମର ଖମାରଟା ଦେଇଥିଲ । ଆଜି ଭଗବାନଙ୍କ ଦୟାରୁ ତୁମଠାରୁ ମୋର ଅବସ୍ଥା ବରଂ ଭଲ ହୋଇଛି ।

ରୋଜାଲି ଆଉ ନିଜର ଘରକୁ ଫେରିଗଲା ନାହିଁ । ସେ ତ ଖାଲି ଜିୟେନର ଘରଦ୍ୱାର ଦେଖାଶୁଣା କଲା ନାହିଁ, ତାହାର ସମ୍ପତ୍ତି ବାଡ଼ିର ଭାର ବି ଅଚିରେ ନିଜ ହାତକୁ ନେଲା । ତାହାର ସ୍ଵାମୀ ଡିଜେରି ଲୋକକ ଜଣେ ପକ୍କା ବିଷୟୀ ଲୋକ ଥିଲା । ସେ ତାହାଠାରୁ ଜମିବାଡ଼ି ଓ ଟଙ୍କାପଇସା ସମ୍ବନ୍ଧରେ ଯଥେଷ୍ଟ ଅଭଜ୍ଞତା ହାସଲ କରିଛି ।

କେତେଦିନ ପରେ ରୋଜାଲି ଜିୟେନ ନିକଟରେ ପ୍ରସ୍ତାବ ପକାଇଲା–ତୁମକୁ ପପଲାର୍ସ ପ୍ରାସାଦ ବିକି ଦେବାକୁ ହେବ ।

ଜିୟେନ ଚମକି ପଡ଼ି କହିଲା–ନା, ନା, ତାହା କଦାପି ହୋଇପାରିବ ନାହିଁ । କାହିଁକି ? କି ଦରକାର ?

ଦୁଇଟା ବନ୍ଧକୀ ଦଲିଲ ଆଜି ପପଲାର୍ସର ବେକରେ ଝୁଲୁଛି, ଏହା କ’ଣ ତୁମକୁ ମାଲୁମ ନାହିଁ ? ଏହି ଦେଣା ଶୁଝିବ କିଏ ? ସୁଧ ତ ଦିନକୁ ଦିନ ବଢ଼ି ଚାଲିଛି । ଯଦି ଚାରିଟା ବର୍ଷ ଏମିତି ଭାବରେ କଟେନା, ତୁମ ଘରବାଡ଼ି ଆପେ ଆପେ ବିକ୍ରି ହୋଇଯିବ । ସେତେବେଳେ ତୁମେ ତାହାର ଦାମ ବାବଦକୁ ପଇସାଟିଏ ସୁଦ୍ଧା ପାଇବ ନାହିଁ । ଯଦି ଏକ୍ଷଣି ବିକି ଦିଅ, ତୁମର ସବୁ ଦେଣା ପରିଶୋଧ ହୋଇ ଏମିତି କିଛି ହାତରେ ରହିବ ଯେ ସେଥିରୁ ବାର୍ଷିକ ପାଞ୍ଚ ଛଅ ହଜାର ଫ୍ରାଙ୍କ ଆୟ ହୋଇପାରିବ । ତାହାହେଲେ ତୁମକୁ ଆଉ ନ ଖାଇ ମରିବାକୁ ପଡ଼ିବ ନାହିଁ ।

ବହୁତ କନ୍ଦାକଟା ଓ ଯୁକ୍ତିତର୍କ ପରେ ଜିୟେନ ରୋଜାଲିର ପ୍ରସ୍ତାବରେ ରାଜି ହେଲା । ରୋଜାଲି ନିଜେ ଓକିଲର ଘରକୁ ଧାଇଁଲା, ଖରିଦଦାର ଠିକ୍‍ କଲା ଏବଂ ଦଲିଲ ମଧ୍ୟ ଲେଖାଇ ଆଣିଲା । ତହିଁ ସଙ୍ଗେ ସଙ୍ଗେ ସେ ପ୍ରାୟ ଦୁଇ ମାଇଲ ଦୂରରେ ରାସ୍ତା କଡ଼ରେ ବଗିଚା ସମେତ ଗୋଟିଏ ଛୋଟ ପକା ଘର ଜିୟେନ ନାମରେ କିଣି ପକାଇଲା । ଶେଷ ଜୀବନ ପାଇଁ ତାହାର ତ ଗୋଟାଏ କିଛି ଆଶ୍ରୟ ଦରକାର ।

 

ଅବଶେଷରେ ଜିୟେନ ଆଖିରୁ ଲୁହ ପୋଛି ପୋଛି ପପଲାର୍ସ ପ୍ରାସାଦ ପରିତ୍ୟାଗ କଲା । ଶୈଶବର ପ୍ରତ୍ୟକ୍ଷ ସାକ୍ଷୀ ଓ ପିତା-ମାତାଙ୍କର ପବିତ୍ର ସ୍ମୃତିର ମାୟାଜାଲ ଛିଡ଼ାଇ ଦିନେ ତାହାକୁ ଦୁନିଆର ରାଜପଥକୁ ବାହାରିବାକୁ ହେଲା । ତାହାର ଏକମାତ୍ର ପାଥେୟ ହେଲା ରୋଜାଲିର ସ୍ନେହ ଟିକକ ।

 

ଜିୟେନ ନୂଆ ଘରେ ଯାଇ ରହୁ ନ ରହୁଣୁ ପଲଠାରୁ ଚିଠି ଆସିଲା–ମୋର ଝିଅଟିଏ ହୋଇଛି । ସ୍ତ୍ରୀର ଅବସ୍ଥା ସାଙ୍ଘାତିକ ସଙ୍କଟାପନ୍ନ । ଝିଅଟିକୁ ନେଇ ତୁମ ପାଖରେ ରଖିବ ?

 

ରୋଜାଲି ଜିୟେନକୁ ସେଠାକୁ ଯିବାକୁ ଦେଲା ନାହିଁ । ସେ ନିଜେ ଗଲା । ଯିବାବେଳେ ସେ ଜିୟେନକୁ କହିଲା–ସେହି ଝିଅଟା ଯେତେବେଳେ ମରିବାକୁ ବସିଲାଣି, ମରିବା ଆଗରୁ ପଲ ସାଙ୍ଗରେ ତାହାର ବିବାହ କରିଦେବା ଦରକାର । ନୋହିଲେ ସେହି ପିଲାଟି ତ ବୈଧ ସନ୍ତାନ ବୋଲି ଗଣା ହେବ ନାହିଁ ।

 

ବୋଧହୁଏ ଏତିକିବେଳେ ରୋଜାଲିର ମନେପଡ଼ିଲା, ତାହାର ପୁଅ ଡେନିସର ଜନ୍ମ ପରେ ଠିକ୍‍ ଏପରି ଏକ ସମସ୍ୟା ତାହା ସାମନାରେ ଆସି ଦେଖା ଦେଇଥିଲା, ଆଉ ବେରନଙ୍କ କୃପାରୁ ସେହି ଜଟିଳ ସମସ୍ୟାର ସମାଧାନ ମଧ୍ୟ ହୋଇଥିଲା । ପଲର ସେହି ଝିଅ ତ ଆଜି ବେରନଙ୍କ ବଂଶର ଜଣେ ।

 

ଦୁଇ ଦିନ ପରେ ରୋଜାଲି ଫେରି ଆସିଲା । ତାହାର କୋଳରେ କୁନି ଝିଅଟିଏ । ସେ ଜିୟେନକୁ କହିଲା–ବୋହୂ ମରିଗଲା । ହଁ, ସେ ମରିବା ଆଗରୁ ଦୁହିଁଙ୍କର ବିବାହ କରିଦେଲି । ବୋହୂକୁ କବର ଦେଇ ସାରି ପଲ ଆସିବ ।

 

ପଲର ଝିଅଟିକୁ କୋଳରେ ଧରି ଜିୟେନର ମନେହେଲା, ତାହାର ଛାତି ଭିତରେ ଏତେ ଦିନ ହେଲା ଯେଉଁ ବରଫ ଜମି ରହିଥିଲା ଆଜି ଏହି ଶିଶୁଟିର ଉତ୍ତାପରେ ତାହା ତରଳିବାକୁ ଲାଗିଲାଣି । ଜିୟେନ ସେହି କୁନି କଅଁଳ ସୁନ୍ଦର ମୁହଁଟି ଉପରେ ଘନ ଘନ ଚୁମା ଦେବାକୁ ଲାଗିଲା-

★★★

 

ଗାବ୍ରିୟେଲ ଦ୍ୟ ଅନ୍ୟୁନତ୍‍ସିଓ

Unknown

ମରଣର ବିଜୟ

 

ବିବାହିତା ତରୁଣୀ ହିପୋଲାଇତ ଅନିନ୍ଦ୍ୟ ସୁନ୍ଦରୀ ହେଲେ କଅଣ ହେବ, ତାହାର ଦାମ୍ପତ୍ୟ ଜୀବନ ସୁଖକର ନ ଥିଲା । କାରଣ ସ୍ଵାମୀ ତାହାର ଦେହ ଓ ମନ ଭିତରେ କେଉଁ ଦିନ ଉନ୍ମାଦନା ସଞ୍ଚାର କରିପାରିଲା ନାହିଁ । ଏତାଦୃଶ ଆଶା-ଭଙ୍ଗର ବେଦନାରେ ଜର୍ଜରିତ ହୋଇ ସେ ଅସୁସ୍ଥ ଦେହ ଓ ମନ ଘେନି ବିବାହର ମାତ୍ର କେତୋଟି ସପ୍ତାହ ପରେ ନିଜର ବାପଘରକୁ ବାହୁଡ଼ି ଗଲା । ତା’ପରେ ହିପୋଲାଇତର ଜୀବନ ଭୀଷଣ ବେଦନାମୟ ହେଲା । ଦାରୁଣ ନିଃସଙ୍ଗତାରେ ତାହାର ଦିନ ବିତିବାକୁ ଲାଗିଲା ।

 

ଏହି ସମୟରେ ଅଚାନକ ଦିନେ ରୂପସୀ ହିପୋଲାଇତର ତରୁଣ କବି ଜର୍ଜ ସହିତ ଭେଟ ହେଲା । ପ୍ରଥମ ସାକ୍ଷାତରେ ସେମାନେ ପରସ୍ପର ପ୍ରତି ଆକୃଷ୍ଟ ହେଲେ । ଦୁହିଁଙ୍କ ଭିତରେ କ୍ରମେ କ୍ରମେ ଅନୁରାଗ ଜାତ ହେଲା । କିଛିଦିନ ଯାଉ ନ ଯାଉଣୁ ଦୁଇଟି ତରୁଣ ହୃଦୟ ପରସ୍ପରକୁ ଗଭୀର ଭାବରେ ଭଲ ପାଇବାକୁ ଲାଗିଲେ ।

 

ଜର୍ଜ ହେଉଛି ଏକ ଧନୀ ଅଭିଯାତ ବଂଶର ଏକମାତ୍ର ସନ୍ତାନ ଏବଂ ବିପୁଳ ସମ୍ପତ୍ତିର ଅଧିକାରୀ । ଅର୍ଥ ଉପାର୍ଜନ ନିମନ୍ତେ ତାହାକୁ କେବେ ଚିନ୍ତା କି ପରିଶ୍ରମ କରିବାକୁ ପଡ଼ୁ ନ ଥିଲା । ସେ ଜଣେ ଉଦ୍ଦାମ ପ୍ରେମିକ ଥିଲା । ନିଜର ନାନବିଧ ଖିଆଲ ଖସି ଚରିତାର୍ଥ କରିବା ପାଇଁ କେବେହେଲେ ତାହାର ଅର୍ଥର ଅଭାବ ହେଉ ନ ଥିଲା । କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଜର୍ଜର ଶରୀର ବିକଶିତ ହେଲେ ସୁଦ୍ଧା ତାହାର ମନ ସେହି ପରିମାଣରେ ପରିଣତି ଲାଭ କରିନଥିଲା ।

 

ସୁନ୍ଦରୀ ହିପୋଲାଇତ ନିଜର ସ୍ଵାମୀଠାରୁ ଯାହା କେବେ ପାଇ ନ ଥିଲା, ଜର୍ଜ ତାହାର ସେହି ଅଭାବ ପୂରଣ କଲା । ଜର୍ଜ ତାହାର ଚେତନାହୀନ ନାରୀତ୍ୱକୁ ଜଗାଇଲା । ହିପୋଲାଇତ ଜୀବନର ନୂତନ ଅର୍ଥ ଉପଲବ୍ଧି କଲା, ମଧୁର ସ୍ଵାଦ ଉପଭୋଗ କଲା । ଜର୍ଜର ଭିତରେ ସେ ବଞ୍ଚି ରହିବାର ପରମ ଆନନ୍ଦ ଓ ସନ୍ତୋଷ ଖୋଜି ପାଇଲା । ତହିଁ ସଙ୍ଗେ ସଙ୍ଗେ ସେ ନିଜର ଯୌବନ ଦୀପ୍ତ ପ୍ରାଣବନ୍ତ ଦେହ ଓ ମନକୁ ମଧ୍ୟ ଫେରି ପାଇଲା ।

 

କିନ୍ତୁ ସେ ଗୋଟିଏ ବିଷମ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେଲା । ସ୍ଵାମୀ ବଞ୍ଚି ଥାଉଣୁଁ ହିପୋଲାଇତ ଜର୍ଜକୁ ବିବାହ କରିପାରିବ ନାହିଁ । ଆଉ ତେଣେ ସ୍ଵାମୀ ସହିତ ତାହାର ବିବାହ ବିଚ୍ଛେଦ ମଧ୍ୟ ସମ୍ଭବ ନୁହେଁ । କାରଣ ତାହା ଦେଶରେ ପ୍ରଚଳିତ ରୀତିର ବିରୋଧୀ । ତଥାପି ସେମାନେ କିଛି କଥାକୁ ଖାତିର ନ କରି ଇତାଲୀର ଚାରିଆଡ଼େ ଏକା ସାଙ୍ଗରେ ମନଇଚ୍ଛା ଘୂରି ବୁଲିଲେ । କିନ୍ତୁ ସେଥିରେ ଜର୍ଜର ମନର ଆରିମାନ ମେଣ୍ଟିଲା ନାହିଁ ।

 

ଯୁବତୀ ହିପୋଲାଇର ପ୍ରେମ ଶାନ୍ତ ଓ ସ୍ୱାଭାବିକ । ଜଣେ ଯୁବତୀ ନାରୀ ଜଣେ ଯୁବା ପୁରୁଷକୁ ଯେପରି ଭଲପାଏ, ସେ ଜର୍ଜକୁ ସେପରି ଭଲ ପାଉଥିଲା । ମାତ୍ର ଜର୍ଜର ପ୍ରେମ ସର୍ବଗ୍ରାସୀ ଥିଲା । ସେ ପ୍ରେୟସୀ ହିପୋଲାଇତର ଜୀବନର ପ୍ରତି ମୁହୂର୍ତ୍ତକୁ ସମ୍ପୂର୍ଣ୍ଣ ଭାବରେ ନିଜର ହାତ ମୁଠାରେ ପାଇବା ପାଇଁ ସତତ ବ୍ୟାକୁଳ ହେଉଥିଲା । ଜର୍ଜ ଅନ୍ତରରେ କାମନା କରୁଥିଲା, ଅନ୍ୟ କାହାରି ଏପରିକି ସ୍ଵୟଂ ହିପୋଲାଇତର ସୁଦ୍ଧା ତାହାର ନିଜ ଉପରେ କୌଣସି ଅଧିକାର ରହିବ ନାହିଁ । ସେ ଚାହୁଁ ନ ଥିଲା ହିପୋଲାଇତର ଏକ ଅଲଗା ଜୀବନ, କୌଣସି ଭିନ୍ନ ସତ୍ତା । ସେ ଖାଲି ବରାବର ଚାହୁଁଥିଲା, ହିପୋଲାଇତ ତାହାର ଦେହ ଓ ମନ ସାଙ୍ଗରେ ପୂରାପୂରି ମିଶି ଯାଉ ।

 

ଏହି ସର୍ବନାଶୀ ପ୍ରେମ ଜର୍ଜକୁ ଏକାବେଳେ ପାଗଳ କରି ପକାଇଲା । ତାହାର ପ୍ରଚଣ୍ଡ ଉତ୍ତାପରେ ହିପୋଲାଇତ କ୍ରମେ କ୍ରମେ ଅସ୍ଥିର ହୋଇପଡ଼ିଲା । ଶେଷରେ ଜର୍ଜର ପ୍ରେମାନଳରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ସେ ତୃପ୍ତିର ନିଃଶ୍ୱାସ ମାରିଲା ।

 

ଦିନେ କେତେଜଣ ବନ୍ଧୁ ଜର୍ଜକୁ ନିରୋଳାରେ ଡାକି କହିଲେ–ଆମ କଥା ଭଲା ଟିକିଏ ଶୁଣ, ଜର୍ଜ । କାହିଁକି ତୁ ଏହି ନାରୀ ପାଇଁ ଅନର୍ଥକ ଏମିତି ପାଗଳ ହେଉଛୁ ? କାହିଁକି ବା ତୁ ବୋକା ପରି ତାହାର ପଛେ ପଛେ ଗୋଡ଼ାଇ ନିଜ ଜୀବନକୁ ଏମିତି ନଷ୍ଟ କରୁଛୁ ? ଏବେ ବି ସମୟ ଅଛି, ତୁ ଏହି ଛଳନାମୟୀର ମୋହ-ଜାଲରୁ ନିଜକୁ ମୁକ୍ତ କର । ତୁ ଖାଲି ତାହାର ବାହାରର ସୋନ୍ଦର୍ଯ୍ୟ ଦେଖି ମୁଗ୍ଧ ହୋଇଛୁ । ମାତ୍ର ତାହାର ଭିତରର କଦର୍ଯ୍ୟ ରୂପର ଖବର ତ ତୋତେ ମୋଟେ ମାଲୁମ ନାହିଁ–ସେଟା ଅତ୍ୟନ୍ତ କୁତ୍ସିତ । କେବେ ତୋ’ଠାରୁ କେହି ଅଧିକ ଧନୀ ଲୋକ ମିଳିଲେ ଏବଂ ତାହାଠାରୁ ସେ ଟିକିଏ ଇଙ୍ଗିତ ପାଇଲେ, ସଙ୍ଗେ ସଙ୍ଗେ ହିପୋଲାଇତ ତୋତେ ଛାଡ଼ିଦେଇ ତାହା ପାଖକୁ ଧାଇଁଯିବ, ଏ କଥା କଅଣ ତୁ ଜାଣିଛୁ ସେତେବେଳେ ସେ ତୋତେ ଥରେ ଆଡ଼ନୟନରେ ଚାହିଁବ ନାହିଁ ।

 

ବନ୍ଧୁମାନଙ୍କ ଠାରୁ ଏମିତି ମନ୍ଦ କଥା ଶୁଣି ଜର୍ଜର ମନରେ ଦ୍ଵିଧା ଜାତ ହେଲା । ସେମାନଙ୍କୁ କିଛି ନ କହି ସେ ମନେମନେ ଭାବିଲା–ନା, ନା, କଦାପି ଏହା ହୋଇପାରିବ ନାହିଁ । ଏକାବେଳେ ଅସମ୍ଭବ । ରୂପବତୀ ହିପୋଲାଇତ ଏକମାତ୍ର ତାହାରି, ଅନ୍ୟ କାହାରି ନୁହେଁ । ସେ ଦୁହେଁ ଏକାନ୍ତ ଏକାତ୍ମ ଓ ଅଭିନ୍ନ । ଦୁନିଆରେ କେହି ସେମାନଙ୍କୁ କେବେ ପୃଥକ କରିପାରିବ ନାହିଁ-

 

ପର ମୁହୂର୍ତ୍ତରେ ଏକ ନୂତନ ଚିନ୍ତା ତାହାର ମନ ଭିତରେ ଉଦିତ ହେଲା–ଯଦି ସତକୁ ସତ ହିପୋଲାଇତ ଦିନେ ତାହାକୁ ଛାଡ଼ି ଚାଲିଯାଏ, ସେତେବେଳେ ସେ କାହାକୁ ନେଇ ରହିବ, ବଞ୍ଚି ରହିବ ବା କିପରି ? କିଛି କ୍ଷଣ ପରେ ଜର୍ଜ ଆଉ ସେହି ନିଠୁର କଥା ଭାବିପାରିଲା ନାହିଁ ।

 

ଜର୍ଜ ପ୍ରତି ମୁହୂର୍ତ୍ତରେ ନିଜ ଶରୀରର ରନ୍ଧ୍ରେ ରନ୍ଧ୍ରେ ପ୍ରତି ରକ୍ତ କଣିକାରେ ହିପୋଲାଇତର ଅସ୍ତିତ୍ଵର ଉଦ୍ଦୀପ୍ତ ଘୋଷଣା ଅନୁଭବ କଲା । ସେହି ଅସ୍ତିତ୍ଵ ଅସ୍ଵୀକାର କରିବା ତାହା ପକ୍ଷରେ ସମ୍ଭବ ନୁହେଁ, କି ତାହାକୁ ଭୁଲିଯିବା ମଧ୍ୟ ସହଜ ନୁହେଁ । ଦୁନିଆରେ ହିପୋଲାଇତ ବିହୁନେ ଏକ ଜୀବନ ସେ କଳନା କରିପାରିଲା ନାହିଁ । ନିଜର ଶୃଙ୍ଖଳିତ ଅସହାୟ ଅବସ୍ଥା ଉପଲବ୍ଧି କରି ଜର୍ଜର ମନ ଭାରାକ୍ରାନ୍ତ ହେଲା । ଯଦି ସତରେ ହିପୋଲାଇତ ତାହାକୁ ତ୍ୟାଗ କରି ଚାଲିଯାଏ, ତାହାହେଲେ ତାହାର ପରିଣତି ଯେ କି ମର୍ମାନ୍ତିକ ହେବ, ତାହା ଚିନ୍ତା କଲାକ୍ଷଣି ଜର୍ଜର ସର୍ବାଙ୍ଗରେ ଶିହରଣ ଜାତ ହୁଏ । ଏହି ମର୍ମାନ୍ତିକ ଦ୍ୱନ୍ଦ୍ୱର ଆବର୍ତ୍ତରେ ପଡ଼ି ଜର୍ଜ ନିଜର ମାନସିକ ଶାନ୍ତି ହରାଇଲା ।

 

କିଛିଦିନ ପରେ । ଜଣେ ହତଭାଗା ଯୁବକର ନିଷ୍ଠୁର ଆତ୍ମହତ୍ୟା ହଠାତ୍‍ ସ୍ଵଚକ୍ଷୁରେ ଦେଖି ପ୍ରେମିକ-ପ୍ରେମିକା ଜର୍ଜ ଓ ହିପୋଲାଇତଙ୍କ ମନରେ ଏକ ବିଶେଷ ପ୍ରତିକ୍ରିୟା ସୃଷ୍ଟି ହେଲା । ସେମାନଙ୍କର ସକଳ ଆଶା, ଆକାଙ୍କ୍ଷା ଉଦ୍ଦୀପନା କ୍ଷୁଣ୍ଣ ହେଲା ।

 

ଜର୍ଜ ଭାବି ଭାବି ସ୍ଥିର କଲା, ସେ ଦୁହେଁ ବର୍ତ୍ତମାନ ସହରର କୋଳାହଳଠାରୁ ଦୂରକୁ ଚାଲିଯିବେ, କୌଣସି ନିର୍ଜନ ସୈକତକୁ, ଯେଉଁଠି ସେମାନଙ୍କର ପରିପୂର୍ଣ୍ଣ ମିଳନର ପଥରେ କୌଣସି ବାଧାବିଘ୍ନ ଉପୁଜିବ ନାହିଁ ।

 

କିନ୍ତୁ ଏକ ସୁନ୍ଦର ନିର୍ଜନ ପରିବେଶରେ ରହିଥିଲେ ସୁଦ୍ଧା ସେମାନଙ୍କର ଆକାଙ୍କ୍ଷିତ ମିଳନ ସାଧିତ ହେଲା ନାହିଁ, ସେମାନଙ୍କର ଜୀବନ ମଧ୍ୟ ସୁଖକର ଓ ମଧୁମୟ ହେଲା ନାହିଁ । ଦୁହେଁ ଅବଶ୍ୟ ଗିର୍ଜାକୁ ଗଲେ, ଈଶ୍ଵରଙ୍କୁ ପ୍ରାର୍ଥନା କଲେ । ମାତ୍ର ସେଥିରେ କିଛି ଫଳ ହେଲା ନାହିଁ-। ଈଶ୍ଵରଙ୍କ ନାମ ନେଲେ ସୁଦ୍ଧା ସେହି କାମନାର ଅନଳ କଦାପି ନିର୍ବାପିତ ହେଲା ନାହିଁ, ସେମାନଙ୍କର ଅଶାନ୍ତ ମନ ଆଦୌ ଶାନ୍ତ ହେଲା ନାହିଁ ।

 

ତହୁଁ ଜର୍ଜ ଏକା ନିର୍ଜନରେ ବସି ଭାବିବାକୁ ଲାଗିଲା, ତାହାହେଲେ ହିପୋଲାଇତର ସବୁ କିଛି କଅଣ ଖତମ ହେଲାଣି ? ତାହାର ଜୀବହ ଓ ଯୌବନ କଅଣ ବ୍ୟର୍ଥ ହେଲା ? ଆଜିକାଲି ହିପୋଲାଇତକୁ ଦେଖିଲେ ଜର୍ଜର ମନରେ ତିଳେମାତ୍ର ଉତ୍ତାପ ଜାତ ହେଲା ନାହିଁ । କ୍ରମେ କ୍ରମେ ତାହାର ମନ ସନ୍ଦିଗ୍ଧ ହେବାକୁ ଲାଗିଲା ।

 

 

ଯଦିଚ ସେମାନେ ଏତେ ଦିନ ହେଲା ଏକାଠି ରହିଲେଣି, ହିପୋଲାଇତକୁ ତନ୍ନ ତନ୍ନ କରି ଦେଖିବାର ଅବକାଶ ଜର୍ଜର ନ ଥିଲା । ବର୍ତ୍ତମାନ ତାହାର ଶରୀରକୁ ସେ ନାନା ପ୍ରକାରେ ଖୁଣିବାକୁ ଲାଗିଲା । କେବେ କେବେ ସେ ବଡ଼ ପାଟିରେ କହିପକାଇଲା–ଇସ୍, ହିପୋଲାଇତ, ତୁମର ପାଦ ଦୁଇଟା ଦେଖିବାକୁ କି କଦର୍ଯ୍ୟ !

 

ଜର୍ଜ ତାହାକୁ ଏମିତି ଭାବରେ ଖୁଣିବାର ଦେଖି ହିପୋଲାଇତ ମଧ୍ୟ ମୁକ୍ତ କଣ୍ଠରେ ପ୍ରତିବାଦ ନ କରି ଛାଡ଼ିଲା ନାହିଁ ।

 

କ୍ରମେ କ୍ରମେ ହିପୋଲାଇତ ବୁଝିପାରିଲା ଯେ ଜର୍ଜ ଆଉ ଆଗ ପରି ନାହିଁ । ସେ ଲକ୍ଷ୍ୟ କଲା, ଆଜିକାଲି ଜର୍ଜ ପ୍ରାୟ ଅକାରଣରେ ବିଷଣ୍ଣ ମନରେ ଏକାକୀ ବସି ରହୁଛି ଏବଂ ମନେମନେ କଅଣ ସବୁ ଭାବୁଛି । ସେ ବୁଝିପାରିଲା ନାହିଁ, ଜର୍ଜ କାହିଁକି ଏତେ ବିଷଣ୍ଣ ଦିଶୁଛି ଏବଂ କେଉଁ କାରଣରୁ ବା ତାହା ଭିତରେ ଏପରି ଆକସ୍ମିକ ପରିବର୍ତ୍ତନ ଦେଖା ଯାଉଛି । ଯଦିଚ ସେ ଜାଣେ ଯେ ତାହାର ଟିକିଏ ପରଶ ପାଇଲେ ଜର୍ଜ ପୁଣି ନିଜର ପୂର୍ବ ସତ୍ତାକୁ ଫେରି ଆସିବ, ତଥାପି ସେ ଉଦ୍ଦାମ ଓ ଦୁର୍ଜୟ ହେବାକୁ ବସିଲା ।

 

‘ଏପରି ଭାବରେ ଦିନ ଗଡ଼ି ଯିବାକୁ ଲାଗିଲା । ସେମାନେ ଭାବି ଭାବି ସ୍ଥିର କରିପାରିଲେ ନାହିଁ, କାମନାର ଉତ୍ତାଳ ତରଙ୍ଗର ଆଘାତ ସହି ସେମାନେ ଏପରି ଭାବରେ କେତେଦିନ ବା ଦୁନିଆରେ ସାଧାରଣ ଭାବରେ ବଞ୍ଚି ରହି ପାରିବେ !

 

ଜର୍ଜ ଉପଲବ୍ଧି କଲା, ହରାଇବାକୁ ତାହାର ମନ ଆଦୌ ଚାହୁଁ ନାହିଁ । ସୁତରାଂ ସେହି ପ୍ରଶ୍ନ ସମ୍ପୂର୍ଣ୍ଣ ଅବାନ୍ତର । ତେବେ କିଛିଦିନ ହେଲା ଦୁଇଟି ମର୍ମାନ୍ତିକ ମରଣର ସ୍ମୃତି ଜର୍ଜର ମନକୁ ବରାବର ଆଚ୍ଛନ୍ନ କରି ରଖିଥିଲା । ବେଳେ ବେଳେ ତାହାର ମନରେ ସନ୍ଦେହ ଜାତ ହେଉଥିଲା, ଜୀବନରେ ପ୍ରେମ ଓ ମୃତ୍ୟୁ ବୋଧହୁଏ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ହୁଏତ ତାହାର ଏହି ମାନସିକ ଦ୍ୱନ୍ଦ୍ୱର ଏକମାତ୍ର ସମାଧାନ ହେଲା ମୃତ୍ୟୁ । ଏହା ଛଡ଼ା ଅନ୍ୟ ପଥ ସେ ଖୋଜି ପାଇଲା ନାହିଁ ।

ବିମୂଢ଼ ଜର୍ଜ ପୁଣି ଭାବିଲା, ଯଦି ଏହାକୁ ସତ ବୋଲି ଧରି ନିଆଯାଏ; ତାହାହେଲେ ତାହାର ଅଶାନ୍ତିର ଏକମାତ୍ର କାରଣ ହିପୋଲାଇତକୁ ଚିରଦିନ ପାଇଁ ଏହି ଦୁନିଆରୁ ଖତମ କରି ଦେଲେ କେମିତି ହୁଅନ୍ତା ? ହୁଏତ ହିପୋଲାଇତର ମୃତ୍ୟୁ ପରେ ତାହାର ସକଳ ସମସ୍ୟା ଓ ଦ୍ୱନ୍ଦ୍ୱର ଅବସାନ ହେବ । ସେତେବେଳେ ସେ ନିଶ୍ଚୟ ଜୀବନରେ ଶାନ୍ତି ଓ ମୁକ୍ତି ଫେରି ପାଇବ ।

କିନ୍ତୁ ସଙ୍ଗେ ସଙ୍ଗେ ତାହାର ଅନ୍ତରରୁ କିଏ ଯେମିତି ସତର୍କ କରି ଦେଲା–ଜର୍ଜ, ଏଟା ତୋହର ଗୋଟାଏ ମସ୍ତ ଭୁଲ ଧାରଣା । ଖବରଦାର, ସେ ପଥକୁ ତୁ କେବେ ଗୋଡ଼ ବଢ଼ାନା । ଜଣକର ମୃତ୍ୟୁରେ ତୁ କଦାପି ଶାନ୍ତି ପାଇବୁ ନାହିଁ । ସେଥିରେ ବରଂ ତୁ ଅନୁତାପର ଅନଳରେ ଆଜୀବନ ଜଳିପୋଡ଼ି ହେବୁ, ତୋର ଦହଗଞ୍ଜର ସୀମା ରହିବ ନାହିଁ । ଏକମାତ୍ର ସହ ମରଣରେହିଁ ତୁ ଚିରଶାନ୍ତି ଲାଭ କରିପାରିବୁ, ମୁକ୍ତି ପାଇବୁ ।

ଆଜିକାଲି ଜର୍ଜ ଏକା ସାଙ୍ଗରେ ହିପୋଲାଇତକୁ ଭଲ ପାଇଲା ଏବଂ ଘୃଣା ମଧ୍ୟ କଲା-। ଏହି ଆକର୍ଷଣ ଓ ବିକର୍ଷଣର ଦ୍ୱନ୍ଦ୍ୱ ଭିତରେ ପଡ଼ି ଜର୍ଜର ହୃଦୟ କ୍ଷତ ବିକ୍ଷତ ହେଲା-। କିନ୍ତୁ ହିପୋଲାଇତର ମନରେ କୌଣସି ରକମର ଦ୍ୱନ୍ଦ୍ୱ ଜାତ ହେଉ ନ ଥିଲା । ସେ ପରିପୂର୍ଣ୍ଣ ଭାବରେ ବଞ୍ଚିବାକୁ ଚାହୁଁଥିଲା । ଜୀବନରେ ତାହାର ବହୁତ ଆଶା ଓ ଆକାଙ୍କ୍ଷା ଏପର୍ଯ୍ୟନ୍ତ ଅପୂର୍ଣ୍ଣ ରହିଥିଲା-

ଏହିପରି ଭାବରେ ସେମାନଙ୍କର ଦିନ ବିତୁଥିଲା । ଦିନେ ସଞ୍ଜବେଳେ ଦୁହେଁ ସମୁଦ୍ରରେ ସ୍ନାନ କରିବା ପାଇଁ ଗଲେ । ଜର୍ଜ ନିଜର ପୂର୍ବ ପରିକଳ୍ପିତ କୌଶଳରେ ହିପୋଲାଇତକୁ ସେହି ଦିନ ପାଣିରେ ବୁଡ଼ାଇ ମାରି ପକାଇବାକୁ ଗୋଟାଏ ପେଞ୍ଚ ଖଞ୍ଜୁଥିଲା । କିନ୍ତୁ ଦୈବାତ୍‍ ହିପୋଲାଇତର ମନରେ ତାହା ପ୍ରତି କାହିଁକି ସନ୍ଦେହ ଉପୁଜିଲା । ତତ୍‍କ୍ଷଣାତ୍‍ ସେ ପାଣିରୁ ଧଡ଼ପଡ଼ କରି ଉଠି ଆସିବାରୁ ସେହି ଦିନ ଅନ୍ତିମ ଯାତ୍ରାରୁ ତ୍ରାହି ପାଇଲା । ସେହି ଦିନ ସେ ମନେମନେ ପ୍ରତିଜ୍ଞା କଲା, ଜୀବନରେ ଆଉ କେବେ ସେ ଜର୍ଜ ସାଙ୍ଗରେ ସମୁଦ୍ରରେ ଗାଧୋଇବାକୁ ଯିବ ନାହିଁ ।

ଏଣେ ତାହାର ସୁଚିନ୍ତିତ ପରିକଳ୍ପନା ବ୍ୟର୍ଥ ହେବାରୁ ଜର୍ଜ ମନେମନେ ଅତ୍ୟନ୍ତ କ୍ଷୁଣ୍ଣ ହେଲା ଏବଂ ଗୋଟାଏ ବିକଳ୍ପ ପନ୍ଥା ଚିନ୍ତା କରିବାକୁ ଲାଗିଲା ।

କିଛିଦିନ ପରେ । ସେମାନଙ୍କର ନୈଶ ଭୋଜନ ସରିଲା । ତା’ପରେ ଦୁହିଁଙ୍କର ଶୋଇବାକୁ ଯିବାର କଥା । ସେହି ରାତିରେ ପ୍ରେମିକ ସହିତ ମିଳନର ପ୍ରତ୍ୟାଶାରେ ହିପୋଲାଇତର ଅଙ୍ଗପ୍ରତ୍ୟଙ୍ଗରେ ଅପୂର୍ବ ରୂପାନ୍ତର ପରିଲକ୍ଷିତ ହେଲା । ତାହାର ଦେହ ଅଦ୍ଭୁତ ଭାବରେ ଯୌବନର ରୂପ ସୁଷମାରେ ଝଟକିଲା । ସେହି ସର୍ବନାଶୀ ରୂପ ଜର୍ଜକୁ ପ୍ରବଳ ଭାବରେ ଆକର୍ଷଣ କଲା । ଜର୍ଜ ନିଜର ପ୍ରେୟସୀ ରୂପବତୀ ହିପୋଲାଇତ ଉପରୁ ଆଖି ଫେରାଇ ନେଇ ପାରିଲା ନାହିଁ ।

 

ଏପରି ଅତୁଳନୀୟ ସୌନ୍ଦର୍ଯ୍ୟ ବିମଣ୍ଡିତ ରୂପ ସେ ଆଗରୁ କେବେ ଦେଖି ନ ଥିଲା-। ଜର୍ଜକୁ ଅବଶ୍ୟ ବହୁ କଷ୍ଟରେ ଆତ୍ମ-ସମ୍ବରଣ କରିବାକୁ ପଡ଼ିଲା । କିନ୍ତୁ କିଛି କ୍ଷଣ ପରେ ସେ ଦରଦୀ କଣ୍ଠରେ ପ୍ରିୟତମାକୁ ଅନୁରୋଧ କଲା–ଚାଲ, ଟିକିଏ ବାହାରୁ ବୁଲି ଆସିବା ।

 

ହିପୋଲାଇତ ଏହା ଶୁଣି ଅବାକ୍‍ ହେଲା ଏବଂ ସଙ୍ଗେ ସଙ୍ଗେ କହିପକାଇଲା–ଏକ୍ଷଣି ! ଦେଖିଲ, ଆଜି ବିଛଣାଟା କି ସୁନ୍ଦର ପରିପାଟୀରେ ବିଛା ହୋଇଛି । ନରମ ଧୋବ ଫରଫର ବିଛଣାକୁ ଅନାଇଲା ମାତ୍ରେ ଗଡ଼ି ପଡ଼ିବାକୁ ଭାରି ଲୋଭ ହେଉଛି ।

 

ଜର୍ଜ କହିଲା–ସେଥିପାଇଁ ମୁଁ ତୁମକୁ ଅଶେଷ ଧନ୍ୟବାଦ ଦେଉଛି । ଟିକିଏ ପରେ ଆମେ ଏହି ବିଛଣାକୁ ତ ଫେରି ଆସିବା । ବିଶ୍ଵାସ କର, ସତରେ ଆଜି ଏହି ସନ୍ଧ୍ୟାରେ ତୁମେ ଖୁବ୍‍ ସୁନ୍ଦର ଦିଶୁଛ । ମନେହେଉଛି, ତୁମେ ଅନିନ୍ଦ୍ୟ ସୁନ୍ଦରୀ । ଦୁନିଆରେ ତୁମେଠାରୁ ରୂପସୀ କେହି ନାହାନ୍ତି । ହେଉ, ଚାଲ, ବାହାରେ ଖୋଲା ପବନରେ ଟିକିଏ ବୁଲି ଆସିବା । ଦେଖ, ଆଜି ଚାନ୍ଦ କି ଅପୂର୍ବ ଧବଳ ଜ୍ୟୋତିରେ ଧରଣୀକୁ ଭସାଇ ଦେଇଛି । ଚାଲ, କିଛି ସମୟ ପରେ ତ ଏଠାକୁ ଫେରି ଆସିବା ।

 

ଅନେକ ଦିନ ପରେ ଜର୍ଜର ଏହି ସାମାନ୍ୟ ଚାଟୁ ବାଣୀରେ ଓ ସୋହାଗରେ ହିପୋଲାଇତ ତରଳି ଗଲା । ଆନନ୍ଦରେ ଉଦବେଳିତ ହୋଇ ସେ ତାହାର ପ୍ରେମିକ ସାଙ୍ଗରେ ବାହାରି ପଡ଼ିଲା । ପ୍ରେମିକ ଯୁଗଳ ହାତ ଧରାଧରି ହୋଇ ସମୁଦ୍ର ଆଡ଼କୁ ମନ୍ଥର ପଦରେ ଅଗ୍ରସର ହେଲେ ।

 

ସାମନାରେ ନୀଳ ଅଶାନ୍ତ ସମୁଦ୍ର । ଦୂରରୁ ଉତ୍ତାଳ ତରଙ୍ଗମାଳା ଧାଇଁ ଆସି ବାଲୁକା ତଟରେ ମଥା ପିଟୁଥିଲା । ମୃଦୁ ସମୀରଣର କୋମଳ ପରଶରେ ମତୁଆଲା ହୋଇ ଦୁହେଁ ଚାଲି ଚାଲି ଯାଇ ସମୁଦ୍ରର ଖାଡ଼ି ଉପରେ ଅଟକିଲେ ।

 

ଗୋଟିଏ ଛୋଟ ସଂକୀର୍ଣ୍ଣ ପୋଲ । କିନ୍ତୁ ସେଠାରେ ଠିଆ ହେଲେ ସମୁଦ୍ରର ନୟମ-ମନ-ଲୋଭା ମନୋହର ଶୋଭା ସମ୍ପଦ ଭଲଭାବରେ ଦୃଷ୍ଟିରେ ପଡ଼େ । ପ୍ରେମିକ ଯୁଗଳ ଧୀର ପଦରେ ଯାଇ ସେହି ପୋଲର ଜୀର୍ଣ୍ଣ ପଟା ଉପରେ ଠିଆ ହେଲେ । ସେତେବେଳେ ତଳେ ସମୁଦ୍ରର ଅଶାନ୍ତ ପାଗଳ ଢେଉସବୁ ପଥର ଉପରେ ଅବିରତ ଲୋଟି ଯାଉଥିଲେ ।

 

ଦୁଇ ଜଣଙ୍କର ଦେହର ଓଜନରେ ପୋଲ ଟିକିଏ ହଲିବାରୁ, ହିପୋଲାଇତର ଚେତା ପଶିଲା । ସେ ଚମକି ପଡ଼ିଲା ଏବଂ ମନେମନେ ଭାବିଲା–ଏ କଅଣ ! ଜର୍ଜ ତାହାକୁ ଆଜି କେଉଁଠାକୁ ନେଇ ଆସିଲା ? ସର୍ବନାଶ, ସେମାନେ ଯେ ଏବେ ମୃତ୍ୟୁର ମୁଖରେ ପାଦ ଦେବାକୁ ଯାଉଛନ୍ତି !

 

ତତ୍‍କ୍ଷଣାତ୍‍ ହିପୋଲାଇତର କଣ୍ଠରୁ କାତର ମିନତି ନିର୍ଗତ ହେଲା–ଜର୍ଜ, ଆଉ ଆଗକୁ ଯାଅ ନାହିଁ, ପାହୁଣ୍ଡେ ସୁଦ୍ଧା ନୁହେଁ । ମୋ କଥା ମାନ, ଫେରି ଆସ, ଆଗକୁ ଯାଅ ନାହିଁ । ତୁମ ଗୋଡ଼ ତଳେ ପଡ଼ୁଛି, ଚାଲ, ଏବେ ଆମେ ଘରକୁ ଫେରିଯିବା ।

 

ପ୍ରଣୟିନୀକୁ ଅଭୟ ଦେବା ନିମନ୍ତେ ଜର୍ଜ ଶାନ୍ତ କଣ୍ଠରେ କହିଲା–ଶକ୍ତ କରି ତୁମେ ମୋ ହାତ ଧର । ଆଦୌ ଭୟ କର ନାହିଁ, ତୁମର କିଛି ହେବନାହିଁ । ଆସ, ଆଉ ଟିକିଏ ଆଗେଇ ଆସ-। ମୋ ଛାତି ଉପରକୁ ଚାଲି ଆସ, ପ୍ରିୟତମେ !

 

ହିପୋଲାଇତ ହଠାତ୍‍ ଟିକିଏ ଆନମନା ହୋଇପଡ଼ିଲା । ତାହାର ଅକଲ ଗୁଡ଼ୁମ ହେଲା-। ଇତି ମଧ୍ୟରେ ଜର୍ଜ ନିଜର ଲୌହ କଠିନ ଦୁଇ ବାହୁରେ ପ୍ରେୟସୀ ହିପୋଲାଇତକୁ ମରଣର ଆଲିଙ୍ଗନ ଭିତରକୁ ଭିଡ଼ି ନେଲା । ପୋଲଟା ଆଉ ଥରେ କ୍ଷଣକ ପାଇଁ ଦୋହଲିଲା ଏବଂ ସଙ୍ଗେ ସଙ୍ଗେ ଆଲିଙ୍ଗନାବଦ୍ଧ ପ୍ରେମିକ ଯୁଗଳ ତଳର ସେହି ଗଭୀର ଖାଲ ଭିତରେ ଖସି ପଡ଼ିଲେ-

 

ନିର୍ଜନ ନିସ୍ତବ୍ଧ ନିଶୀଥିନୀ । କଠିନ ଉତ୍ତୁଙ୍ଗ ପଥରର ବକ୍ଷରେ ଦୁଇଟି ସୁକୋମଳ ମଣିଷର ପତନର ଶବ୍ଦ ଦୁନିଆରେ କେହି ଶୁଣି ପାରିଲେ ନାହିଁ, କି କେହି କିଛି ମଧ୍ୟ ଜାଣି ପାରିଲେ ନାହିଁ । ସେମାନେ ସେହି ଅଶାନ୍ତ ସାଗରର ନୀଳ ବକ୍ଷରେ ନୀରବରେ ଦୁଇଟି ବୁଭୁକ୍ଷୁ ହୃଦୟର ଅତୃପ୍ତ କାମନା ଛାଡ଼ିଦେଇ ଗଲେ । ଆଜି ମଧ୍ୟ ଅଗଣିତ ଢେଉଗୁଡ଼ିକ ସତେ ଯେମିତି ସେହି ତାଡ଼ନାରେ ସେଠାରେ ଅବିଶ୍ରାମ ମଥା ପିଟି ମରୁଛନ୍ତି ।

★★★

 

ଲେଖକ ପରିଚୟ

 

ହେନରିକ ସିନକିୟୁଇଜ :

 

ଲିଥୁଆନିଆରେ ଜନ୍ମଗ୍ରହଣ କରି ହେନରିକ ସିନକିୟୁଇଜ (୧୮୪୬-୧୯୨୬) ଉଆରସ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଅତି କମ୍‍ ବୟସରୁ ସେ ଲେଖାଲେଖି ଆରମ୍ଭ କଲେ । ତିରିଶ ବର୍ଷ ବେଳେ ସେ ଆମେରିକାକୁ ଚାଲିଗଲେ ।

 

୧୮୮୪ରେ ତାଙ୍କର ପ୍ରଥମ ସଫଳ ଉପନ୍ୟାସ “ଅନଳ ଓ ତରବାରି ସହିତ” ପ୍ରକାଶିତ ହେଲା, ଏବଂ ତାହାର କେତେକ ବର୍ଷ ପରେ “କୁୟୋ ଭାଦିସ”, ଯେଉଁଥି ପାଇଁ ୧୯୦୫ରେ ତାହାଙ୍କୁ ନୋବେଲ ପୁରସ୍କାର ପ୍ରଦତ୍ତ ହେଲା-। ଜଣେ ସୁନିପୁଣ ଔପନ୍ୟାସିକ ଭାବରେ ବିଶ୍ଵ ବିଦିତ ହେଲେ ସୁଦ୍ଧା, ପୋଲାଣ୍ଡର କଥାକାରମାନଙ୍କ ମଧ୍ୟରେ ସେ ଉଚ୍ଚତମ ଆସନ ଅଧିକାର କରିଥିଲେ-। ତାଙ୍କର ଶ୍ରେଷ୍ଠ କାହାଣୀ “ଆସପିନଓୟାଲର ବତିଘର” ଭଳି ଉଜ୍ଜ୍ଵଳ ସ୍ୱଦେଶ ପ୍ରେମର ଗପ ବିଶ୍ଵସାହିତ୍ୟରେ ପ୍ରାୟ ବିରଳ ।

 

ମଣିଷ ଭିତରେ ଯେ ଅସଲ ମଣିଷ ଅଛି, ତାହାର ବିଷାଦ ମଧୁରତାର ଯେଉଁ କାହାଣୀ ଏହି ଗପରେ କଥିତ ହୋଇଛି, ତାହା ଯେକୌଣସି ମଣିଷର ହୃଦୟକୁ ନିସଃନ୍ଦେହରେ ସ୍ପର୍ଶ କରିବ-। ତାଙ୍କର ଅପୂର୍ବ ସାହିତ୍ୟ କୃତି “କୁୟୋ ଭାଦିସ” ପୃଥିବୀର ପ୍ରାୟ ସକଳ ଭାଷାରେ ଅନୂଦିତ ହୋଇଛି ।

 

ସଂକ୍ଷିପ୍ତ ଉପନ୍ୟାସ : “କୁୟୋ ଭାଦିସ”

 

ଗୀ ଦ୍ୟ ମୋପାସାଁ :

 

ଜଣେ ବିଶିଷ୍ଟ ସାହିତ୍ୟ-ଶିଳ୍ପୀ ତଥା ଉପନ୍ୟାସ ଶୈଳୀର ମୁଖ୍ୟ ପ୍ରବର୍ତ୍ତକ ରୂପେ ପରିଗଣିତ ହେଲେ ସୁଦ୍ଧା, ଫରାସୀ ସାହିତ୍ୟିକ ଗୀ ଦ୍ୟ ମୋପାସାଁ (୧୮୫୦-୯୩) ପ୍ରଥମ ଶ୍ରେଣୀର ଆଧୁନିକ ଲେଖକଙ୍କ ମଧ୍ୟରେ ଅନ୍ୟତମ ଥିଲେ, ଯେ ଏକ ସମ୍ପୂର୍ଣ୍ଣ ଅଲଗା କଳା ପ୍ରଣାଳୀ ଭାବରେ ଛୋଟ ଗପର ବିକାଶ ଦିଗରେ ବରାବର ନିଜକୁ ନିୟୋଜିତ କରିଥିଲେ । ଯଦିଚ ତାଙ୍କର ଅଧ-ଡଜନ ସାର୍ଥକ ଉପନ୍ୟାସ ଅତ୍ୟନ୍ତ ଶକ୍ତିଶାଳୀ ଓ ଚିତ୍ତାକର୍ଷକ ବିବେଚିତ ହୁଏ, ତାହାଙ୍କ ଲିଖିତ ଶତାଧିକ କାହାଣୀ ପ୍ରଧାନତଃ ଅମରତ୍ଵ ଦାବି କରେ । ତନ୍ମଧ୍ୟରୁ “ହାର” ଗପଟି ସାଧାରଣତଃ ତାଙ୍କର ଏକ ଶ୍ରେଷ୍ଠ ଅଲୌକିକ କୃତି ରୂପେ ସର୍ବଜନ ବିଦିତ । ତାଙ୍କର ତିନୋଟି ଉପନ୍ୟାସ “ବୁଲେ ଦ୍ୟ ସୁଫ୍” (୧୮୮୦), “ୟୁନେ ଭାୟ” (୧୮୮୩) ଓ “ପିୟରେ ଓ ଜାଁ’’ (୧୮୮୮) ଦୀର୍ଘ କାହାଣୀ କ୍ଷେତ୍ରରେ ମଧ୍ୟ ନିଜର ଅପୂର୍ବ ଶକ୍ତିମତ୍ତାର ପରିଚୟ ପ୍ରଦାନ କରେ । ମୋପାସାଁଙ୍କ ଜୀବନ ସଂକ୍ଷିପ୍ତ ଓ ବିୟୋଗାନ୍ତ । ତଥାପି ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପୃଥିବୀର ଛୋଟ ଗପର ଆଙ୍ଗିକ ଓ ଉପଜୀବ୍ୟରେ ଯେଉଁ ବୈଚିତ୍ର୍ୟ ସଞ୍ଚାରିତ ହୋଇଛି, ତାହାର ଆଂଶିକ କୃତିତ୍ୱ ଏହି ଫରାସୀ ମନୀଷୀଙ୍କର ଏକାନ୍ତ ପ୍ରାପ୍ୟ । ଶୈଶବରୁ ତାଙ୍କର ଲେଖକ ହେବାର ପ୍ରବଳ ବାସନା ଥିଲା-। ପୃଷ୍ଠପୋଷକ ଭାବରେ ଔପନ୍ୟାସିକ ଗୁସ୍ତାଭ ଫ୍ଳବେୟାର ସଯତ୍ନରେ ତାହାଙ୍କୁ ଗପ ରଚନାର କଳା କୌଶଳରେ ଦୀକ୍ଷିତ କରିଥିଲେ । ମୋପାସାଁଙ୍କ ଜୀବନର ଶେଷ ଦୁଇଟି ବର୍ଷ ଅତୀବ କଷ୍ଟକର–ନୈରାଶ୍ୟ, ବ୍ୟାଧି ଓ ୧୮୯୨ରେ ଆଂଶିକ ଉନ୍ମାଦ ରୋଗ ତାହାଙ୍କୁ ପୀଡ଼ିତ କରିଥିଲା-। ୪୩ ବର୍ଷ ବୟସରେ ପ୍ୟାରୀସର ଏକ ଘରୋଇ ଆରୋଗ୍ୟଶାଳାରେ ତାଙ୍କର ଦେହାବସାନ ହେଲା । ଅନ୍ୟାନ୍ୟ ପ୍ରଧାନ ଉପନ୍ୟାସ–‘‘ଲା ମୈସନ ଟେଲିୟର” ୧୮୮୧, “ବେଲ-ଆମି” (୧୮୮୫), ଇତ୍ୟାଦି ।

 

ସଂକ୍ଷିପ୍ତ ଉପନ୍ୟାସ : “ୟୁନେ ଭାୟ”

 

ଗାବ୍ରିୟେଲ ଦ୍ୟ ଅନୁନତ୍‍ସିଓ :

 

ଇତାଲୀୟ ସାହିତ୍ୟରେ ଅନ୍ୟତମ ଦିକ୍‍ପାଳ ଗାବ୍ରିୟେଲ ଦ୍ୟ ଅନୁନତ୍‍ସିଓଙ୍କ (୧୮୩୬-୧୯୩୮) ପ୍ରତିଭାର ବିକାଶ କାବ୍ୟର ମାଧ୍ୟମରେ ଆରମ୍ଭ ହେଲା । ଷୋଳ ବର୍ଷ ବେଳେ ତାଙ୍କର କବି ଖ୍ୟାତି ଚତୁର୍ଦ୍ଦିଗରେ ଖେଳିଗଲା । କୋଡ଼ିଏ ବର୍ଷରେ ତାହାଙ୍କ ଜୀବନରେ ପ୍ରେମର ଉନ୍ମେଷ ହେଲା । ଏକ ଦୁର୍ଦ୍ଦମନୀୟ ଅନ୍ତରରେ ସେ ନିରନ୍ତର କର୍ମରୁ କର୍ମାନ୍ତରକୁ ଧାଇଁ ବୁଲିଲେ । ଅତି ସାଧାରଣ ଚେହେରା, ଅଥଚ ତାଙ୍କର ବ୍ୟକ୍ତିତ୍ଵରେ ଏପରି ସମ୍ମୋହିନୀ ଶକ୍ତି ଥିଲା ଯେ ସେ ମୁହୂର୍ତ୍ତକ ଭିତରେ ଯେକୌଣସି ନାରୀର ହୃଦୟ ଜୟ କରି ପାରୁଥିଲେ । ବିଖ୍ୟାତ ଅଭିନେତ୍ରୀ ଏଲିଓନୋରାର ସାନ୍ନିଧ୍ୟରେ ଆସି ସେ ଗୋଟିକ ପରେ ଗୋଟିଏ ନାଟକ ଲେଖିବାକୁ ଲାଗିଲେ । ସେ ଚରମ ବିଳାସୀ ଥିଲେ । ତାଙ୍କର ଦେଣାର ପରିମାଣ ବଢ଼ି ବଢ଼ି ଆକାଶ-ଛୁଆଁ ହେବାରୁ, ଶେଷରେ ସରକାର ତାହାଙ୍କୁ ଦେଉଳିଆ ଘୋଷଣା କଲେ । ୧୮୯୮ରେ ତାଙ୍କର ରାଜନୀତିକ ଜୀବନ ଆରମ୍ଭ ହେଲା । ପ୍ରଥମ ମହାଯୁଦ୍ଧରେ ଦେଶର ଡାକରାରେ ସେ ଯୁଦ୍ଧକୁ ଡେଇଁ ପଡ଼ିଲେ । ନିଜ ଜୀବନକୁ ତୁଚ୍ଛ କରି ସେ କେତୋଟି ଯୁଗାନ୍ତକାରୀ ବିମାନ ଅଭିଯାନରେ ମୁଖ୍ୟ ଅଂଶ ଗ୍ରହଣ କଲେ । ଫଳରେ, ବାମ ଆଖିରେ ଆଘାତ ପାଇଲେ । ଷୋଳ ବର୍ଷ ବେଳେ ତାଙ୍କର ପ୍ରଥମ କବିତାଗ୍ରନ୍ଥ ପ୍ରକାଶିତ ହୋଇଥିଲା, ଆଉ ପ୍ରଥମ ଉପନ୍ୟାସ ୧୮୮୦ରେ । ଜଣେ ଯଶସ୍ଵୀ କବି, ଔପନ୍ୟାସିକ ଓ ନାଟ୍ୟକାର ଭାବରେ ପରିଚିତ । ତାଙ୍କର ଗପଗୁଡ଼ିକ ପାର୍ବତ୍ୟ ଆଦି ନିବାସରେ ଅର୍ଦ୍ଧ-ବନ୍ୟ କୃଷକ ଶ୍ରେଣୀର ଜ୍ୱଳନ୍ତ ଚିତ୍ର ରୂପେ ଅବିସ୍ମରଣୀୟ । ତାଙ୍କର ରଚନା ଦୁଇଟି ବିଶିଷ୍ଟ ଶ୍ରେଣୀରେ ବିଭକ୍ତ । ପ୍ରଥମତଃ, ତାଙ୍କର ରାଜନୀତିକ ଚେତନାଦୀପ୍ତ ରଚନାରେ ସମଗ୍ର ଇତାଲୀର ନବଜାଗରଣ ସ୍ପଷ୍ଟ ଭାବରେ ପ୍ରତିଧ୍ଵନିତ ହୁଏ । ଦ୍ଵିତୀୟଟି ଆଦି ରସାତ୍ମକ ବ୍ୟଞ୍ଜନାରେ ଉଦ୍ଭାସିତ ଓ ସୁଦୂର ପ୍ରସାରୀ । ତାଙ୍କର ଅଧିକାଂଶ ଉପନ୍ୟାସ ବହୁ ଭାଷାରେ ଅନୂଦିତ । ତନ୍ମଧ୍ୟରୁ ପ୍ରଧାନ ହେଉଛି–‘‘ଆନନ୍ଦର ଶିଶୁ”, “ପର୍ବତର ଅନୂଢ଼ା କନ୍ୟା”, “ମୃତ ନଗରୀ”, “ନିର୍ଦ୍ଦୋଷ”, “ଅନଳ”, “କାବିରିୟା”, “ଜୀବନର ପ୍ରମୋଦ”, ଇତ୍ୟାଦି ।

 

ସଂକ୍ଷିପ୍ତ ଉପନ୍ୟାସ : “ଦି ଟ୍ରାମ୍ଫ ଅଫ୍ ଡେଥ୍”

Image